Unknown

 

 

 

 

 

 

 

ଅଲୌକିକ ସାଇବାବା

ମୂଳ ଲେଖା

ଆର୍ଥର ଓସ୍‌ବର୍ଣ୍ଣ

 

ଅନୁବାଦ

ବିଜୟ କୁମାର ମିଶ୍ର

 

ସୂଚୀପତ୍ର

 

୧.

ପରିଚୟ

୨.

ଗୁରୁ ଓ ତାଙ୍କର ପରିବାର

୩.

ହିନ୍ଦୁଧର୍ମ ଓ ଇସ୍‌ଲାମ୍‌ ଧର୍ମ

୪.

ଶକ୍ତି ଓ ସଙ୍କେତ

୫.

ପ୍ରତୀକବାଦ–ଟଙ୍କା

୬.

ଉପଦେଶ

୭.

ମୃତ୍ୟୁ ଓ ଜୀବନସଂଚାର

୮.

ମୃତ୍ୟୁପର ଉପସ୍ଥିତି

Image

 

ପରିଚୟ

 

‘‘ହେଇ ଦେଖ, ସେ ପାଗଳା ଫକୀର ଏଇଆଡ଼େ ଆସୁଛନ୍ତି ।’’ ଜଣେ କିଏ ଫୁସ୍‌ଫୁସ୍‌ କରି ଏକଥା କହିଲା । ଅନ୍ୟ ଦୋକାନୀମାନେ ଚାହିଁଲେ ରାସ୍ତାକୁ । ଜଣେ ବେଶ୍‌ ଉଚ୍ଚ, ସ୍ଵାସ୍ଥ୍ୟବାନ୍‌ ଯୁବକ ଦୃଢ଼ ପଦ ବିକ୍ଷେପରେ ସେମାନଙ୍କ ଆଡ଼କୁ ଆଗେଇ ଆସୁଥିଲେ । ସେ ବେଶ ଶକ୍ତିମାନ୍‌; ମାତ୍ର ନିର୍ଲିପ୍ତ, କାହା ସଙ୍ଗେ ଯେମିତି କିଛି ପରିଚୟ ନାହିଁ ।

 

ସେ କିଏ ସେକଥା କେହି ଜାଣି ନ ଥିଲେ । ପ୍ରଥମେ ୧୮୭୨ ମସିହାରେ ସିର୍‌ଡ଼ି ସହରରେ ଜଣେ ୧୬ ବର୍ଷ ବୟସର ଗୋଟିଏ ବୁଲାଫକୀର ଭାବରେ ତାଙ୍କର ଆବିର୍ଭାବ ହୁଏ । କିନ୍ତୁ ସେ କେଉଁଠୁ ଆସିଲେ ବା କାହିଁକି ଏମିତି ବୁଲୁଥାନ୍ତି, ସେକଥା କେହି କହି ପାରୁ ନ ଥିଲେ । କିଛିଦିନ ପରେ ସେ କୁଆଡ଼େ ଚାଲିଗଲେ । ମାତ୍ର ପରେ ସେଠାକୁ ଫେରିଆସି ଜୀବନର ଅବଶିଷ୍ଟ ସମୟତକ ସେଇ ସହରରେ କଟାଇଲେ । ଏହା ପୂର୍ବରୁ ସେଠାକୁ ଆସିଲାବେଳେ ସେ ଗୋଟାଏ ନିମଗଛମୂଳେ ରହୁଥିଲେ । ଦିନସାରା ସେ ଗଛ ମୂଳେ ବସି ରହନ୍ତି । ରାତିରେ ଖାଲି ଭୁଇଁରେ ସେ ଶୋଇପଡ଼ନ୍ତି । ଗ୍ରାମବାସୀମାନେ ଯାହା କିଛି ସାମାନ୍ୟ ଖାଦ୍ୟ ଦିଅନ୍ତି, ତାହା ହିଁ ତାଙ୍କର ଏକମାତ୍ର ଆହାର । ଶେଷଥର ପାଇଁ ସେ ଯେତେବେଳେ ସିରଡ଼ିକୁ ଆସିଲେ, ଗୋଟାଏ ମନ୍ଦିରରେ ରହିବାକୁ ଗଲେ । ମାତ୍ର ରକ୍ଷଣଶୀଳ ହିନ୍ଦୁ ପରିଚାଳକ ତାଙ୍କୁ ମୁସଲମାନ ବୋଲି ଭାବି ସେଠାରୁ ତଡ଼ି ଗୋଟାଏ ମସଜିଦରେ ରହନ୍ତୁ ବୋଲି ଉପଦେଶ ଦେଲେ । ତା’ ପରଠାରୁ ମାଟି କାଦୁଅରେ ତିଆରି ଗୋଟିଏ ମସଜିଦ୍‌ ହିଁ ତାଙ୍କର ବାସସ୍ଥାନ ହୋଇ ରହିଲା ।

 

ସେ ଅଞ୍ଚଳର ହିନ୍ଦୁ ଓ ମୁସଲମାନ୍‌ ସାଧୁସନ୍ଥମାନେ ବେଳେ ବେଳେ ତାଙ୍କ ପାଖକୁ ଯାଇ ଆଲୋଚନା କରନ୍ତି । ସେଠାରୁ ଫେରି ସେମାନେ ଲୋକଙ୍କୁ କହନ୍ତି–‘‘ସେ ଫକୀରଙ୍କ ପାଖକୁ ଯାଅ, ସେ ଗୋବର ଗଦାରେ ଗୋଟିଏ ରତ୍ନ ।” କିନ୍ତୁ ଲୋକମାନେ ଏ କଥାରେ କାନ ଦେଉ ନ ଥିଲେ । ଅନେକ ଭାବୁଥିଲେ, ସେ ଗୋଟାଏ ପାଗଳ । କାରଣ ସେ ଲୋକମାନଙ୍କ ସାଙ୍ଗରେ ଆଦୌ ମିଶୁ ନ ଥିଲେ ବା ସେମାନଙ୍କ ସହ କଥାବାର୍ତ୍ତା କରୁ ନ ଥିଲେ । ବେଳେ ବେଳେ, ଖୁବ୍‌ କ୍ଵଚିତ, ସେ ନମାଜ ପଢ଼ୁଥିଲେ । ତାଙ୍କର ଅତି ବିଚିତ୍ର ଅଭ୍ୟାସ ଗୁଡ଼ିଏ ଥିଲା । ପାର୍‌ଶୀ ସାଧୁଙ୍କ ପରି ମସଜିଦ୍‌ରେ ସବୁବେଳେ ଗୋଟିଏ ଧୂନି ଜଳାଇ ରଖୁଥିଲେ । ସେଠାରେ ତେଲଦୀପ ପ୍ରାୟ ଜଳାଉ ନ ଥିଲେ । ନିଜ ଖାଦ୍ୟକୁ ଛାଡ଼ିଦେଲେ କେତୋଟି ଦୀପ ପାଇଁ ସାମାନ୍ୟ କିଛି ତେଲ ହିଁ ତାଙ୍କର ଆବଶ୍ୟକତା । ସେଥିପାଇଁ ଦୋକାନକୁ ଯାଇ ତେଲ ଭିକ୍ଷା କରି ଆଣୁଥିଲେ ।

 

ଏମିତି ଥରେ ତେଲ ମାଗିବାକୁ ସେ ରାସ୍ତାକୁ ବାହାରିପଡ଼ିଲେ । ଦୋକାନୀମାନେ ତାଙ୍କୁ ଦେଖି ନିଜ ନିଜ ଭିତରେ କଥାବାର୍ତ୍ତା ହେଲେ–“ଆଜି ଗୋଟାଏ କୌତୁକ କରିବା । ତାଙ୍କୁ ତେଲ ନାହିଁ ବୋଲି ମନା କରିଦେବା ।’’ ଫକୀର ଆସିବାରୁ ଦୋକାନୀମାନେ ମନା କରିଦେଲେ । ମାତ୍ର ସେ ପାଟି ନ ଫିଟାଇ ଚୁପ୍‌ଚାପ୍‌ ମସ୍‌ଜିଦ୍‍କୁ ଫେରିଲେ । ୟାପରେ ସେ କ’ଣ କରିବେ ଦେଖିବାକୁ କେତୋଟି ଦୋକାନୀ ଫକୀରଙ୍କ ପଛେ ପଛେ ଧୀରେଧୀରେ ଚାଲିଲେ । ଫକୀର ମସ୍‌ଜିଦ୍‍ ରେ ପହଞ୍ଚି ଗୋଟାଏ ପାଣିଢ଼ାଳ ଉଠାଇ ପ୍ରତ୍ୟେକ ଦୀପ ପାଣିରେ ପୂର୍ଣ୍ଣ କରିଦେଲେ । ଏମାନେ ଦେଖିଲେ, ସେ ପାଣି ଠିକ୍‌ ତେଲପରି ଜଳୁଛି । ଏଥିରେ ଆଉ ସନ୍ଦେହ କରିବାର ବା ଥଟ୍ଟା କରିବାର କିଛି ନ ଥିଲା, ସମସ୍ତେ ତାଙ୍କ ପାଦତଳେ ଲମ୍ବ ଲମ୍ବ ପଡ଼ିଯାଇ କ୍ଷମାଭିକ୍ଷା କଲେ ।

 

କ୍ରମେ କ୍ରମେ ଲୋକେ ବୁଝିଲେ, ସେ ଯୁବକ ଫକୀର ପ୍ରକୃତରେ ଗୋବର ଗଦାରେ ଗୋଟିଏ ରତ୍ନ । ସେ ଯେ ଜଣେ ଅତି ଅଦ୍ଭୁତ ଶକ୍ତିସଂପନ୍ନ ପୁରୁଷ, ଏଥିରେ କାହାରି ସନ୍ଦେହର ଅବକାଶ ଆଉ ରହିଲା ନାହିଁ । କ୍ରମଶଃ ଅନେକ ଲୋକ ତାଙ୍କ ପାଖକୁ ଯିବାକୁ ଲାଗିଲେ । ସେମାନେ ଦେଖିଲେ ଫକୀର ଜଣେ ସିଦ୍ଧପୁରୁଷ ଏବଂ ଦୁଃଖୀଲୋକଙ୍କ ପ୍ରତି ଥିଲା ତାଙ୍କର ଅସୀମ ସହାନୁଭୂତି ।

 

ତଥାପି ସେ ଜଣେ ଅବୋଧ୍ୟ ଲୋକ ଭାବରେ ରହିଲେ । ଲୋକେ ତାଙ୍କୁ ସାଇବାବା ବୋଲି ଡାକୁଥିଲେ । ଏଇ ନାମ ଛଡ଼ା ସେମାନେ ଆଉ କିଛି ଜାଣି ନ ଥିଲେ । ସାଇବାବା ତ ଗୋଟାଏ ନାମ ନୁହଁ; ‘ସାଇ’ ଗୋଟାଏ ପାର୍‍ଶୀ ଶବ୍ଦ ଓ ତା’ର ଅର୍ଥ ସିଦ୍ଧପୁରୁଷ । ‘ବାବା’ତ ହିନ୍ଦୀ ଶବ୍ଦ, ଯାହାର ଅର୍ଥ ପିତା । ସାଇବାବା ଯେ କାହିଁକି ସିର୍‌ଡ଼ିକୁ ତାଙ୍କ ବାସସ୍ଥାନ ରୂପେ ବାଛିନେଲେ, ତାହା କେହି ଜାଣନ୍ତି ନାହିଁ । ସିର୍‌ଡ଼ି ଗୋଟାଏ ଖୁବ୍‌ ଛୋଟ ସହର, ନିକଟସ୍ଥ ରେଳ ଷ୍ଟେସନରୁ ପ୍ରାୟ ଛଅ ମାଇଲ ଦୂରରେ । ସେଇଟା କେବେହେଲେ ଗୋଟାଏ ଅଧ୍ୟାତ୍ମିକ ଶିକ୍ଷାକେନ୍ଦ୍ର ନ ଥିଲା । ତଥାପି ସାଇବାବା ପ୍ରାୟ ଅର୍ଦ୍ଧଶତାବ୍ଦୀ କାଳ, ୧୯୧୮ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେଇଠି ଥିଲେ । ତାଙ୍କ ନିଜର ଜୀବନ ପରି ଏ ସମସ୍ତ ଘଟଣା ରହସ୍ୟାବୃତ । ଅନେକ ଦିନ ପରେ, ସାଇବାବା ଯେତେବେଳେ ବେଶ୍‌ ପ୍ରସିଦ୍ଧ ହୋଇଗଲେ, ସେ ତାଙ୍କର ଜଣେ ଶିଷ୍ୟକୁ ପୂର୍ବୋକ୍ତ ନିମଗଛ ମୁଳ ଖୋଳିବାକୁ ନିର୍ଦ୍ଦେଶ ଦେଲେ । କିଛି ଖୋଳିଲା ପରେ ଗୋଟାଏ ସମାଧି ସେଠାରୁ ବାହାରିଲା । ସାଇବାବା କହିଲେ, ଏଇଟା ତାଙ୍କର ପୂର୍ବଜନ୍ମର ଗୁରୁଙ୍କର ସମାଧି ।

 

ପ୍ରକୃତରେ କହିବାକୁ ଗଲେ ତାଙ୍କ ଜୀବନର ପ୍ରଥମ ବର୍ଷଗୁଡ଼ିକ ବିଷୟରେ କିଛି ଜଣାନାହିଁ । ତେବେ ଏକଥା ନିଶ୍ଚିତ ଯେ, ସେ ପୂର୍ବତନ ହାଇଦରାବାଦ ରାଜ୍ୟର ଗୋଟିଏ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବୋଧହୁଏ ପିଲାବେଳେ ତାଙ୍କର ବାପା ମାଆ ମରିଗଲେ; କାରଣ ଖୁବ୍‌ ଅଳ୍ପ ବୟସରୁ ସେ ଜଣେ ମୁସଲମାନ ଫକୀରଙ୍କ ପଛେ ପଛେ ବୁଲୁଥିଲେ-। କିଛି ବର୍ଷ ପରେ ଉକ୍ତ ଫକୀର ମରିଗଲେ ଓ ସାଇବାବା ଜଣେ ହିନ୍ଦୁଗୁରୁଙ୍କ ପାଖକୁ ଗଲେ । ଏଇ ଗୁରୁଙ୍କ ସହ ସେ ଖୁବ୍‌ ନିବିଡ଼ ଭାବରେ ସଂପୃକ୍ତ ଥିଲେ । ପରେ ସେ ତାଙ୍କୁ ‘ଭେଙ୍କୁସା’ ବୋଲି କହୁଥିଲେ । ସେ ଗୁରୁଙ୍କ ସହ କିମିତି ସାକ୍ଷାତ ହେଲା, ସେ କଥା ସାଇବାବା ନିଜେ କହିଛନ୍ତି–

 

‘‘ଥରେ ଆମେ ତିନିଜଣ ବନ୍ଧୁ, ପୁରାଣ ପଢ଼ି ସେ ବିଷୟରେ ଆଲୋଚନା କରୁଥିଲୁଁ । କେମିତି ସିଦ୍ଧିଲାଭ କରାଯାଇପାରିବ, ସେ ବିଷୟରେ ଆମ ଭିତରେ ଯୁକ୍ତିତର୍କ ଲାଗିଥିଲା । ଆମ ଭିତରୁ ଜଣେ କହିଲା–‘ଗୀତା କହୁଛି ଜାଗ୍ରତ ହୁଅ । ଏଣୁ ସିଦ୍ଧିଲାଭ ପାଇଁ କୌଣସି ଗୁରୁଙ୍କର ଆବଶ୍ୟକତା ନାହିଁ । ସେଥିପାଇଁ ଆମେ ନିଜେ ନିଜେ ଚେଷ୍ଟା କରିପାରିବା ।’’ ଅନ୍ୟ ଜଣେ କହିଲା–‘ଦେଖ, ପ୍ରଧାନ କଥା ହେଲା ମନର ସଂଯମ ଏବଂ ସବୁ ପ୍ରକାର କୁଚିନ୍ତା ଓ ସନ୍ଦେହରୁ ତାକୁ ମୁକ୍ତ ରଖିବା ।’ ତୃତୀୟ ଜଣକ କହିଲା–ପୃଥିବୀର ସମସ୍ତ ବସ୍ତୁ ଅଳୀକ ଏବଂ ପରିବର୍ତ୍ତନଶୀଳ-। ଏକମାତ୍ର ସେଇ ଅସୀମ, ଅଜ୍ଞାତ ହିଁ ନିତ୍ୟ ଓ ସ୍ଥିର । ତେଣୁ ଆମ୍ଭେମାନେ ସବୁବେଳେ ଏଇ ଦୁଇଟି କଥା, ଚିରନ୍ତନ ଓ କ୍ଷଣିକ ଭିତରେ ତଫାତ୍‌ଟା ଜାଣି ରଖିବା ଉଚିତ୍‌ ।’ କିନ୍ତୁ ଚତୁର୍ଥ ଜଣକ ଏମିତି କୌଣସି ମୁହଁର କଥା ଭଲ ପାଉ ନ ଥିଲା । ସେ କହିଲା–‘ଆସ, ଆମେ କେବଳ ଆମ କର୍ତ୍ତବ୍ୟ କରିଯିବା ଏବଂ ସର୍ବଶକ୍ତିମାନ୍‌ ଗୁରୁଙ୍କ ଚରଣରେ ଆମର ସମସ୍ତ ଜୀବନ ଅର୍ପଣ କରିଦେବା । ତାଙ୍କ ଉପରେ ବିଶ୍ଵାସ ହିଁ ଆମର ସବୁଠାରୁ ବେଶି ଆବଶ୍ୟକ ।

 

ଏହାପରେ ଆମେ ବଣ ଭିତରେ ବୁଲୁଚ ଗୋଟିଏ ଚାଷୀ ସହ ଦେଖା ହେଲା । ସେ ପଚାରିଲା, ଏମିତି ଉଦୁଉଦିଆ ଖରାବେଳେ ଆମେ କୁଆଡ଼େ ଯାଉଚୁ । ସେ ଆମକୁ ସାବଧାନ କରିଦେଲା–ଏ ବାଟଘାଟ ଶୂନ୍ୟ ଅରଣ୍ୟ ଭିତରେ ଆମେ ହଜିଯିବାର ସମ୍ଭାବନା ଖୁବ୍‌ ବେଶି । ତା’ ଘରକୁ ଯାଇ କିଛି ଖାଇବାକୁ ସେ ଆମକୁ ନିମନ୍ତ୍ରଣ କଲା । ମାତ୍ର ଆମେ ତା କଥା ନ ଶୁଣି ଆଗେଇଲୁଁ । କିଛିବାଟ ଗଲାପରେ ଆମେ ସତକୁ ସତ ସେ ବିରାଟ ଘଞ୍ଚ ଜଙ୍ଗଲ ଭିତରେ ବାଟବଣା ହୋଇଗଲୁ । ସେ ଚାଷୀ ପୁଣି ଥରେ ଆମ ପାଖକୁ ଆସି କହିଲା–ଆମେ ତା’ କଥା ନ ଶୁଣି ନିଜ ଉପରେ ଖୁବ୍‌ ବେଶି ବିଶ୍ଵାସ କରିବାରୁ ବାଟବଣା ହୋଇଯାଇଛୁ । ସେ ଆମକୁ ବାଟ କଢ଼ାଇ ନେବ । ସେ ପୁଣି ଥରେ ତା’ ଘରେ ଖାଇବାକୁ ଆମକୁ ଡାକିଲା । କହିଲା, ତାର ଏଥିରେ କୌଣସି ଉଦ୍ଦେଶ୍ୟ ନାହିଁ । ଆମର ଖାଦ୍ୟ ଦରକାର, ଆଉ ତା ଅନୁରୋଧ ନ ରଖିବା କୌଣସି କାରଣ ନାହିଁ । ମୋତେ ଭୋକ କରୁଥିଲା । ତେଣୁ ମୁଁ ତା’ ସଙ୍ଗରେ ଯାଇ ଖଣ୍ଡେ ରୁଟି ଖାଇ ଟିକେ ପାଣି ପିଇଲି । ମାତ୍ର ଅନ୍ୟମାନେ ସେ ବଣ ଭିତରେ କୁଆଡ଼େ ଚାଲିଗଲେ ।

 

ତାପରେ ଗୁରୁ (ସେ ଚାଷୀଟି) ମୋତେ ପଚାରିଲେ, ଆମେ କେଉଁ କଥା ଉପରେ ଯୁକ୍ତିତର୍କ କରିଥିଲୁ । ମୁଁ ତାଙ୍କୁ ସବୁ ଫିଟାଇ କହିଲି । ଅନ୍ୟମାନେ ତାଙ୍କ କଥା ନ ଶୁଣି ତ ଚାଲିଗଲେ; ମାତ୍ର ମୋ ମନରେ ଭକ୍ତି ଆସିଲା–ମୁଁ ତାଙ୍କୁ ପ୍ରଣାମ କଲି । ତାପରେ ସେ ମୋତେ ଗୋଟାଏ କୂଅପାଖକୁ ନେଇଗଲେ । ମୋ ଦୁଇଗୋଡ଼କୁ ଗୋଟାଏ ଦଉଡ଼ିରେ ବାନ୍ଧି ସେ କୂଅ ପାଖରେ ଥିବା ଗୋଟାଏ ଗଛରେ ମୁଣ୍ଡ ତଳକୁ କରି ଝୁଲାଇ ଦେଲେ । ମୁଁ କୂଅ ଭିତରେ ଏମିତି ଭାବରେ ଝୁଲି ରହିଲି ଯେ, ମୋ ମୁଣ୍ଡଟା ପାଣି ଉପରୁ ପ୍ରାୟ ତିନିଫୁଟ ଉପରେ ଥାଏ । ତେଣୁ ପାଣିକୁ ମୋ ହାତ ପାଉ ନ ଥାଏ । ତା’ ପରେ ଗୁରୁ ମୋତେ ଛାଡ଼ି କୁଆଡ଼େ ଚାଲିଗଲେ । ପ୍ରାପ୍ତି ୪।୫ ଘଣ୍ଟା ପରେ ଫେରି ସମୟ କେମିତି କଟିଲା ବୋଲି ମୋତେ ପଚାରିଲେ । ମୁଁ ଉତ୍ତର ଦେଲି ଖୁବ୍‍ ଶାନ୍ତ ଓ ନୀରବରେ ସମୟ କଟେଇଛି । ମୋତେ ଖୋଲି ଦେଇ ସେ ଆନନ୍ଦରେ ଆଲିଙ୍ଗନ କଲେ ଓ ମୋତେ ତାଙ୍କର ଶିଷ୍ୟ ବୋଲି ସ୍ଵୀକାର କଲେ । ତାଙ୍କର ସ୍ନେହ ଓ ଆନ୍ତରିକତାରେ ମୁଁ ବାପା ମାଆଙ୍କୁ ବି ଭୁଲିଗଲି ।

 

ତାଙ୍କୁ ନୀରବରେ ଚାହିଁ ବସିବାକୁ ମତେ ଭଲ ଲାଗୁଥାଏ । ମୋର ମନେହେଲା, କେବଳ ମୋ ଗୁରୁଦେବଙ୍କୁ ହିଁ ଚାହିଁ ରହିବାକୁ ଭଗବାନ ମୋତେ ଏ ଆଖି ଦୁଇଟା ଦେଇଛନ୍ତି । ଗୁରୁଦେବଙ୍କ ଛଡ଼ା ଅନ୍ୟ ସବୁକିଛି ମୁଁ ଭୁଲିଗଲି । ମୋ ମନପ୍ରାଣ ଓ ମୋର ସମସ୍ତ ସତ୍ତା ଗୁରୁଭାବରେ ତନ୍ମୟ ହୋଇଗଲା । ନୀରବରେ ମୁଁ ତାଙ୍କୁ ପ୍ରଣତି ଜଣାଉଥିଲି ।”

 

ଏଇଟା ଗୋଟାଏ ବିଶିଷ୍ଟ ସାଇବାବା କାହାଣୀ । କାରଣ ଏ ଗପଟି ଆମୂଳଚୂଳ ସାଙ୍କେତିକ । ଜଙ୍ଗଲ ହେଲା ମଣିଷ ମନର ଅରଣ୍ୟ, ଯାହା ଭିତରେ ମଣିଷ ସତ୍ୟାନ୍ୱେଷଣ କରେ ଏବଂ ବାଟବଣା ବି ହୋଇଯାଏ । ଚାରିବନ୍ଧୁ ସତ୍ୟାନୁସଂଧାନର ଚାରି ମାର୍ଗ । ସେ ଚାଷୀଟି ଗୁରୁ ଓ ଯେଉଁ ଖାଦ୍ୟ ସେ ଯାଚୁଥିଲା, ତାହା ଗୁରୁଙ୍କ କରୁଣା । ସେ ଯୁବକଟି (ସାଇବାବା) ଅର୍ପିତ ଖାଦ୍ୟ ଗ୍ରହଣ କରିସାରି ତାକୁ ପ୍ରଣାମ କଲେ, ଅର୍ଥାତ୍‌ ସ୍ଵୟଂ ପରମେଶ୍ଵରଙ୍କ କରୁଣାଲାଭ କରି ତାଙ୍କୁ ପ୍ରଣାମ କଲେ । କୂଅ ଭିତରେ ମୁଣ୍ଡ ତଳକୁ କରି ଗଛରେ ଓହଳାଇ ଦେବାର ବି ଗୋଟାଏ ଗୁଢ଼ ସାଙ୍କେତିକ ଅର୍ଥ ଅଛି । କୂଅର ପାଣି ପରମ ଶାନ୍ତିର ପ୍ରତୀକ । ସ୍ଵର୍ଗୀୟ ପ୍ରଶାନ୍ତି ବିଷୟରେ ମଣିଷକୁ ସଚେତନ କରି ତାର ‘ଅହଂତ୍ଵ’କୁ ବିନାଶ କରିବା । (ପ୍ରକୃତରେ କେତେକ ଗୁରୁ ଶିଷ୍ୟମାନଙ୍କୁ ଏମିତି ଭାବରେ ଝୁଲାଇ ରଖୁଥିଲେ କେତେ ସମୟ) । ତେଣୁ ଝୁଲନ୍ତ ଅବସ୍ଥାକୁ ସାଇବାବା କହିଲେ ‘ଖୁବ୍‌ ଶାନ୍ତ ଓ ନୀରବ’ ଅବସ୍ଥା; ଗୋଟାଏ ସ୍ଵର୍ଗୀୟ ପ୍ରଶାନ୍ତିର ଅନୁଭୂତି । ଗୋଟାଏ ଅତି ଲୋଭନୀୟ, ଅଭାବନୀୟ ସୁନ୍ଦର ପରିଣତି ଆଖି ଆଗରେ ରଖିଲେ ସବୁ ଦୁଃଖ କଷ୍ଟ ଭୋଗ ମଧ୍ୟରେ ବି ଆନନ୍ଦ ଓ ଶାନ୍ତି ମିଳିଥାଏ । ଗୁରୁଙ୍କ ପାଖରେ ଆତ୍ମସମର୍ପଣ କରି, ତାଙ୍କୁ ନୀରବରେ ପ୍ରଣତି ଜଣାଇ ଏବଂ ନିଜର ‘ଅହଂତ୍ଵ’ର ବିନାଶ ସାଧନ କରି ସାଇବାବା ସିଦ୍ଧିଲାଭ କଲେ ।

 

ଆଉ ଗୋଟାଏ ଘଟଣାରେ ସାଇବାବା କହନ୍ତି–“ମୋ ଫକୀରଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀ ସେଲୁଠାରେ ଭେଙ୍କୁସାଙ୍କ ପାଖରେ ମତେ ଛାଡ଼ି ଚାଲିଗଲେ । ମୁଁ ସେଠାରେ ବାରବର୍ଷ କାଳ ରହି ଶେଷରେ ସେଲୁ ପରିତ୍ୟାଗ କରି ଚାଲିଆସିଲି ।” କିନ୍ତୁ ଏ ‘ବାରବର୍ଷ ସମୟ ବି ସାଙ୍କେତିକ ବା ପ୍ରତୀକ ଧର୍ମୀ (Symbolical) ହୋଇପାରେ । ଯଦି ତାଙ୍କ ଗୁରୁଙ୍କ ମୃତ୍ୟୁ ପରେ ସାଇବାବା ପ୍ରଥମେ ୧୬ ବର୍ଷ ବୟସରେ ସିର୍‌ଡ଼ିକୁ ଆସିଥିଲେ, ତେବେ ତାଙ୍କ କାହାଣୀର ସତ୍ୟତା ବିଷୟରେ ଘୋର ସନ୍ଦେହ ଜାତ ହୁଏ । ସେ ଯେତେବେଳେ ଘର ଛାଡ଼ିଲେ ସେତେବେଳେ ତାଙ୍କର ଆଠବର୍ଷ ବୟସ ବୋଲି ଗ୍ରହଣ କରାଯାଇଥାଏ । ତା ଛଡ଼ା ସେ ଫକୀରଙ୍କ ସହ କେତୋଟି ବର୍ଷ ଥିଲେ । ତେବେ ଭେଙ୍କୁସାଙ୍କ ମୃତ୍ୟୁ ପରେ ୧୬ ବର୍ଷ ବୟସରେ ସିର୍‌ଡ଼ିକୁ ଆସିବା ଆକ୍ଷରିକ ଭାବରେ ଅସମ୍ଭବ ।

 

ଆଉ ଗୋଟାଏ ବିଚିତ୍ର କଥା, ସେ ଜୀବନସାରା ସାଧାରଣ ଇଟା ଖଣ୍ଡିଏ ନିଜ ପାଖରେ ଗୁରୁଙ୍କ ପ୍ରଦତ୍ତ ବୋଲି ସାଇତି ରଖିଥିଲେ । ଯେତେବେଳେ ତାଙ୍କ ମୃତ୍ୟୁର କିଛି ପୂର୍ବରୁ ୧୯୧୮ ମସିହାରେ ଇଟାଟି ପଡ଼ି ଭାଙ୍ଗିଗଲା, ସେ କହିଲେ, ଏଥର ମୋ ସବୁ କର୍ମବନ୍ଧନ ଛିନ୍ନ ହୋଇଗଲା, ମୋ କର୍ମ ଶେଷ ହୋଇଗଲା, ଆଉ ବେଶିଦିନ ମୁଁ ବଞ୍ଚିବି ନାହିଁ ।”

 

ପ୍ରାୟ ୧୯୦୦ ମସିହା ବେଳକୁ ସାଇବାବା ବେଶ ପ୍ରସିଦ୍ଧ ହୋଇ ଯାଇଥିଲେ । ତା’ ପରଠାରୁ ତାଙ୍କର ପ୍ରସିଦ୍ଧି କ୍ରମଶଃ ପ୍ରସାରିତ ହେବାରେ ଲାଗିଛି । ଏବେ ସୁଦୁର ମାଡ଼୍ରାସ ସହରର କୌଣସି ଗୋଟିଏ ବଜାର ଭିତରେ ଆପଣ ଯଦି ଥରେ ବୁଲି ଆସନ୍ତି, ତେବେ ଦେଖିବେ ଅନେକ ଦୋକାନରେ ସାଇବାବାଙ୍କ ପ୍ରତିମୂର୍ତ୍ତି ବା ଫଟୋ ରଖି ଲେକେ ପୂଜା କରୁଛନ୍ତି । ବୋଧହୁଏ ଭାରତରେ ଏପରି ଆଉ କୌଣସି ସିଦ୍ଧପୁରୁଷ ନାହାନ୍ତି, ଯାହାର ଶିଷ୍ୟଙ୍କ ସଂଖ୍ୟା ସାଇବାବାଙ୍କ ଶିଷ୍ୟଙ୍କଠାରୁ ଅଧିକ ହେବ । ଅବଶ୍ୟ ଏକଥା କହିଲାବେଳେ ଆମକୁ ରାମ ଓ କୃଷ୍ଣଙ୍କୁ ବାଦ୍‌ ଦେବାକୁ ପଡ଼ିବ । କାରଣ ସେମାନେ ସିଦ୍ଧପୁରୁଷ ନୁହନ୍ତି, ସେମାନେ ଅବତାର ।

 

କିନ୍ତୁ ସାଇବାବା ଭାରତ ବାହାରେ ସଂପୂର୍ଣ୍ଣ ଅଜଣା । ତାଙ୍କ ବିଷୟରେ କୌଣସି ବହି ଭାରତ ବାହାରେ ପ୍ରକାଶିତ ହୋଇନାହିଁ । କାହିଁକି ? ମୋର ମନେହୁଏ ଏହାର କାରଣ ସିଦ୍ଧପୁରୁଷମାନଙ୍କ ବିଷୟରେ ଆଧୁନିକ ଧାରଣା ସହ ସାଇବାବାଙ୍କ ଜୀବନ-କାହାଣୀ ଖାପ ଖାଉନାହିଁ । ଜଣେ ସିଦ୍ଧପୁରୁଷଙ୍କ ବିଷୟରେ ଆଧୁନିକ ଧାରଣା ହେଲା, ସେ ଗୋଟାଏ ଉନ୍ନତ ଜୀବନଯାପନ କରୁଥିବେ, ବେଶି କିଛି ବିଚିତ୍ର କାମ (Miracles) ଦେଖାଉ ନ ଥିବେ, ଏମିତି ଭାବରେ ତାଙ୍କ ଦର୍ଶନ ପ୍ରଚାର କରୁଥିବେ, ଯାହା ଉପରେ ଗବେଷକ ମାନେ ନିବନ୍ଧ (Thesis) ଲେଖି ପାରିବେ, ତାହା ଉପରେ ଯୁକ୍ତିତର୍କ କରିପାରିବେ । କିନ୍ତୁ ବାସ୍ତବିକ ଜ୍ଞାନୀ ଓ ସିଦ୍ଧପୁରୁଷମାନେ କୌଣସି ମତବାଦ ପ୍ରଚାର କରନ୍ତି ନାହିଁ । ସେମାନେ ନିଜ ଅନୁଭୂତି କଥାହିଁ କହନ୍ତି । ସେମାନଙ୍କ କଥା ଭିତରେ ପ୍ରକୃତରେ କୌଣସି ବିରୋଧାଭାସ ନ ଥାଏ ବା ଯଦି କିଛି ପରସ୍ପର ବିରୋଧୀ (Contradiction) କଥା ଅଛି ବୋଲି ପ୍ରତୀୟମାନ ହୁଏ, ତେବେ ତାହା ଘଟେ ସେମାନଙ୍କ ଅନିର୍ବଚନୀୟ ଅନୁଭୂତିରୁ ଏବଂ ଅନୁଭୂତିଗୁଡ଼ିକ ଶିଷ୍ୟମାନଙ୍କ ବୁଝି ପାରିବା ଭଳି କଥାରେ ପ୍ରକାଶ କରିବାର ଉଦ୍ୟମ ଯୋଗୁ । ମାଟି ଉପରୁ ଗୋଟାଏ ପର୍ବତ ଚୂଡ଼ାକୁ ବହୁଦିଗରୁ ଲକ୍ଷ୍ୟ କରାଯାଇପାରେ, ବହୁ ପଥରେ ତାର ଶୀର୍ଷ ଆରୋହଣ କରାଯାଇପାରେ । ଯେଉଁମାନେ ସେ ଶୀର୍ଷ ଆରୋହଣ କରିଛନ୍ତି, ସେମାନେ ଯେ କୌଣସି ଗୋଟିଏ ବାଟକୁ ଆଲୋକିତ କରି ଆରୋହଣ ପ୍ରତ୍ୟାଶୀ ଲୋକକୁ ଦେଖାଇପାରନ୍ତି । ଫଳତଃ ବିଭନ୍ନ ପଥ ବାଟମଝିରେ ପରସ୍ପରକୁ ଛେଦ କରିପାରେ । କିନ୍ତୁ ସଂକୀର୍ଣ୍ଣ ଦୃଷ୍ଟିସମ୍ପନ୍ନ ଲୋକ କହିବ, ଏ ବାଟଗୁଡ଼ାକ ପରସ୍ପର ବିରୋଧୀ । ଶୃଙ୍ଗ ବିଜୟୀ ଗୁରୁଙ୍କ ଦୃଷ୍ଟି ଶୃଙ୍ଗ ଉପରେ ନିବଦ୍ଧ, ସେ ଜାଣନ୍ତି ବାଟ କୁଆଡ଼େ । ସେ ଜାଣନ୍ତି ଶୃଙ୍ଗ ଗୋଟିଏ । ସମସ୍ତ ପଥ ଶେଷରେ ଯାଇ ସେଇ ଚୂଡ଼ାରେ ମିଶିଯିବ ।

 

ସାଇବାବା କୌଣସି ବହି ଲେଖିନାହାନ୍ତି । ତାଙ୍କ ବ୍ୟବହାର ମଧ୍ୟ ସେମିତି ବିଚିତ୍ର । ଗୋଟାଏ ଶିଶୁପରି ନିହାତି ବେପରବାୟ, ଭାବରେ ସେ ନିଜର ଯଥେଷ୍ଟ ଅଦ୍‌ଭୁତ ମହିମା (Miracles) ପ୍ରଦର୍ଶନ କରୁଥିଲେ । ଆଧୁନିକ ପାଠକମାନଙ୍କୁ ଏମିତି ଜଣେ ସିଦ୍ଧପୁରୁଷଙ୍କ ପରିଚୟ ଦେବା ସହଜ ନୁହେଁ । ସେ ଯେ କେବଳ ବହି ଲେଖୁ ନ ଥିଲେ ତାହା ନୁହଁ, ସେ କେବେହେଲେ କୌଣସି ବହି ପଢ଼ୁ ନ ଥିଲେ । ବେଳେ ବେଳେ କୌଣସି ଶିଷ୍ୟକୁ ଗୋଟାଏ ଅଧେ ଶାସ୍ତ୍ର ପଢ଼ିବାକୁ କହନ୍ତି, ମାତ୍ର ମୋଟାମୋଟି ସେ ପଢ଼ିବାକୁ ନିରୁତ୍ସାହିତ କରୁଥିଲେ । “ଲୋକେ ଭାବନ୍ତି ସେମାନେ ବହି ଭିତରୁ ବ୍ରହ୍ମଙ୍କ ସନ୍ଧାନ ପାଇଯିବେ, ମାତ୍ର ବହିରୁ ସେମାନେ ବ୍ରହ୍ମ ତ ନୁହେଁ ଭ୍ରମର ସନ୍ଧାନ ପାଆନ୍ତି–” ସାଇବାବା ଏମିତି କହୁଥିଲେ ।

 

ଏପରି କହିବାରେ କିଛି ଅସ୍ଵାଭାବିକତା ନାହିଁ । କାରଣ ପ୍ରକୃତରେ ପୋଥିଗତ ଜ୍ଞାନ ଅଧ୍ୟାତ୍ମିକତା ଦିଗରେ ସାହାଯ୍ୟ କରେ ନାହିଁ । ବରଂ ଏଥିରେ ମନର ଦ୍ଵନ୍ଦ୍ୱ ଆସେ, ମନର ଏକାଗ୍ରତା ନଷ୍ଟ ହୁଏ ଏବଂ ଅଧ୍ୟାତ୍ମ–ସଂଧାନରେ ମନୁଷ୍ୟ କ୍ରମଶଃ ଦୁର୍ବଳ ହୋଇଯାଏ । କାରଣ ନାନାପ୍ରକାର ସନ୍ଦେହ ମନକୁ ବିବ୍ରତ କରେ । ବିଶେଷତଃ ବର୍ତ୍ତମାନ ପୁସ୍ତକ–ପ୍ରଧାନ ଯୁଗରେ ଏଇଟା ଗୋଟାଏ ବଡ଼ ବିପଦ । ଶ୍ରୀ ରାମକୃଷ୍ଣ ମଧ୍ୟ ନିଜେ ଜଣେ ପଣ୍ଡିତ ନ ଥିଲେ ବା ପାଣ୍ଡିତ୍ୟକୁ ଉତ୍ସାହିତ କରୁ ନ ଥିଲେ । ଭଗବାନ ରମଣ ମହର୍ଷି ନିଜେ ଖୁବ୍‌ ଜ୍ଞାନୀ ଥିଲେ ମଧ୍ୟ ପୋଥିଗତ ଜ୍ଞାନକୁ ସେ ପରିହାସ କରୁଥିଲେ । ସେ କହୁଥିଲେ–“ବରଂ ମୂର୍ଖଲୋକମାନେ ମୁକ୍ତିଲାଭ କରିବେ, କିନ୍ତୁ ଯେଉଁମାନେ ଗୁଡ଼ାଏ ପାଠ ପଢ଼ି ନିଜର ‘ଅହଂତ୍ଵ’କୁ ଦମନ କରିପାରି ନାହାନ୍ତି, ସେମାନେ ନୁହଁ-। ଅପାଠୁଆମାନେ ଆତ୍ମଗୌରବ ଗାନ କରନ୍ତି ନାହିଁ ବା ସେମାନଙ୍କୁ ପଣ୍ଡିତ ଲୋକଙ୍କ ପରି ଚିନ୍ତା–ରୋଗ ବିବ୍ରତ କରେ ନାହିଁ । ସେମାନେ ଧନ ପଛରେ ଏମିତି ପାଗଳ ପରି ଦୌଡ଼ନ୍ତି ନାହିଁ-।’’

 

ଅପାଠୁଆ କହିଲେ କେବଳ ଅଜ୍ଞାନୀ ବୁଝାଏ ନାହିଁ । ସରଳତା, ମନର ଐକାନ୍ତିକତା, ଯାହାକୁ ଯୀଶୁଖ୍ରୀଷ୍ଟ ଗୋଟାଏ ଶିଶୁ ସହ ତୁଳନା କରିଥିଲେ ଏବଂ ଇସ୍‌ଲାମ ଧର୍ମ ଯେଉଁ ଅର୍ଥରେ ମହମ୍ମଦଙ୍କୁ ନିରକ୍ଷର ବୋଲି କହେ, ସେହି ଅର୍ଥରେ ହିଁ ରମଣ ମହର୍ଷି ଏକଥା କହିଥିଲେ । ଏହା ପାଣ୍ଡିତ୍ୟର ପରିପନ୍ଥୀ ନୁହେଁ, କିନ୍ତୁ ପାଣ୍ଡିତ୍ୟରୁ ଏହା ଜାତ ନୁହେଁ । ବରଂ ତଥାକଥିତ ଜ୍ଞାନ ମନର ଏଇ ସୌନ୍ଦର୍ଯ୍ୟ, ସରଳତା, ଏକନିଷ୍ଠତା ନଷ୍ଟ କରିଦିଏ ।

 

ଅନେକ ଦିନ ପର୍ଯ୍ୟନ୍ତ ସାଇବାବା ଲେଖିପଢ଼ି ଜାଣନ୍ତି କି ନାହିଁ ସେ ବିଷୟରେ ଲୋକଙ୍କର ସନ୍ଦେହ ଥିଲା । କେହିହେଲେ ଭାବୁ ନ ଥିଲେ ଯେ, ସେ ସଂସ୍କୃତ ଜାଣିଥାଇ ପାରନ୍ତି । କିନ୍ତୁ ଦିନେ ଗୋଟାଏ ଘଟଣାରେ ତାଙ୍କ ଗଭୀର ଦୃଷ୍ଟି ଓ ପାଣ୍ଡିତ୍ୟର ପରିଚୟ ଦେଇଥିଲେ ।

 

ଜଣେ ଶିଷ୍ୟ ଥରେ ତାଙ୍କ ଗୋଡ଼ ଘଷି ଦେଉଥିଲା ବେଳେ ଗୁଣୁ ଗୁଣୁ ହୋଇ ଗୋଟାଏ ଶ୍ଳୋକ ବୋଲୁଥିଲା । ସାଇବାବା କ’ଣ ବୋଲୁଛୁ ବୋଲି ପଚାରିଲେ ।

 

–“ଗୋଟାଏ ଶ୍ଳୋକ”–ସେ ଉତ୍ତର ଦେଲା । ସାଇବାବା ଯେ ସଂସ୍କୃତ ଜାଣନ୍ତି ନାହିଁ, ଏ ବିଷୟରେ ତାର ଆଦୌ ସନ୍ଦେହ ନ ଥିଲା । ତଥାପି ବାବାଙ୍କୁ ସନ୍ତୁଷ୍ଟ କରିବାକୁ ସେ ପୁଣି କହିଲା–

 

–ଗୀତାର ଗୋଟାଏ ଶ୍ଳୋକ ।

 

–ପାଟି କରି ଗାଆ ତ ! ସାଇବାବା କହିଲେ ।

 

ଶିଷ୍ୟଟି ଶ୍ଳୋକଟି କହିଲା–

 

ତଦବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା

ଉପଦେଶ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ଵଦର୍ଶିନଃ ।

 

(ଗୀତାଃ ୪ର୍ଥ ଅଧ୍ୟାୟ, ଶ୍ଳୋକ–୩୪)

 

–ଏଇ ଶ୍ଳୋକଟା ତୁ ବୁଝିଛୁ ତ, ନାନା ?–ବାବା ପଚାରିଲେ ।

 

ହଁ ।

 

–ତାହାହେଲେ ଅର୍ଥଟା ମୋତେ ବୁଝେଇଲୁ ।

 

ତା’ପରେ ନାନା ଶ୍ଳୋକଟିର ସାଦାସିଧା ଅର୍ଥଟା କହିଦେଲା ।

 

ମାତ୍ର ବାବା କହିଲେ–

 

ନା, ନା, ମୁଁ ସେମିତି ସିଧା ଅନ୍ଵୟ ଚାହୁଁନି । ପ୍ରତ୍ୟେକ ଶବ୍ଦର ବ୍ୟାକରଣଗତ ବ୍ୟାଖ୍ୟା ମୋର ଦରକାର–କାଳ, ପୁରୁଷ, ବଚନ ଆଦି ସବୁ ।

 

ତା’ପରେ ନାନା ଅନ୍ଵୟ କରିଦେଲା । ମାତ୍ର ସେ ବାବାଙ୍କର ଏ ପ୍ରଶ୍ନ ଶୁଣି କମ୍‌ ଆଶ୍ଚର୍ଯ୍ୟ ହେଉ ନ ଥାଏ । ତାର ଧାରଣା ଥିଲା ତ ସଂସ୍କୃତ ବିଷୟରେ ବାବା ସମ୍ପୂର୍ଣ୍ଣ ଅଜ୍ଞ ।

 

ମାତ୍ର ପୁଣି ପଚାରିଲେ–

 

–ଆଚ୍ଛା, ‘ତଦବିଦ୍ଧି’ର ତଦ୍‌ ଅର୍ଥ କ’ଣ ?

 

–ଜ୍ଞାନ ! ନାନା ଉତ୍ତର ଦେଲା ।

 

–କି ଜ୍ଞାନ ? କେଉଁ ବିଷୟରେ ଜ୍ଞାନ ?–ବାବା ପଚାରିଲେ ।

 

–ଏହାର ପୂର୍ବ ଶ୍ଳୋକରେ ଏଇ ଜ୍ଞାନ ବିଷୟରେ ଲେଖା ଅଛି ।

 

–ତାହାହେଲେ, ‘ପ୍ରଣିପାତ’ ଅର୍ଥ କ’ଣ ?

 

–ପାଦତଳେ ପ୍ରଣାମ କରିବା ।

 

–ତେବେ ‘ପାତ’ ଅର୍ଥ କ’ଣ ?

 

ପ୍ରଣିପାତ ଅର୍ଥ ଯାହା, ‘ପାତ’ ଅର୍ଥ ତାହା, ନାନା ଉତ୍ତର ଦେଲା ।

 

–ତାହାହେଲେ ବ୍ୟାସ କ’ଣ ଏଡ଼େ ମୂର୍ଖ ଥିଲେ ଯେ, ଦୁଇଟା ଅନାବଶ୍ୟକ ଶବ୍ଦ ବ୍ୟବହାର କରୁଥିଲେ ?

 

–କାହିଁକି ? ଏ ଦୁଇଟା ଭିତରେ ତ କୌଣସି ପ୍ରଭେଦ ମୁଁ ଦେଖୁନି–ନାନା ଉତ୍ତର ଦେଲା ।

 

ବାବା କିଛି ସମୟ ଚୁପ୍‌ ରହି ପୁଣି ପଚାରିଲେ ।

 

–‘ପ୍ରଶ୍ନ’ ଅର୍ଥ କ’ଣ ?

 

–ପ୍ରଶ୍ନ ପଚାରିବା ।

 

–ତେବେ ‘ପରିପ୍ରଶ୍ନ’ କ’ଣ ?

 

–ସେଇ ଏକା କଥା ।

 

–ସେ ଦୁଇଟାଯାକର ଅର୍ଥ ଯଦି ସମାନ, ତେବେ କ’ଣ ବ୍ୟାସଙ୍କ ମୁଣ୍ଡ ଖରାପ ଥିଲା ଯେ, ସମାନ ଅର୍ଥବୋଧକ ଏମିତି ଲମ୍ବା ଶବ୍ଦଟାଏ ବ୍ୟବହାର କରୁଥିଲେ ?–ବାବା ପଚାରିଲେ ।

 

–ମୁଁ କହିପାରିବି ନାହିଁ । ନାନା ସ୍ଵୀକାର କଲା ।

 

–ଆଚ୍ଛା, ‘ସେବା’ ଅର୍ଥ କ’ଣ ?

 

–ସେବା ଅର୍ଥ ସେବା କରିବା, ମୁଁ ଆପଣଙ୍କ ପାଦ ଘଷି ଦେଇ ଏବେ ଯାହା କରୁଚି ।

 

–ଆଉ କିଛି ନୁହଁ ?

 

–କାଇଁକି, ଆଉ କିଛି ଅର୍ଥ ଥାଇପାରେ ବୋଲି ତ ମୋର ମନେ ହେଉନି !

 

ଆଚ୍ଛା, ସେଇଟା ଛାଡ଼ । ଆଉ ଗୋଟିଏ କଥା, କୃଷ୍ଣ ଅର୍ଜ୍ଜୁନକୁ ଜ୍ଞାନୀମାନଙ୍କ ପାଖରୁ ଜ୍ଞାନ ଆହରଣ କରିବାକୁ କହିଲେ । କୃଷ୍ଣ କଣ ନିଜେ ଜଣେ ଜ୍ଞାନୀ ନୁହଁ ?

 

ହଁ ।

 

–ତେବେ ନିଜେ ସେ ଜ୍ଞାନ ନ ଦେଇ ଅନ୍ୟମାନଙ୍କ ପାଖକୁ ଯିବାକୁ ଅର୍ଜ୍ଜୁନକୁ କାହିଁକି କହିଲେ ?

 

–ମୁଁ କହିପାରିବି ନାହିଁ । ନାନା ଉତ୍ତର ଦେଲା ।

 

–ଆଚ୍ଛା, ଅର୍ଜ୍ଜୁନ ତ ନିଜେ ଜଣେ ଜୀବ, ଏଣୁ ସେ ‘ମହା ଚୈତନ୍ୟ’ର ଅଂଶବିଶେଷ ।

 

–ହଁ । ନାନା ମାନିଲା ।

 

–ତେବେ ମହାଜ୍ଞାନଠାରୁ ଯାହାର ଉତ୍‌ପତ୍ତି, ତାର ପୁଣି ଜ୍ଞାନ ଆହରଣ କରିବା କ’ଣ ଆବଶ୍ୟକ ?

 

ତା’ପରେ ସାଇବାବା ସେ ଶ୍ଳୋକର ଅର୍ଥ ବୁଝାଇବାକୁ ଯାଇ କହିଲେ–ଗୁରୁ ଜ୍ଞାନ ପ୍ରଦାନ କରନ୍ତି ନାହିଁ, ସେ ଅଜ୍ଞାନ ଦିଅନ୍ତି ।

 

ନାନା ଏ ପ୍ରକାର ଅର୍ଥରେ ହତବାକ୍‌ ହୋଇଗଲା । ଏ ଶ୍ଳୋକଟାର ଅର୍ଥ ଅତି ସାଧାରଣ ବୋଲି ସେ ମନେ କରୁଥିଲା । ତାପରେ ବାବାଙ୍କୁ ସେ ଅର୍ଥ ବୁଝାଇବାକୁ ଅନୁରୋଧ କଲା । ବାବା ବୁଝାଇଲେ–

 

“ସିଦ୍ଧିଲାଭ ପାଇଁ ଶିଷ୍ୟ କେମିତି ଭାବରେ ଗୁରୁଙ୍କ ସହ ବ୍ୟବହାର କରିବ, ସେଇକଥା ଶ୍ଳୋକଟି କହୁଛି । ଶିଷ୍ୟ ଗୁରୁଙ୍କ ପାଖରେ ମନ, ପ୍ରାଣ, ଦେହ, ସମ୍ପତ୍ତି ସବୁକିଛି ସମର୍ପଣ କରିଦେବା ଆବଶ୍ୟକ । (ଅବଶ୍ୟ ସାଇବାବା ଶିଷ୍ୟର ସଂପତ୍ତି ଚାହୁଁ ନ ଥିଲେ । ଏହା ମନର ଗୋଟାଏ ଅବସ୍ଥା ମାତ୍ର । ଶିଷ୍ୟ ଗୁରୁଙ୍କ ପାଖରେ ସବୁକିଛି ସମର୍ପଣ କରିଦେବା ପାଇଁ ପ୍ରସ୍ତୁତ ହେବା ଦରକାର ।) ପ୍ରଣିପାତର ଅର୍ଥ ଏହା । ପରିପ୍ରଶ୍ନ ଅର୍ଥ ନିରବଚ୍ଛିନ୍ନ ଭାବରେ ସତ୍ୟାନୁସଂଧାନ-। ଏହା ଅର୍ଥ ଗୁରୁଙ୍କୁ ପରୀକ୍ଷା କରିବା ପାଇଁ ବା ସାମୟିକ କୌତୂହଳ ପ୍ରଣୋଦିତ ହୋଇ ମଝିରେ ମଝିରେ ଗୋଟାଏ ଦୁଇଟା ପ୍ରଶ୍ନ ପଚାରିବା ନୁହେଁ । ଏ ସବୁ ମୁଳରେ ଶିଷ୍ୟ ମନରେ ପବିତ୍ର ଆଧ୍ୟାତ୍ମିକ ଅନୁସଂଧିତ୍ସା ଓ ମୁକ୍ତିଲାଭ କରିବାର ଇଚ୍ଛା ଅବିରତ ଜାଗ୍ରତ ରହିଥିବା ଉଚିତ । ତା’ପରେ ସେବା ଅର୍ଥ ମୋ ଗୋଡ଼ ଘଷିବା ପରି ଶାରୀରିକ ପରିଚର୍ଯ୍ୟା କରିବା ନୁହେଁ । କାରଣ ସେବା କରିବା ସମୟରେ ତୁମର ‘ମୁଁ, ମୋର’ ଏଇ ଭାବ ରଖିବା ଉଚିତ ନୁହେଁ । ତୁମେ ଯେତେବେଳେ ସେ ସବୁ ଗୁରୁଙ୍କର, କାରଣ ସେ ସବୁକୁ ମୁଁ ଗୁରୁଙ୍କ ପାଖରେ ସମର୍ପି ଦେଇଛି, ଏଇ ଭାବରେ ଅନୁପ୍ରାଣିତ ନ ହୋଇଛ, ସେତେବେଳ ଯାଏ ତୁମ ଉଦ୍ଦେଶ୍ୟ ସଫଳ ହେବ ନାହିଁ । ତୁମକୁ ଅନୁଭବ କରିବାକୁ ପଡ଼ିବ ଯେ, ମୋର ସମସ୍ତ ସତ୍ତା ଗୁରୁଙ୍କ ପାଇଁ ତିଷ୍ଠି ରହିଛି ।

 

–ଆଚ୍ଛା, ବ୍ରହ୍ମ ପୁରୁଷୋତ୍ତମ ବା ପରିପୂର୍ଣ୍ଣ ଜ୍ଞାନ ବୋଲି ତୋର ବିଶ୍ଵାସ ତ ?

 

–ହଁ ।

 

–ତାହାହେଲେ ଅନ୍ୟ ସବୁ ଅଜ୍ଞାନ ?

 

–ହଁ ।

 

–ଶାସ୍ତ୍ର ତ କହେ ବ୍ରହ୍ମବାକ୍ୟ ବା ମନର ଅଗୋଚର ।

 

–ହଁ ।

 

–ତେବେ, ଗୁରୁ ଯାହା କହନ୍ତି ତାହା ତ ବ୍ରହ୍ମଜ୍ଞାନ ନୁହେଁ ।

 

–ନା ।

 

–ତାହାହେଲେ ତୁ ସ୍ୱୀକାର କରୁଛୁ ଯେ, ଗୁରୁ ପ୍ରଦତ୍ତ ଜ୍ଞାନ, ଜ୍ଞାନ ନୁହେଁ, ବରଂ ଅଜ୍ଞାନ-?

 

–ହଁ ସେମିତି ଜଣାଯାଉଛି ତ ।

 

–ତାହାହେଲେ ଗୁରୁଙ୍କ ଉପଦେଶ କେବଳ ଅଜ୍ଞାନ, ଯାହାଦ୍ଵାରା ସେ ଶିଷ୍ୟର ଅଜ୍ଞାନ ଦୂର କରନ୍ତି–ଠିକ ଯେମିତି ଗୋଟାଏ କଣ୍ଟାରେ ଆମେ ଗୋଡ଼ରେ ପଶିଥିବା କଣ୍ଟା ବାହାର କରୁ । ନୁହେଁ ?

 

–ବୋଧହୁଏ ସେଇଆ ।

 

–ଶିଷ୍ୟ ତ ଗୋଟିଏ ଜୀବ । ଏଣୁ ତାହାର ଆତ୍ମସତ୍ତା ଏଇ ପରମ ଜ୍ଞାନ ଉପରେ ପ୍ରତିଷ୍ଠିତ । ନା କ’ଣ ?

 

–ହଁ ।

 

–ତାହାହେଲେ ଶିଷ୍ୟର ଜ୍ଞାନ ଆଉ କ’ଣ ଦରକାର ? ତା’ର ଅତି ନିଜସ୍ଵ ସେଇ ଜ୍ଞାନ ଉପରେ ଅଜ୍ଞାନର ଯେଉଁ ପରଦା ଘୋଡ଼ାଇ ହୋଇ ପଡ଼ିଛି, ତାକୁ ଉନ୍‌ମୋଚନ କରିଦେଲେ ଯଥେଷ୍ଟ ହେବ । କିନ୍ତୁ ଏହା ଏକାବେଳକେ ଏକାଥରେ ହୋଇଯିବ ନାହିଁ । କାରଣ ଯୁଗ ଯୁଗର ଅଜ୍ଞାନ ଅନ୍ଧକାରରେ ସେ ଏମିତି ଭାବରେ ବୁଡ଼ିରହିଛି ଯେ, ତାକୁ ଜନ୍ମ ଜନ୍ମ ଧରି ବାରମ୍ବାର ଏ ବିଷୟରେ ସଚେତନ କରିବାକୁ ପଡ଼ିବ । ବାଙ୍‌ମାନସର ଅତୀତ ଏଇ ମହାଜ୍ଞାନ ବିଷୟରେ କଥାରେ ଯାହାକିଛି କୁହାଯାଇ ପାରିବ, ତାହାର ବା ଉଦ୍ଦେଶ୍ୟ କ’ଣ ? ଗୋଟାଏ ଘୋଡ଼ଣୀ ଉନ୍‌ମୋଚନ କରିବା ଏହାର ଉଦ୍ଦେଶ୍ୟ ନୁହେଁ କି ? ଅଜ୍ଞାନ ପୂର୍ବସ୍ଥିତ ଜ୍ଞାନକୁ ଘୋଡ଼ାଇ ପକାଏ; ଠିକ୍‌ ଯେମିତି ଜଳଜ ଉଭିଦ ପୋଖରୀର ପାଣିକୁ ଆଚ୍ଛାଦନ କରିଦିଏ । ସେ ଦଳ ସଫା କରିଦେଲେ ପରିଷ୍କାର ପାଣି ତୁମେ ପାଇବ । ତୁମକୁ ଜଳ ସୃଷ୍ଟି କରିବାକୁ ପଡ଼ିବ ନାହିଁ, ପାଣି ବହୁ ଆଗରୁ ସେଠାରେ ରହିଛି । ଆଉ ଗୋଟାଏ ଉଦାହରଣ ନିଅ–ଆଖିରେ ପରଳ ମାଡ଼ିଗଲେ ଲୋକ ଆଉ କିଛି ଦେଖିପାରେ ନାହିଁ । ପରଳ ବାହାର କରିନିଅ–ଲୋକଟି ପୁଣି ଦେଖିପାରିବ । ଅଜ୍ଞାନ ଠିକ୍‍ ଏମିତି ପରଳ ସଦୃଶ । ସମଗ୍ର ଜଗତ ଏଇ ଅବର୍ଣ୍ଣନୀୟ ମାୟାଶକ୍ତିର ପରିପ୍ରକାଶ ମାତ୍ର । ଏଇ ମାୟାହିଁ ଅଜ୍ଞାନ । ତଥାପି ଆଲୋକର ଉଦ୍‌ଘାଟନ ପାଇଁ ଅନ୍ଧକାରର ସାହାଯ୍ୟ ଅନିବାର୍ଯ୍ୟ । ସେମିତି ଅଜ୍ଞାନ ସାହାଯ୍ୟରେ ହିଁ ଜ୍ଞାନର ପ୍ରକାଶ ସମ୍ଭବ । ସେ ମହାନ ଜ୍ଞାନ କେହି କାହାକୁ ଶିଖାଇ ପାରିବେ ନାହିଁ, ତାହା ଅନୁଭବର ବସ୍ତୁ । ପ୍ରଣିପାତ, ପରିପ୍ରଶ୍ନ ଓ ସେବା ଗୁରୁଙ୍କ କୃପା ଲାଭ କରିବାର କେତୋଟି ଉପାୟ ମାତ୍ର । ଦୃଷ୍ଟ ଜଗତ ସତ୍ୟ ବୋଲି ମନେ କରିବା ହିଁ ଭ୍ରମ । ଏହା ଅଜ୍ଞାନର ଆବରଣ । ଏ ଆବରଣକୁ ଚିରି ଫୋପାଡ଼ି ଦିଅ । ପୁଣି ଅନ୍ତରାଳର ବ୍ରହ୍ମ ବା ପରମ ଜ୍ଞାନରେ ତୁମେ ଉଦ୍‍ଭାସିତ ହୋଇ ଉଠିବ ।

 

ଅଜ୍ଞାନ ହିଁ ସଂସାରର କାରଣ, ଜନ୍ମ ମୃତ୍ୟୁ ଚକ୍ରର ନିୟାମକ । ଗୁରୁ କୃପାର ଅଞ୍ଜନ ଆଖିରେ ମାଖିଦିଅ, ତୁମ ଆଖିରୁ ପରଳ ଘୁଞ୍ଚିଯିବ, ଆଖିରେ ପଡ଼ିବ ସେ ଜ୍ଞାନାଲୋକର ଝଲକ । ଜ୍ଞାନ ଏମିତି ଗୋଟାଏ ଜିନିଷ ନୁହେଁ, ଯାହାକୁ ତୁମକୁ ଖୋଜି ବାହାର କରିବାକୁ ପଡ଼ିବ । ଏହା ଚିରନ୍ତନ ଏବଂ ସ୍ଵୟଂ ପ୍ରତିଷ୍ଠିତ । ବରଂ ଅଜ୍ଞାନର ଆରମ୍ଭ ଓ ଶେଷ ଅଛି, ମାତ୍ର ଜ୍ଞାନ ଆଦି ଅନ୍ତବିହୀନ । ଭକ୍ତ ଭଗବାନଙ୍କଠାରୁ ଅଲଗା, ଅନ୍ୟ ଏକ ଜୀବ–ଏଇ ଧାରଣା ହିଁ ଅଜ୍ଞାନର କାରଣ । ଏ ଧାରଣାକୁ ଦୂରେଇ ଦିଅ, ତୁମେ ମହାଜ୍ଞାନର ସନ୍ଧାନ ପାଇବ-

 

ବର୍ତ୍ତମାନ ପ୍ରଶ୍ନ ହେଲା, କୃଷ୍ଣ କାହିଁକି ଅର୍ଜ୍ଜୁନକୁ ନିଜେ ଏ ଜ୍ଞାନ ନ ଦେଇ ଜନ ପାଇଁ ଅନ୍ୟ ଗୁରୁଙ୍କ ସାହାଯ୍ୟ ନେବାକୁ କହିଲେ । ଆଚ୍ଛା, କୃଷ୍ଣ କ’ଣ ଭାବୁଥିଲେ ଅନ୍ୟାନ୍ୟ ଜ୍ଞାନୀମାନେ ତାଙ୍କଠାରୁ ଭିନ୍ନ ବା ସେମାନଙ୍କ ପ୍ରଦତ୍ତ ଉପଦେଶ ତାଙ୍କ ନିଜ ଉପଦେଶଠାରୁ ଅଲଗା ? ନା, ସେମାନଙ୍କ ଶିକ୍ଷା ଓ କୃଷ୍ଣଙ୍କ ନିଜର ଶିକ୍ଷା ଭିତରେ ସେ କିଛି ପ୍ରଭେଦ ଦେଖୁ ନ ଥିଲେ ।

 

ସାଇବାବା ତା’ପରେ ସାଙ୍ଗରେ ଗୀତା ଆଣି ପ୍ରତିଦିନ ତାଙ୍କ ଆଗରେ ଗୋଟିଏ ଲେଖାଏଁ ଅଧ୍ୟାୟ ପଢ଼ିବାକୁ ନାନାକୁ ନିର୍ଦ୍ଦେଶ ଦେଲେ । ଏହିପରି ସାଇବାବା ଗୀତାର ପ୍ରତ୍ୟେକ ଶ୍ଳୋକର ବ୍ୟାଖ୍ୟା ନାନାକୁ ବୁଝାଇ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟର କଥା, ତା’ର କୌଣସି ପ୍ରତିଲିପି ରହିପାରିନି । ସାଇବାବାଙ୍କ ଗୀତାର ଅତି ମୂଲ୍ୟବାନ ବ୍ୟାଖ୍ୟା ଏମିତି ହଜିଗଲା; ତଥାପି ସାଇବାବା ଯେ ଅଦୈତବାଦୀ ଥିଲେ ଏକଥା ସୁସ୍ପଷ୍ଟ । ସେ ଜୀବ ଓ ଜୀବୀ ଭିତରେ, ଆତ୍ମା ଓ ପରମାତ୍ମାଙ୍କ ଭିତରେ କିଛି ପ୍ରଭେଦ ଦେଖି ନ ଥିଲେ ।

 

ବର୍ତ୍ତମାନ ବାବାଙ୍କ ଅଲୌକିକ ଶକ୍ତି, କଥା ଦେଖିବା । ବର୍ତ୍ତମାନ ଅଧିକାଂଶ ଆଧ୍ୟାତ୍ମିକ ଗୁରୁ କୌଣସି ଅଲୌକିକ ଶକ୍ତି ପ୍ରଦର୍ଶନ କରନ୍ତି ନାହିଁ । ଯୁଗ ଯେତେ ବେଶି ବସ୍ତୁତାନ୍ତ୍ରିକ ହୋଇ ଉଠିଚି, କୌଣସି ଗୋଟାଏ ଅଲୌକିକ ଘଟଣାରେ ହିଁ ଲୋକଙ୍କ ଆଗ୍ରହ ସେତିକି ସେତିକି ବଢ଼ୁଚି । କିନ୍ତୁ ଏସବୁ ଆଧ୍ୟାତ୍ମିକ ସାଧନାର ଅନୁବର୍ତ୍ତୀ ନୁହେଁ । ଯୀଶୁଖ୍ରୀଷ୍ଟ ମଧ୍ୟ ତାଙ୍କର ଶିଷ୍ୟମାନଙ୍କୁ ଏ ପ୍ରକାର ଅଲୌକିକ ଘଟଣା ବା ଶକ୍ତି ଉପରୁ ଦୃଷ୍ଟି ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଭାରତରେ ବହୁ ପୁରାକାଳରୁ ଏ କ୍ଷେତ୍ରରେ କୌଣସି ଅଲୌକିକ ଶକ୍ତି ପ୍ରଦର୍ଶନ କରିବାକୁ ବାରଣ କରାଯାଇଛି । ଗୁରୁକୃପା ଅନେକ ଉପାୟରେ ଶିଷ୍ୟର ମଙ୍ଗଳ ସାଧନ କରେ, ଅନେକ ବିଚିତ୍ର ଘଟଣା ଶିଷ୍ୟର ଦୃଷ୍ଟିଗୋଚର ହୁଏ । ମାତ୍ର କୌଣସିଟା ଗୁରୁ ଇଚ୍ଛାକରି ବାହାରେ ପ୍ରକାଶ କରନ୍ତି ନାହିଁ । ଭଗବାନ ରମଣ ମହର୍ଷିଙ୍କ ଶିଷ୍ୟମାନେ ଅନେକ ସମୟରେ କହନ୍ତି, ମହର୍ଷି କେମିତି ସେମାନଙ୍କର ପ୍ରାର୍ଥନା ଶୁଣି ରୋଗ ଭଲକରି ଦିଅନ୍ତି; କିନ୍ତୁ ସର୍ବସାଧାରଣରେ ଏସବୁ ଅଲୌକିକ ଘଟଣାର ସୂତ୍ରପାତ କରନ୍ତି ନାହିଁ । ଗୋଟିଏ ପ୍ରଶ୍ନର ଉତ୍ତରରେ ସେ କହନ୍ତି–“ଜଣେ ଜ୍ଞାନୀ ନିଜର ଇଚ୍ଛାକୁ କୌଣସି ଗୋଟିଏ ଦିଗରେ ପରିଚାଳିତ କଲେ ହିଁ ଯଥେଷ୍ଟ । ତାର ଇଚ୍ଛାନୁସାରେ ସବୁକିଛି ଆପେ ଆପେ ଘଟିଯାଏ ।” କିନ୍ତୁ ଏସବୁ ଘଟଣା ଯଥାସମ୍ଭବ ଅଲକ୍ଷିତ ଭାବରେ ଘଟେ; ମାତ୍ର ସାଇବାବାଙ୍କ କ୍ଷେତ୍ରରେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ । ତାଙ୍କର ଅଲୌକିକ କାର୍ଯ୍ୟାବଳୀରେ ଗୋଟାଏ ଆପେ ଆପେ ଘଟିବା କଥା କିଛି ନାହିଁ । ଦୁଇଟା ସତ୍ୟମୂଳକ କାହାଣୀରୁ ଏ ପ୍ରଭେଦଟା ବେଶ୍‌ ବୁଝିହେବ–

 

ଥରେ ତିରୁବନ୍ନମଲାଇରେ (ରମଣ ମହର୍ଷିଙ୍କ ବାସସ୍ଥାନ) ଜଣେ ସ୍ତ୍ରୀଲୋକ ମରିଗଲା । ସେ ଦିନଟା ସାରା ଆକାଶ ଖୁବ୍‍ ମେଘାଚ୍ଛନ୍ନ ଥାଏ ଓ ପ୍ରବଳ ଭାବରେ ବର୍ଷା ହେଉଥାଏ । ତେଣୁ ତାର ଶୋକାଭିଭୂତ ସ୍ଵାମୀ ଶବ ସତ୍କାର କରିପାରିଲା ନାହିଁ । କିନ୍ତୁ ହିନ୍ଦୁ ଘରର ନିୟମାନୁସାରେ ଶବକୁ ସତ୍କାର ନ କରି ୨୪ ଘଣ୍ଟାରୁ ଅଧିକ ସମୟ ରଖାଯାଇ ପାରିବ ନାହିଁ । ସେ ମହର୍ଷିଙ୍କ ପାଖକୁ ଯାଇ ଏକଥା କହିଲା । ମହର୍ଷି ଆକାଶକୁ କିଛି ସମୟ ଚାହିଁ କହିଲେ, “ମୁଁ ଭାବୁଚି ଶୀଘ୍ର ଆକାଶ ପରିଷ୍କାର ହୋଇଯିବ ।” ଭକ୍ତଟି ଫେରିଯାଇ ବଳଦଗାଡ଼ି ସଜ କରିବାକୁ ନିର୍ଦ୍ଦେଶ ଦେଲା । ସଙ୍ଗେ ସଙ୍ଗେ ଗାଡ଼ିରେ ଶବ ଓ ଅନ୍ୟାନ୍ୟ ଉପକରଣ ଲଦାହେଲା । ସତକୁ ସତ ସେ ଶ୍ମଶାନକୁ ବାହାରିଲା ବେଳକୁ ବର୍ଷା ଛାଡ଼ିଗଲା । ତାର ସବୁ କାମ ଶେଷ ହେବାପରେ ଯାଇ ବର୍ଷା ପୁଣି ଆରମ୍ଭ ହେଲା । ଆଉ ଗୋଟାଏ କାହାଣୀ–

 

କୋପର ଗାଁ ରେଳଷ୍ଟେସନଠାରୁ ସିର୍‌ଡ଼ି ପ୍ରାୟ ଛଅ ମାଇଲ ଦୂର । ଷ୍ଟେସନରୁ ସିର୍‌ଡ଼ି ଯିବାକୁ ଘୋଡ଼ାଗାଡ଼ି ହିଁ ଏକମାତ୍ର ଉପାୟ । କେତେଜଣ ଭକ୍ତ ସିର୍‌ଡ଼ିଠାରୁ ସେଇଦିନ ରାତି ଗାଡ଼ିରେ ବମ୍ବେ ଫେରିଯିବା ପାଇଁ ଖୁବ୍‌ ଉଦବିଗ୍ନ ଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ଭୟଙ୍କର ଝଡ଼ବର୍ଷା ମାଡ଼ି ଆସୁଥାଏ । ସେମାନେ ସାଇବାବାଙ୍କୁ ଏକଥା କହିଲେ । ସାଇବାବା ଆକାଶକୁ ଚାହିଁ ପାଟିକଲେ–“ହେ ମେଘ, ଯଥେଷ୍ଟ ହେଲାଣି, ସେତିକି ଥାଉ । ମୋ ପିଲାମାନେ ଆଜି ଫେରିବେ ।” ତା’ପରେ ଝଡ଼ବର୍ଷା ବନ୍ଦ ହୋଇଗଲା ।

 

ସେ ଯାହାହେଉ, ତାଙ୍କର ଏ ଅଲୌକିକ ଘଟଣା ଘଟାଇବାରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥିଲା-। ସେ କହୁଥିଲେ–“ମୋ ଭକ୍ତମାନେ ଯାହା ଚାହାନ୍ତି, ମୁଁ ସେମାନଙ୍କୁ ଦେଇଦିଏ; କାରଣ ଦିନେ ସେମାନେ ମୁଁ କ’ଣ ଦେବାକୁ ଚାହେଁ, ତାହାର ଦରକାର କରିବେ ।”

 

ଏ ଅଲୌକିକ ଶକ୍ତି ଛଡ଼ା ଅନ୍ୟ ଦୃଷ୍ଟିରୁ ବି ସାଇବାବା ଖୁବ୍‌ ବିଚିତ୍ର ଥିଲେ । ସେ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ଶିଷ୍ୟରୂପେ ଗ୍ରହଣ କରୁଥିଲେ; ମସ୍‌ଜିଦ୍‌ରେ ସବୁବେଳେ ଗୋଟାଏ ଧୂନି ଜଳାଇ ରଖୁଥିଲେ, ବେଳେ ବେଳେ ଖୁବ୍‌ ରାଗିଯାଇ ଶିଷ୍ୟମାନଙ୍କୁ ଠେଙ୍ଗାରେ ପିଟି ପକାଉଥିଲେ । ଅନ୍ୟର ମନର ଚିନ୍ତାକୁ ବି ସେ ଜାଣିପାରୁଥିଲେ । ନୂଆକରି ଯେଉଁ ଅବିଶ୍ଵାସୀ ଲୋକମାନେ ତାଙ୍କ ପାଖକୁ ଆସୁଥିଲେ, ସେମାନଙ୍କୁ ଗାଳିକରିବା, ଟେକାପଥର ଫିଙ୍ଗି ସେମାନଙ୍କୁ ତଡ଼ିଦେବା ବା କିଛି ଅଦଭୂତ କାଣ୍ଡ ଘଟାଇ ସେମାନଙ୍କ ପାଖକୁ ଆକର୍ଷଣ କରିନେବା ସାଇବାବାଙ୍କ ସାଧାରଣ କାମ ଥିଲା । ବେଳେ ବେଳେ ଜଣକଠାରୁ ଟଙ୍କା ପଇସା ମାଗିନେଇ ଅନ୍ୟମାନଙ୍କୁ ବିତରଣ କରିଦେବା ତାଙ୍କର ଗୋଟାଏ ଅଭ୍ୟାସ ଥିଲା କହିଲେ ଚଳେ । ମୋଟାମୋଟି ସେ ଥିଲେ ଜଣେ ଆଧ୍ୟାତ୍ମିକ ଅତିମାନବ । ବେଳେ ବେଳେ କିଛି କାରଣ ନ ଥାଇ ହଠାତ୍‌ ପ୍ରଚଣ୍ଡ ରାଗିଉଠି ନୂତନ ଆଗନ୍ତୁକ ବା ବିଦାୟୀ ଭକ୍ତଙ୍କୁ ଗାଳିଗୁଲଜ କରି ପକାଉଥିଲେ । ମାତ୍ର ଠିକ୍‌ ପରମୁହୂର୍ତ୍ତରେ ହଠାତ୍‌ ଶାନ୍ତ ହୋଇ ବେଶ୍‌ ଆଦର ସହକାରେ କଥାବାର୍ତ୍ତା କରୁଥିଲେ । ବେଳେ ବେଳେ ଅନ୍ୟମାନେ ନ ଶୁଣି ପାରିବା ଭଲ ଖୁବ୍‌ ଧୀର ସ୍ଵରରେ ଇସ୍‌ଲାମ ବା ଆରବୀ ବା ପାରସୀ ଧର୍ମଶାସ୍ତ୍ର ଉଚ୍ଚାରଣ କରୁଥିଲେ; କିନ୍ତୁ ହିନ୍ଦୁ ଶାସ୍ତ୍ରରୁ କେବେ କିଛି ଉଚ୍ଚାରଣ କରିବା କେହି ଶୁଣିନାହାନ୍ତି ।

 

ସାଇବାବାଙ୍କର ଅତି ଅଦ୍‌ଭୁତ ଅଭ୍ୟାସଗୁଡ଼ିଏ ଥିଲା । ବେଳେ ବେଳେ ସେ ଧୂନି ଆଗରେ ଠିଆହୋଇ ଦୁଇଟି ମୁଦ୍ରା ହାତରେ ଧରି ତାକୁ ଘଷନ୍ତି । ତାଙ୍କର ଜଣେ ଅତି ପ୍ରିୟ ଶିଷ୍ୟ କହେ, “ଦିନେ ଦିନେ ପ୍ରାୟ ଗୋଟାଏଠାରୁ ଦୁଇଟା ଭିତରେ ସାଇବାବା ବେଳେ ବେଳେ ତାଙ୍କ ଧୂନି ଆଗରେ ଠିଆହୋଇ ଗୋଟିଏ ମୁଣିରୁ କିଛି ମୁଦ୍ରା ବାହାର କରନ୍ତି । ଚାରଣୀଠାରୁ ଆରମ୍ଭ କରି ଟଙ୍କା ପର୍ଯ୍ୟନ୍ତ ସେଥିରେ ଥାଏ । ସେଗୁଡ଼ିକ କାଢ଼ି ସେ ହାତରେ ଧରି କିଛି ସମୟ ପର୍ଯ୍ୟନ୍ତ ହାତରେ ଘଷନ୍ତି । ଏମିତି ଘଷି ଘଷି ସେଗୁଡ଼ିକ ଚିକ୍‌କଣ ହୋଇଯାଇଥାଏ । ବେଳେ ବେଳେ ମନେ ମନେ କହନ୍ତି–ଏଇଟା ନାନାର, ଏଇଟା ବାପୁର, ଏଇ କାକାର–ମାତ୍ର କେହି ପାଖକୁ ଆସିଲେ ଚଟାପଟ୍‌ ସେଗୁଡ଼ାକ ମୁଣିରେ ପୁରାଇ ଲୁଚାଇ ଦିଅନ୍ତି ।

 

ଏମିତି ସାଙ୍କେତିକ କାର୍ଯ୍ୟକଳାପ ମାଧ୍ୟମରେ ସେ ଶିଷ୍ୟମାନଙ୍କୁ କୃପା ପ୍ରଦାନ କରନ୍ତି ଓ ସେମାନଙ୍କୁ ସାଧନାରେ ସାହାଯ୍ୟ କରନ୍ତି । ସେମାନଙ୍କୁ ଆଧ୍ୟାତ୍ମିକ ଅନୁସନ୍ଧାନର ବାଟ ଦେଖାନ୍ତି ଏବଂ ସବୁବେଳେ ସେମାନଙ୍କ ସୁଖଦୁଃଖ ବୁଝନ୍ତି । ସବୁ ଗୁରୁ ଏମିତି ଶିଷ୍ୟଙ୍କ କଥା ବୁଝନ୍ତି । ମାତ୍ର ଅନ୍ୟ କେହି ସାଇବାବାଙ୍କ ପରି ସଙ୍କେତ ବା ପ୍ରତୀକ (Symbol) ବ୍ୟବହାର କରନ୍ତି ନାହିଁ ।

 

ଜଣେ ମୁସଲମାନ ଭକ୍ତ ଆଉ ଗୋଟାଏ କାହାଣୀ କହେ–“ବାବା ଅନେକ ସମୟରେ ଦୀପସ୍ତମ୍ଭ ପଛଆଡ଼େ ଯାଇ ବସନ୍ତି । ଦୀପଟା ଦିନରାତି ସବୁବେଳେ ଜଳୁଥାଏ । ମାତ୍ର ବାବା ଏମିତି ସ୍ଥାନରେ ଆଢ଼ୁଆଳରେ ଯାଇ ବସନ୍ତି ଯେ, ଦୀପଟା ସେଠାରୁ ଦେଖାଯାଏ ନାହିଁ । ବାବା କେବେହେଲେ ଦୀପକୁ ଚାହାନ୍ତି ନାହିଁ । ମୁଁ ଦୁଇ ତିନି ମାଠିଆ ପାଣି ନେଇ ତାଙ୍କ ପାଖରେ ରଖିଦିଏଁ । ବାବା ସେ ମାଠିଆରୁ ପାଣି ନେଇ ଚାରିଆଡ଼େ ଢାଳୁଥାଆନ୍ତି । ସେତେବେଳେ କୌଣସି ମନ୍ତ୍ର ଉଚ୍ଚାରଣ କରନ୍ତି କି ନାହିଁ ମୁଁ କହିପାରିବି ନାହିଁ ।”

 

ଶିଷ୍ୟମାନଙ୍କୁ କୃପା ବିତରଣ କରିବାର ଏହା ଗୋଟିଏ ସାଙ୍କେତିକ କାର୍ଯ୍ୟ । ତାଙ୍କ ଶୋଇବାଠାରୁ ବୋଧହୁଏ ଆଉ କିଛି ବିଚିତ୍ର କଥା ନ ଥିଲା । ପାଞ୍ଚ ପୁଟ ଲମ୍ବ, ଫୁଟେ ତିନି ଇଞ୍ଚ ଚଉଡ଼ାର ଖଣ୍ଡିଏ ପଟା ଉପରେ ସେ ଜୀବନର ଅନେକ ରାତି ଶୋଇ ବିତାଇ ଦେଇଥିଲେ । ସେ ପଟାଟା ମାଟି ଉପରେ ପ୍ରାୟ ଛଅ ଫୁଟ ଉଚ୍ଚତାରେ ଛାତରୁ ଛିଣ୍ଡାକନା ଧଡ଼ିରେ ବନ୍ଧାହୋଇ ଝୁଲୁଥାଏ । ସେଇଟା ଏମିତି ବିପଜ୍ଜନକ ଅବସ୍ଥାରେ ଝୁଲୁଥାଏ ଯେ, ତା ଉପରକୁ କେବଳ ଉଠିବାପାଇଁ ତ ନୁହେଁ, ସେଇଠି ଶୋଇବାକୁ ମଧ୍ୟ ଶୂନ୍ୟଚାରୀ (Levitation) ହେବାକୁ ପଡ଼ିବ । ଥରେ ତାଙ୍କର କେତେଜଣ ଶିଷ୍ୟ ବାବା କେମିତି ଶୁଅନ୍ତି ଦେଖିବାକୁ ଯାଇଥିଲେ । ବାବା ସେମାନଙ୍କୁ ଦେଖି ପ୍ରଚଣ୍ଡ କ୍ରୋଧରେ ସେ ପଟାଟାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ ।

 

ମିସେସ୍‌ ମାନେଜର ବୋଲି ଜଣେ ପାରସୀ ମହିଳା ବାବାଙ୍କ ବିଷୟରେ ଗୋଟାଏ ଖୁବ୍‌ ତତ୍ତ୍ଵପୂର୍ଣ୍ଣ କଥା କହନ୍ତି–‘ସାଇବାବା ଓ ଅନ୍ୟାନ୍ୟ ସିଦ୍ଧପୁରୁଷଙ୍କ ଭିତରେ ଗୋଟାଏ ତଫାତ୍‌ ଦେଖି ମୁଁ ବିସ୍ମିତ ହୋଇଗଲି । ଅନେକ ସାଧୁସନ୍ଥଙ୍କ ପାଖକୁ ମୁଁ ଯାଇଛି ଓ ସେମାନଙ୍କୁ ସମାଧିସ୍ଥ ହେବା ବି ଦେଖିଛି । ସେମାନେ ସେତେବେଳେ ସଂପୂର୍ଣ୍ଣ ବାହ୍ୟ ଜ୍ଞାନଶୂନ୍ୟ ହୋଇଯାଆନ୍ତି ଏବଂ ଆମ୍ଭମାନଙ୍କ ଅନ୍ତରରେ କ’ଣ ଅଛି, ତାହା ଜାଣିପାରନ୍ତି । ଆମେ କିଛି କହିବା ପୂର୍ବରୁ ଆମ୍ଭର ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି । କିନ୍ତୁ ସାଇବାବାଙ୍କ ପାଖରେ ଏହାର ବ୍ୟତିକ୍ରମ ଘଟେ । କିଛି କରିବା ପାଇଁ ବା ଆମର ଅନ୍ତର୍ଗତ ଚିନ୍ତା ଇତ୍ୟାଦି ଜାଣିବା ପାଇଁ ତାଙ୍କୁ ସମାଧିସ୍ଥ ହେବାକୁ ପଡ଼େନାହିଁ । ସେ ପ୍ରତ୍ୟେକ ମୁହୂର୍ତ୍ତରେ ଯେମିତି ଦ୍ଵୈତ ଚୈତନ୍ୟରେ ଅବସ୍ଥାନ କରନ୍ତି–ବାହ୍ୟ ଓ ଅନ୍ତଃ । ଗୋଟାଏ ଚୈତନ୍ୟକୁ ସେ ‘ସାଇବାବା’ ରୂପେ ବ୍ୟବହାର କରନ୍ତି, ପାର୍ଥିବ ଜଡ଼ବସ୍ତୁ ସହ ସଂଶ୍ଳିଷ୍ଟ ହୁଅନ୍ତି । ମାତ୍ର ଅନ୍ୟ ଚୈତନ୍ୟରେ ତାଙ୍କର ସମସ୍ତ ‘ଅହଂତ୍ଵ’ର ବିଲୋପ କରି ସେ ଏକ ଅତି ଉନ୍ନତ ଅବସ୍ଥାରେ ପରମାତ୍ମା ସହ ମିଶି ରହିଥାନ୍ତି । ନିରବଚ୍ଛିନ ଭାବରେ ସାଇବାବା ଏ ଦ୍ଵୈତ ଚୈତନ୍ୟରେ ଚିନ୍ମୟ; ଉଭୟ ସ୍ତରର ଅଧିକାରୀ, ଜୀବ ଓ ଜୀବୀ । ତେଣୁ କୌଣସି ଘଟଣା ତାଙ୍କ ଅଗୋଚରରେ ରହିପାରେ ନା । ଅନ୍ୟାନ୍ୟ ସାଧୁସନ୍ଥମାନେ ଆଧ୍ୟାତ୍ମିକ ଜଗତରେ ବିହାର କଲାବେଳେ ପାର୍ଥିବ ଜଗତକୁ ଭୁଲିଯାଆନ୍ତି । ମାତ୍ର ସାଇବାବା ଏକାବେଳେ ଉଭୟ ଜଗତରେ ବିଦ୍ୟମାନ । ପାର୍ଥିବ ଓ ଅପାର୍ଥିବ । ଲୋକଙ୍କ ମନକଥା ଏବଂ ସେମାନଙ୍କ ଅତୀତ ଜାଣିବା ପାଇଁ ଅନ୍ୟମାନଙ୍କୁ ରୀତିମତ ଖୁବ୍‌ ଚେଷ୍ଟା କରିବାକୁ ପଡ଼େ । ମାତ୍ର ସାଇବାବାଙ୍କୁ ଏଥିପାଇଁ ସାମାନ୍ୟତମ ଚେଷ୍ଟା ବି କରିବାକୁ ପଡ଼େନା । ସେ ସବୁବେଳେ ସର୍ବଜ୍ଞ ।”

 

ମିସେସ୍‌ ମାନେଜରଙ୍କ କହିବା ଅନୁସାରେ ଏବଂ ମୁଁ ଭଗବାନ୍‌ ରମଣ ମହର୍ଷିଙ୍କ ସମ୍ପର୍କରେ ଯାହା ଦେଖିଛି, ଜଣେ ସିଦ୍ଧପୁରୁଷ ଗୋଟାଏ ଚିରନ୍ତନ ସମାଧି ଅବସ୍ଥାରେ ଯୋଗନିଦ୍ରା ରହିଥାଆନ୍ତି । ଏପରି ଅବସ୍ଥାରେ କୌଣସି ସାମୟିକ ସମାଧି ବା ଏପରି କି ନିଦ୍ରା ମଧ୍ୟ ଆବଶ୍ୟକ ହୁଏ ନାହିଁ । ସେ ସବୁବେଳେ ଏଇ ସମାଧିରେ ହିଁ ବିଶ୍ରାମ କରନ୍ତି । ସେ ଅବସ୍ଥା ଏକ ଜ୍ୟୋତିର୍ମୟ ଶାନ୍ତ ଅବସ୍ଥା । ଏଥିରୁ ଆମେ ବୁଝିପାରିବା, ରାତିରେ ମଧ୍ୟ ସାଇବାବାଙ୍କୁ ଶୋଇବାକୁ ପଡ଼ୁ ନ ଥିଲା-। ସେତେବେଳେ ସେ ସମାଧିସ୍ଥ ଏବଂ ଶୂନ୍ୟଚାରୀ ରହି ଶିଷ୍ୟମାନଙ୍କ ଉପରେ ଲକ୍ଷ୍ୟ ରଖିଥାନ୍ତି-। ଖାଲି ସେତିକି ନୁହେଁ, ସେ ଅବସ୍ଥାରେ ବାବା ଶିଷ୍ୟମାନଙ୍କୁ କୃପା ବିତରଣ କରିଥାନ୍ତି । ଏମିତି ଶିଷ୍ୟମାନଙ୍କ ସହ ତାଙ୍କର ଗୋଟାଏ ନିରବଚ୍ଛିନ୍ନ ଆଦାନପ୍ରଦାନ ଲାଗିଥାଏ-। ସେ କାହିଁକି ଏହାକୁ ପ୍ରଦର୍ଶନ କରନ୍ତି ଏବଂ ଅନ୍ୟମାନେ ଦେଖିଲେ ରାଗି ଉଠନ୍ତି, ତାହା ଆଉ ଗୋଟାଏ କଥା-

 

ଥରେ ଗୋଟାଏ ଚୋର ଗୁଡ଼ାଏ ସୁନାରୂପା ଚୋରି କରି ଧରାପଡ଼ିଲା ପରେ ପାଖରେ ଥିବା ଧୂଳିଆ ସହରର ମାଜିଷ୍ଟ୍ରେଟଙ୍କ ପାଖକୁ ତାକୁ ଅଣାଗଲା । କଥାଟା ଅତି ସାଧାରଣ; ମାତ୍ର ସେ କହିଲା, ଏଗୁଡ଼ାକ ସାଇବାବା ତାକୁ ଦେଇଛନ୍ତି । ସମସ୍ତେ ଜାଣନ୍ତି ଯେ, ସାଇବାବାଙ୍କ ପାଖରେ ପ୍ରତିଦିନ ଗୁଡ଼ାଏ ଟଙ୍କା ପଇସା ଏବଂ ସୁନା–ରୁପା ଜମାହୁଏ ଏବଂ ସାଇବାବା ସେଇଦିନ ସେସବୁ ଅନ୍ୟମାନଙ୍କୁ ବାଣ୍ଟି ଦିଅନ୍ତି । କିନ୍ତୁ ଏ ଘଟଣାରେ ଏ ପଦାର୍ଥଗୁଡ଼ିକ ଯେ ଚୋରିଯାଇଥିବା ଜିନିଷ, ଏହା ନିର୍ଦ୍ଦିଷ୍ଟ ଭାବରେ ଜଣା ପଡ଼ିଥାଏ । ତେଣୁ ଏକମାତ୍ର ଉପାୟ ହେଲା ସାଇବାବାଙ୍କୁ କୋର୍ଟ ସମନ କରିବା । ସେଇୟା ମଧ୍ୟ ହେଲା ।

 

–ବାବା, ଆପଣଙ୍କ ପାଇଁ ଗୋଟାଏ ସମନ–ପୋଲିସ କନେଷ୍ଟବଳଟି ଥରି ଥରି ସାଇବାବାଙ୍କୁ ଏତକ କହିଲା ।

 

–ସେ କାଗଜଟା ନେଇ ଜଣେ କିଏ ନିଆଁରେ ପକାଇ ଦିଅ । ସାଇବାବା ପ୍ରଚଣ୍ଡ କ୍ରୋଧରେ ଗର୍ଜିଉଠିଲେ । ଜଣେ ସେ ସମନ କାଗଜଟିକୁ ନେଇ ନିଆଁରେ ପକେଇଦେଲା ।

 

କିନ୍ତୁ କର୍ତ୍ତୃପକ୍ଷଙ୍କର ଏ ଅପମାନ ସହିବାର ନୁହେଁ । ସଙ୍ଗେ ସଙ୍ଗେ ଗୋଟାଏ ୱାରଣ୍ଟ ଦେଇ ବାବାଙ୍କୁ ଗିରଫ କରି ଆଣିବାକୁ ସେ କନେଷ୍ଟବଳକୁ ପଠାଗଲା । ବିଚରା କନେଷ୍ଟବଳଟି ସେତେବେଳକୁ ଡରରେ ଅଧାପ୍ରାଣ ହୋଇଗଲାଣି ।

 

–ବାବା, ଏଥର ସେମାନେ ଗୋଟାଏ ୱାରଣ୍ଟ ଦେଇଛନ୍ତି । ଆପଣ ଟିକେ ମୋ ସାଙ୍ଗରେ ଧୂଳିଆ ଆସିବେ କି ? କନେଷ୍ଟବଳଟି ବଡ଼ କଷ୍ଟରେ ଏତକ କହିଲା ।

 

ବାବାଙ୍କ କ୍ରୋଧ ଆଉ ଦେଖେ କିଏ । ତାକୁ ଗୁଡ଼ାଏ ଗାଳିକରି ଜଣେ ଭକ୍ତକୁ ସେ କାଗଜଟା ପାଇଖାନାରେ ଫୋପାଡ଼ିଦେବାକୁ ନିର୍ଦ୍ଦେଶ ଦେଲେ ।

 

କେତେକ ଭକ୍ତ ଏକାଠି ହୋଇ ବିଚାର କଲେ, ଏହାର କି ପ୍ରତିକାର କରାଯାଇପାରେ । ସେମାନେ ଗୋଟାଏ ଆବେଦନ କଲେ ଯେ, ଯାହାଙ୍କୁ ଅନେକ ଲୋକ ପୂଜା କରନ୍ତି, ସେମିତି ଜଣେ ମହାନ୍‌ ସିଦ୍ଧପୁରୁଷଙ୍କୁ କୋର୍ଟକୁ ସମନ କରାଯିବା ଉଚିତ ନୁହେଁ । ବରଂ ଜଣେ କମିଶନର ସିର୍‌ଡ଼ିକୁ ଆସି ବାବାଙ୍କଠାରୁ ସାକ୍ଷୀ ନେଇଯାଇପାରେ । ସେମାନଙ୍କ ଆବେଦନ ଅନୁସାରେ କୋର୍ଟ୍‌ ଜଣେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କୁ ସିର୍‌ଡ଼ି ପଠାଇଲା । ମାଜଷ୍ଟ୍ରେଟ୍‌ ଆସି ବାବାଙ୍କୁ ପଚାରିଲେ–

 

–ଆପଣଙ୍କ ନାମ କ’ଣ ?

 

–ଲୋକେ ମୋତେ ସାଇବାବା ବୋଲି କହନ୍ତି !

 

–ଆପଣଙ୍କ ପିତାଙ୍କ ନାମ ?

 

–ସାଇବାବା ।

 

–ଆପଣଙ୍କ ଗୁରୁ ?

 

–ଭେଙ୍କୁସା ।

 

–ଆପଣଙ୍କ ଧର୍ମ କଣ ?

 

–କବୀର ।

 

–ଆପଣଙ୍କ ଜାତି ?

 

–ପର୍‌ବର୍‌ ଦିଗାର୍‌ ।

 

–ବୟସ ?

 

–ଲକ୍ଷ ଲକ୍ଷ ବର୍ଷ ।

 

ଅନୁସନ୍ଧାନ କରିବାରୁ ପ୍ରଶ୍ନଗୁଡ଼ିକ ବେଶ୍‌ ସ୍ଵାଭାବିକ । ମାତ୍ର ତାର ଉତ୍ତର ନିତାନ୍ତ ଅସ୍ଵାଭାବିକ । ଉତ୍ତରଗୁଡ଼ାକ ସବୁ ରହସ୍ୟମୟ । ଆଗରୁ କୁହାଯାଇଛି ‘ସାଇବାବା’ ଗୋଟାଏ ନାମ ନୁହେଁ, ଗୋଟିଏ ଉପାଧି । ତାଙ୍କ ପିତାଙ୍କ ନାମ ମଧ୍ୟ ‘ସାଇବାବା’ କହିବା ଅର୍ଥ ସେ କହିବାକୁ ଚାହାନ୍ତି, ମଣିଷ ସମାଜର ବନ୍ଧନରେ ସେ ବନ୍ଧା ନୁହନ୍ତି । କବୀର ୧୫–୧୬ ଶତାବ୍ଦୀର ଜଣେ ସନ୍ଥ କବି । ତାଙ୍କର ହିନ୍ଦୁ ଓ ମୁସଲମାନ ଉଭୟ ଶିଷ୍ୟ ଥିଲେ । ଧର୍ମ କବୀର କହି ବାବା ସଙ୍କେତ ଦେଲେ ଯେ, ସେ ସମସ୍ତ ଧର୍ମର ବହୁ ଊର୍ଦ୍ଧ୍ଵରେ । ସେ ପ୍ରକୃତରେ ହିନ୍ଦୁ ଓ ମୁସଲମାନ୍‌ ଉଭୟ ସମାଜର ଲୋକଙ୍କୁ ଶିଷ୍ୟରୂପେ ଗ୍ରହଣ କରୁଥିଲେ ଏବଂ ସେମାନଙ୍କୁ ନିଜ ନିଜ ବାଟରେ ଧର୍ମ ଶିକ୍ଷା ଦେଉଥିଲେ । ପର୍‌ବର୍‌ଦିଗାର୍‌ ଶବ୍ଦର ଅର୍ଥ ଜାତିବଂଧନରୁ ମୁକ୍ତ ମହାପୁରୁଷ । ସିଦ୍ଧପୁରୁଷ କୌଣସି ଜାତି ବଂଧନରେ ବଂଧା ନୁହେଁ । ସିଦ୍ଧିଲାଭ ପରେ ମନୁଷ୍ୟ ଚାରିବର୍ଣ୍ଣର ବହୁ ଊର୍ଦ୍ଧ୍ଵକୁ ଚାଲିଯାଏ । ସାଇବାବା ଏହାହିଁ କହିଲେ । ତାଙ୍କ ବୟସ ସମ୍ବନ୍ଧରେ ଲକ୍ଷ ଲକ୍ଷ ବର୍ଷ କହିବା ଅର୍ଥ ସେ ସମୟର ଅତୀତ । ଚିନ୍ମୟତାର ଚିରନ୍ତନ ‘ବର୍ତ୍ତମାନ’ରେ ସେ ନିତ୍ୟ ଅବସ୍ଥିତ ।

 

ତା ପରେ ମାଜିଷ୍ଟେଟ୍‌ ଆଉ କେତୋଟି ପ୍ରଶ୍ନ ପଚାରିଲେ–

 

–ଆପଣ ଯାହା କହିବାକୁ ଯାଉଛନ୍ତି, ତାହା ସତ୍ୟ ବୋଲି ପ୍ରତିଜ୍ଞା କରିବେ କି ?

 

–ହଁ ସତ୍ୟ । ବେଶ୍‌ ଦୃଢ଼ସ୍ଵରରେ ବାବା ଏକଥା କହିଲେ ।

 

–ଆପଣ ସେ ଚୋରଟାକୁ ଜାଣନ୍ତି ?

 

–ହଁ, ମୁଁ ଜାଣେ । ମାତ୍ର ପରେ ପରେ ସାଇବାବା ଯୋଗ କଲେ–ମୁଁ ସମସ୍ତଙ୍କୁ ଜାଣେ ।

 

–ସେ କହୁଛି, ସେ ଆପଣଙ୍କ ଭକ୍ତ ଏବଂ ସେ ଆପଣଙ୍କ ପାଖରେ ଥିଲା । କ’ଣ ସତ ?

 

–ହଁ, ସମସ୍ତେ ମୋ ସହିତ ଅଛନ୍ତି, ସମସ୍ତେ ମୋ ନିଜର ।

 

ଜଣେ ସିଦ୍ଧପୁରୁଷଙ୍କର ଏ ସାର୍ବଜନୀନତା ଗୋଟାଏ ମକଦ୍ଦମା ଚଳାଇବାରେ କି ସାହାଯ୍ୟ କରିବ ।

 

–ସେ କହୁଛି, ଆପଣ ତାକୁ କିଛି ସୁନାରୂପା ଦେଇଛନ୍ତି । ଏ କ’ଣ ସତକଥା ?

 

–ହଁ, ମୁଁ ତାକୁ ସେଗୁଡ଼ାକ ଦେଇଛି । ମାତ୍ର ପରେ ପରେ କଥାଟାକୁ ରହସ୍ୟାଚ୍ଛନ୍ନ କରି ପୁଣି କହିଲେ–କିଏ କ’ଣ କାହାକୁ ଦିଏ ?

 

–ଆପଣ ଯଦି ଏ ସବୁ ତାକୁ ଦେଲେ, ତେବେ ଆପଣ ପାଇଲେ କେଉଁଠୁ ?

 

–ସବୁ କିଛି ମୋର !

 

ତାପରେ ମାଜିଷ୍ଟ୍ରେଟ ଧୈର୍ଯ୍ୟ ହରାଇ ବସିଲେ । ଏ ସବୁ ବେଶ୍‌ ସୁନ୍ଦର ଦର୍ଶନ ହୋଇପାରେ, ମାତ୍ର ମାଜିଷ୍ଟ୍ରେଟ୍‌ ତ ସାକ୍ଷୀ ପ୍ରମାଣ ସଂଗ୍ରହ କରିବାକୁ ଆସିଥିଲେ, ଦର୍ଶନ ନୁହେଁ । ଏଥିରୁ ବା ସେ କି ପ୍ରମାଣ ପାଇବେ ! ସେ ଶେଷରେ ବିରକ୍ତିରେ କହଲେ–“ବାବା, ଗୋଟାଏ ଅତି ଗୁରୁତର ଚୋରି ଅପରାଧ ଏଇଟା । ଲୋକଟା କହୁଚି ଆପଣ ତାକୁ ଏ ସବୁ ସୁନାରୂପା ଦେଇଛନ୍ତି-। ମୁଁ ଅନୁସନ୍ଧାନ କରିବାକୁ ଆସିଛି ।’’

 

ବାବା ମଧ୍ୟ ଧୈର୍ଯ୍ୟ ହରାଇ ବସିଲେ । ସେ ପାଟି କଲେ, “ସେଥିରେ ମୋର ଯାଏ ଆସେ କ’ଣ ?” –ତାପରେ ସେଠାରୁ ସେ ଚାଲିଗଲେ । ପରେ ଯେତେବେଳେ ଅନୁସନ୍ଧାନରୁ ଜଣାଗଲା ଚୋରି ସମୟରେ ଲୋକଟା ସିରି୍‍ଡ଼ିରେ ନ ଥିଲା, ବାବାଙ୍କଠାରୁ ସାକ୍ଷୀ ନେବା କଥାଟାକୁ ଛାଡ଼ି ଦିଆଗଲା । ବାବାଙ୍କୁ କେହି କୌଣସି କାଗଜରେ ଦସ୍ତଖତ କରିବାକୁ କହିଲେ ନାହିଁ । ବାବା କେବେ କୌଣସିଠାରେ ଦସ୍ତଖତ୍‌ କରୁ ନ ଥିଲେ । କାରଣ ତାଙ୍କର କୌଣସି ନାମ ନ ଥିଲା ।

 

୧୯୦୦ ମସିହା ବେଳକୁ ସାଇବାବାଙ୍କର ମହିମା ଚାରିଆଡ଼େ ପ୍ରସାରିତ ହେବାକୁ ଲାଗିଲା । ତାଙ୍କ ଜୀବନର ଶେଷ ଦଶକରେ ସିର୍‌ଡ଼ି ଦର୍ଶନାଭିଳାଷୀମାନଙ୍କ ଦ୍ଵାରା ଭର୍ତ୍ତି ହୋଇଗଲା । ଅସାଧ୍ୟ ରୋଗର ଉପଶମ ହେଲା, ନିଃସନ୍ତାନ ସନ୍ତାନ ଲାଭ କଲେ ଏବଂ ଅବିଶ୍ଵାସୀ ଲୋକଙ୍କ ମନରେ ବିଶ୍ଵାସ ସୁଦୃଢ଼ ହେଲା । ତାଙ୍କ ଜୀବନର ଶେଷ ଆଡ଼କୁ ସିର୍‍ଡ଼ିରେ ଅତି ଆଡ଼ମ୍ବର ସହକାରେ ଉତ୍ସବ ଅନୁଷ୍ଠିତ ହେଉଥିଲା । ଏ ବିରାଟ ଉତ୍ସବରେ ଘୋଡ଼ା, ହାତୀ ଓ ରଥ ବ୍ୟବହୃତ ହେଉଥିଲା । ସାଇବାବା ନିଜେ ଏସବୁକୁ ନାପସନ୍ଦ କରୁଥିଲେ । ମାତ୍ର ଶିଷ୍ୟମାନଙ୍କର ଅନୁରୋଧକୁ ସେ ଏଡ଼ାଇ ପାରୁ ନ ଥିଲେ । ପ୍ରତିଦିନ ତାଙ୍କ ପାଖରେ ଟଙ୍କା ପଇସା କୁଢ଼େଇ ହୋଇ ପଡ଼ୁଥିଲା ଯେମିତି, ସେମିତି ପାଣିପରି ସେ ସବୁ ବାଣ୍ଟି ଦିଆଯାଉଥିଲା । ତାଙ୍କ ମୃତ୍ୟୁ ବେଳକୁ ଶବ ସତ୍କାର ପାଇଁ ଯେତିକି ଆବଶ୍ୟକ, କେବଳ ସେତିକି ମାତ୍ର ତାଙ୍କ ପାଖରେ ଥିଲା । ମୃତ୍ୟୁ ପରେ ବାବାଙ୍କ ଶିଷ୍ୟମାନଙ୍କ ସଂଖ୍ୟା କମିନାହିଁ, ବରଂ ବଢ଼ିବାରେ ଲାଗିଛି । ମାତ୍ର ତାଙ୍କର କୌଣସି ଶିଷ୍ୟ ତାଙ୍କୁ ଭାରତ ବାହାରେ କେବେ ପରିଚିତ କରିବାର ପ୍ରୟାସ କରିନାହିଁ । ବୋଧହୁଏ ଜଣେ ବିଦେଶୀ ପାଇଁ ଏ କାମଟା ବାକି ରହିଛି ।

Image

 

ଗୁରୁ ଓ ତାଙ୍କର ପରିବାର

 

ସାଇବାବା ଅତି ଅଦ୍ଭୁତ, ଅସାମାନ୍ୟ ଥିଲେ । ତଥାପି ଶିଷ୍ୟମାନଙ୍କ ପ୍ରତି ତାଙ୍କର ଯେମିତି ଗଭୀର ଆଦର ଓ ମମତା ଥିଲା, ସେମାନଙ୍କ ଆଧ୍ୟାତ୍ମିକ ଉନ୍ନତି ପାଇଁ ମଧ୍ୟ ସେ ସେମିତି ସତତ ଯତ୍ନଶୀଳ ଥିଲେ । ତେଣୁ ପ୍ରଥମେ ତାଙ୍କର ଜଣେ ଭକ୍ତ ଶ୍ରୀମତୀ ମାନେଜରଙ୍କ କଥା ଉଦ୍ଧାର କରିବା ।

 

"ସାଇବାବାଙ୍କ ଆଖି ଦୁଇଟାରେ ଏମିତି ତେଜ ଓ ଭେଦ କରିବା ଶକ୍ତି ଥିଲା ଯେ, ପ୍ରଥମେ ଗୋଟାଏ ଲୋକର ଦୃଷ୍ଟି ସେଇ ଆଖିରେ ହିଁ ପଡ଼ିବ । କୌଣସି ଲୋକ ତାଙ୍କ ଆଖିକୁ ବେଶି ସମୟ ଧରି ଚାହିଁପାରିବ ନାହିଁ । ତାଙ୍କ ଆଖି ଦୁଇଟାକୁ ଦେଖି ମନେ ହେବ, ସେ ଯେପରି ଲୋକର ଅନ୍ତରାତ୍ମା ଭେଦ କରି ସମଗ୍ର ସତ୍ତାକୁ ଆବିଷ୍କାର କରି ଯାଉଛନ୍ତି । ସଙ୍ଗେ ସଙ୍ଗେ ମୁଣ୍ଡ ନଇଁଯିବ । ସାମାନ୍ୟ କେତେପଦ କଥାରୁ ସେ ଜାଣିପାରିବ ସାଇବାବା ତାର ଅତୀତ, ବର୍ତ୍ତମାନ, ଭବିଷ୍ୟତ, ସବୁକିଛି ବିଷୟରେ ସ୍ପଷ୍ଟ ଭାବରେ ଜାଣିଛନ୍ତି । ଏହାପରେ ଖୁବ୍‍ ଭକ୍ତିଭାବରେ ତାଙ୍କୁ ପ୍ରଣାମ କରିବା ଛଡ଼ା ଲୋକର ମନକୁ ଆଉ କିଛି ଆସିବ ନାହିଁ । ମନରେ ସାହସ ଆସିବ, ବିଶ୍ଵାସ ଆସିବ ଏବଂ ମନେହେବ, ସାଇବାବା ତାକୁ ପ୍ରତ୍ୟେକ ମୁହୂର୍ତ୍ତରେ ଜୀବନର ସବୁ ଉତ୍‌ଥାନ ପତନ ଭିତରେ ହାତଧରି ବାଟ କଢ଼ାଇ ନେବେ । କେବଳ ତାଙ୍କର ଦିବ୍ୟ ଶକ୍ତି ସହ ଶିଷ୍ୟମାନଙ୍କ ପ୍ରତି ଅପରିସୀମ ସ୍ନେହ, ମମତା ସିର୍‌ଡ଼ିକୁ ଭକ୍ତମାନଙ୍କ ପାଇଁ ସ୍ଵର୍ଗପୁରରେ ପରିଣତ କରିଥିଲା । ଥରେ ସେଠାରେ ପହଞ୍ଚିଲା ପରେ ଆମ୍ଭମାନଙ୍କ ମନରେ ଏମିତି ଆଶ୍ୱାସନା ଆସୁଥିଲା ଯେ, ଆମର ମନେ ହେଉଥିଲା, ପୃଥିବୀର କୌଣସି ଶକ୍ତି ଆମର ଅନିଷ୍ଟ କରିପାରିବ ନାହିଁ । ମୁଁ ଯେତେବେଳେ ପାଇଁ ତାଙ୍କ ଆଗରେ ବସିଯାଏ, ମୋର ସବୁ ଦୁଃଖ କଷ୍ଟ କୁଆଡ଼େ ଉଭେଇ ଯାଏ । ଏପରି କି ମୁଁ ନିଜକୁ ବି ଭୁଲିଯାଏ । ମୋର ବିଶ୍ଵାସ, ମୋ ପରି ପ୍ରତ୍ୟେକ ଭାଇଙ୍କର ମଧ୍ୟ ଏ ଅନୁଭୂତି ଜାତ ହେଉଥିବ । ସେ ଆମ ପାଇଁ ଥିଲେ ସର୍ବଶକ୍ତିମାନ ପୁରୁଷୋତ୍ତମ ।”

 

ଗଲୱାଙ୍କର ନାମରେ ଆଉ ଜଣେ ଭକ୍ତ ସାଇବାବାଙ୍କ ଉପସ୍ଥିତର ସ୍ୱର୍ଗୀୟ ପ୍ରଭାବ କଥା କହନ୍ତି–“ମୁଁ ପ୍ରଥମେ ୧୯୧୦ରେ ସାଇବାବାଙ୍କ ପାଖକୁ ମୋ ଶ୍ଵଶୁର ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବଙ୍କ ସହ ଯାଇଥିଲି । ଆଗରୁ ବାବାଙ୍କ ମହିମା ଶୁଣିଥିଲି । ମାତ୍ର ତାଙ୍କ ପାଖରୁ କିଛି ପାର୍ଥିବ ବା ଅଧ୍ୟାତ୍ମିକ ଉପକାର ପାଇବା ପାଇଁ ଗୁରୁତ୍ଵର ସହ ଭାବୁ ନ ଥିଲି । ଏମିତି ମୁଁ ପ୍ରାୟ ୪ । ୫ ଥର ଗଲାପରେ କ୍ରମଶଃ ମୋର ଆଗ୍ରହ ବଢ଼ିବାରେ ଲାଗିଲା । ଥରେ ସେ ସ୍ଵପ୍ନରେ ମୋ ପାଖରେ ପହଞ୍ଚି ଦୁଇଟଙ୍କା ଦକ୍ଷିଣା ମାଗିଲେ । ନିଦ ଭାଜିଲା ପରେ ମୁଁ ଦୁଇଟଙ୍କା ସାଇବାବାଙ୍କ ପାଖକୁ ଡାକରେ ପଠାଇଦେଲି ।

 

ସେଇ ସ୍ଵପ୍ନରେ ସେ ମୋତେ ଦୁଇଟି ଅତି ମୂଲ୍ୟବାନ ଉପଦେଶ ଦେଇଥିଲେ–ସାଧୂତା ଓ ମନର ଦୃଢ଼ତା ରକ୍ଷାକର । ସେଇଦିନଠାରୁ ଏଇ ଦୁଇଟି କଥା ମୁଁ ଯଥାସମ୍ଭବ ଆଗ୍ରହରେ ମାନି ଚଳି ଆସିଛି । ଏହାପରେ ୧୯୧୭ରେ ମୁଁ ଯେତେବେଳେ ତାଙ୍କ ପାଖକୁ ଗଲି, ସେ ମୋ ମୁଣ୍ଡ ଉପରେ ତାଙ୍କ ହାତ ରଖିଲେ । ଫଳରେ ମୋର ସମସ୍ତ ବାହ୍ୟ ଚେତନା ଆସ୍ତେ ଆସ୍ତେ ଲୋପ ପାଇ ଆସିଲା ଏବଂ ମୁଁ ଗୋଟାଏ ପରମ ଆନନ୍ଦମୟ ରାଜ୍ୟରେ ପହଞ୍ଚିଲି । ପରେ ମୁଁ ଶୁଣିଲି, ମୋର ଏ ଅବସ୍ଥାରେ ବାବା ତାଙ୍କ ଶିଷ୍ୟମାନଙ୍କୁ କହୁଥିଲେ, ମୋର ଚରିତ୍ରର ଦୃଢ଼ତା ଏବଂ ପବିତ୍ରତା ଅକ୍ଷୁର୍ଣ୍ଣ ଅଛି । ତା’ପରେ ସେମାନଙ୍କୁ ବାବା ମୋର ସମସ୍ତ ପୂର୍ବଜନ୍ମ ବୃତ୍ତାନ୍ତ କହିଲେ ।

 

ମୋ’ ଠାରୁ ଯେଉଁ ଦୁଇଟା ଟଙ୍କା ସେ ମାଗିନେଲେ, ତାହା ମଧ୍ୟ ବାବାଙ୍କ ପ୍ରତୀକ–ବାଦ (Symbolism) । ସେ ସବୁବେଳେ ଭକ୍ତମାନଙ୍କ ଠାରୁ ଦୁଇଟା କଥା ଦାବି କରୁଥିଲେ–ପବିତ୍ରତା ଓ ଏକାଗ୍ରତା ବା ଐକାନ୍ତିକତା (Integrity) ।

 

ବେଳେ ବେଳେ ସାଇବାବା ଲୋକଙ୍କୁ ସ୍ଵପ୍ନରେ ଦେଖାଦେଇ ସେମାନଙ୍କୁ ପାଖକୁ ଟାଣି ଆଣୁଥିଲେ । ଯଦିଓ ଲୋକମାନେ ଭାବନ୍ତି ସେମାନଙ୍କର ନିଜ ଚେଷ୍ଟାରେ ବା ନିଜ ବିଚାରରେ କିମ୍ବା ଆକସ୍ମିକ ଭାବରେ ସେମାନେ ଗୁରୁଙ୍କ ପାଖରେ ଉପସ୍ଥିତ ହୋଇଗଲେ, ସବୁ ସମୟରେ ଗୁରୁହିଁ ନିଜର ଶିଷ୍ୟ ଖୋଜି ନିଅନ୍ତି । ସାଇବାବା ଏକଥା ଫିଟାଇ କହୁଥିଲେ–“ମୁଁ ବହୁବାଟରୁ ଅନେକ ଉପାୟରେ ମୋ ଶିଷ୍ୟମାନଙ୍କୁ ମୋ ପାଖକୁ ଟାଣିଆଣେ । ସେମାନେ ନିଜ ଇଚ୍ଛାରେ ମୋ ପାଖକୁ ଆସନ୍ତି ନାହିଁ । ହଜାର ହଜାର ମାଇଲ ଦୂରରେ ଥିଲେ ମଧ୍ୟ ଗୋଟାଏ ପକ୍ଷୀର ଗୋଡ଼ରେ ବନ୍ଧା ହୋଇଥିବା ସୂତାପରି ମୁଁ ସେମାନଙ୍କୁ ମୋ ନିକଟଙ୍କୁ ନେଇ ଆସେ ।” ଅନେକ ଲୋକ ତାଙ୍କ ଅଲୌକିକ କାର୍ଯ୍ୟକଳାପରେ ଆକୃଷ୍ଟ ହୋଇ କିଛି ପାର୍ଥିକ ଲାଭର ଆଶା ରଖି ତାଙ୍କ ପାଖକୁ ଯାଇଥାନ୍ତି । ସେମାନଙ୍କ ଭିତରୁ କେତେକଙ୍କର ପ୍ରକୃତରେ ବାବା ଯାହା ନେବାକୁ ଚାହାନ୍ତି, ସେ ଆଧ୍ୟାତ୍ମିକ ଉନ୍ନତତମ ଜୀବନ ପ୍ରତି ସ୍ପୃହା ଓ ଆଗ୍ରହ ଜନ୍ମେ । ବାବା କହନ୍ତି,–“ମୋ ଶିଷ୍ୟମାନେ ପ୍ରଥମେ ମୋ ପାଖକୁ ଆସନ୍ତି କିଛି ପଦାର୍ଥ ପାଇବା ପାଇଁ, ସେମାନେ ତାହା ପାଇଲା ପରେ ମୋତେ ଅନୁସରଣ କରନ୍ତି ।”

 

ଥରେ ବାବାଙ୍କୁ ଦର୍ଶନ କରିବା ପାଇଁ ଅନେକ ଲୋକ ଆସିଥିଲେ । ସେମାନଙ୍କୁ ଲକ୍ଷ୍ୟକରି ଜଣେ ଭକ୍ତ ବାବାଙ୍କୁ ପଚାରିଲେ–“ଏମାନେ କ’ଣ ସମସ୍ତେ ଏଠାକୁ ଆସି କିଛି ଲାଭ ପାଉଛନ୍ତି ?” ପାଖରେ ଗୋଟିଏ ଆମ୍ବ ଗଛରେ ଗୁଡ଼ାଏ କସି ଧରିଥିଲା । ବାବା ସେ ଗଛକୁ ଦେଖାଇ କହିଲେ,–“ଯଦି ପ୍ରତ୍ୟେକ ବଉଳ ଓ କସି ନ ଝଡ଼ି ପଚିପାରନ୍ତା, ତେବେ କହିଲୁ ଏ ଗଛରୁ କେତେ ପ୍ରଚୁର ଆମ୍ବ ମିଳନ୍ତା ? ମାତ୍ର ସେଥିରୁ ଅନେକ ଝଡ଼ିଯାଏ । ସାମାନ୍ୟ କେତୋଟି ମାତ୍ର ରହେ ।”

 

ଆର. ବି ପୁରନ୍ଦର ଏମିତି ଗୋଟିଏ ପରିପକ୍ଵ ଆମ୍ବ । ତାଙ୍କର ପ୍ରଥମଥର ସିର୍‌ଡ଼ି ଆସିବା ବିଷୟରେ ସେ କହନ୍ତି–“ମୁଁ ପ୍ରଥମେ ୧୯୦୯ରେ ସାଇବାବାଙ୍କ କଥା ଶୁଣି ତାଙ୍କୁ ଦେଖିବାକୁ ଗଲି । ମୁଁ ଗୋଟିଏ ଗରିବ ଲୋକ । ପିଲାଦିନୁ ମୋ ବାପା ମାଆ ମରିଯାଇଥିଲେ । ମାତ୍ର ମୁଁ କୌଣସି ପାର୍ଥିବ ଜିନିଷ ମାଗିବାକୁ ଯାଇ ନ ଥିଲି । ସାଧୁସନ୍ଥମାନଙ୍କ ସହ ମିଶିବା ପାଇଁ ମୋର ଖୁବ୍‌ ଆଗ୍ରହ ଥାଏ । ଆଉ ସାଇବାବା ଜଣେ ସିଦ୍ଧପୁରୁଷ ବୋଲି ଶୁଣି ତାଙ୍କ ପାଖକୁ ଯାଇଥିଲି । ସେ ମଧ୍ୟ ସ୍ଵପ୍ନରେ ମୋ ଆଗରେ ଉପସ୍ଥିତ ହୋଇ ସିର୍‌ଡ଼ିକୁ ଯିବାକୁ ମୋତେ ଡାକିଲେ-। ସେତେବେଳେ ମୋର ଛଅ ମାସର ଝିଅଟିର ଦେହ ଖୁବ୍‌ ଖରାପ ଥାଏ, ତେଣୁ ମୋ ମାଆ ଏ ସମୟରେ ତାକୁ ଛାଡ଼ି କୁଆଡ଼େ ଯିବାକୁ ମନା କଲା । ମାତ୍ର ମୁଁ ତ କୌଣସି ପ୍ରକାରେ ଯିବାକଥା; ଏଣୁ ମା’, ସ୍ତ୍ରୀ ଓ ଝିଅଟିକୁ ନେଇ ସିର୍‌ଡ଼ି ଗଲା । ସେଠାରେ ମୁଁ ୧୩ ଦିନ ରହିଲି; କାରଣ ତା’ ପୂର୍ବରୁ ଫେରିବାକୁ ସାଇବାବା ମୋତେ ଅନୁମତି ଦେଲେ ନାହିଁ । ମୁଁ ପହଞ୍ଚିବାର ତୃତୀୟ ଦିନରେ ଝିଅଟି ସୁସ୍ଥ ହୋଇଉଠିଲା । ମୁଁ ବାବାଙ୍କୁ କିଛି ମାଗି ନ ଥିଲି; ମାତ୍ର ସେ ମୋ ମାଆକୁ କହିଲେ, ମୋତେ ସେ ଗତ ସାତଶହ ବର୍ଷ ହେଲା ଜାଣିଛନ୍ତି । ମୁଁ ଯେତେ ଦୂରରେ ରହିଲେ ମଧ୍ୟ ସେ ମୋତେ ଭୁଲି ପାରିବେ ନାହିଁ ବା ମୁଁ ଉପାସରେ ରହିଲେ ମୁଠାଏ ବି ଭାତ ତାଙ୍କୁ ରୁଚିବ ନାହିଁ-। ବାବାଙ୍କ ଅନୁମତି ନେଇ ମୁଁ ନାସିକ ବାଟ ଦେଇ ଘରକୁ ଫେରିଲି । ଘରେ ପହଞ୍ଚିଲା ମାତ୍ରେ ହଠାତ୍‌ ମୋ ସ୍ତ୍ରୀ କଲେରା ରୋଗରେ ଆକ୍ରାନ୍ତ ହୋଇପଡ଼ିଲା । ଡାକ୍ତରମାନେ ସବୁ ଆଶା ଛାଡ଼ି ବସିଲେ-। ତାପରେ ମୁଁ ଦେଖିଲି ସାଇବାବା ମୋ ଘର ଆଗରେ ଥିବା ଦେଉଳ ପାଖରେ ଠିଆ ହୋଇ ମୁଁ ସାଥିରେ ଆଣିଥିବା ବିଭୂତି ସ୍ତ୍ରୀକୁ ଦେବାକୁ କହୁଛନ୍ତି । ମୁଁ ସଙ୍ଗେ ସଙ୍ଗେ ତାହାହିଁ କଲି । ଅଧଘଣ୍ଟାଏ ଭିତରେ ସେ ପ୍ରାୟ ଅଧାଅଧି ରୋଗମୁକ୍ତ ହୋଇଗଲା । ଅଳ୍ପଦିନ ଭିତରେ ସେ ସଂମ୍ପୂର୍ଣ୍ଣ ଭଲ ହୋଇଗଲା ।”

 

ଅବଶ୍ୟ ଅନେକ ଲୋକ ସିର୍‌ଡ଼ି ଆସନ୍ତି କେବଳ ଏ ବିଚିତ୍ର ସାଇବାବାଙ୍କୁ ଦେଖିବାକୁ; ମାତ୍ର ସେମାନଙ୍କ ମନରେ କୌଣସି ବିଶ୍ଵାସ ନଥାଏ । ଜଣେ ଆଙ୍ଗ୍ଳୋ–ଭାରତୀୟ ଷ୍ଟେସନମାଷ୍ଟର ଏମିତି ଆସିଥିଲେ । ସେ ସିର୍‌ଡ଼ିରେ ପହଞ୍ଚି ଦେଖିଲେ, ସାଇବାବା ମାଠିଆଗୁଡ଼ାଏ ସଫାକରି ତାକୁ ତଳକୁ ମୁହଁକରି ମାଟି ଉପରେ ରଖୁଛନ୍ତି । ସେ ବାବାଙ୍କୁ ଏହାର କାରଣ ପଚାରିଲେ । ସାଇବାବା ଉତ୍ତର ଦେଲେ, ‘‘ମୋ ପାଖକୁ ମାଠିଆଗୁଡ଼ାକ ସେମିତି ତଳକୁ ମୁହଁକୁ ପୋତି ଆସନ୍ତି ।”

 

ଆଉ ଜଣେ ଶିଷ୍ୟ ଦେଶପାଣ୍ଡେ ତାଙ୍କର ଜଣେ ଅବିଶ୍ଵାସୀ କକେଇଙ୍କ କଥା କହନ୍ତି । ସେ ସାଇବାବାଙ୍କୁ ବିଶ୍ୱାସ କରୁ ନଥିଲେ । ତଥାପି ତାଙ୍କ ପାଖକୁ ଅନେକଥର ଆସୁଥିଲେ, ମାତ୍ର ସାଇବାବା ତାଙ୍କୁ ଦେଖିଲାମାତ୍ରେ ଟେକା ପଥର ଫୋପାଡ଼ି ତଡ଼ି ଦେଉଥିଲେ । ସେ ବାବାଙ୍କ ମସଜିଦ୍‌ ପର୍ଯ୍ୟନ୍ତ ବି ଯାଇପାରନ୍ତି ନାହିଁ ।

 

ଥରେ ଜଣେ ବ୍ରାହ୍ମଣ ଡାକ୍ତର ସାଇବାବାଙ୍କ ପାଖକୁ ଯାଇଥିଲେ; ମାତ୍ର ସେ ଅନ୍ୟମାନଙ୍କୁ କହୁଥିଲେ, ସେ ଶ୍ରୀରାମଙ୍କ ଭକ୍ତ । ତେଣୁ ସାଇବାବାଙ୍କୁ ପ୍ରଣାମ କରିବେ ନାହିଁ । ଡାକ୍ତର ମସଜିଦ୍‌ ବାହାରେ ରହି ଦେଖିଲେ ସାଇବାବାଙ୍କୁ ହିନ୍ଦୁ ପଦ୍ଧତିରେ ପୂଜା କରାଯାଉଛି । କିଛି ସମୟ ଚାହିଁଲା ପରେ ସେ ହଠାତ୍‌ ଦୌଡ଼ିଯାଇ ବାବାଙ୍କ ପାଦତଳେ ଲମ୍ବ ହୋଇ ପଡ଼ିଗଲେ । ପରେ ପଚାରିବାରୁ ସେ କହିଲେ, ସାଇବାବାଙ୍କୁ ସେ ସ୍ଵୟଂ ଶ୍ରୀରାମଙ୍କ ରୂପରେ ଦେଖି ପାରିଥିଲେ-

 

ମାତ୍ର ଏ ଘଟଣାରେ ଡାକ୍ତର ଅବିଶ୍ଵାସୀ ନ ଥିଲେ । ତାଙ୍କର ବିଶ୍ଵାସ ଅଜ୍ଞତାବଶତଃ ଖୁବ୍‌ ସୀମାବଦ୍ଧ ଥିଲା ମାତ୍ର । ତେଣୁ ପ୍ରକୃତ ବାଟ ଭୁଲି ଯାଇଥିଲେ ଓ ତାଙ୍କୁ ଠିକ୍‌ ବାଟଟା ଦେଖାଇ ଦେଲେ ସାଇବାବା । ଏଇଟା ହେଲା ସାଇବାବାଙ୍କର ବିଶେଷତ୍ଵ । ଅନ୍ୟ କେହି ଗୁରୁ ହୁଏତ ଶିଷ୍ୟକୁ ବୁଝାଇବାକୁ ଚେଷ୍ଟା କରିଥାନ୍ତେ ଯେ, ସବୁ ଦେବତା ଓ ସବୁ ଗୁରୁ ପ୍ରକୃତରେ ଏକ ଏବଂ ସେମାନେ ସମସ୍ତେ ସେଇ ଗୋଟାଏ ଲକ୍ଷ୍ୟସ୍ଥଳରେ ହିଁ ପହଞ୍ଚିବାକୁ ଶିଷ୍ୟକୁ ବାଟ ଦେଖାନ୍ତି । ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ସାଇବାବା କଥା ଅପେକ୍ଷା ଉଦାହରଣ ବେଶି ପସନ୍ଦ କରୁଥିଲେ । ସେ କଥା କହି ଧର୍ମଶିକ୍ଷା ଦେଉ ନ ଥିଲେ । ଏମିତି ସାଙ୍କେତିକ ଉପାୟରେ ଶିଷ୍ୟକୁ ଆଗେଇ ନେଉଥିଲେ ଓ ଉନ୍ନତ ଦିଗ୍‌ଦର୍ଶନ ଦେଉଥିଲେ । ତେଣୁ ସେ ଡାକ୍ତରଙ୍କୁ କଥାରେ ନ କହି ଦେଖାଇ ଦେଲେ ଯେ, ଶ୍ରୀରାମ ଓ ତାଙ୍କ ଭିତରେ କିଛି ପ୍ରଭେଦ ନାହିଁ ।

 

ଏମିତି ଘଟଣା ଏଇ ଗୋଟିଏ ମାତ୍ର ନୁହେଁ । ଆଉ ଗୋଟାଏ ଉଦାହରଣ । ଥରେ ଜଣେ ସ୍ଵଜାତି–ଗର୍ବିତ ବ୍ରାହ୍ମଣ ନାସିକ୍‌ଠାରୁ ସିର୍‍ଡ଼ି ଆସିଥିଲେ । ବ୍ରାହ୍ମଣ ସେଠାରେ ପହଞ୍ଚିବା ପୂର୍ବରୁ ସାଇବାବା ହଠାତ୍‌ କେତେଜଣ ଭକ୍ତଙ୍କୁ ତାଙ୍କ ପିନ୍ଧାଲୁଗା ଗେରୁଆ କରିବାକୁ କିଛି ରଙ୍ଗ ଆଣିବାକୁ ନିର୍ଦ୍ଦେଶ ଦେଲେ । ସେ ସବୁବେଳେ ଧଳା ପୋଷାକ ପିନ୍ଧୁଥା’ନ୍ତି । ରଙ୍ଗ ଆସିଲା; ମାତ୍ର ସେ ପୋଷାକ ରଙ୍ଗରେ ବୁଡ଼ାଇଲେ ନାହିଁ । ବ୍ରାହ୍ମଣ ଆସି ଅପବିତ୍ର ହୋଇଯିବା ଭୟରେ ମିସ୍‌ଜିଦ୍‌ ବାହାରେ କିଛି ସମୟ ଠିଆ ହୋଇ ରହିଲେ । ମାତ୍ର ପରେ ହଠାତ୍‌ ଭିତରକୁ ଦୌଡ଼ିଯାଇ ସାଇବାବାଙ୍କୁ ପ୍ରମାଣ କଲେ । ପରେ ସେ କହିଲେ, ସାଇବାବା ତାଙ୍କୁ ତାଙ୍କର ଗେରୁଆ ବସ୍ତ୍ରାବୃତ ଗୁରୁଙ୍କ ପରି ଦେଖାଗଲେ ।

 

ଜଣେ ଲୋକ ଥରେ ତାଙ୍କ ଭକ୍ତ ହୋଇଗଲେ ସାଇବାବା ବରାବର ତା’ କଥା ବୁଝୁଥିଲେ । ସେ କହନ୍ତି, “ମୋର ଭକ୍ତ ଜଣେ ମରିଗଲେ ସେ ଯେତେ ଦୂରରେ ଥାଉ ପଛେ, ମୁଁ ତାକୁ ପାଖକୁ ନେଇଆସେ; ଠିକ୍‌ ଯେମିତି ଗୋଟାଏ ଚଢ଼େଇ ପାଦରେ ସୂତାଟିଏ ବନ୍ଧା ହୋଇଛି, ଆଉ ସେ ସୂତାର ଗୋଟାଏ ଖିଅ ମୋ ହାତରେ । କୌଣସି ଭକ୍ତଙ୍କୁ ମୁଁ ମୋଠାରୁ ଦୁରକୁ ଛାଡ଼ିଦିଏ ନାହିଁ ।” ମୋ’ଠାରୁ ଅର୍ଥ ? ସାଇବାବା ତାଙ୍କ ଭକ୍ତମାନଙ୍କୁ ‘ଅନେକ’ରୁ କ୍ରମଶଃ ‘ଏକ’ ଆଡ଼କୁ ଟାଣିନିଅନ୍ତି; ‘ବିଭେଦ’ରୁ ‘ଅଭେଦ’ ଦିଗରେ ଆକର୍ଷଣ କରନ୍ତି; ଏ ପାର୍ଥିବ ଜଗତରୁ ଅପାର୍ଥିବ ଜଗତ ବା ଆଧ୍ୟାତ୍ମିକ ଜଗତକୁ ଉଠାଇ ନିଅନ୍ତି ।

 

ସିର୍‍ଡ଼ିରେ ଉପସ୍ଥିତ ବା ସିର୍‍ଡ଼ିଠାରୁ ବହୁ ଦୂରରେ ଥିବା ଭକ୍ତମାନଙ୍କର ଅତୀତ ଓ ବର୍ତ୍ତମାନ, ସେମାନଙ୍କ ଚିନ୍ତାଧାରା, ସେମାନଙ୍କ କାର୍ଯ୍ୟାବଳୀ ବିଷୟରେ ସାଇବାବା ସମ୍ପୂର୍ଣ୍ଣ ଭାବରେ ସର୍ବଦା ଅବଗତ ଥିଲେ । ବାବା ଅନ୍ୟମାନଙ୍କ ଆଗରେ ବି ଏସବୁ କଥା ପ୍ରକାଶ କରୁଥିଲେ ।

 

ଘୋର ରକ୍ଷଣଶୀଳତାକୁ ବାବା କେମିତି ଉପହାସ କରୁଥିଲେ, ସେ ବିଷୟରେ ଗୋଟିଏ କଥା କହୁଛି । ଏସ୍‌. ବି. ନାଚନେ ବୋଲି ଜଣେ ଭକ୍ତ କହନ୍ତି–“ମୁଁ ୧୯୧୫ ମସିହାରେ ମୋ ଶାଶୁ ଓ ଆଉ କେତେଜଣଙ୍କ ସହିତ ସିର୍‌ଡ଼ି ଯାଇଥିଲି । ଆମେ ଯେଉଁଠି ରହିଲୁ, ସେଇ ଘରେ ଦାଦା କେଲ୍‌କାର୍‌ ବୋଲି ଜଣେ ଅତି ରକ୍ଷଣଶୀଳ, ଅତି ନୈଷ୍ଠିକ ବ୍ରାହ୍ମଣ ରହୁଥିଲେ । ମୋ’ ଶାଶୁ ରୋଷେଇ କରିବା ପାଇଁ ପିଆଜ କାଟିବାକୁ ଆରମ୍ଭ କଲେ । ମାତ୍ର ଦାଦା ପିଆଜ ତ ଖାଆନ୍ତି ନାହିଁ, ତାଙ୍କ ଘର ଭିତରେ ଆଉ ଜଣେ ପିଆଜ ଖାଇବ ଏକଥା ବି ସେ ସହିପାରିଲେ ନାହିଁ । ତେଣୁ ସେ ଶାଶୁଙ୍କୁ ଖୁବ୍‌ ପାଟିକରି ଶୋଧାଶୋଧି କଲେ । ମୋ’ ଶାଶୁଙ୍କୁ ଏ କଥାଟା ଭାରି ବାଧିଲା । କିଛି ସମୟ ପରେ ଦାଦାଙ୍କ ନାତୁଣୀ ଆଖିରେ ଖୁବ୍‌ ଯନ୍ତ୍ରଣା ଅନୁଭବ କଲା । ସେ ଏକଦମ୍‌ କାନ୍ଦି କାନ୍ଦି ତଳେ ଲୋଟିଗଲା । ଦାଦା ସାଇବାବାଙ୍କ ପାଖକୁ ଯାଇ ଏ କଥା କହିଲେ; ମାତ୍ର ସେ ପିଆଜ କଟା କଥା କିଛି କହିଲେ ନାହିଁ । ବାବା ଔଷଧ ବତାଇଲେ–“ପିଲାଟିର ଆଖିରେ ପିଆଜ ରସ ପକାଅ ।” ମୋ ଶାଶୁଙ୍କ ପାଖରୁ ପିଆଜ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ । ଦାଦା ଭାବିଥିଲେ, ସାଇବାବା ତାଙ୍କୁ ଧୂନିରୁ କିଛି ବିଭୂତି ଦେବେ । କାରଣ ବାବା ସମସ୍ତଙ୍କୁ ଏଇ ବିଭୂତି ହିଁ ଦେଇଥାନ୍ତି । ଗୋଟାଏ ଦେଖିବାର କଥା, ସାଇବାବାଙ୍କର ଏ ବିଚିତ୍ର ନିଦାନ ଯେ ପ୍ରକୃତରେ ଝିଅଟିର ଯନ୍ତ୍ରଣା ଉପଶମ କରିଦେବ, ଏଥିରେ କାହାରି ତିଳେମାତ୍ର ସନ୍ଦେହ ନ ଥିଲା ।

 

ଜଣେ ଭକ୍ତ ତାଙ୍କ ପାଖରେ ପହଞ୍ଚିଲେ, ବାବା ବେଳେ ବେଳେ କୌତୁକ କରନ୍ତି । ସେ ନିଜକୁ ସେ ଭକ୍ତ ବୋଲି ମନେକରି ତା’ ଜୀବନର ଗତ ଘଟଣା ବେଶ୍‌ ମଜାରେ ବର୍ଣ୍ଣନା କରନ୍ତି; ମାତ୍ର କେହି ଜାଣିପାରନ୍ତି ନାହିଁ ଯେ, ଗୋଟିଏ ନିର୍ଦ୍ଦିଷ୍ଟ ଭକ୍ତକୁ ଲକ୍ଷ୍ୟକରି ସେ ଏ କଥା କହୁଛନ୍ତି । ବେଳେ ବେଳେ ତାଙ୍କ କାହାଣୀ ବେଶ୍‌ ସତ୍ୟମୂଳକ, ବେଳେ ବେଳେ ସାଙ୍କେତିକ ।

 

ଜଣେ ମୁସଲମାନ ଭକ୍ତ ଆଦାମ୍‌ ଦଲାଲି ସମ୍ପର୍କରେ ଗୋଟାଏ ଘଟଣା ଶୁଣନ୍ତୁ । ଥରେ ଜଣେ ମାରଓ୍ୱାଡ଼ି ମହିଳା ଦଲାଲି ଘରକୁ ଯାଇ କିଛି ଖାଇବାକୁ ମାଗିଲେ । ଦଲାଲି ତାଙ୍କୁ ଗୋଟିଏ ମିଲ୍‌ ପାଇଁ ଚାରିଅଣାପଇସା ଦେଇ ଗୋଟିଏ ମାରୱାଡ଼ି ହୋଟେଲକୁ ପଠେଇ ଦେଲା । ଦଲାଲି ପରେ ଯେତେବେଳେ ସାଇବାବାଙ୍କ ପାଖକୁ ସିର୍‌ଡ଼ି ଗଲା, ସାଇବାବା ତାକୁ ଦେଖିଲା ମାତ୍ରେ କହିଲେ–“ଦେଖ, ଏଇ ଲୋକଟା ପାଖକୁ ମୁଁ ଖାଇବାକୁ ଯାଇଥିଲି ଯେ, ସେ ମୋତେ ଗୋଟାଏ ହୋଟେଲକୁ ପଠାଇଦେଲା ।”

 

ସାଇବାବାଙ୍କ ଅଲୌକିକ ଶକ୍ତିର ପ୍ରଭୂତ ପରିଚୟ ଆମେ ପାଉ ତାଙ୍କର ଲୋକଙ୍କୁ ରୋଗମୁକ୍ତ କରିବାର ଅସଂଖ୍ୟ ଘଟଣାରୁ । ପ୍ରଥମେ ପ୍ରଥମେ ସେ ଲୋକଙ୍କୁ ବିଭିନ୍ନ ଚେରମୂଳ ଦେଉଥିଲେ । ମାତ୍ର ପରେ ସେ ବିଭିନ୍ନ ପ୍ରକାର ଚେରମୂଳ ସଂଗ୍ରହ କରିବା ଛାଡ଼ି ସମସ୍ତଙ୍କୁ ଗୋଟିଏ ପ୍ରକାରର ଔଷଧ ଦେଲେ–ରୋଗ ଯାହାହେଉନା କାହିଁକି, କିଛିଦିନ ପାଇଁ ବାବା ଫିଟିକିରି ଚୂର୍ଣ୍ଣ ଔଷଧ ରୂପେ ବିତରଣ କରୁଥିଲେ । ମାତ୍ର ପରେ ସେ ଲୋକଙ୍କୁ ଧୂନିରୁ ବିଭୂତି ଦେଲେ । ସେ ଯାହାକୁ ଔଷଧ ଦେଉଥିଲେ, ତା’ର ଆରୋଗ୍ୟଲାଭ କରିବା ନିଶ୍ଚିତଥିଲା । ବାବା କେତେକ ରୋଗୀଙ୍କୁ କୌଣସି ବାହ୍ୟ ଚିକିତ୍ସା ନ କରି ମଧ୍ୟ ଆରୋଗ୍ୟ କରିଥାନ୍ତି । ରୋଗୀ ଅନେକ ଦୂରରେ ଥିଲେ ମଧ୍ୟ ସେ ଆରୋଗ୍ୟ ଲାଭ କରିଥାଏ ।

 

ସାଇବାବାଙ୍କର ଏ ଅଲୌକିକ ଡାକ୍ତରୀ କାମରେ ଗୋଟାଏ ବିବରଣୀ ପ୍ରସ୍ତୁତ କରିବା ଅସମ୍ଭବ ବ୍ୟପାର । ପ୍ରାୟ ପ୍ରତ୍ୟେକ ଭକ୍ତଙ୍କର କିଛି ନା କିଛି ବିଚିତ୍ର ଅନୁଭୂତି ରହିଛି । ସିର୍‌ଡ଼ିରେ ତ ଅନେକ ଲୋକ ଆରୋଗ୍ୟ ଲାଭ କରୁଥିଲେ, ଯାହା ଅନ୍ୟ ଭକ୍ତମାନେ ସ୍ଵଚକ୍ଷୁରେ ଦେଖିଚନ୍ତି; ତା ଛଡ଼ା ସିର୍‌ଡ଼ିରୁ ବହୁଦୂରରେ କେବଳ ପ୍ରାର୍ଥନାଦ୍ଵାରା ମଧ୍ୟ ଅସଂଖ୍ୟ ରୋଗୀ ରୋଗମୁକ୍ତ ହେଉଥିଲେ । ଏଠାରେ କେତୋଟି ଘଟଣାର ବିବରଣୀ ଦେବା । ଏଥିରୁ ସାଇବାବାଙ୍କ ଅଲୌକିକ ଶକ୍ତି ବିଷୟରେ ଗୋଟାଏ ସାଧାରଣ ଧାରଣା କରିହେବ ।

 

ଜୋସେଫ୍‌ ନାମରେ ଜଣେ ରୋମାନ୍‌ କାଥଲିକ୍‌ ପୋଲିସ କର୍ମଚାରୀ–“ମୁଁ କେବେ ସର୍‌ଡ଼ିକୁ ଯାଇନାହିଁ । ମାତ୍ର ତାଙ୍କ ବିଷୟରେ ବନ୍ଧୁମାନଙ୍କଠାରୁ ଶୁଣି ବାବାଙ୍କର ଗୋଟିଏ ଫଟୋ ମୋ ପାଖରେ ରଖିଛି । ମୁଁ ତାଙ୍କ ଚିତ୍ରପଟକୁ ପୂଜାକରେ ନାହିଁ; ମାତ୍ର ତାଙ୍କୁ ଜଣେ ସିଦ୍ଧପୁରୁଷ ବୋଲି ସମ୍ମାନ କରେ । ମୋର ଗୁରୁ ହେଲେ ସେଣ୍ଟ୍‌ ଫ୍ରାନ୍‌ସିସ ଜାଭିଅର୍‌ (St. Francis Xavier) । କିନ୍ତୁ ମୁଁ ସାଇବାବାଙ୍କୁ ବି ପ୍ରାର୍ଥନା କରେ ଓ ସେ ମୋ ପ୍ରାର୍ଥନା ଶୁଣନ୍ତି । ଥରେ ନର୍‌ଭେକାର (ଜୋସେଫ୍‌ଙ୍କ ଜଣେ ବନ୍ଧୁ) ଖୁବ୍‌ ଜ୍ଵରରେ ପଡ଼ିଗଲେ । ତାଙ୍କ ପୁଅ ୫୦୦ ଟଙ୍କା ନେଇ ସାଇବାବାଙ୍କୁ ଦେଲା । ବାବା ସେ ଟଙ୍କା ନେବା ସଙ୍ଗେ ସଙ୍ଗେ ଜ୍ଵରରେ ଥରିବାକୁ ଲାଗିଲେ-। ଏହାର କାରଣ ବୁଝାଇବାକୁ ଯାଇ ସେ କହିଲେ, ଆମେ ଅନ୍ୟପାଇଁ ଗୋଟିଏ କିଛି କାମ କରିବାକୁ ଗଲେ ତା’ର ସବୁ ଭାର ଓ ଦାୟିତ୍ଵ ନିଜେ ବହନ କରିବା ଉଚିତ୍‌ ।’’ ଏହାପରେ ନର୍‌ଭୋକାର ଶୀଘ୍ର ଆରୋଗ୍ୟଲାଭ କଲେ ।

 

ଏ ଘଟଣାରେ ବାବା ଟଙ୍କା ଗ୍ରହଣ କରିବା ତାଙ୍କର ଅନ୍ୟ ଏକ ବିଶେଷତ୍ଵ । ସାଧାରଣତଃ ଯେଉଁମାନେ ଏମିତି ଆଧ୍ୟାତ୍ମିକ ଉପାୟରେ ରୋଗ ଭଲ କରନ୍ତି, ସେମାନେ କୌଣସି ପ୍ରତିଦାନ ଗ୍ରହଣ କରନ୍ତି ନାହିଁ । ବେଳେ ବେଳେ ଯଦି ସେମାନେ କିଛି ଗ୍ରହଣ କରନ୍ତି, ସେ ଶକ୍ତି ସେମାନଙ୍କୁ ଛାଡ଼ି ଚାଲିଯାଏ । ପ୍ରକୃତରେ ସାଇବାବାଙ୍କ କ୍ଷେତ୍ରରେ ଗୋଟାଏ କିଛି ‘ପ୍ରତିଦାନ’ର ପ୍ରଶ୍ନ ଉଠୁ ନ ଥିଲା । କାରଣ ସେ ନିଜ ପାଇଁ କିଛି ରଖୁ ନ ଥିଲେ । ତଥାପି ତାଙ୍କର ଟଙ୍କା ପଇସା ପ୍ରତି ଆଚରଣ ଅଦ୍‌ଭୂତ ଓ ସେ କଥା ଅନ୍ୟ ଏକ ଅଧ୍ୟୟରେ ଆଲୋଚନା କରିବା । ଦେଶପାଣ୍ଡେ, ଯାହାଙ୍କ କଥା ଆମେ ପୂର୍ବରୁ ଶୁଣିଛେ, ତାଙ୍କର ଜଣେ ଅନ୍ଧ ଅଜା ଥିଲେ । ୧୯୧୬ରେ ସେ ତାଙ୍କୁ ସିର୍‌ଡ଼ି ନେଇ ହାତ ଧରି ବାବାଙ୍କ ପାଖରେ ପହଞ୍ଚାଇଲେ । ବୃଦ୍ଧ ବାବାଙ୍କୁ ମୁଣ୍ଡିଆ ମାରି କହିଲେ, “ବାବା ମୁଁ କିଛି ଦେଖିପାରୁ ନାହିଁ ।” ବାବା ଉତ୍ତର ଦେଲେ ,“ମତେ ଚାରି ଟଙ୍କା ଦିଅ, ତୁମେ ସବୁ ଦେଖି ପାରିବ ।” ଦେଶପାଣ୍ଡେ ଦଶଟଙ୍କା ଭଙ୍ଗାଇ ଆଣି ବାବାଙ୍କୁ ଚାରିଟଙ୍କା ଦେଲେ, ବାବା ବୃଦ୍ଧଙ୍କ ମୁଣ୍ଡରେ ହାତ ରଖିଲେ । ସଙ୍ଗେ ସଙ୍ଗେ ନିଜର ଦୃଷ୍ଟିଶକ୍ତି ଫେରିପାଇ ବୃଦ୍ଧ ଆନନ୍ଦରେ କାନ୍ଦି ପକାଇଲେ । ବାବା ତାଙ୍କୁ କିଛି ବିଭୂତି ନେଇ ଘରକୁ ଫେରିଯିବାକୁ କହିଲେ ।

 

ଆଉ ଗୋଟାଏ ଘଟଣା । ଗୋଟାଏ ଅନ୍ଧ ବୁଢ଼ୀ ଥରେ ବାବାଙ୍କ ପାଖକୁ ଆସି କହିଲା, “ବାବା ଏଇ ଆଖି ଦୁଇଟାରେ ମୁଁ ତମକୁ ଦେଖିବାକୁ ଚାହେଁ ।” ବୁଢ଼ୀର ଦୃଷ୍ଟିଶକ୍ତି ଫେରି ଆସିଲା । ମାତ୍ର ବାବାଙ୍କଠାରୁ ଚାଲିଗଲା ପରେ ପରେ ବୁଢ଼ୀଟି ପୁଣି ଅନ୍ଧ ହୋଇଗଲା । ସେ ଯାହା ଚାହିଁଥିଲା, ବାବା ତାହାହିଁ କେବଳ ତାକୁ ଦେଲେ ।

 

୧୯୧୩ରେ ବି. ୟୁ ବାହାଲ୍‍କର୍‍ ନାମକ ଜଣେ ଭକ୍ତଙ୍କର ସାନ ପୁଅ ଖୁବ୍‌ ଜ୍ଵରରେ ପଡ଼ିଲା । ପାଞ୍ଚ ଛଅଦିନ ପର୍ଯ୍ୟନ୍ତ ତା’ ଦେହରୁ ଜ୍ଵର ଖସିଲା ନାହିଁ । ଦିନେ ରାତିରେ ନିଶ୍ୱାସ ପ୍ରଶ୍ଵାସ ବନ୍ଦ ହୋଇ ଆସିଲା । ଡାକ୍ତରମାନେ ସବୁ ଆଶା ଛାଡ଼ି ବସିଲେ । ବାହାଲ୍‌କର୍‌ ଶେଷରେ ସାଇବାବାଙ୍କୁ ପ୍ରାର୍ଥନା କଲେ । ପ୍ରାୟ ରାତି ଦୁଇଟାରେ ବାବା ନିଜେ ବାହାଲ୍‌କର୍‌ ଘରେ ଯାଇ ପହଞ୍ଚି ପିଲାଟା ପାଖକୁ ଗଲେ । ତା’ ମୁଣ୍ଡରେ କିଛି ବିଭୂତି ବୋଳି ଦେଇ କହିଲେ, ‘ଆଉ ଚିନ୍ତା କରନା । ଦୁଇ ଘଣ୍ଟା ଭିତରେ ପିଲାଟା ସ୍ଵାଭାବିକ ଭାବରେ ନିଶ୍ଵାସ ନେବ ଓ ସକାଳକୁ ତା’ର ଅବସ୍ଥାର ଉନ୍ନତି ଘଟିବ । ସେ ସଂପୂର୍ଣ୍ଣ ସୁସ୍ଥ ହୋଇଗଲା ପରେ ମୋ ପାଖକୁ ଆଣିବୁ । ସେ ଯାହା କହିଲେ, ଠିକ୍‌ ତାହା ହିଁ ହେଲା ।

 

ଏ ଘଟଣା ମାର୍ଚ୍ଚ ୩ ତାରିଖରେ ଧୂଲିଆରେ ବାହାଲ୍‌କର୍‌ ଘରେ ଘଟିଥିଲା । ଦୁଇଦିନ ପରେ ସେ ଦେଶପାଣ୍ଡେଙ୍କଠାରୁ ଗୋଟାଏ ଚିଠି ପାଇଲେ । ଦେଶପାଣ୍ଡେ ସେତେବେଳେ ସିର୍‌ଡ଼ି ଠାରେ ରହୁଥିଲେ । ସାଇବାବା ତାଙ୍କୁ କହିଲେ, ‘‘ମୁଁ ଧୂଳିଆରେ ରହୁଥିବା ତୋର ବନ୍ଧୁ ବାହାଲ୍‌କର୍‌ ଘରକୁ ଯାଇଥିଲି । ତା ପାଖକୁ ମୁଁ ପ୍ରତିଦିନ ଯାଏ । ତୁ ତା’ ପାଖକୁ ଚିଠି ଲେଖିପାରୁ । ’’

 

ଆଉଥରେ ସାଇବାବା ତାଙ୍କର ଜଣେ ଭକ୍ତ ମହାଲ ଶପଥିଙ୍କୁ କହିଲେ, ‘‘ଦେଖ୍‌, ତୋ ସ୍ତ୍ରୀର ବେକରେ ଗୋଟିଏ ଟ୍ୟୁମର ଅଛି । ସେଇଟା ତାକୁ ଭାରି କଷ୍ଟ ଦେଉଛି । ମୁଁ ତାକୁ ଭଲ କରିଦେବି । ମାତ୍ର ମୋ ଛଡ଼ା ଅନ୍ୟ କେହି ଏହା ପାରିବେ ନାହିଁ ।” ସେତେବେଳେ ମହାଲ୍‍ ଶପଥିଙ୍କ ସ୍ତ୍ରୀ ସିର୍‌ଡ଼ିରେ ନ ଥିଲେ ବା ମହାଲ୍‌ ଶପଥି ନିଜେ ସ୍ତ୍ରୀଙ୍କ ଟ୍ୟୁମର୍‌ ବିଷୟରେ କିଛି ଜାଣି ନ ଥିଲେ । ମାତ୍ର ପରେ ସେ ଗୋଟିଏ ଚିଠି ପାଇଲେ ଯେ ଟ୍ୟୁମର୍‌ଟି ଅତି ଅଦ୍ଭୁତ ଭାବରେ ଉଭେଇ ଯାଇଛି ।

 

ଏସ. ପ୍ରଧାନ ନାମରେ ଜଣେ ବିଚାରପତି ତାଙ୍କ ସାନ ପୁଅ ବାବୁ କିମିତି ଅସୁସ୍ଥ ହୋଇପଡ଼ିଲା, ସେ ବିଷୟରେ ଗୋଟାଏ ଘଟଣା କହନ୍ତି । ତାଙ୍କ ପରିବାରର ଜଣେ ତେଲୁଗୁ ପୁରୋହିତ ଥିଲେ । ଦତ୍ତାତ୍ରେୟ ସେମାନଙ୍କ ପରିବାରର ଇଷ୍ଟଦେବତା ଓ ଭକ୍ତ ପୁରୋହିତ ମାଧବ ଭଟ୍ଟ ତାଙ୍କୁ ପୂଜାପୂଜି କରନ୍ତି । ମାଧବ ଭଟ୍ଟ ଏଇ ପରିବାର ସହ ଅନେକ ଦିନରୁ ପରିଚିତ ଥିଲେ ଓ ଏ ପରିବାରର ପୁରୋହିତ ଥିଲେ; ମାତ୍ର ସେ ସାଇବାବାଙ୍କ ଭକ୍ତ ନ ଥିଲେ । ବରଂ ପିଲାଟି ଯେତେବେଳେ ଜ୍ଵରାକ୍ରାନ୍ତ ହୋଇପଡ଼ିଲା ସେ ବିଶ୍ଵାସ କଲେ ଯେ, ଏହା ମୁସଲମାନ ସାଇବାବାଙ୍କୁ ଆରାଧନା କରିବାର ଦଣ୍ଡ–ତେଣୁ ମାଧବ ଭଟ୍ଟ ପିଲାଟିର ବାପାମାଆଙ୍କୁ ନିର୍ଦ୍ଦେଶ ଦେଲେ ସେମାନେ ଦତ୍ତାତ୍ରେୟଙ୍କ ପାଖରେ କ୍ଷମାଭିକ୍ଷା କରି ବାବୁକୁ ଆରୋଗ୍ୟ କରିବାକୁ ପ୍ରାର୍ଥନା କରନ୍ତୁ । ମାତ୍ର ସେମାନେ ମାଧବ ଭଟ୍ଟଙ୍କୁ କହିଲେ, ସାଇବାବା ହିଁ ନିଜେ ଦତ୍ତାତ୍ରେୟ । ଏଥିରେ ମାଧବ ଭଟ୍ଟ ବିଶ୍ଵାସ କରିବାକୁ ପ୍ରସ୍ତୁତ ନ ଥିଲେ । ଦିନେ ରାତିରେ ସେ ସ୍ଵପ୍ନ ଦେଖିଲେ, ସାଇବାବା ଉପର ମହଲାକୁ ଯିବାପାଇଁ ଥିବା ସିଡ଼ିରେ ବସି ରହିଛନ୍ତି । ସେଇ କୋଠରୀରେ ପିଲାଟି ଶୋଇଥାଏ । ହାତରେ ତାଙ୍କର ଖଣ୍ଡିଏ ସାନ ବାଡ଼ି । ବାବା ସ୍ଵପ୍ନରେ ତାଙ୍କୁ କହିଲେ, “ତୁ କ’ଣ ବୁଝିପାରୁନୁ ଯେ ଏ ଘରର ଇଷ୍ଟଦେବତା ମୁଁ ?” ମାତ୍ର ଭଟ୍ଟ ଏ ସ୍ୱପ୍ନ କଥା କାହାକୁ କହିଲେ ନାହିଁ । ପିଲାଟିର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା । ଶେଷରେ ମାଧବ ଭଟ୍ଟ ଆଉ ସମ୍ଭାଳି ନ ପାରି ସାଇବାବାଙ୍କ ଫଟୋ ପାଖକୁ ଦୌଡ଼ିଯାଇ କହିଲେ, “ଯଦି ଆଜି ଓପରଓଳି ଚାରିଟା ସୁଦ୍ଧା ବାରୁର ଦେହ ଭଲ ହୋଇଯାଏ, ଆଉ କୋଠା ଉପରୁ ତାକୁ ତଳକୁ ଆଣିବା ସମ୍ଭବ ହୁଏ, ତେବେ ମୁଁ ମାନିବି ଯେ ତୁମେ ଦତ୍ତାତ୍ରେୟ ।”

 

ସତକୁ ସତ ପିଲାଟିର ଜ୍ଵର ଖସି ଆସିଲା । ଚାରିଟା ବେଳକୁ ସେ ନିଜେ ମାଆକୁ କହିଲା, ସେ ତଳକୁ ଯାଇ ଟିକେ ଖେଳିବ ।

 

ଆଉ ଗୋଟାଏ ଘଟଣା–ଏଥର ବାବା କେବଳ ଯେ ରୋଗ ଭଲ କଲେ ତାହା ନୁହେଁ, ଆଗରୁ ସେଥିପାଇଁ ସାବଧାନ ବି କରି ଦେଇଥିଲେ !

 

ନିମୋନ୍‌କର ବୋଲି ଜଣେ ପୋଲିସ ଇନସ୍‌ପେକ୍ଟର ପୁନାରୁ ନିମୋନ ଫେରୁଥିଲେ । ସେଠାରେ ତାଙ୍କ ଭାଉଜଙ୍କର ନିକଟରେ ଗୋଟିଏ ସନ୍ତାନ ହୋଇଥାଏ । ଫେରିବା ବେଳେ ନିମୋନ୍‌କର ସିର୍‌ଡ଼ି ଯାଇ ବାବାଙ୍କୁ ଦେଖାକଲେ । ବିଦାୟ ନେଲାବେଳେ ବାବା ତାଙ୍କୁ କିଛି ବିଭୂତି ଦେଇ କହିଲେ, “ଯାଆ–ପିଲାଟିର ଜୀବନ ରକ୍ଷା କରିବା ଦରକାର ।” ସେ ଘରେ ପହଞ୍ଚି ଦେଖିଲେ ପିଲାଟି ମୃତପ୍ରାୟ । ନିଶ୍ଵାସ ପ୍ରଶ୍ଵାସ ପ୍ରାୟ ବନ୍ଦ ହୋଇଯାଇଛି । ବାବା ମାଆ ହତାଶ ହୋଇ ବସିଥାନ୍ତି । ନିମୋନ୍‌କର ବାବା ଦେଇଥିବା ବିଭୂତି ପୁଡ଼ାଟି ଖୋଜିଲେ, ମାତ୍ର ପାଇଲେ ନାହିଁ । ସଙ୍ଗେ ସଙ୍ଗେ ପିଲାଟିକୁ କୋଳକୁ ନେଇ ସେ ସାଇବାବାଙ୍କୁ ପ୍ରାର୍ଥନା କଲେ । ପନ୍ଦର ମିନିଟ୍‌ ଭିତରେ ପିଲାଟିର ନିଶ୍ଵାସ ପ୍ରଶ୍ଵାସ ଚାଲିଲା ଏବଂ ସବୁ ବିପଦ କଟିଗଲା । ତା’ପରେ ପିଲାଟା ଭଲ ହୋଇଗଲା ।

 

ସାଇବାବା ଅନେକ ନିଃସନ୍ତାନ ଲୋକଙ୍କୁ ସନ୍ତାନ ଦେଇଛନ୍ତି; କିନ୍ତୁ ଅନ୍ୟ ସବୁ କାର୍ଯ୍ୟ ପରି ଏହା ମଧ୍ୟ ସାଙ୍କେତିକ । ବେଳେ ବେଳେ ସେ ସନ୍ତାନଲାଭ କରିବାର ସାଙ୍କେତିକ ଚିହ୍ନ ରୂପେ ଗୋଟାଏ ନଡ଼ିଆ ବା ଅନ୍ୟ କିଛି ଫଳ ଦେଇଥାନ୍ତି । ଥରେ ସେ ଗୋଟାଏ ନଡ଼ିଆ ହାତରେ ଚିପି ଭାଙ୍ଗି ଦେଇଥିଲେ ।

 

ଡି. ଏସ. ରାସନେ ବୋଲି ଜଣେ ଭଦ୍ରବ୍ୟକ୍ତି ନିଃସନ୍ତାନ ଥିବାରୁ ଦ୍ଵିତୀୟଥର ବିବାହ କଲେ । ମାତ୍ର ଏଥର ମଧ୍ୟ ତାଙ୍କର କୌଣସି ସନ୍ତାନସନ୍ତତି ହେଲା ନାହିଁ । ପିଣ୍ଡ ଦେବାକୁ ହିନ୍ଦୁ ପରିବାରରେ ଗୋଟିଏ ସନ୍ତାନ ନିତାନ୍ତ ଆବଶ୍ୟକ । ଏଣୁ ପ୍ରଥମ ବିବାହ ଫଳପ୍ରଦ ନ ହେଲେ ଦ୍ଵିତୀୟଥର ବିବାହ ପାଇଁ ହିନ୍ଦୁ ସମାଜ ଅନୁମତି ଦିଏ । ଅବଶ୍ୟ ଏଥିପାଇଁ ପ୍ରଥମ ସ୍ତ୍ରୀର ସମ୍ମତି ନେବାକୁ ହୁଏ ।

 

ଦିନେ ରାସ୍‌ନେ ସିର୍‌ଡ଼ିରେ ପହଞ୍ଚି ବାବାଙ୍କ ଦର୍ଶନ ପାଇଁ ଗଲେ । ବାବା ତାଙ୍କୁ ଚାରିଟା ଆମ୍ବ ବଢ଼େଇଦେଲେ ଏବଂ ତାଙ୍କର ଡାକନାମ ଧରି କହିଲେ–‘ଦାମିଆ, ଏଇ ଆମ୍ବତକ ନେ, ଆଉ ଏହାକୁ ଖାଇ ମୃତ୍ୟୁଲାଭ କର ।’ ସାଇବାବା ସବୁବେଳେ ସାଙ୍କେତିକ–ଏଥର ମଧ୍ୟ । ରାସ୍‌ନେ ବିଲକୁଲ ସ୍ତମ୍ଭୀଭୂତ । ପରେ ତାଙ୍କୁ ଅନ୍ୟମାନେ ବୁଝାଇ ଦେଲେ, ଗୋଟିଏ ସନ୍ତାନଲାଭ କରିବା ଅର୍ଥ ମୃତ୍ୟୁଲାଭ କରି ପୁର୍ନଜନ୍ମ ଗ୍ରହଣକରିବା । ସଂସାରର ଜୀବନଧାରା ଭିତରେ ଆତ୍ମବିସର୍ଜ୍ଜନ କରିବା ହିଁ ମୃତ୍ୟୁ । ସଂସାରଠାରୁ ଦୂରରେ ନିର୍ବିକାର ରହିବା ହିଁ ପ୍ରକୃତରେ ଜୀବନ । ବାବା ପୁଣି କହିଲେ–‘ତୁ ଏହାକୁ ନିଜେ ଖାଇବୁ ନାହିଁ । ତୋ ସ୍ତ୍ରୀକୁ ଦେବୁ । ’

 

–କେଉଁ ସ୍ତ୍ରୀକୁ ଦେବି ?–ରାସ୍‍ନେ ପଚାରିଲେ ।

 

ଦ୍ଵିତୀୟ ସ୍ତ୍ରୀକୁ । ବାବା ଉତ୍ତର ଦେଲେ–“ସେ ୟାକୁ ଖାଇଲା ପରେ ତୋର ଦୁଇଟା ପୁଅ ହେବ । ପ୍ରଥମଟିର ନାମ ଦେବୁ ଦୌଲ୍‌ତଶାହ, ଆଉ ଦ୍ଵିତୀୟର ନାମ ଥାନ୍‌ଶାହ ।”

 

ପରେ ସାଇବାବା ତାଙ୍କୁ କହିଲେ, ସେ ମୋଟରେ ଆଠଟି ସନ୍ତାନ ଲାଭ କରିବ । କହିବା ବାହୁଲ୍ୟ, ଏକଥା ମଧ୍ୟ ସତ ହୋଇଥିଲା । ପ୍ରଥମ ପୁତ୍ର ହେବା ପରେ ରାସ୍‌ନେ ବାବାଙ୍କ ପାଖକୁ ଆସି କି ନାମ ଦେବା ବୋଲି ପଚାରିଲେ । ଏହା ଭିତରେ ଅବଶ୍ୟ ଅନେକ ଦିନ ବିତି ଯାଇଥିଲା । ମାତ୍ର ସାଇବାବା ସଙ୍ଗେ ସଙ୍ଗେ କହିଲେ, ‘ମୁଁ ଯାହା କହିଥିଲି, କ’ଣ ଭୁଲିଗଲୁଣି ? ତୁ ପରା ତୋ ନୋଟ୍‌ବହିର ତୃତୀୟ ପୃଷ୍ଠାରେ ତାକୁ ଲେଖିଅଛୁ । ମୁଁ କହି ନ ଥିଲି ୟାର ନାମ ଦୌଲତ୍‌ଶାହ ଦେବାକୁ ?

 

ଜଣେ ଆଧ୍ୟାତ୍ମିକ ଗୁରୁଙ୍କର ଅସୀମ ଧୈର୍ଯ୍ୟ ଥାଏ । ସାଇବାବାଙ୍କର ମଧ୍ୟ ଧୈର୍ଯ୍ୟ ଅପରିସୀମ ଥିଲା । ଶିଷ୍ୟ ପ୍ରସ୍ତୁତ ହୋଇ ନ ଥିବା ଅବସ୍ଥାରେ ତାକୁ ଏ ବାଟକୁ ଆଣିବା ମୂଲ୍ୟହୀନ-। ତେଣୁ ସେ ଦୀର୍ଘସମୟ ଧରି ଅପେକ୍ଷା କରି ରହୁଥିଲେ ଶିଷ୍ୟର ମାନସିକ ଅବସ୍ଥାର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ।

 

ସପତ୍‌ନେକର୍‌ ପ୍ରଥମେ ଆଇନଛାତ୍ର ଥିଲାବେଳେ ସାଇବାବାଙ୍କ କଥା ଶୁଣିଲେ । ସେ ସାଧାରଣତଃ ଭଲ ପଢ଼ୁଥିଲେ ଓ ପାସ କରିବା ବିଷୟରେ ତାଙ୍କର କୌଣସି ସନ୍ଦେହ ନ ଥିଲା । ତାଙ୍କର ଜଣେ ସହପାଠୀ ପଢ଼ାପଢ଼ିରେ ନିହାତି ଦୁର୍ବଳ ଥିଲା । ଥରେ ସପତ୍‌ନେକର୍‌ ତା’ର ପରୀକ୍ଷା ପାଇଁ ପ୍ରସ୍ତୁତି ବିଷୟରେ ପଚାରିଲେ । ସେ ବନ୍ଧୁଟି ଯଥେଷ୍ଟ ଆତ୍ମବିଶ୍ଵାସ ସହ କହିଲା, ସେ ନିଶ୍ଚୟ ପାସ୍‌ କରିବ, କାରଣ ସାଇବାବା ତାକୁ କଥା ଦେଇଛନ୍ତି । ସପତ୍‌ନେକର୍‌ ତାକୁ ଓ ସାଇବାବାଙ୍କୁ ପରିହାସ କରି କହିଲେ–‘ତୁ ଫେଲ ହେବୁ । ପରୀକ୍ଷାଫଳ ବାହାରିଲା ପରେ ଦେଖାଗଲା, ସତକୁ ସତ ସେ ବନ୍ଧୁଟି ପାସ୍‌ କରିଯାଇଛି । ମାତ୍ର ସପତ୍‌ନେକର୍‌ ଏତିକିରେ ବିଶ୍ୱାସ କଲେ ନାହିଁ–ଭାବିଲେ କେମିତି ଆକସ୍ମିକ ଭାବରେ ଭାଗ୍ୟବଳରେ ଲୋକଟି ଖସିଗଲା । ତା’ପରେ ସେ ବିବାହ କରି ଗୋଟିଏ ପୁତ୍ରଲାଭ କଲେ ଏବଂ ଓକିଲ ଭାବରେ ଜୀବିକା ନିର୍ବାହ କରିବାକୁ ଲାଗିଲେ ।

 

ଦଶବର୍ଷ ପରେ ତାଙ୍କର ପୁଅଟି ମରିଗଲା । ତାଙ୍କର ଆଉ ପୁଅଝିଅ କିଛି ନ ଥିଲେ । ସେତିକିବେଳେ ଦଶବର୍ଷ ତଳେ ସାଇବାବାଙ୍କୁ ଯେମିତି ଥଟ୍ଟା କରିଥିଲେ ସେ କଥା ମନେପଡ଼ିଲା । ମନକୁ ପାପ ଛୁଇଁଲା–ବୋଧହୁଏ ସାଇବାବାଙ୍କୁ ଏମିତି ପରିହାସ କରିବାରୁ ତାଙ୍କର ଆଜି ଏ ଦଶା-। ସାଇବାବାଙ୍କ ପାଖକୁ ଯାଇ ସେ କ୍ଷମାଭିକ୍ଷା କରିବାକୁ ଠିକ୍‌ କଲେ । ବାବା ତାଙ୍କୁ ଦେଖି ପାଟିକଲେ ଏବଂ ପାଖରୁ ତଡ଼ିଦେଲେ । ସପତ୍‌ନେକର ଆଉ ଥରେ ଗଲେ; ମାତ୍ର ଏଥର ମଧ୍ୟ ସେଇ ଦଶା । ସାଇବାବା ତାଙ୍କୁ ପାଖରେ ପୁରାଇଦେଲେ ନାହିଁ ।

 

ପ୍ରାୟ ବର୍ଷକ ପରେ ସାଇବାବା ତାଙ୍କ ସ୍ତ୍ରୀଙ୍କୁ ସ୍ୱପ୍ନରେ ଦେଖା ଦେଇ ଦୁହେଁଯାକ ସିର୍‍ଡ଼ି ଆସିବାକୁ ନିର୍ଦ୍ଦେଶ ଦେଲେ । ଏଥର ବାବା ସେମାନଙ୍କୁ ବେଶ ଆଦରରେ ଗ୍ରହଣ କଲେ । ସପତ୍‌ନେକର୍‌ ପୂର୍ବ ଅପରାଧ ଲାଗି କ୍ଷମାପ୍ରାର୍ଥନା କଲେ । ତା’ପରେ ବାବା ପାଖରେ ଥିବା ଆଉ ଜଣେ ଲୋକକୁ ନିଜକୁ ସପତ୍‌ନେକର୍‌ ମନେକରି ତାଙ୍କ ଜୀବନର ଗତ ଘଟଣାଟି କହିଲେ । ସପତ୍‌ନେକର୍‌ଙ୍କୁ ଦେଖାଇ ବାବା କହିଲେ “ମୁଁ ତା’ ପୁଅକୁ ମାରିଦେଲି ବୋଲି ମନେକରି ଏ ଲୋକଟା ମୋତେ ନିନ୍ଦା କରୁଛି । ଆଚ୍ଛା, ତା’ ପୁଅର ଆତ୍ମାକୁ ମୁଁ ତା’ ସ୍ତ୍ରୀକୁ ପୁଣି ଫେରାଇ ଦେଉଛି-। ସେ ଆଉଥରେ ଜନ୍ମ ହେବ ।

 

ସପତ୍‌ନେକର୍‌ ଫେରିଲାବେଳେ ସାଇବାବା ସେମାନଙ୍କୁ ଗୋଟିଏ ନଡ଼ିଆ ଦେଇ ସ୍ତ୍ରୀର ସାଲ୍‌ରେ ବାନ୍ଧି ରଖିବାକୁ ନିର୍ଦ୍ଦେଶ ଦେଲେ । ବର୍ଷକ ପରେ ସେମାନେ ତାଙ୍କ ପୁଅକୁ ଧରି ପୁଣି ସାଇବାବାଙ୍କ ପାଖକୁ ଆସିଥିଲେ ।

 

ଏଲ୍‌ .ଜି. ମୁଙ୍ଗେ ବୋଲି ଆଉ ଜଣେ ଭକ୍ତର ଅନେକଗୁଡ଼ିଏ ପିଲାପିଲି ହେଲେ, ମାତ୍ର ସମସ୍ତେ ପିଲାବେଳୁ ମରିଯାଉଥାନ୍ତି । ସେ ସାଇବାବାଙ୍କ ପାଖରେ ନିଜର ଦୁର୍ଭାଗ୍ୟ କଥା ଜଣାଇ ଗୋଟିଏ ମାତ୍ର ପୁଅ ପାଇଁ ପ୍ରାର୍ଥନା କଲା–ଯିଏ ଅନ୍ତତଃ ବଞ୍ଚିବ । ମାତ୍ର ବାବା ଉତ୍ତର ଦେଲେ ତୁ ଗୋଟିଏ କାହିଁକି ମାଗୁଚୁ ? ମୁଁ ତୋତେ ଦୁଇଟା ଦେବି ।” ପ୍ରକୃତରେ ତା’ର ଦୁଇଟି ପୁଅ ଓ ଦୁଇଟି ଝିଅ ହେଲେ ।

 

କିନ୍ତୁ ବାବାଙ୍କ କରୁଣା ପାଇଁ ଗୋଟାଏ ସର୍ତ୍ତ ଥିଲା । ସେଇଟା ବିଶ୍ଵାସ ଓ ଆତ୍ମସମର୍ପଣ-। ଆମେ ଏଇ ସପତ୍‌ନେକର୍‌ ଘଟଣାଟିରେ ଦେଖିଲୁ, ସପତ୍‌ନେକର୍‌ଙ୍କ ମନରେ ଏଇ ବିଶ୍ଵାସ ଓ ଆତ୍ମସମର୍ପଣର ଭାବ ଆସିବା ପର୍ଯ୍ୟନ୍ତ କେମିତି ସାଇବାବା ଅପେକ୍ଷା କରି ରହିଥିଲେ-। ବର୍ତ୍ତମାନ ଏହାର ବିପରୀତ ଆଉ ଗୋଟାଏ ଘଟଣା ଦେଖିବା ।

 

୧୯୧୦ ମସିହାର କଥା । ଦିନେ ସକାଳୁ ହଠାତ୍‌ ବାବା ଚିତ୍‌କାର କଲେ । ‘ସେ ପାଜିଟା ମୋ ପାଖକୁ କାହିଁକି ଆସୁଛି ? ମୋ ପାଖରେ କ’ଣ ଅଛି ? ମୁଁ ଜଣେ ଲଙ୍ଗଳା ଫକୀର; ଅନ୍ୟମାନଙ୍କ ପରି ମୋ ଦେହ ମଧ୍ୟ ଏଇ ରକ୍ତମାଂସରେ ଗଢ଼ା ।’ ଅନ୍ୟମାନେ ଏଥିରୁ କିଛି ବୁଝିପାରିଲେ ନାହିଁ । କିଛି ସମୟ ପରେ ଦୁଇଟା ସରକାରୀ ଘୋଡ଼ାଗାଡ଼ି ସେ ମସ୍‌ଜିଦ ପାଖରେ ଆସି ପହଞ୍ଚିଲା । ଆଗରେ ଥାଏ ଜଣେ ଗାଇଡ଼୍‍ । ସେଠାରେ ଜିଲା ରାଜସ୍ଵବିଭାଗ କମିସନର୍‌ଙ୍କ ସ୍ତ୍ରୀ ଜଣେ ଇଂରେଜୀ ମହିଳା । ତାଙ୍କର ପୁଅଝିଅ କିଛି ନ ଥିଲେ । ସେ ଭାବିଲେ, ଲୋକମାନେ ତ ଏଇ ବିଚିତ୍ର କର୍ମା ଫକୀରଙ୍କୁ ଅନେକ ପ୍ରଶଂସା କରୁଛନ୍ତି । ତାଙ୍କୁ ଥରେ ପରୀକ୍ଷା କଲେ ହେବ । ତାଙ୍କ ସଙ୍ଗରେ ତାଙ୍କ ସ୍ଵାମୀ ଓ କଲେକ୍ଟର ମଧ୍ୟ ଆସିଥିଲେ ।

 

ବାବାଙ୍କ ମସଜିଦ୍‌କୁ ଦେଖି ସେମାନେ ନାକ ଟେକିଲେ । ଏମିତି କଦର୍ଯ୍ୟ ସ୍ଥାନରେ ସେମାନଙ୍କ ପରି ରାଜପୁରୁଷମାନେ ବା କେମିତି ରହିବେ ! ମସ୍‌ଜିଦ ଭିତରେ ଜଣେ ଶିଷ୍ୟ ଠିଆ ହୋଇଥିଲା । ତାକୁ ଡାକି ସରକାରୀ କମିଶନର୍‌ କହିଲେ–‘ତୁମ ବାବାକୁ କୁହ, ସେ ଶୀଘ୍ର ନିତ୍ୟକର୍ମ ସାରିବ, ସାହେବମାନେ ତା’ ସହ କଥାବାର୍ତ୍ତା ହେବାକୁ ଚାହାନ୍ତି ।’

 

ସେ ଶିଷ୍ୟଟି ବିଲ୍‌କୁଲ ଆଶ୍ଚର୍ଯ୍ୟ ହୋଇଗଲା । କିନ୍ତୁ ସେ ତ ଏମିତି ସମ୍ବାଦ ବାବାଙ୍କୁ ଦେଇ ପାରିବ ନାହିଁ–ସେ ସାହେବ ହୁଅନ୍ତୁ ବା ଯିଏ ଇଚ୍ଛା ସେ ହୁଅନ୍ତୁ । ସେଠାରୁ ଟିକେ ହେଲେ ନ ଘୁଞ୍ଚି, ଉତ୍ତରଦେଲା, ସେ ଏହା କରିପାରିବ ନାହିଁ । ଯଦି ସେମାନଙ୍କର ସେମିତି କିଛି ଦରକାର ଥାଏ, ସେମାନେ ଅପେକ୍ଷା କରିପାରନ୍ତି । ପ୍ରାୟ ଅଧଘଣ୍ଟାଏ ପରେ ବାବାଙ୍କ କାମ ସରିଲା ଏବଂ ସେଇବାଟେ ବାବା ଯାଉଥିଲେ । ସେ ଇଂରେଜ ମହିଳା ଟିକେ ଉପରକୁ ଉଠିଯାଇ ତାଙ୍କୁ ପ୍ରଣାମ କରି କହିଲେ, “ମହାରାଜ, ଆମେ ଆପଣଙ୍କ ସହିତ ଟିକେ କଥାବାର୍ତ୍ତା ହେବାକୁ ଇଚ୍ଛା କରୁଛୁ ।”

 

କିନ୍ତୁ ଏ ପ୍ରକାର ବିନୟ ସାଇବାବାଙ୍କ ପାଇଁ ଯଥେଷ୍ଟ ନ ଥିଲା । ସେ ଚାହାନ୍ତି ସମସ୍ତ ଅନ୍ତରାତ୍ମାର ବିନୟ, ମୁହଁର ନୁହେଁ । ତେଣୁ ସେ ରୁକ୍ଷଭାବରେ କହିଲେ–‘ଆଉ ଅଧଘଣ୍ଟାଏ ଅପେକ୍ଷା କର, ମୁଁ ଏବେ ଭିକ୍ଷା କରିବାକୁ ଯାଉଛି ।”

 

ଯେତେ ଟଙ୍କା ପଇସା ତାଙ୍କ ପାଖରେ କୁଢ଼େଇ ଦେଲେ ସୁଦ୍ଧା ସାଇବାବା ନିଜର ଖାଦ୍ୟ ପାଇଁ ଭିକ୍ଷା କରିବାର ଅଭ୍ୟାସ ଜୀବନସାରା ଛାଡ଼ି ନ ଥିଲେ । ପ୍ରକୃତରେ ଯେଉଁମାନେ ତାଙ୍କୁ ଖାଦ୍ୟ ଦେବାରେ ଆନନ୍ଦ ଓ ଆଗ୍ରହ ପ୍ରକାଶ କରୁଥିଲେ, ଏମିତି କେତୋଟି ଘରକୁ ମାତ୍ର ସାଇବାବା ଯାଉଥିଲେ । ବେଳେ ବେଳେ ତାଙ୍କ ପାଇଁ ଭିକ୍ଷା କରିବାକୁ କୌଣସି ଶିଷ୍ୟକୁ ମଧ୍ୟ ପଠାଇ ଦିଅନ୍ତି ।

 

ଜଣେ ଫକୀର ଭିକ୍ଷା କରିବେ ବୋଲି ଯେ ନିଜକୁ ବିରାଟ ଲୋକ ମନେ କରୁଥିବା କେତୋଟି ଗୋରା ସାହେବଙ୍କୁ ଅପେକ୍ଷା କରିବାକୁ ପଡ଼ିଲା, ଏଥିରୁ ବାବା ସେମାନଙ୍କୁ କେମିତି ଭାବରେ ଅପମାନିତ କରି ଶିକ୍ଷା ଦେଲେ, ତାହା ସହଜରେ ଅନୁମେୟ । ବାବା ଏମିତି ଭାବରେ ରହସ୍ୟ କରୁଥିଲେ । ସେ ସାହେବମାନେ ଯଦି ଚାହିଁଥାନ୍ତେ ତେବେ ସେମାନେ ବାବାଙ୍କ ଭିକ୍ଷା କରିବାର ଆବଶ୍ୟକତାକୁ ନିଜେ ପୂରଣ କରି ଦେଇ ପାରିଥାନ୍ତେ । ମାତ୍ର ସେମାନଙ୍କର ସେତକ ଶ୍ରଦ୍ଧା ବା ସମ୍ମାନ କ’ଣ ଥିଲା ? ଠିକ୍‌ ଦଶ ମିନିଟ ପରେ ବାବା ଫେରିଲେ । ସେ ଇଂରେଜ ମହିଳା ଥରେ ବାବାଙ୍କୁ କହିଲେ । ମାତ୍ର ସେମାନଙ୍କୁ ପୁଣି ଘଣ୍ଟାଏ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ।

 

ସରକାରୀ କର୍ମଚାରୀମାନଙ୍କର ତ ସମସ୍ତ ଖୁବ୍‌ ଅଳ୍ପ । ସେମାନେ ବି ଏମିତି ଭାବରେ ଜଣେ ସାଧାରଣ ଫକୀରଙ୍କ ଦ୍ଵାରା ଅପମାନିତ ହେବାକୁ ଚାହୁଁ ନ ଥିଲେ । ଗାଡ଼ି ଚଢ଼ି ସେମାନେ ଫେରିଗଲେ । ଉକ୍ତ ମହିଳା ଜୀବନସାରା ନିଃସନ୍ତାନ ହୋଇ ରହିଗଲେ ।

 

ରୋଗୀର ରୋଗ ଉପଶମ କରିବା ବା ବନ୍ଧ୍ୟାକୁ ସନ୍ତାନବତୀ କରିବା ତ ବାବାଙ୍କର ଅତି ସାଧାରଣ କାମ । ତା’ ଛଡ଼ା ପରୀକ୍ଷାରେ ପାସ୍‌ କରିବାକୁ ବା କୌଣସି ମକଦ୍ଦମା ଜିଣିବାକୁ ବା କୌଣସି ବିବାହ ଠିକ୍‌ କରିଦେବାକୁ ବା ଗୋଟାଏ ଚାକିରୀ ପାଇଁ ଲୋକେ ବାବାଙ୍କୁ ପ୍ରାର୍ଥନା କରୁଥିଲେ । ସେ ପ୍ରାର୍ଥନାରେ ଯଦି ପ୍ରକୃତ ଆନ୍ତରିକତା ଓ ବାବାଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ଵାସ ଥାଏ, ତେବେ ବାବା ସେମାନଙ୍କର ଅଭୀଷ୍ଟ ପୂରଣ କରୁଥିଲେ ।

 

“ଏହା ତ ସାଇବାବାଙ୍କୁ ବାହାରୁ ପର୍ଯ୍ୟବେକ୍ଷଣ କରୁଥିବା ଯେ କୌଣସି ଲୋକ କହିପାରିବ ।’ –ଢାକାର ଜିମ୍‌ଖାନା ଇଂଜିନିୟରିଂ କଲେଜର ଭୂତତ୍ତ୍ଵ–ପ୍ରଫେସର୍‌ ଶ୍ରୀ ଜି. ଜି.ନାର୍‌କେ ଏ କଥା କହନ୍ତି । ସେ ସାଇବାବାଙ୍କର ଜଣେ ଭକ୍ତ । ସେ ଆହୁରି କହନ୍ତି–“କିନ୍ତୁ ଏମିତି ବାହାରୁ ପର୍ଯ୍ୟବେକ୍ଷଣ କରି ସାଇବାବାଙ୍କ ପ୍ରକୃତ ପରିଚୟ ଜାଣିବା ସମ୍ଭବ ନୁହେଁ । ଅବଶ୍ୟ ଯେଉଁମାନେ ତାଙ୍କୁ ଦେଖାକରିବାକୁ ଓ ସାହାଯ୍ୟ ପାଇଁ ତାଙ୍କ ପାଖକୁ ଆସନ୍ତି, ସେମାନେ ବୁଝିପାରିଲା ଭଳି ସାଇବାବା ବ୍ୟବହାର କରନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାଆନ୍ତି କିଛି ପାର୍ଥିବ ବସ୍ତୁ ପାଇବା ପାଇଁ । ସାଇବାବା ସେମାନଙ୍କୁ ନିଜର ପ୍ରକୃତ ପରିଚୟ ଦିଅନ୍ତି ନାହିଁ । କିନ୍ତୁ ଯଦି କେହି ପ୍ରକୃତରେ ଆଧ୍ୟାତ୍ମିକ ଦିଗରେ ଜୀବନ କଟାଇବା ପାଇଁ ଏବଂ ସାଇବାବାଙ୍କୁ ଜାଣିବା ପାଇଁ ଆସେ, ତାକୁ ସେ ନିଜର ପରିଚୟ ଦିଅନ୍ତି ।”

 

ବେଳେ ବେଳେ କିଛି ବିଚିତ୍ର କାମ କରିବାକୁ ଯାଇ ସେ ‘ମୁଁ ଏହା କରିଦେବି’ ବୋଲି କହନ୍ତି । ମାତ୍ର ଅନ୍ୟ ସମୟରେ କହନ୍ତି, ‘ଆଲ୍ଲା ଆଚ୍ଛା କରେଗା,’ ବା ‘ଆଲ୍ଲା ମାଲିକ୍‌ ହୈ’ । ଭଗବାନଙ୍କୁ ‘ଫକୀର’ ବୋଲି କହିବା ତାଙ୍କର ଗୋଟାଏ ବିଶେଷତ୍ଵ । ବେଳେ ବେଳେ କାହାର ପ୍ରାର୍ଥନା ଉପେକ୍ଷା କରିବା ବେଳେ କହନ୍ତି, “ଏହା କରିବାକୁ ଫକୀର ମୋତେ ଅନୁମତି ଦେବେ ନାହିଁ” ବା “ଫକୀର ଯାହା ଆଦେଶ ଦେବେ, ମୁଁ କେବଳ ସେତିକି ମାତ୍ର କରିପାରିବି ।”

 

ଅନେକ ସମୟରେ ସେ ଲୋକଙ୍କର ପ୍ରାର୍ଥନା ଉପେକ୍ଷା କରି ଦେଉଥିଲେ । ବେଳେ ବେଳେ ସେ କହନ୍ତି, ଗୋଟାଏ ରୋଗୀର ଜୀବନକାଳ ବଢ଼େଇଦେବା ଅର୍ଥ ତା ଦୁଃଖକଷ୍ଟକୁ ବଢ଼େଇଦେବା । ବେଳେ ବେଳେ କୌଣସି ଲୋକକୁ ପୁଣି ଥରେ ପୃଥିବୀରେ ଜନ୍ମ ଦେବାକୁ ମଧ୍ୟ ବାବା ଅସ୍ଵୀକାର କରନ୍ତି । ସନ୍ତାନ ପାଇଁ ପ୍ରାର୍ଥନା କରୁଥିବା ଜଣେ ଜଣେ ଲୋକକୁ ସେ ସିଧା ମନା କରି କହନ୍ତି ଯେ ସନ୍ତାନଲାଭ କରିବା ତା’ ଭାଗ୍ୟରେ ନାହିଁ । ଅବଶ୍ୟ ଭାଗ୍ୟ କଥାଟା ବାବାଙ୍କ ପକ୍ଷରେ କିଛି ବଡ଼କଥା ନୁହେଁ । କାରଣ ଅନ୍ତତଃ ଗୋଟିଏ ଘଟଣାରେ ସେ ଏମିତି ଭାଗ୍ୟରେ ନ ଥିବା ଲୋକକୁ ଗୋଟିଏ ସନ୍ତାନ ଦାନ କରିଥିଲେ । ବେଳେ ବେଳେ ଆଉ କିଛି ନ କହି କେବଳ “ଆଲ୍ଲା ମାଲିକ୍ ହୈ’’ ବା “ଫକୀର ଏଥିପାଇଁ ମତେ ଅନୁମତି ଦେବେ ନାହିଁ” ବୋଲି କହି ଲୋକଙ୍କୁ ଫେରାଇ ଦିଅନ୍ତି ।

 

ବି. ଏ. ପଟେଲ ବୋଲି ଜଣେ ଜମିଦାର ଓ ରାଜସ୍ଵ କର୍ମଚାରୀଙ୍କର ବୁଢ଼ାବାପା ଅପସ୍ମାର ରୋଗ ଭୋଗୁଥିଲେ । କିଛି ବିଭୂତି ପାଇବା ପାଇଁ ପଟେଲ ବାବାଙ୍କ ପାଖକୁ ଯାଇଥିଲେ-। ମାତ୍ର “ଆଲ୍ଲା ମାଲିକ୍ ହୈ” କହି ବାବା ତାଙ୍କୁ ଶୂନ୍ୟ ହସ୍ତରେ ଫେରାଇ ଦେଲେ । ବୁଢ଼ାବାପା ତିନି ଦିନ ପରେ ମରିଗଲେ ।

 

ଏଇ ପଟେଲ ନିଜର ଶରୀରର ଶକ୍ତି ବିଷୟରେ ଖୁବ୍ ଗର୍ବ ଅନୁଭବ କରୁଥିଲେ । ୧୯୧୩ ବେଳକୁ ସାଇବାବା ବୁଢ଼ା ହୋଇଯାଇଥିଲେ ଓ ତାଙ୍କ ଦେହ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଥିଲା-। ପଟେଲ ତାଙ୍କ ଗୋଡ଼ ଘଷି ଦିଅନ୍ତି ଓ ତାଙ୍କୁ ସିଧା ଶୂନ୍ୟେ ଶୂନ୍ୟେ ଟେକି ନେଇ ଧରି ପାଖରେ ବସାନ୍ତି । ଏଇଟା ତାଙ୍କର ଏକ ପ୍ରକାର କର୍ତ୍ତବ୍ୟ ଥିଲା । ଥରେ ତାଙ୍କ ବାପା ମରିଗଲା ପରେ ପଟେଲ ବାବାଙ୍କ ଗୋଡ଼ ଘଷି ଦେଇ ସବୁଦିନ ପରି ତାଙ୍କୁ ଟେକିବାକୁ ଚେଷ୍ଟା କଲେ-। ମାତ୍ର ଶତଚେଷ୍ଟା ସତ୍ତ୍ୱେ ସେ ବାବାଙ୍କୁ ଟିକିଏ ହେଲେ ଘୁଞ୍ଚାଇ ପାରିଲେନି । ଏହା ଦେଖି ବାବା ହସି ଉଠିଲେ । ପଟେଲ କହନ୍ତି, “ବାବା ମୋ ଶରୀରକୁ ନେଇ ଗର୍ବ ନ କରିବାକୁ ଓ ବାପାଙ୍କ ମୃତ୍ୟୁରେ ଦୁଃଖ ନ କରିବାକୁ ମତେ ଶିଖେଇଛନ୍ତି ।”

 

ବାବା ତାଙ୍କୁ କହିଲେ, “ତୁ ଦୁଃଖ କରୁଛୁ କାହିଁକି । ପାଞ୍ଚ ମାସ ଭିତରେ ତୋ ବାପା ଫେରିଆସିବ ।’’ ଅତି ସାଧାରଣ କଥାରେ ଏହାର ଅର୍ଥ–ସେ ପୁର୍ନଜନ୍ମ ଗ୍ରହଣ କରିବେ । ଦାର୍ଶନିକ କଥାରେ ଏହାର ଅର୍ଥ ଏ ପୃଥିବୀର ବନ୍ଧନ ଛିନ୍ନ କରିପାରି ନ ଥିବାରୁ ସେଇ ଜୀବନଶକ୍ତି ପୁଣି ଥରେ ଦେହ ଧାରଣ କରିବ ।

 

ଥରେ ଗୋଟିଏ ସ୍ତ୍ରୀ ଲୋକର ପୁଅଟିକୁ ସାପ କାମୁଡ଼ିଦେଲା । ସେ କିଛି ବିଭୂତି ପାଇଁ ସାଇବାବାଙ୍କୁ ପ୍ରାର୍ଥନା କଲା । କିନ୍ତୁ ବାବା ତାକୁ ବିଭୂତି ଦେଲେ ନାହିଁ । ପିଲା ମରିଗଲା । ଦୀକ୍ଷିତ ବୋଲି ବାବାଙ୍କର ଜଣେ ଖୁବ୍ ପୁରୁଣା ଭକ୍ତ ବାବାଙ୍କୁ ନିବେଦନ କଲେ, “ବାବା, ସେ ସ୍ତ୍ରୀ ଲୋକଟି ଅତି ବିକଳ ହୋଇ କାନ୍ଦୁଛି । ତା’ ପୁଅଟିକୁ ଦୟାକରି ବଞ୍ଚାଇ ଦିଅ ।’’ ଏଠାରେ ମଧ୍ୟ ଦେଖିବାର କଥା ସାଇବାବା ଯେ ମୃତ ଲୋକକୁ ଫେରାଇ ଆଣିପାରିବେ ଏଥିରେ ମଧ୍ୟ ଲୋକଙ୍କର ସନ୍ଦେହ ନ ଥିଲା ।

 

ସାଇବାବା ଉତ୍ତର ଦେଲେ, “ଏ ସବୁ ବିଷୟରେ ତୁ କାହିଁକି ଜଡ଼ିତ ହେଉଛୁ । ଯାହା ଘଟିଯାଇଛି ତାହା ଭଲପାଇଁ ଘଟିଛି । ସେ ଆତ୍ମା ଅନ୍ୟ ଏକ ଶରୀରରେ ପ୍ରବେଶ କରିଛି । ଏ ଶରୀରରେ ଥାଇ ସେ ଯାହା କରିପାରି ନ ଥା’ନ୍ତା, ସେଇ ଶରୀରରେ ରହି ସେ ପୁଣ୍ୟ କାର୍ଯ୍ୟ କରିବ-। ମୁଁ ଯଦି ସେ ଶରୀରରୁ ଆତ୍ମାକୁ ଟାଣିଆଣି ତାକୁ ଏ ଶରୀରରେ ସ୍ଥାପନ କରିବି, ତେବେ ଏଇଟା ବଞ୍ଚିବା ପାଇଁ ସେ ଦେହକୁ ମରିବା ପାଇଁ ପଡ଼ିବ । ତୁ ଖାଲି କହୁଛୁ ବୋଲି ମୁଁ ଏହା କରିଦେଇ ପାରେ, ମାତ୍ର ଏହାର ଗୁରୁତ୍ଵ ଓ ଦାୟିତ୍ଵ ତୁ ବୁଝୁଛୁ ତ ? ଯାହା ଫଳ ହେବ, ସେ ସବୁକୁ ତୁ ବହନ କରିବାକୁ ପ୍ରସ୍ତୁତ ତ ?”

 

ଜ୍ଞାନୀ ଲୋକଙ୍କ ଛଡ଼ା ଅନ୍ୟମାନଙ୍କ ପକ୍ଷରେ ଗୋଟିଏ ଶରୀରର ମୃତ୍ୟୁ ଅର୍ଥ ଅନ୍ୟ ଏକ ଶରୀରର ଜନ୍ମ । ଜ୍ଞାନୀ ବା ସିଦ୍ଧପୁରୁଷମାନଙ୍କ ପାଇଁ ମୃତ୍ୟୁ ଆତ୍ମାକୁ ମୁକ୍ତି ପ୍ରଦାନ କରେ ଏବଂ ତାହା ସେଇ ଅସୀମ ନିରାକାର ମହାଶକ୍ତି ସହ ଲୀନ ହୋଇଯାଏ । ଏହାକୁ ହିଁ ମୋକ୍ଷ ବା ନିର୍ବାଣ କହନ୍ତି ।

 

ଏସ.ବି.ମୋହିଲଙ୍କର ଗୋଟିଏ ଝିଅ ଥିଲା । ତା’ର ଉପର ଓଠଟି ଖଣ୍ଡିତ (ଯାହାକୁ ଗ୍ରହଣଖଣ୍ଡିଆ କୁହାଯାଏ) । ସାଇବାବା ତାକୁ ଭଲ କରିଦେବେ ବୋଲି ଭାବି ମୋହିଲ ତାକୁ ବାବାଙ୍କ ପାଖକୁ ନେଇଗଲେ । ସାଇବାବା ମୋହିଲ୍‌ଙ୍କୁ ଦେଖି କହିଲେ, “ମୁଁ ଜାଣେ, ତୁ ଏଠାକୁ କାହିଁକି ଆସିଛୁ । ମାତ୍ର ତୋର ଉଦ୍ଦେଶ୍ୟ ବ୍ୟର୍ଥ ହେବ । ସେ ଝିଅଟି ଦୈବୀ ପ୍ରକୃତି ନେଇ ଜନ୍ମ ହୋଇଛି । ଏ ପୃଥିବୀରେ ଆଉ ବେଶିଦିନ ସେ ରହିବ ନାହିଁ । ଆସନ୍ତା ନାଗଚତୁର୍ଥୀରେ ସେ ଏ ଦେହ ତ୍ୟାଗ କରିବ । ତୁ ଯଦି ସେଦିନ ଘରେ ନ ରହି ଅଫିସ ଯିବୁ, ତେବେ ତାକୁ ଆଉ ଦେଖିପାରିବୁ ନାହିଁ ।”

 

ବାବା ଯାହା କହିଲେ ଠିକ୍ ତାହାହିଁ ହେଲା । ତାଙ୍କ କଥାକୁ ଉପେକ୍ଷା କରି ମୋହିଲ୍ ଅଫିସରେ ଥିଲାବେଳେ ଝିଅଟିର ମୃତ୍ୟୁ ହେଲା ।

 

ଅନ୍ତତଃ ଗୋଟିଏ ଘଟଣାରେ ସାଇବାବା ଗୋଟାଏ ଲୋକକୁ ବଞ୍ଚାଇବାକୁ ଯଥେଷ୍ଟ ଚେଷ୍ଟା କରିଥିଲେ, ମାତ୍ର ସେ ଅକୃତକାର୍ଯ୍ୟ ହୋଇଥିଲେ । ଥରେ ନିଗୋଜ ବୋଲି ଗୋଟିଏ ଗାଁରେ ପ୍ଲେଗ୍ ବ୍ୟାପିଗଲା । ଗାଁ ଚୌକିଦାରର ସ୍ତ୍ରୀ ପ୍ଲେଗରେ ଆକ୍ରାନ୍ତ ହୋଇ ପଡ଼ିଲା । ସେତେବେଳେ ଗୋଟାଏ ଧର୍ମଶାଳାରେ ବାବା ଓ ତାଙ୍କ ଶିଷ୍ୟ ମହାଲ୍‍ ଶପଥି ରହୁଥିଲେ । ସେ ମହାଲ୍ ଶପଥିଙ୍କୁ ନିର୍ଦ୍ଦେଶ ଦେଲେ, “ଆଜି ରାତିରେ ଶୁଅନା । ରାତ୍ରିସାରା ମତେ ଜଗି ବସ । କାରଣ ମୁଁ ରାତିସାରା ଭଗବାନଙ୍କୁ ପାର୍ଥନା କରିବି । ସେ ବଦମାସ (ପ୍ଲେଗ) ଗୋଟିଏ ସ୍ତ୍ରୀ ଲୋକକୁ ମାରିଦେବାକୁ ବସିଛି-। ତେଣୁ ମୁଁ ଆଲ୍ଲାଙ୍କୁ ତା ଜୀବନ ଭିକ୍ଷା କରିବି ।”

 

ମହାଲ୍‌ ଶପଥି ରାତିସାରା ଜଗି ବସି କିଛି ପାଟିତୁଣ୍ଡ ହେବାକୁ ଦେଲେ ନାହିଁ । ମାତ୍ର ଠିକ୍‍ ପାହାନ୍ତିଆ ବେଳକୁ ଦଳେ ଚାକରବାକର ଧରି ଜଣେ ସରକାରୀ କର୍ମଚାରୀ ବାବାଙ୍କ ପାଖରେ ପହଞ୍ଚିଲେ । ସେ ବାବାଙ୍କ ଦର୍ଶନ ପାଇଁ ଘର ବାହାରେ ଚିତ୍କାର କରିବାକୁ ଲାଗିଲେ । ମହାଲ୍‌ ଶପଥି ତାଙ୍କୁ ବିଭୂତି ଦେଇ ଶାନ୍ତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ପାରିଲେ ନାହିଁ । ବାବା ଘରଭିତରୁ ପ୍ରଚଣ୍ଡ କ୍ରୋଧରେ ପାଟି କଲେ, “ତୁ ଗୋଟାଏ ପରିବାରର ବାପାଟି ? ଏବେ ନିଗୋଜରେ କ’ଣ ଘଟୁଛି ଜାଣିଛୁ ନା ? ଏମିତି ସମୟରେ ଏତେ ଲୋକଙ୍କୁ ୟା ଭିତରେ ପଶିବାକୁ ଅନୁମତି ଦେବାକୁ ତତେ କିଏ କହିଲା ?” ତାପରେ ସେ ହଠାତ୍ ଶାନ୍ତ ହୋଇଗଲେ ଏବଂ ଧୀରସ୍ଥିର ଭାବରେ କହିଲେ–“ବେଶ୍ ତାହାହିଁ ହେଉ, ଯାହା ଘଟିଯାଇଛି, ତାହା ଠିକ୍ ।’’ ପ୍ରାତଃକାଳରେ ହିଁ ଉକ୍ତ ସ୍ତ୍ରୀ ଲୋକଟିର ମୃତ୍ୟୁ ଘଟିଲା ।

 

ସାଇବାବା ସବୁ ପ୍ରକାର ଦୟା, ଆଦର, ସ୍ନେହ, କରୁଣା ସତ୍ତ୍ୱେ ମଧ୍ୟ ଜଣେ କଠୋର ଗୁରୁ । ତାଙ୍କଠାରୁ ଗାଳି ଶୁଣି ନ ଥିବା, ମାଡ଼ ଖାଇ ନ ଥିବା ଲୋକ ଖୁବ୍ କମ୍ । ଗୋଟାଏ ଦୁଷ୍ଟ ପ୍ରକୃତିର ଲୋକକୁ ଦେଖିଲାମାତ୍ରେ ବାବା ଗାଳି କରୁଥିଲେ ବା ତାକୁ ପିଟି ପକାଉଥିଲେ ।

 

ଜଣେ ଭକ୍ତ ଆଉ ଗୋଟାଏ କଥା କହେ । ସେ ଥରେ ସାଇବାବାଙ୍କ ପାଖରେ ବସିଥିବାବେଳେ ଜଣେ ଲୋକ କିଛି କାବୁଲି କଦଳୀ ତାଙ୍କୁ ଭେଟିଦେଲା । ସେଗୁଡ଼ାଳ କଞ୍ଚା କଦଳୀ ପରି ଦେଖାଯାଉଥିଲା, ମାତ୍ର ପ୍ରକୃତରେ ପାଚିଲା । ପାହାଡ଼ର ଗୋଟାଏ ନିର୍ଦ୍ଦିଷ୍ଟ ଉଚ୍ଚତାରେ ହିଁ ସେ ପ୍ରକାର କଦଳୀଗଛ ହୁଏ । ବାବା କଦଳୀ ଦେଖି ଗୋଟି ଗୋଟି କରି ଛଡ଼େଇ ପାଖରେ ଥିବା ଲୋକଙ୍କୁ ବାଣ୍ଟିଲେ । ଏ ଲୋକଟି ଏହା ଦେଖି ମନେ ମନେ ଭାବିଲା, ବୋଧହୁଏ ତା’ ପାଳି ପଡ଼ିଲାବେଳକୁ ସବୁ ସରିଯାଇଥିବ । ବାବା ଗୋଟାଏ କଦଳୀ ଛଡ଼ାଇ କଦଳୀଟା ଆଉ ଜଣେ ଲୋକକୁ ଦେଲେ । ମାତ୍ର ଚୋପାଟା ଏଇ ଲୋକଟି ଆଡ଼କୁ ଫୋପାଡ଼ି କହିଲେ ‘‘ୟାକୁ ଖା ।” ଲୋକଟି ନିଜ ଲୋଭର ଦଣ୍ଡ ବୋଲି ଚୁପ୍ ଚାପ୍ ସେ ଚୋପା ନେଇ ଖାଇଲା । ବାବା ଏହା ଦେଖି ଖୁସି ହୋଇଗଲେ । ଆଉ ଗୋଟାଏ କଦଳୀ ଛଡ଼ାଇ ନିଜେ ଖଣ୍ଡେ ଖାଇଲେ ଓ ସେ ଲୋକଟିକୁ ଆରଖଣ୍ଡକ ଦେଲେ ।

 

ଥରେ ଜଣେ ମୁସଲମାନ୍ ସ୍ତ୍ରୀ ଆସି ବାବାଙ୍କୁ ପ୍ରଣାମ କଲା । ସେତେବେଳେ ପର୍ଦ୍ଦାଟା ମୁହଁରୁ କାଢ଼ି ଦେଇଥିଲା । ବାବାଙ୍କ ପାଖରେ ବସିଥିବା ଲୋକଙ୍କ ଭିତରୁ ଜଣେ ତାର ମୁହଁଟି ଦେଖିପକାଇ ମନେ ମନେ ଭାବିଲା ‘ଆଃ ! କେଡ଼େ ସୁନ୍ଦର ମୁହଁଟି, ଆଉ ଥରେ ଦେଖାନ୍ତାକି !’ ସଙ୍ଗେ ସଙ୍ଗେ ପାଖରେ ଥିବା ବାଡ଼ିଟା ବୁଲାଇ ବାବା ଲୋକଟାକୁ ପାହାରେ ଦେଲେ ।

 

ଆଉ ଦିନେ ଗୋଟିଏ କୁଷ୍ଠରୋଗୀ ବାବାଙ୍କ ପାଖକୁ ଆସିଲା । ମସ୍‍ଜିଦର ପାହାଚରେ ଧୀରେ ଧୀରେ ଉଠି ବାବାଙ୍କ ଦର୍ଶନ ପାଇଁ ଗଲା । ଦେହଟାଯାକ ତାର ପଚି ଗନ୍ଧଉଥିଲା, ଲୋକଟା ପ୍ରାୟ ଉଲଗ୍ନ, ନିତାନ୍ତ ଅପରିଷ୍କାର । ବହୁକଷ୍ଟରେ ସେ ପାହାଚ ଉଠି ସାଇବାବାଙ୍କୁ ପ୍ରଣାମ କଲା । ଶେଷରେ ଲୋକଟି ଫେରିଯିବା ପରେ ବାବାଙ୍କ ପାଖରେ ବସିଥିବା ମିସେସ୍ ମାନେଜର ଆଶ୍ଵସ୍ତ ହେଲେ । ବାବା ସଙ୍ଗେ ସଙ୍ଗେ ଗୋଟିଏ ଭକ୍ତ ପଠାଇ ଲୋକଟିକୁ ପୁଣି ଡକାଇ ଆଣିଲେ । ଲୋକଟି ପୁଣି ଧୀରେ ଧୀରେ ବଡ଼ କଷ୍ଟରେ ବାବାଙ୍କ ପାଖକୁ ଆସି ମୁଣ୍ଡିଆ ମାରିଲା । ବାବା ସେ ଲୋକଟିର ଅପରିଷ୍କାର ଛିଣ୍ଡାକନା ପୁଡ଼ିଆଟିକୁ ଆଣି ତାକୁ ଖୋଲିଲେ । ସେଥିରେ ଥିଲା କେତେଗୁଡ଼ିଏ ସୁନ୍ଦର ଚକୋଲେଟ୍ । ବାବା ସେଥିରୁ ଗୋଟିଏ ଆଣି ମିସେସ୍ ମାନେଜରଙ୍କ ଉପରକୁ ଫୋପାଡ଼ିଲେ । ସାଇବାବାଙ୍କ ପ୍ରତି ତାଙ୍କର ଏତେ ଭକ୍ତି ଥିଲା ଯେ, ସେ ଚକୋଲେଟ୍‌ଟି ବିନା ଆପତ୍ତିରେ ଖାଇଦେଲେ ।

 

ବେଳେ ବେଳେ ସାଇବାବା ତାଙ୍କ ପାଖକୁ ଆସିଥିବା ଲୋକଙ୍କୁ ଫେରିଯିବା ପାଇଁ ସହଜରେ ଅନୁମତି ଦିଅନ୍ତି ନାହିଁ । ଯିଏ ଚାକିରିରୁ ଛୁଟି ନେଇ ଆସିଥିବ ବା ଯାହାର ବ୍ୟବସାୟ ତା’ ଅନୁପସ୍ଥିତିରେ ଅଚଳ ହୋଇଯିବାର ଆଶଙ୍କା ଥିବ, ତାକୁ ଏହା ବଡ଼ ବିବ୍ରତ କରେ । ସେ ବଡ଼ ଚିନ୍ତିତ ହୋଇପଡ଼େ । ମାତ୍ର ସାଇବାବାଙ୍କ ପାଖରେ ବେଶିଦିନ ଅଟକ ଯାଇ କାହାର କିଛି ହେଲେ କ୍ଷତି ହୋଇନି । କୌଣସି ଉପାୟରେ ଆପେ ଆପେ ସମସ୍ୟାର ସମଧାନ ହୋଇଯାଏ । ତେଣୁ ସର୍ବପ୍ରଥମେ ଏଥିପାଇଁ ଅଟଳ ବିଶ୍ଵାସ ଥିବା ଆବଶ୍ୟକ । ମନରେ ଦୃଢ଼ ପ୍ରତ୍ୟୟ ଥିବା ଦରକାର ଯେ, ଯାହା ଘଟିବ, ସବୁକିଛି ମଙ୍ଗଳକର ହେବ ।

 

ଏଚ୍‌. ଭି. ସାଥେ ଏମିତି ଗୋଟାଏ ଘଟଣା ବର୍ଣ୍ଣନା କରିଛନ୍ତି । ଆମେ ପୂର୍ବରୁ ଶୁଣିଥିବା ରାଜସ୍ଵ କମିଶନର୍ ଓ କଲେକ୍ଟର ସହ ସେ ଗୋଟିଏ ସଭ୍ୟ ଥାଆନ୍ତି । ସେମାନେ ସମସ୍ତେ ମାମ୍ମଦ୍‌ଠାରେ ଏକାଠି ହୋଇ ସେଠାରୁ ଗୋଟାଏ ସ୍ଥାନ ପରିଦର୍ଶନରେ ଯିବାର କଥାଥିଲା । ଯେଉଁଦିନ ସେମାନେ ଏକାଠି ହେବାର କଥା, ଠିକ୍ ତା’ ପୂର୍ବଦିନ ସାଥେଙ୍କ ଶ୍ଵଶୁର ତାଙ୍କୁ ସାଇବାବାଙ୍କ ପାଖକୁ ବିଦାୟ ଆଣିବାକୁ ପଠେଇଲେ । ମାତ୍ର ସାଇବାବା ଫେରିବାକୁ ତାଙ୍କୁ ଅନୁମତି ଦେଲେ ନାହିଁ । ସାଥେ ତାଙ୍କ ଶ୍ଵଶୁରଙ୍କୁ କହିଲେ, ସରକାରୀ ଚାକିରି ଓ କର୍ତ୍ତବ୍ୟ ନେଇ ଖେଳ ଖେଳି ପାରିବେ ନାହିଁ । ତାହାହେଲେ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ । ତାଙ୍କ ଶ୍ଵଶୁର ସାଇବାବାଙ୍କ ପାଖକୁ ଆଉଥରେ ଗଲେ; ମାତ୍ର ଏଥର ମଧ୍ୟ ବାବା ମନା କରିଦେଲେ । କେବଳ ସେତିକି ନୁହେଁ, ସାଥେ ଯଦି ଯିବାକୁ ଚାହାନ୍ତି, ତାଙ୍କୁ ଘର ଭିତରେ ଚାବି ଦେଇ ଅଟକାଇବାକୁ ମଧ୍ୟ ଆଦେଶ ଦେଲେ ।

 

ତିନିଦିନ ପରେ ଫେରିବାକୁ ବାବା ଅନୁମତି ଦେଲେ । ମାମ୍ମଦଠାରେ ପହଞ୍ଚି ସେ ଦେଖିଲେ ପ୍ରଥମ କାର୍ଯ୍ୟକ୍ରମଟି କୌଣସି କାରଣରୁ ଅନ୍ୟ ସଭ୍ୟମାନେ ବାତିଲ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ତାକୁ ଘୁଞ୍ଚାଇ ଦେଇଛନ୍ତି । ପ୍ରଥମ କାର୍ଯ୍ୟକ୍ରମ ଅନୁସାରେ ମାମ୍ମଦଠାରେ ତାଙ୍କର ଅସ୍ଥାୟୀ ତମ୍ବୁ ଇତ୍ୟାଦି ସ୍ଥାପନ କରିବାକୁ ସାଥେ ଯେଉଁ ଆଦେଶ ଦେଇଥିଲେ ତାହା ମଧ୍ୟ ପାଳିତ ହୋଇନାହିଁ । କିନ୍ତୁ ତାଙ୍କ ଆଦେଶ ଏ ପର୍ଯ୍ୟନ୍ତ କେବେହେଲେ କେହି ଅମାନ୍ୟ କରି ନ ଥିଲେ । ସାଥେ କହନ୍ତି, “ସିର୍‍ଡ଼ିରେ ଅଟକି ରହିଥିବା ହେତୁ ମୋ ମନର ଶାନ୍ତି ଛଡ଼ା ଆଉ କିଛିମାତ୍ର ମୁଁ ହରାଇ ନ ଥିଲି । ବରଂ ଅଯଥା ଗୁଡ଼ାଏ ହଇରାଣ ହେବାରୁ ବଞ୍ଚିଗଲି । ଫଳରେ ସେ ସମୟତକ ସାଇବାବାଙ୍କ ପାଖରେ କଟାଇବାର ସୌଭାଗ୍ୟ ଲାଭ କଲି । ସାଇବାବା ଆଗରୁ ଏହା ଜାଣି ମୋ ପାଇଁ ସବୁ ଠିକ୍‌ଠାକ କରିଦେଇଥିଲେ । ମାତ୍ର ମୋର ଅଜ୍ଞତା ଯୋଗୁ ମୁଁ କିଛି ବୁଝି ନ ପାରି ସିର୍‌ଡ଼ିରେ ରହିଲା ସମୟତକ ଅଯଥା ବିବ୍ରତ ହେଉଥିଲି । ଏମିତି ସବୁ ଘଟଣା ସାଇବାବାଙ୍କ ଉପରେ ଆଶାଭରସା ଖୁବ୍ ବଢ଼ାଇଦିଏ ।’’

 

ସାଥେ ଯଦି ବାବାଙ୍କ ଉପରେ ବିଶ୍ଵାସ ରଖି ନିଶ୍ଚିନ୍ତ ଥାଆନ୍ତେ, ତେବେ ସିର୍‌ଡ଼ିରେ ଥିବା ସମୟତକ ତାଙ୍କର ଶାନ୍ତିରେ କଟିଥାନ୍ତା । ସାଇବାବା ଯଦି ସେଠାରେ ରହିଯିବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ନିର୍ବିଘ୍ନରେ ଜଣେ ଲୋକ ସିର୍‌ଡ଼ିରେ ରହିଯାଇପାରିବ । ମାତ୍ର ତାଙ୍କର ଆଦେଶ ଅମାନ୍ୟ କରି ସିର୍‌ଡ଼ି ଛାଡ଼ିଲେ ନାନା ବିପଦ । ତାଙ୍କର ଜଣେ ମୁସଲମାନ ଭକ୍ତ ଅବଦୁର୍ ରହିମ୍ ସାମସୁଦ୍ଦିନ୍ ରେଙ୍ଗାରୀ ଏମିତି ଗୋଟିଏ ଘଟଣା ବର୍ଣ୍ଣନା କରନ୍ତି–

 

“୧୯୦୩ରେ ମୁଁ ରହୁଥିବା ସ୍ଥାନ ଥାନାରେ ଏବଂ ବୋଧହୁଏ ସିର୍‌ଡ଼ିରେ ବି ପ୍ଲେଗ୍ ରୋଗ ଲାଗିଲା । ମୋ ସ୍ତ୍ରୀ ପ୍ରାୟେ ମାସେ ହେବ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲା । ତାର ମୁହଁ ଓ ତଣ୍ଟି ଏମିତି ଫୁଲିଯାଇଥିଲା ଯେ ସେ କିଛି ଖାଇପାରୁ ନ ଥାଏ । ଅବଶ୍ୟ ତାକୁ ଔଷଧ ଦିଆଯାଉଥିଲା, ମାତ୍ର କୌଣସି ଔଷଧ ତାକୁ ଧରୁ ନ ଥିଲା । ମୋର ଜଣେ ହିନ୍ଦୁ ପଡ଼ୋଶୀ ଶ୍ରୀ ଆର. ଜି.ଗୁପ୍ତାଙ୍କର ପରାମର୍ଶ ଅନୁସାରେ ମୁଁ ତାକୁ ସାଇବାବାଙ୍କ ପାଖକୁ ନେଲି ।

 

ଆମେ ଯେତେବେଳେ ଘରୁ ବାହାରିଲୁ, ସେତେବେଳେ ତା’ ତଣ୍ଟିରେ କିଛି ଯାଉ ନ ଥିଲା । ଇଗତ୍‍ପୁରୀ ଷ୍ଟେସନ୍‌ରେ ପହଞ୍ଚିଲାବେଳକୁ ସେ ଚାହା ପିଇ ପାରିଲା । ନାସିକରେ ପହଞ୍ଚିଲା ପରେ କିଛି ଖାଇପାରିଲା ମଧ୍ୟ । ଏ ଶୁଭଲକ୍ଷଣ ଦେଖି ଆମେ ଖୁସି ହୋଇଗଲୁ । ସେ ବେଶ୍ ଶୀଘ୍ର ଭଲ ହେବାକୁ ଲାଗିଲା । ସିର୍‍ଡ଼ିରେ ପହଞ୍ଚି ମୁଁ ବାବାଙ୍କୁ ଦେଖାକରି ପ୍ରଣାମ କଲି । ବାବା ହିନ୍ଦୀରେ ମୋ ଆସିବାର କାରଣ ପଚାରିଲେ ଏବଂ ସ୍ତ୍ରୀକୁ ତାଙ୍କ ପାଖକୁ ନେବାକୁ ନିର୍ଦ୍ଦେଶ ଦେଲେ ।

 

ମୁଁ ତାକୁ ନେଇ ବାବାଙ୍କ ପାଖକୁ ଗଲି । ବାବା ମୋ’ ସ୍ତ୍ରୀ ମୁଣ୍ଡରେ ହାତ ରଖି କହିଲେ, “ଖୋଦା ଆଚ୍ଛା କରେଗା ।” ବାବା ମୋତେ କିଛି ନ କହିଲେ ବି ମୁଁ ତାଙ୍କ ହାତକୁ ଟଙ୍କେ ଚାରିଅଣା ବଢ଼େଇ ଦେଲି । ବାବା ତାକୁ ଗ୍ରହଣ କଲେ ଏବଂ ମତେ କିଛି ବିଭୂତି ଦେଲେ । ମୋ ସ୍ତ୍ରୀ ଖୁବ୍ ଚଞ୍ଚଳ ଆରୋଗ୍ୟ ହେବାକୁ ଲାଗିଲା । ସେଠାରେ କିଛିଦିନ ରହିବାକୁ ବାବା ମତେ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପ୍ରାୟ ୨ଘଣ୍ଟା ପରେ ତାଙ୍କଠାରୁ ଅନୁମତି ନ ନେଇ ଆମେ ଫେରିଲୁ । ମୁଁ ଭାବିଲି, ରୋଗଟା ଯେତେବେଳେ ଭଲ ହେବାକୁ ଆରମ୍ଭ କଲାଣି, ସେତେବେଳେ ସ୍ତ୍ରୀ ଆଉ ଦୁଇବର୍ଷର ପୁଅଟିକୁ ଧରି ଗୋଟାଏ ଅଜଣା ସ୍ଥାନରେ ବେଶି ସମୟ ରହିବା କ’ଣ ଦରକାର ? ଆମେ ଯେଉଁ ଟାଙ୍ଗାରେ (ଘୋଡ଼ାଗାଡ଼ି) ଆସିଥିଲୁ, ସେଇଟା ଏ ପର୍ଯ୍ୟନ୍ତ ସେଇଠି ଥିଲା । ସେଇ ଗାଡ଼ିରେ ଛଅ ମାଇଲ ଦୂରରେ ଥିବା କୋପର୍‌ ଖାଁ ବୋଲି ଗୋଟାଏ ସ୍ଥାନକୁ ଯାତ୍ରା କଲୁ । ପ୍ରାୟ ଅଧେ ବାଟ ଯାଇଛୁ, ହଠାତ୍‌ ଟାଙ୍ଗାର ଅଖ ଭାଙ୍ଗିଗଲା । ଆମେ ଆଉ କରିବୁ କଣ ? ଅସହାୟ ଭାବରେ ସେମିତି ରାସ୍ତା ମଝିରେ ପଡ଼ି ରହିଲୁ । ସେତେବେଳେ ରାତି ପ୍ରାୟ ୧୦ଟା । ରାସ୍ତାରେ ଲୋକ ଚଳାଚଳ ବନ୍ଦ ହୋଇଗଲାଣି । ଏତେ ରାତିରେ ଆମେ ଆଗକୁ ଯାଇପାରୁ ନ ଥାଉ, ବା ପଛକୁ ବି ଫେରିବା ସମ୍ଭବ ନ ଥିଲା । ରାସ୍ତାଘାଟ ସେତେବେଳେ ନିର୍ଜନ । ଚୋର ଖଣ୍ଟଙ୍କର ବି ଅଭାବ ନ ଥିଲା । ଖୋଲା ଆକାଶ ତଳେ ଆମ ଅବସ୍ଥା ଶୋଚନୀୟ ହୋଇଉଠିଲା । ସାଇବାବାଙ୍କ କଥା ମନେ ପକାଇ ଅନୁତାପ କଲୁ । ମାତ୍ର ଏବେ କରିବୁ କ’ଣ ?

 

ପ୍ରାୟ ଦୁଇଘଣ୍ଟା ଏମିତି ଭାବରେ କଟିଗଲା । ତା’ପରେ ଆମେ ଗୋଟାଏ ଟାଙ୍ଗା ଆସୁଥିବାର ଶବ୍ଦ ଶୁଣିପାରିଲୁ । ଜଣେ କିଏ ପାଟି କରୁଥାଏ, “ଥାନାରୁ ଆସିଥିବା ଲୋକମାନେ କେଉଁଠି ଅଛନ୍ତି ? ଆମ ପାଖରେ ଟାଙ୍ଗାଟା ପହଞ୍ଚିବାରୁ ମୁଁ ନିଜର ପରିଚୟ ଦେଲି । ଆଉ କହିଲି, ଆମେ ସେଇ ଥାନାର ଲୋକ । ତାକୁ ପଚାରିଲି, ଏମିତି ଅସମୟରେ ସେ ଆମେ ଏଠାରେ ଅଛୁ ବୋଲି କିମିତି ଜାଣିଲା ।

 

ସେ କହିଲା ସାଇବାବା ତାକୁ ଆମକୁ ନେବାକୁ ପଠେଇଛନ୍ତି । ସେ ଟାଙ୍ଗାରେ ଚଢ଼ି ଫେରିଲୁ । ସିର୍‌ଡ଼ିରେ ପହଞ୍ଚିବା ବେଳକୁ ରାତି ଗୋଟାଏରୁ ଦୁଇଟା ଭିତରେ । ବାବା ସେ ପର୍ଯ୍ୟନ୍ତ ଆମକୁ ଚାହିଁ ବସିଥିଲେ । ଆମକୁ ଦେଖି କହିଲେ–“ମୋ ଅନୁମତି ନ ନେଇ ତୁମେମାନେ ସବୁ ଫେରିଗଲ, ସେଥିପାଇଁ ଏ ବିପଦରେ ପଡ଼ିଲ ।”

 

ମୁଁ ଦୋଷ ମାନିନେଲି ଓ କ୍ଷମାଭିକ୍ଷା କଲି । ଆମକୁ ରାତିର ବାକି ସମୟତକ ମସ୍‌ଜିଦ୍‌ ପାଖରେ ରହିବାକୁ କହି ସେ ଭିତରକୁ ଗଲେ । ସକାଳେ ବାବା ଖାଦ୍ୟଭିକ୍ଷା କରିବାକୁ ଗଲେ । ଯାହା ପାଇଲେ ସେଥିରୁ ନିଜେ ସାମାନ୍ୟ କିଛି ନେଇ ବାକିତକ ଆମକୁ ଦେଲେ । ସେତେବେଳେ ମୋ ସ୍ତ୍ରୀ କଠିନ ଖାଦ୍ୟ ଖାଇ ପାରିଲାଣି । ତା’ପରେ ସେ ଆମକୁ ଫେରିବାକୁ ଅନୁମତି ଦେଲେ । ଏଇଟା ଆମର ଏକମାତ୍ର ସିର୍‌ଡ଼ି ପରିଦର୍ଶନ । ମାତ୍ର ଏହାପରେ ସାଇବାବାଙ୍କ ପ୍ରତି ବିଶ୍ଵାସ ଖୁବ୍‌ ଦୃଢ଼ ହୋଇଗଲା ।

 

ଏସବୁ ଘଟଣା ସାଧାରଣ ଲୋକଙ୍କୁ ଆକୃଷ୍ଟ କରେ । ମାତ୍ର ଏଥିପାଇଁ ସବୁଦିନର ଭକ୍ତମାନେ ସାଇବାବାଙ୍କ ପାଖକୁ ଆସନ୍ତି ନାହିଁ । ସେମାନେ ଚାହାନ୍ତି ଆଧ୍ୟାତ୍ମିକ ସମୁନ୍ନତି; ପରମ ଆଲୋକମୟ ପଥରେ ସାଇବାବାଙ୍କର ନିର୍ଦ୍ଦେଶ । ବାବା କହନ୍ତି, “ମୁଁ ଏ ଶରୀର ବା ସିର୍‌ଡ଼ି ସହିତ ବନ୍ଧା ନୁହେଁ । ମୁଁ ସବୁଠାରେ ଅଛି । ତୁମ୍ଭେମାନେ ଯେଉଁଠି ଥାଅ ପଛେ, ମତେ ସ୍ମରଣ କଲେ, ମନେ କରିବ, ମୁଁ ତୁମ ପାଖରେ ହିଁ ରହିଛି ।’’

 

ସାଇବାବା କେବେ ସିର୍‌ଡ଼ି ଛାଡ଼ି ଅନ୍ୟଆଡ଼େ ଯାଉ ନ ଥିଲେ–ଅବଶ୍ୟ କଥାଟା ସ୍ଥୂଳଦୃଷ୍ଟିରେ ସତ୍ୟ । ଜଣେ ଭକ୍ତର ବିବାହକୁ ତା’ ବାପା ବାବାଙ୍କର ଉପସ୍ଥିତି ପ୍ରାର୍ଥନା କଲେ । ବାବା କହିଲେ, “ବେଶ୍, କିଛି ଚିନ୍ତା କରନା । ତୁମେମାନେ ଯେଉଁଠାରେ ଥିଲେ ବି ଯଦି ମତେ ସ୍ମରଣ କର, ତେବେ ମୁଁ ତୁମ ପାଖରେ ରହିଛି ବୋଲି ମନେକରିବ ।” ମାତ୍ର ଭକ୍ତଟିର ବାପା ବେଶି ବାଧ୍ୟ କରିବାରୁ ବାବା କହିଲେ, “ଭଗବାନଙ୍କ ନିର୍ଦ୍ଦେଶ ବିନା ମୁଁ କିଛି କରିପାରିବି ନାହିଁ ।”

 

ଆଧ୍ୟାତ୍ମିକ ଉନ୍ନତି ହିଁ ପ୍ରକୃତ ଆଶୀର୍ବାଦ । ରାଓ ସାହେବ ଗଲୱାଙ୍କର କହନ୍ତି, ସେ ଯେତେବେଳେ ମୋ ମୁଣ୍ଡରେ ତାଙ୍କ ହାତ ଆଣି ରଖିଲେ, ଗୋଟିଏ ବିଚିତ୍ର ଓ ଅସ୍ଵାଭାବିକ ଅନୁଭୂତି ମୁଁ ଲାଭକଲି । ନିଜକୁ ଓ ମୋର ବାହ୍ୟ ଅବସ୍ଥା ସବୁ ସମ୍ପୂର୍ଣ୍ଣ ଭୁଲିଗଲି ଏବଂ ମନେହେଲା ମୁଁ ଗୋଟାଏ ପରମ ଆନନ୍ଦମୟ, ଉଲ୍ଲାସମୟ (ecstatic) ରାଜ୍ୟରେ ପହଞ୍ଚିଛି ।...ଏହାପରେ ମୁଁ ଆଧ୍ୟାତ୍ମିକ ଦିଗ ପ୍ରତି ବେଶି ଦୃଷ୍ଟି ଦେଲି । ୧୯୩୨ ମସିହାରେ ସାଇବାବାଙ୍କ ମୃତ୍ୟୁର ୧୪ ବର୍ଷ ପରେ ମୋ ଅନୁଭୂତିର ଦ୍ଵିତୀୟ ପର୍ଯ୍ୟାୟ ଆସିଲା । ବାବା ମୋତେ ସ୍ଵପ୍ନରେ ଦେଖାଦେଇ ମୁଁ କଣ ଚାହେଁ ବୋଲି ପଚାରିଲେ । ମୁଁ ଉତ୍ତର ଦେଲି, ସ୍ଵର୍ଗୀୟ ପ୍ରେମ ଛଡ଼ା ଆଉ କିଛି ଚାହେଁନା । ବାବା ମୋତେ ଆଶୀର୍ବାଦ କରି ଉଭେଇ ଗଲେ । ସେଦିନଠାରୁ ମୁଁ ଧ୍ୟାନ ସମୟରେ ବା ଅନ୍ୟ କିଛି କରୁଥିବା ସମୟରେ ବା କିଛି ପଢ଼ୁଥିବା ବେଳେ ସ୍ଵର୍ଗୀୟ ପ୍ରେମର ପୁଲକ ଅନୁଭବ କରେ ।”

 

ଜଣେ ବ୍ରାହ୍ମଣ ଭକ୍ତ ରାଓ ବାହାଦୂର ଏସ୍. ବି. ଧୂମାଳଙ୍କ କଥା ଉଦ୍ଧାର କରି ଏ ଅଧ୍ୟାୟ ଶେଷ କରିବା ।

 

“ଯେତେବେଳେ ଲୋକେ ମୋତେ ସାଇବାବାଙ୍କ ବିଷୟରେ ମୋର ଅନୁଭୂତି କଥା ପଚାରନ୍ତି, ମୁଁ ଖୁବ୍ ଆଡ଼ୁଆରେ ପଡ଼ିଯାଏ । ଯେତେ ଛୋଟ ଓ ଯେତେ ହେୟ ହେଲେ ମଧ୍ୟ ମୋ ଜୀବନରେ ଏମିତି କୌଣସି ଘଟଣା ନାହିଁ, ଯାହାକୁ ମୁଁ ସାଇବାବାଙ୍କଠାରୁ ଅଲଗା ବୋଲି ଭାବେ । ମୁଁ ଦିନରାତି ସବୁବେଳେ ସାଇବାବାଙ୍କୁ ଅନୁଭବ କରେ । ମୋ ଜୀବନରେ ଯାହା କିଛି ଘଟେ, ସବୁ ସାଇବାବାଙ୍କ ନିର୍ଦ୍ଦେଶରେ ଘଟେ ବୋଲି ମୁଁ ମନେ କରେ । ମୋ ଜୀବନର ସବୁକିଛି ତାଙ୍କ ଇଚ୍ଛାରେ ପରିଚାଳିତ ହୁଏ ବୋଲି ମୋର ବିଶ୍ଵାସ । ତାଙ୍କ ସମ୍ପର୍କରେ ମୋର ଅନୁଭୂତି ଆଉ କ’ଣ ? ଅବଶ୍ୟ ବାହାରର ପୃଥିବୀ ମୋ ବିଶ୍ଵାସକୁ ସମ୍ମାନ ଦେବାକୁ ପ୍ରସ୍ତୁତ ହୋଇ ନ ପାରେ; ମାତ୍ର ମୋର ସେଥିରେ କିଛି ଯାଏ ଆସେ ନାହିଁ । ପ୍ରକୃତରେ ଅନ୍ୟମାନଙ୍କର ଅବିଶ୍ଵାସ ଦେଖିଲେ; ନିଜର ଅନୁଭୂତି କଥା କହିବାକୁ ମନ ହୁଏନା । ପ୍ରତ୍ୟେକ ଭକ୍ତ ଅନୁଭବ କରନ୍ତି ଯେ ସାଇବାବାଙ୍କ ବିଷୟରେ ଯାହା କିଛି ଅଭିଜ୍ଞତା ସବୁ ଏକାନ୍ତ ଭାବରେ ସେମାନଙ୍କର ନିଜର; ଯାହା ସେମାନଙ୍କୁ ଆଧ୍ୟାତ୍ମିକ ପଥରେ ଆଗେଇ ନେବ ଏବଂ ସେମାନଙ୍କୁ ଆଶାଭରସା ପ୍ରଦାନ କରିବ । ସେ ସବୁ ସର୍ବସାଧାରଣରେ ଆଲୋଚନା କରି ହୁଏନା ବା ଛାପି ହୁଏନା ।...ବାବାଙ୍କ ବିଷୟରେ କିଛି ଜାଣିବାର ସବୁଠାରୁ ଭଲ ଉପାୟ ହେଲା ନିଜେ ତାଙ୍କ ପାଖକୁ ଯାଇ କିଛି ଅନୁଭୂତି ସଂଗ୍ରହ କରିବା-। ଦେହତ୍ୟାଗ କରି ବାବା କ’ଣ ପ୍ରକୃତରେ କୁଆଡ଼େ ଚାଲିଯାଇଛନ୍ତି ? ନା–ସେ ଆଜି ମଧ୍ୟ ଜୀବନ୍ତ ଏବଂ କର୍ମତତ୍ପର–ଏପରି କି ତାଙ୍କର ମହାସମାଧିସ୍ଥ ପୂର୍ବରୁ ଯେତିକି ଥିଲେ, ତା’ଠାରୁ ଅଧିକ । ଯଦି ଜଣେ ତାଙ୍କୁ ଜାଣିବାକୁ ବା ତାଙ୍କଠାରୁ କିଛି ସାହାଯ୍ୟ ପାଇବାକୁ ଅନ୍ତରଭରି ପାର୍ଥନା କରିବ, ତେବେ ଆଜି ମଧ୍ୟ ସେ ସଙ୍ଗେ ସଙ୍ଗେ ତାହା ପାଇପାରିବ । ମାତ୍ର ଯିଏ ଅନ୍ୟମାନଙ୍କ ଠାରୁ ତାଙ୍କୁ ଜାଣିବାକୁ ଚାହିଁବ, ତେବେ ସେ କିଛି ପାଇବ ନାହିଁ ।”

Image

 

ହିନ୍ଦୁ ଧର୍ମ ଓ ଇସ୍‍ଲାମ ଧର୍ମ

 

ସାଇବାବା ବେଳେବେଳେ ନିଜକୁ ୧୫–୧୬ଶ ଶତାବ୍ଦୀର ସନ୍ଥ କବୀରଙ୍କ ଅବତାର ବୋଲି କହନ୍ତି । ଠିକ୍‍ ତାଙ୍କ ପରି ସାଇବାବାଙ୍କ ବ୍ୟବହାରରୁ କେହି ଜାଣିପାରିବ ନାହିଁ, ସେ ପ୍ରକୃତରେ ହିନ୍ଦୁ କି ମୁସଲମାନ୍‍ । ସେ ଗୋଟିଏ ମସଜିଦ୍‌ରେ ରହୁଥିଲେ ଏବଂ ସାଧାରଣତଃ ଭଗବାନଙ୍କୁ ଆଲ୍ଲା, ଖୋଦା ବୋଲି କହୁଥିଲେ । କିନ୍ତୁ ସେ ଖୁବ୍ କ୍ଵଚିତ ନମାଜ କରୁଥିଲେ । ଯେତେବେଳେ ସେ ଗୁଣୁ ଗୁଣୁ ହୋଇ କିଛି ଉଚ୍ଚାରଣ କରନ୍ତି ତାହା ହିନ୍ଦୁଧର୍ମର ନୁହେଁ, ଇସ୍‌ଲାମ୍ ଧର୍ମଶାସ୍ତ୍ରରୁ ଉଦ୍ଧାର କରିଥାନ୍ତି । ଅନେକ ଭକ୍ତ ସେ ନମାଜ କରୁଥିବା ଆଦୌ ଦେଖି ନାହାନ୍ତି । କେହି କେହି କହନ୍ତି, ସେ ବେଳେବେଳେ ଶନିବାର ବା କୌଣସି ଉତ୍ସବ ଦିନରେ ନମାଜ କରନ୍ତି । ସାଧାରଣତଃ ଶୁକ୍ରବାର ଦିନ ମୁସଲମାନମାନେ ସମୂହ ଭାବରେ ପ୍ରାର୍ଥନା କରନ୍ତି । କିନ୍ତୁ ବାବା ଯେ କାହିଁକି ଶନିବାର ଦିନ କରୁଥିଲେ, ତାହା ଏକ ଅବୋଧ୍ୟ ପ୍ରହେଳିକା । ସେ ହିନ୍ଦୁ ଶିଷ୍ୟମାନଙ୍କ ପରି ନିରାମିଷାଶୀ ଥିଲେ ଏବଂ ସେମାନେ ହିନ୍ଦୁ ରୀତିରେ ସାଇବାବାଙ୍କୁ ପୂଜା କରୁଥିଲେ । ଅନେକ ସମୟରେ ସେ ତାଙ୍କର ହିନ୍ଦୁ ଗୁରୁ ବା ହିନ୍ଦୁ ଦେବାଦେବୀଙ୍କ କଥା କହୁଥିଲେ ।

 

ସାଇବାବା ହିନ୍ଦୁ ଇସଲାମ ଦୁଇଧର୍ମର ମିଶ୍ରଣ ଚାହୁଁ ନ ଥିଲେ । କିନ୍ତୁ ହିନ୍ଦୁ ମୁସଲମାନଙ୍କ ଭିତରେ ସେ ସୌହାର୍ଦ୍ଦ୍ୟ ଓ ଭ୍ରାତୃତ୍ଵ ଚାହୁଁଥିଲେ । ସେ ନିଜେ ନମାଜ ପଢ଼ୁ ନ ଥିଲେ ମଧ୍ୟ ତାଙ୍କର ମୁସଲମାନ ଶିଷ୍ୟମାନଙ୍କୁ ତାହା କରିବାକୁ କହୁଥିଲେ । ଉଭୟ ଧର୍ମ ତାଙ୍କ ଦୃଷ୍ଟିରେ ସମାନ; ଏଣୁ କୌଣସି ଗୋଟିଏ ଧର୍ମାବଲମ୍ବୀ ଲୋକ ଅନ୍ୟ ଧର୍ମ ଗ୍ରହଣ କରିବାକୁ ସେ ପସନ୍ଦ କରୁ ନ ଥିଲେ । ଯେଉଁ ଧର୍ମରେ କୌଣସି ଲୋକ ଜନ୍ମଗ୍ରହଣ କରି ଲାଳିତ ପାଳିତ ହୋଇଛି, ସେ ଧର୍ମାଚରଣ କରିବାକୁ ସେ ଉପଦେଶ ଦେଉଥିଲେ । ଜଣେ ମୁସଲମାନ୍‌ ଧର୍ମଗ୍ରହଣ କରିଥିବା ହିନ୍ଦୁ ଥରେ ବାବାଙ୍କ ଦର୍ଶନ ପାଇଁ ତାଙ୍କ ମସ୍‌ଜିଦ୍‌କୁ ଆସିଥିଲା । ବାବା ତା’ ଗାଲରେ ଚଟକଣା ବସେଇ ଦେଇ ଥଟ୍ଟାକରି କହିଲେ, ‘ତୁ ତାହାହେଲେ ତୋ ନିଜ ବାପକୁ ଛାଡ଼ି ଆଉ ଗୋଟିଏ ବାପ ଗ୍ରହଣ କରିଛୁ !’

 

ପରସ୍ପରର ସ୍ନେହ, ସୌହାର୍ଦ୍ଦ୍ୟ ପାଇଁ ହିନ୍ଦୁ ଓ ମୁସଲମାନ୍ ଉଭୟଙ୍କ ପର୍ବରେ ଉଭୟେ ହସଖୁସି କରିବାକୁ ବାବା ପସନ୍ଦ କରୁଥିଲେ । ଅବଶ୍ୟ ଜଣକର ଉତ୍ସବରେ ଆଉ ଜଣେ ଭାଗନେବାକୁ ସେ କହୁ ନ ଥିଲେ । ସିର୍‍ଡ଼ିରେ ଶ୍ରୀରାମଙ୍କ ଜନ୍ମତିଥି ଖୁବ ଜାକକମକରେ ପାଳନ କରାଯାଏ । ଶୋଭାଯାତ୍ରାରେ ଶ୍ରୀରାମଙ୍କ ସମ୍ବନ୍ଧରେ ସଙ୍ଗୀତ ଗାନ କରାଯାଏ । ମଝିରେ ମଝିରେ କୋରାନ୍ ମଧ୍ୟ ପାଠ କରାଯାଉଥାଏ । ବେଳେ ବେଳେ ମୁସଲମାନ୍‍ମାନେ ସାଇବାବାଙ୍କ ଜୋତାକୁ ନେଇ ଗୋଟିଏ ଶୋଭାଯାତ୍ରା କରନ୍ତି ଏବଂ ହିନ୍ଦୁମାନେ ବି ସେଥିରେ ଯୋଗ ଦିଅନ୍ତି ।

 

ଏସବୁ ଉପଦେଶ ଛଡ଼ା, ସାଇବାବାଙ୍କ ଉପସ୍ଥିତି ହିଁ ଉଭୟ ଧର୍ମ ଭିତରେ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରିଥାଏ । ଜଣେ ପଠାଣ ଭକ୍ତ ଅବଦୁଲ୍ଲା ନିମ୍ନଲିଖିତ କାହାଣୀଟି କହେ–

 

‘ମୁଁ ପିଲା ଥିଲାବେଳେ ଘର ଛାଡ଼ି ଚାଲିଗଲି । କାରଣ ମୋର କେହି ନ ଥିଲେ । ମୁଁ ମକ୍‌କା ଓ ଅନ୍ୟାନ୍ୟ ତୀର୍ଥସ୍ଥାନ ଦେଖିବାକୁ ଭାବି ଘରୁ ଗୋଡ଼ କାଢ଼ିଲି । ମାମ୍ମଦରେ ପହଞ୍ଚିଲା ପରେ ଜଣେ ଭଦ୍ରଲୋକଙ୍କ ସହ ମୋର ସାକ୍ଷାତ ହେଲା । ସେ ମୋ ପ୍ରତି ଦୟା ଦେଖାଇ ବମ୍ବେ ଓ ସେଠାରୁ ମକ୍‌କା ଯିବାକୁ ଉପଦେଶ ଦେଲେ । ଆଉଜଣେ ଭଦ୍ରଲୋକ କହିଲେ, ସିର୍‌ଡ଼ିରେ ସାଇବାବା ବୋଲି ଜଣେ ମହାପୁରୁଷ ଅଛନ୍ତି । ସେ ଫକୀରମାନଙ୍କୁ ଯଥେଷ୍ଟ ଟଙ୍କା ପଇସା ଦେଉଛନ୍ତି । ମୁଁ ତାଙ୍କ ପାଖକୁ ଗଲେ ସେ ମତେ ମକ୍‌କା ପଠେଇ ଦେଇପାରନ୍ତି । ତେଣୁ ମୁଁ ସିର୍‍ଡ଼ିକୁ ଗଲି ।

 

ମସିଜିଦ୍‌ର ଫାଟକ ପାରି ହୋଇ ଭିତରେ ପଶୁ ପଶୁ ସାଇବାବାଙ୍କୁ ଆଗରେ ଦେଖିଲି । ତାଙ୍କ ଆଖି ସହ ମୋ ଆଖି ମିଶିଗଲା । ମୁଁ ଦେହରେ ଗୋଟାଏ ଶିହରଣ ଅନୁଭବ କଲି । ମୋର ମନେହେଲା, ସାଇବାବା ହିଁ ମୋର ଗୁରୁ । ତା’ ପରଠାରୁ ମୁଁ ସିର୍‌ଡ଼ିରେ ରହିଗଲି । ସେ ମୋତେ ଓ ଆଉ କେତେଜଣ ଫକୀରଙ୍କୁ ପ୍ରଚୁର ଖାଇବା ପିଇବାକୁ ଦିଅନ୍ତି । ମୁଁ ସେଇଠାରେ ଜୀବନର ଅବଶିଷ୍ଟ ସମୟତକ କଟାଇଦେବାକୁ ସ୍ଥିର କଲି । ଏହା ୧୯୧୩ର ଘଟଣା । ସେତେବେଳେ ମୋର ବୟସ ଅଳ୍ପ । ମୁଁ ଜୀବନକୁ ଗୋଟାଏ କିଛି ଗୁରୁତ୍ଵ ଦେଇ ଭାବୁ ନ ଥିଲି । କିନ୍ତୁ ସାଇବାବାଙ୍କ ପାଖରେ ରହିବାରୁ ମୋର ମାନସିକ ଅବସ୍ଥାରେ ଅନେକ ପରିବର୍ତ୍ତନ ଘଟିଲା । ‘ସିର୍‌ଡ଼ିକୁ ଆସିଲା ବେଳେ ମୁଁ ହିନ୍ଦୁମାନଙ୍କୁ ଶତ୍ରୁ ବୋଲି ମନେ କରୁଥିଲି । ମାତ୍ର ସାଇବାବାଙ୍କ ପାଖରେ ରହଣୀର ପ୍ରଥମ ତିନିବର୍ଷ ଭିତରେ ହିଁ ମୋର ଏ ଧାରଣା ଆମୂଳଚୂଳ ପରିବର୍ତ୍ତିତ ହୋଇଗଲା । ହିନ୍ଦୁମାନଙ୍କ ପ୍ରତି ମୋର ସମସ୍ତ ଶତ୍ରୁତା କୁଆଡ଼େ ଚାଲିଗଲା ଏବଂ ହିନ୍ଦୁମାନଙ୍କୁ ନିଜର ଭାଇ ବୋଲି ଅନୁଭବ କଲି ।’

 

ଏ ପ୍ରକାର ସୌହାର୍ଦ୍ଦ୍ୟ ଯେ ସବୁବେଳେ ରହିଥିଲା, ସେକଥା ନୁହେଁ । ଗୋଟାଏ ମସଜିଦ୍ ଭିତରେ ସାଇବାବାଙ୍କୁ ହିନ୍ଦୁମାନଙ୍କର ହିନ୍ଦୁରୀତିରେ ପୂଜା ଅର୍ଚ୍ଚନା ମୁସଲମାନମାନେ ସହଜରେ ସହି ପାରୁ ନ ଥିଲେ । ଅନେକ ମନେ କରୁଥିଲେ, ଏଥିରେ ସେମାନଙ୍କ ଧର୍ମର ଅପମାନ ହେଉଛି ।

 

ଇସ୍‌ଲାମ୍ ଧର୍ମ କହେ, ଭଗବାନ୍ ଏ ସମଗ୍ର ବିଶ୍ୱକୁ ମହାଶୂନ୍ୟରୁ ସୃଷ୍ଟି କରିଛନ୍ତି । ଏଣୁ କେବଳ ଭଗବାନ୍‌ ହିଁ ପୂଜାର ପାତ୍ର । ହିନ୍ଦୁଧର୍ମ କହେ, ଏ ସମଗ୍ର ଜଗତର ପ୍ରତ୍ୟେକ ବସ୍ତୁ ଭିତରେ ଭଗବାନ୍‌ ବିଦ୍ୟମାନ୍‌ । ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ଜୀବ, ପରମେଶ୍ଵରଙ୍କର ଅସୀମ ସତ୍ତାର ସସୀମ ପରିପ୍ରକାଶ ମାତ୍ର । ଏସବୁ ବାହ୍ୟ ସତ୍ତା କ୍ଷୟଶୀଳ; ମାତ୍ର ସେମାନଙ୍କର ଅନ୍ତର୍ଗତ ସତ୍ତା, ଯାହା ଭଗବାନଙ୍କର ସ୍ଵରୂପ, ସମସ୍ତ କ୍ଷୟ ଓ ପରିବର୍ତ୍ତନର ଉର୍ଦ୍ଧ୍ଵରେ । ମୋଟାମୋଟି ମହାଶୂନ୍ୟରୁ ପରମେଶ୍ୱର ଏ ଜଗତ ସୃଷ୍ଟି କଲେ କହିବା ଯାହା, ବିଶ୍ଵର ପ୍ରତ୍ୟେକ ବସ୍ତୁ ଅନିତ୍ୟ, ନିତ୍ୟ ବର୍ତ୍ତମାନ ପରମ ସତ୍ତାର ତାହା ମାୟାବରଣ ମାତ୍ର କହିବା ସେଇୟା । ଏ ଦୁଇଟି ଦୃଷ୍ଟିକୋଣ ଏକ ସତ୍ୟ ପ୍ରକାଶର ଦୁଇଟି ଦୃଷ୍ଟିକୋଣ ମାତ୍ର । ଗୋଟାଏ ସତ୍ୟକୁ ଦୁଇପ୍ରକାର କହିବା କଥା, ଭଗବାନ୍ ମଣିଷକୁ ଯେଉଁ ଆଲୋକ, ଯେଉଁ ସତ୍ୟ ଦେଇ ଗଢ଼ିଛନ୍ତି, ମଣିଷର ତାହାଠାରୁ ଭିନ୍ନ ଅନ୍ୟ କୌଣସି ପରିଚୟ ତ ନାହିଁ । ମଣିଷର ଆତ୍ମସତ୍ତାର ତାହାହିଁ ସାରାଂଶ; ତେଣୁ ତାହା ବ୍ୟତୀତ ଆଉ କିଛି ନାହିଁ । ମଣିଷର ଆତ୍ମସତ୍ତା ହିଁ ସେଇ ପରମ ସତ୍ୟ, ଅର୍ଥାତ ପ୍ରତ୍ୟେକ ମନୁଷ୍ୟର ପ୍ରକୃତ ପରିଚୟ ଯାହା, ପରମେଶ୍ଵରଙ୍କର ପରିଚୟ ମଧ୍ୟ ସେୟା । ନିଜ ବ୍ୟକ୍ତିତ୍ଵ, ନିଜ ଅହଂତ୍ଵର ଅସାରତା, ଶୂନ୍ୟତା ଉପଲବ୍‌ଧି କରି ମନୁଷ୍ୟ ନିଜ ଆତ୍ମାର ଅସୀମତା ଜାଣିପାରେ । ତେଣୁ ଯିଏ ନିଜର ପ୍ରକୃତ ପରିଚୟ ପାଇଚି, ସେ ପରମେଶ୍ଵରଙ୍କ ସହ ନିଜର ଅଭେଦତା, ଐକ୍ୟ ଓ ଅଦ୍ଵୈତବୋଧ (ଅହଂ ବ୍ରହ୍ମାସି) ଉପଲବ୍‌ଧି କରିଛି । ଏ ଉପଲବ୍‌ଧି ମାନସ ରାଜ୍ୟର ବହୁ ଉର୍ଦ୍ଧ୍ଵରେ-। ମାନସ ଭେଦ କରି ଏହା ଅନ୍ତର୍ଗତ ଚିନ୍ମୟତାରେ ପର୍ଯ୍ୟବସିତ । ‘‘ଆତ୍ମାନଂ ବିଦ୍ଧି” କଥାର ମର୍ମ ସେଇ ମହାବ୍ୟକ୍ତି ହିଁ ବୁଝିପାରନ୍ତି । ହିନ୍ଦୁମାନେ ଏମିତି ଜଣେ ପରମ ପୁରୁଷଙ୍କୁ ପୂଜା କରନ୍ତି; କାରଣ ସେ ଓ ଭଗବାନଙ୍କ ମଧ୍ୟରେ କୌଣସି ତଫାତ୍‍ ସେତେବେଳେ ନ ଥାଏ-। ଅନେକ ମୁସଲମାନ ଏହାକୁ ମୂର୍ତ୍ତିପୂଜା ବୋଲି ନିନ୍ଦା କରନ୍ତି; ମାତ୍ର ଏହା ପ୍ରକୃତରେ ତାହା ନୁହେଁ । ଏମିତି ଜଣେ ସିଦ୍ଧପୁରୁଷଙ୍କୁ ପୂଜା ଅର୍ଚ୍ଚନା କରିବା ଓ ସ୍ୱୟଂ ପରମେଶ୍ଵରଙ୍କୁ ଆରାଧନା କରିବା ସମାନ-

 

ଏସବୁ କଥା ଇସ୍‌ଲାମ ସନ୍ଥ ସୁଫୀମାନେ ବୁଝନ୍ତି । ହିନ୍ଦୁମାନେ ଖୋଲାଖୋଲି ଭାବରେ ଯାହା ଶିକ୍ଷା ଦିଅନ୍ତି, ସେମାନେ ଗୁପ୍ତରେ ତାହାହିଁ କରନ୍ତି; କିନ୍ତୁ ସାଧାରଣ ମୁସଲମାନମାନେ ଏକଥା ବୁଝନ୍ତି ନାହିଁ । ସେମାନେ ମନେକରନ୍ତି, ଏଇ ଦୁଇ ମତବାଦ ଭିତରେ ଆକାଶ–ପାତାଳ ପ୍ରଭେଦ ରହିଛି, ଆଉ ହିନ୍ଦୁମାନେ ମୂର୍ତ୍ତିପୂଜକ । ପ୍ରସିଦ୍ଧ ସୁଫୀ କବି ଅଲହଲାତ୍‍ ବେଳେ ବେଳେ ଆନନ୍ଦରେ ଭୋଳ ହୋଇ ପାଟି କରୁଥିଲେ–‘‘ମୁଁ ହିଁ ସତ୍ୟ ।’’ ସତ୍ୟ ଗୋଟିଏ ସ୍ଵର୍ଗୀୟ ଜିନିଷ, ଏ ମାଟିର ମଣିଷ କିମିତି ସତ୍ୟ ହୋଇପାରିବ ? ସେଥିପାଇଁ ଇସଲାମ୍ ଧର୍ମର ନିୟମାନୁସାରେ ତାଙ୍କୁ ମିଥ୍ୟା ବା ଅପବିତ୍ର କଥା (Blasphemy) କହିବା ଅଭିଯୋଗରେ ଫାଶୀ ଦିଆଯାଇଥିଲା । ଆଉ ଜଣେ ସୁଫୀ ‘ଆବୁ’ କହୁଥିଲେ, “ମୋର ଏଇ ପୋଷାକ ତଳେ ସ୍ଵୟଂ ପରମେଶ୍ଵର ରହିଛନ୍ତି-।” ଗୋଟିଏ ପ୍ରସିଦ୍ଧ ସୁଫୀ ପ୍ରାର୍ଥନା ହେଲା, “ପ୍ରଭୁ, ମୋ ଭିତରେ ଯାହା କିଛି ଐଶ୍ଵରିକ ନୁହେଁ, ସେଥିପାଇଁ ମୁଁ ତୁମର କ୍ଷମା ଚାହୁଁଛି ।’’

 

୧୯୦୮ ମସିହାରେ ସାଇବାବାଙ୍କୁ ହିନ୍ଦୁମାନେ ପୂଜା ଆରମ୍ଭ କଲେ ଗୋଟିଏ ସାନ ପିଲାକୁ ଅନୁସରଣ କରି । ଜଣେ ହିନ୍ଦୁ ମହିଳା ଘଟଣାଟିର ବର୍ଣ୍ଣନା କରି କହନ୍ତି–“ମୋ ଭାଇ ବାପୁରାଓ ସେତେବେଳେ ପିଲା ଥିଲା । ସେ ସବୁଦିନ ସକାଳୁ ସାଇବାବାଙ୍କ ନିକଟକୁ ଯାଇ ତାଙ୍କ ମୁଣ୍ଡରେ ଫୁଲଟିଏ ରଖି ତାଙ୍କୁ ମୁଣ୍ଡିଆଟିଏ ମାରେ । ସେଇଦିନଠାରୁ ସାଇବାବାଙ୍କର ନିୟମିତ ପୂଜା ଅର୍ଚ୍ଚନା ଆରମ୍ଭ ହେଲା; କାରଣ ତା’ ପୂର୍ବରୁ ସାଇବାବା ଏଥିପାଇଁ କାହାକୁ ଅନୁମତି ଦେଉ ନ ଥିଲେ-।”

 

ପିଲାଟି ମୂର୍ତ୍ତିପୂଜା ହେବାର ଦେଖିଥିଲା । ତେଣୁ ସେ ସାଇବାବାଙ୍କୁ ସମ୍ମାନ ଦେଖାଇବା ପାଇଁ ତାଙ୍କ ମୁଣ୍ଡରେ ଫୁଲଟିଏ ରଖି ମୁଣ୍ଡିଆ ମାରୁଥିଲା । ତା’ ପରଠାରୁ ଯେମିତି ଶାସ୍ତ୍ରପଦ୍ଧତି ଅନୁସାରେ ମୂର୍ତ୍ତିପୂଜା ହୁଏ, ଭକ୍ତମାନେ ଠିକ୍ ସେମିତି ସାଇବାବାଙ୍କୁ ପୂଜା କରିବାକୁ ଆରମ୍ଭ କଲେ-। ନିରାକାର ପରଂବ୍ରହ୍ମଙ୍କୁ ଧାରଣା କରି ତାଙ୍କୁ ଆରାଧନା କରିବା ଖୁବ କମ୍ ଲୋକଙ୍କ ପକ୍ଷରେ ସମ୍ଭବ । ଏଣୁ ଅଧିକାଂଶ ଲୋକ ମୂର୍ତ୍ତି ବା ଚିତ୍ର ବା ଫଟୋରେ ସେ ପରଂବ୍ରହ୍ମଙ୍କର ଗୋଟିଏ ଆକାରକୁ ପୂଜା କରନ୍ତି । ଏହି ସାକାର ମାଧ୍ୟମରେ ଏ ଜନ୍ମରେ ବା ପରଜନ୍ମରେ ସେ ହୁଏତ ଦିନେ ନିରାକାରଙ୍କର ସନ୍ଧାନ ପାଇପାରେ । ଏହାହିଁ ସାକାର ପୂଜାର ମର୍ମ । ଗୀତାରେ କୁହାଯାଇଛି, “ଜଣେ ଲୋକ ଯେ କୌଣସି ପ୍ରକାରେ ଯାହାକୁ ଇଚ୍ଛା ତାହାକୁ ପୂଜା କଲେ ମଧ୍ୟ ସେ ପ୍ରକୃତରେ ମୋତେ ପୂଜାକରେ ।’’ ଫୁଲ, ଚନ୍ଦନ, ଧୂପ ଆଦି ଦେଇ ଯେମିତି ମୂର୍ତ୍ତିପୂଜା ଅନୁଷ୍ଠିତ ହୁଏ, ଜଣେ ଚିନ୍ମୟ ସିଦ୍ଧପୁରୁଷଙ୍କୁ ଠିକ୍ ଯେମିତି ପୂଜା ଅର୍ଚ୍ଚନା କରିବାରେ କୌଣସି ଆପତ୍ତି ରହିବା ଉଚିତ ନୁହେଁ ।

 

କିନ୍ତୁ ସବୁ ମୁସଲମାନମାନେ ଏକଥା ପସନ୍ଦ କରିପାରୁ ନ ଥିଲେ । ବିଶେଷତଃ ଯେତେବେଳେ ମସଜିଦ୍‍ରେ ହିନ୍ଦୁମାନେ ଏମିତି ପୂଜା ଅନୁଷ୍ଠାନ କରନ୍ତି, ସେମାନଙ୍କ ପକ୍ଷରେ ଏହା ସହ୍ୟ କରିବା ବଡ଼ କଷ୍ଟକର ହୋଇଉଠେ । ଏହାର ପ୍ରତିକ୍ରିୟା ସ୍ଵରୂପ ମୁସଲମାନମାନଙ୍କ ଅପେକ୍ଷା ହିନ୍ଦୁ ଭକ୍ତମାନେ ସଂଖ୍ୟାରେ ଅନେକ ଅଧିକ ଥିଲେ । ବେଳେବେଳେ ମୁସଲମାନମାନେ ଆପତ୍ତି କରନ୍ତି । ମାତ୍ର ବାବା ସେ ପ୍ରକାର ଆପତ୍ତି ଅଭିଯୋଗକୁ ହସି ଉଡ଼ାଇ ଦିଅନ୍ତି ।

 

ଜଣେ ଭକ୍ତ ରୋହିଲା ମୁସଲିମ୍ ଏମିତି ଥରେ ବୃଥା ଆପତ୍ତି କରିଥିଲା । ମାତ୍ର ବାବା ତାକୁ ହସି ହସି କହିଲେ, “ସବୁ କିଛି ଆଲ୍ଲା ।’’ ମାତ୍ର ରୋହିଲା ଏଥିରେ ସନ୍ତୁଷ୍ଟ ହୋଇପାରିଲା ନାହିଁ-। ସେ ଭାବିଲା, ବାବା ଇସଲାମ୍ ଧର୍ମର ବିଶ୍ଵାସଘାତକତା କରୁଛନ୍ତି । ସେଥିପାଇଁ ତାଙ୍କର ପ୍ରାୟଶ୍ଚିତ କରିବା ଆବଶ୍ୟକ । ଦିନେ ସାଇବାବା ଏକାକୀ ବୁଲିଯାଉଛନ୍ତି, ସେ ଚୁପ୍‍ଚାପ୍‍ ଗୋଟାଏ ମୁଣ୍ଡାକାଠ ଧରି ପଛରୁ ଆକ୍ରମଣ କଲା । ସେ ଭାବିଥିଲା ବାବାଙ୍କୁ ପିଟିପିଟି ତଳେ ପକାଇଦେବ-। ଠିକ୍ ପିଟିବାବେଳକୁ ବାବା ପଛକୁ ବୁଲି ପଡ଼ିଲେ ଓ ତା’ର ବାମହାତଟାକୁ ଧରି ପକାଇଲେ-। ତା’ପରେ ସିଧା ତା’ ଆଖିକୁ ଚାହିଁଲେ । ବାବା ଏ ତୀବ୍ର ଦୃଷ୍ଟିରେ ତା’ ଦେହରୁ ସବୁ ଶକ୍ତି ଶୋଷି ନେଲେ । ସେ ଦୁମ୍‌କରି ତଳେ ପଡ଼ିଗଲା । କାଠମୁଣ୍ଡାକୁ ଉଠାଇବା ଦୂରେ ଥାଉ ନିଜେ ବି ମାଟି ଉପରୁ ଉଠିପାରିଲା ନାହିଁ । ଆଉ ଜଣେ ଲୋକ ଆସି ତାକୁ ହାତଧରି ଉଠାଇଦେଲା । କିଛିଦିନ ପରେ ସେ ବାବାଙ୍କର ଅନୁମତି ନେଇ ସବୁଦିନ ପାଇଁ ସିର୍‌ଡ଼ି ଛାଡ଼ି ଚାଲିଗଲା ।

 

ଆଉ ଦିନେ ମିର୍ ଜମାନ୍ ବୋଲି ଜଣେ ମୁସଲମାନ ଭକ୍ତ ହଠାତ୍ ରାତିରେ ଗୋଟାଏ ଖଣ୍ଡା ଧରି ବାବାଙ୍କ ପାଖରେ ପହଞ୍ଚି କହିଲା, ହିନ୍ଦୁମାନେ ବାବାଙ୍କୁ ପୂଜାକରି ତାଙ୍କ ପବିତ୍ରତା ନଷ୍ଟ କରିଦେଉଛନ୍ତି । ଅନୁମତି ଦେଲେ, ସେ ସବୁ ହିନ୍ଦୁମାନଙ୍କର ମୁଣ୍ଡ କାଟି ଗଡ଼ାଇଦେବ । ବାବା ତାକୁ ଶାନ୍ତ କରାଇ କହିଲେ, “ଯଦି କେହି ପାଗଳ ହୋଇଥାଏ, ତାହାହେଲେ ମୁଁ ହେଉଛି ସେଇ ପାଗଳ-। ହିନ୍ଦୁମାନେ ଯେ ମୋତେ ପୂଜା କରୁଛନ୍ତି ସେଥିପାଇଁ ଦାୟୀ ମୁଁ । ଯଦି ତୁ କାହାର ମୁଣ୍ଡ କାଟିବାକୁ ଚାହୁଁଛୁ, ତେବେ ପ୍ରଥମେ ମୋଠାରୁ ଆରମ୍ଭ କର । ’’

 

ହିନ୍ଦୁମାନେ ଧର୍ମ ବିଷୟରେ ମୁସଲମାନମାନଙ୍କଠାରୁ ଅଧିକ ସହନଶୀଳ; କାରଣ ଏମାନଙ୍କର ଧର୍ମରେ ବହୁ ମତବାଦ ଓ ବହୁ ପ୍ରକାରର ପୂଜା ଆରାଧନା ପ୍ରଚଳିତ । ମାତ୍ର ଏସବୁ ମତବାଦ ବା ପୂଜାପଦ୍ଧତି ମୁସଲମାନ ବା ଖ୍ରୀଷ୍ଟଧର୍ମ ପରି ପରସ୍ପରର ବିରୋଧାଚରଣ କରନ୍ତି ନାହିଁ-। ହିନ୍ଦୁମାନେ ମନେ କରନ୍ତି ଲକ୍ଷ୍ୟ ଏକ, ମାତ୍ର ବାଟ ଅନେକ । ଯେଉଁ ବାଟରେ ଗଲେ ମଧ୍ୟ ପ୍ରତ୍ୟେକ ଲୋକ ସେଇ ଏକ ସ୍ଥାନରେ ହିଁ ଉପନୀତ ହେବ । ଏଣୁ ଯାହାକୁ ଯାହା ଭଲଲାଗେ, ସେ ସେମିତି ପୂଜା କରିବାରେ କିଛି ଅନ୍ୟାୟ ନାହିଁ । ବରଂ ପ୍ରତ୍ୟେକ ପନ୍ଥାର ନିଜସ୍ୱ ମୂଲ୍ୟ ରହିଛି । ଲୋକର ଗ୍ରହଣ କରିବା ସାମର୍ଥ୍ୟ ଅନୁସାରେ ବିଭିନ୍ନ ପୂଜାପଦ୍ଧତି ଅନୁସରଣ କରାଯାଇଥାଏ । ହିନ୍ଦୁମାନେ ଅନ୍ୟ ଧର୍ମରେ ଥିବା ଭିନ୍ନ ବାଟକୁ ମଧ୍ୟ ସମ୍ମାନ କରନ୍ତି । ହିନ୍ଦୁମାନେ ସାଇବାବାଙ୍କ ଭିତରେ ଥିବା ଭଗବାନଙ୍କୁ ପୂଜା କରନ୍ତି । ତାହା ଯଦି ମୁସଲମାନମାନେ ଗ୍ରହଣ କରି ନ ପାରିଲେ, ନ କରନ୍ତୁ । ସେଥିପାଇଁ ଏମାନଙ୍କର ଚିନ୍ତା କରିବାର ବା ବିବ୍ରତ ହେବାର କିଛି ନାହିଁ । ମୁସଲମାନମାନଙ୍କ ପରି ହିନ୍ଦୁମାନଙ୍କ ମଧ୍ୟରେ ମଧ୍ୟ ରକ୍ଷଣଶୀଳ ଓ ବିଭ୍ରାନ୍ତ ଲୋକ ଅଛନ୍ତି । ମାତ୍ର ହିନ୍ଦୁମାନଙ୍କର ରକ୍ଷଣଶୀଳତା, ମତାନ୍ଧତା ମୁସଲମାନମାନଙ୍କ ପରି ତୀବ୍ର ନୁହେଁ । ଏହା ଫଳରେ ସେମାନଙ୍କର ନିଜର ହିଁ ଅନିଷ୍ଟ ହୁଏ; କାରଣ ସେମାନେ ସାଇବାବାଙ୍କୁ ‘ମୁସଲମାନ୍ ଗୁରୁ’ ବୋଲି ଭାବି ତାଙ୍କୁ ଗ୍ରହଣ କରନ୍ତି ନାହିଁ ବା ତାଙ୍କୁ ବିଶ୍ଵାସ କରନ୍ତି ନାହିଁ । ଏଇ ଧର୍ମାନ୍ଧତା ବିଷୟରେ ସାଇବାବାଙ୍କର ନୀରବ ପ୍ରଭାବ ଆଉ ଗୋଟିଏ କଥାରୁ ଦେଖିବା ।

 

ଡେପୁଟୀ କଲେକ୍ଟର ଏଚ୍‌. ଭି. ସାଥେ (ଯାହାଙ୍କ କଥା ଆମେ ଆଗରୁ ଶୁଣିଛେ) ଥରେ ମେଘ ନାମରେ ଜଣେ ଅତି ସରଳ, ନିଷ୍ଠାପର ବ୍ରାହ୍ମଣକୁ ଭେଟିଲେ । ସାଥେ ବ୍ରାହ୍ମଣଙ୍କୁ କେତେକ ମନ୍ତ୍ର ବତାଇ ପାଖରେ ଥିବା ଗୋଟିଏ ଶିବମନ୍ଦିରକୁ ଯାଇ ଶିବ ଉପାସନା କରିବାକୁ କହିଲେ । କିଛିଦିନ ପରେ ସାଥେ ପୁଣି ବ୍ରାହ୍ମଣଙ୍କୁ କହିଲେ, ସାଇବାବା ସ୍ଵୟଂ ଶିବ । ଏଣୁ ବ୍ରାହ୍ମଣ ସିର୍‍ଡ଼ିକୁ ଯାଇ ତାଙ୍କୁ ଉପାସନା କରିବା ଉଚିତ । ମେଘ ତାଙ୍କ କଥା ଶୁଣି ସିର୍‍ଡ଼ିକୁ ଯିବାପାଇଁ ବାହାରିଲେ । ମାତ୍ର ରେଳଷ୍ଟେସନରେ ସେ ଶୁଣିଲେ ସାଇବାବା ଜଣେ ମୁସଲମାନ । ଏହା ଶୁଣି ବ୍ରାହ୍ମଣ ନିତାନ୍ତ ଶଙ୍କିତ ହୋଇଗଲେ; କାରଣ ବ୍ରାହ୍ମଣ ହୋଇ ତାଙ୍କୁ ଜଣେ ମୁସଲମାନ ଗୋଡ଼ତଳେ ମୁଣ୍ଡିଆ ମାରିବାକୁ ହେବ । ମାତ୍ର ସାଥେ ବାଧ୍ୟକରି ବ୍ରାହ୍ମଣଙ୍କୁ ସାଙ୍ଗରେ ନେଲେ ।

 

ବ୍ରାହ୍ମଣ ମସଜିଦ୍ ପାଖରେ ପହଞ୍ଚିବା ପୂର୍ବରୁ ସାଇବାବା ଚିତ୍କାର କଲେ–“ସେ ପାଜିଟାକୁ ଏଠୁ ତଡ଼ିଦିଅ ।’’ ଏପରି କି ସେ ନିଜେ ବ୍ରାହ୍ମଣ ପଛରେ ଗୋଡ଼ାଇ ତାଙ୍କୁ ତଡ଼ି ନେଇଗଲେ । ଏମିତି ସଂକୀର୍ଣ୍ଣମନା ହୀନ ଲୋକଟାକୁ ତାଙ୍କ ପାଖକୁ ଆଣିବାରୁ ସାଥେ ଉପରେ ମଧ୍ୟ କିଛି ଗାଳି ବର୍ଷଣ ହେଲା ।

 

କିନ୍ତୁ ବ୍ରାହ୍ମଣ ଅନ୍ତର ଭିତରେ ସାଇବାବାଙ୍କ ପ୍ରଭାବ ଧୀରେ ଧୀରେ ବଢ଼ିଚାଲିଲା । ବର୍ଷକ ପରେ ମେଘ ନିଜେ ସାଇବାବାଙ୍କ ପାଖକୁ ଗଲେ । ଏଥର ସାଇବାବା ତାଙ୍କୁ ତଡ଼ି ଦେଲେ ନାହିଁ । ଏଥର ମେଘ ସେଇ ମସ୍‌ଜିଦ୍‌ରେ ସବୁଦିନ ପାଇଁ ରହିଲେ । ଠିକ୍ ଅବଦୁଲ୍ଲା ଘଟଣା ପରି ମଧ୍ୟ ସାଇବାବାଙ୍କ ପ୍ରଭାବ ଭିତରେ ଭିତରେ କାମ କଲା । ସେ ବ୍ରାହ୍ମଣଟି ସାଇବାବାଙ୍କ ସେବା କରି ପ୍ରତିଦିନ ତାଙ୍କର ପୂଜା କରନ୍ତି । ସେ ଯେତେବେଳେ ମରିଗଲେ; ସାଇବାବା କହିଲେ, “ଏ ଲୋକଟି ମୋର ପ୍ରକୃତ ଭକ୍ତ ଥିଲା । ’’

 

କ୍ରମଶଃ ହିନ୍ଦୁମାନଙ୍କ ସଂଖ୍ୟା ଓ ପ୍ରଭାବ ବଢ଼ିଲା । ସେମାନେ ମଧ୍ୟ ମସ୍‌ଜିଦ୍‌ର ପୁନରୁଦ୍ଧାର କରାଇଥିଲେ । ଯେତେବେଳେ ସାଇବାବା ପ୍ରଥମେ ସେଠାରେ ଆଶ୍ରୟ ନେଲେ, ମସ୍‌ଜିଦ୍‌ଟା ନିତାନ୍ତ ଖରାପ ଅବସ୍ଥାରେ ଥିଲା । ମାଟିକାଦୁଅର କାନ୍ଥ ଠାଏ ଠାଏ ଭୁଷୁଡ଼ି ପଡ଼ିଥିଲା ଓ ସେବାଟେ ପାଣି ପବନର ପ୍ରବେଶ ଅବାରିତ ଥିଲା । ଛାତର ଅର୍ଦ୍ଧେକ ନଷ୍ଟ ହୋଇ ଯାଇଥିଲା । ଆଉ ଅର୍ଦ୍ଧେକ କେତେବେଳେ ଭୁଷୁଡ଼ି ପଡ଼ିବ ତାର କିଛି ଠିକଣା ନ ଥାଏ ।

 

ମାତ୍ର ସାଇବାବା ଏ ମସ୍‌ଜିଦ୍‌ଟା ଛାଡ଼ି ଅନ୍ୟ କୁଆଡ଼େ ଯିବାକୁ ଆଦୌ ରାଜି ହେଲେ ନାହିଁ । ସେ ରାଜି ହୋଇଥିଲେ ତାଙ୍କ ଶିଷ୍ୟମାନେ ତାଙ୍କ ପାଇଁ ଗୋଟିଏ ନୂଆ ଘର ବା ମନ୍ଦିର ଖୁବ୍ ଆନନ୍ଦରେ ତିଆରି କରି ଦେଇଥାନ୍ତେ । ତେଣୁ ବାଧ୍ୟ ହୋଇ ସେମାନେ ସେଇ ପୁରୁଣା ମସଜିଦ୍‌କୁ ମରାମତି କରିବାକୁ ଠିକ୍ କଲେ । ଅନେକ ଥର ଅନୁମତି ପାଇଁ ସାଇବାବାକୁ ଅନୁରୋଧ କରାଗଲା । ମାତ୍ର ଏଥିରେ ମଧ୍ୟ ସେ ସ୍ଵୀକୃତି ଦେଲେ ନାହିଁ । ଜି. ଆର୍.ଗଣ୍ଡୁ ବୋଲି ଜଣେ ରାଜସ୍ୱବିଭାଗ ଇନ୍‌ସପେକ୍ଟରଙ୍କର ସାଇବାବାଙ୍କ ଦୟାରୁ ପୁଅଟିଏ ହୋଇଥିଲା । ସେ ଦିନେ ହଠାତ୍ ଗାଡ଼ି ଗାଡ଼ି ପଥର ଆଣି ମସ୍‌ଜିଦ୍‌ ବାହାରେ ଜମାକରି ବାବାଙ୍କୁ ଜଣାଇଲେ, ସେ ମସ୍‌ଜିଦ୍‌ର ପୁନଃ ନିର୍ମାଣ ପାଇଁ କାମ ଆରମ୍ଭ କରିବାକୁ ଠିକ୍ କଲେଣି । ବାବା ସେଇ ପଥରରେ କେତୋଟି ହିନ୍ଦୁମନ୍ଦିରର ପୁନରୁଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଲେ । ମାତ୍ର ଗଣ୍ଡୁ ଏହା ନ ମାନି କାମ ଆରମ୍ଭ କରିଦେଲେ । ଶେଷରେ ବାବା ଅନୁମତି ଦେଲେ । ତଥାପି ମଝିରେ ମଝିରେ ସେ ଆସି କଞ୍ଚା କାନ୍ଥଗୁଡ଼ାକ ଠେଲି ଭାଙ୍ଗି ପକାଉଥିଲେ । କେବଳ ରାତିରେ ହିଁ ଚୁପ୍‌ ଚାପ୍‌ କାମ ଚାଲୁଥିଲା, ପୁଣି ସବୁ ରାତିରେ ବି ନୁହେଁ । ବାବା ପାଳିକରି ଗୋଟାଏ ରାତି ମସ୍‌ଜିଦ୍‌ରେ ଓ ଅନ୍ୟ ରାତିଟି ଗୋଟିଏ ଅତିଥିଭବନରେ ଶୁଅନ୍ତି । ଯେଉଁ ରାତିରେ ସେ ଅତିଥିଭବନକୁ ଚାଲିଯାଆନ୍ତି, କେବଳ ସେଇ ରାତିରେ ଯାହା କିଛି କାମ ହୁଏ । ସେ ମସ୍‌ଜିଦ୍‌ ତିଆରି ପାଇଁ ଇସଲାମ ଗଠନ ପ୍ରଣାଳୀ ଉପରେ ଜୋର୍ ଦେଉଥିଲେ । ତଥାପି ଦିନରାତି ଅଲିଭାଧୂନି ଜାଳିବା ପାଇଁ ଗୋଟାଏ ସ୍ଥାନ ନିର୍ଦ୍ଦିଷ୍ଟ ହୋଇଥାଏ । ଏଇ ଧୁନି ଆଗରେ ବସିବା ପାଇଁ ତାଙ୍କ ପାଇଁ ଗୋଟିଏ ଉଚ୍ଚ ଆସନ ବି ନିର୍ମିତ ହେଲା । ଏମିତି ଭାବରେ ପୁରାତନ ଓ ନୂତନର ମିଶ୍ରଣରେ ମସ୍‌ଜିଦ୍‌ଟି ତିଆରି ହୋଇଗଲା-। ସେ ଅନେକ ସମୟରେ ଏହାକୁ ‘ବ୍ରାହ୍ମଣ-ମସ୍‌ଜିଦ୍‌’ ବୋଲି କହନ୍ତି । ତାଙ୍କର ବ୍ରାହ୍ମଣ କହିବା ଅର୍ଥ ହିନ୍ଦୁସମାଜର ଏକ ଜାତି ନୁହେଁ, ‘ବ୍ରାହ୍ମଣ’ ଶବ୍ଦକୁ ସେ ‘ବ୍ରହ୍ମଜ୍ଞାନୀ’ ଅର୍ଥରେ ବ୍ୟବହାର କରୁଥିଲେ-

 

ମସ୍‍ଜିଦ୍ ଆଗରେ ବାବାଙ୍କ ନିର୍ଦ୍ଦେଶରେ ଗୋଟିଏ ‘ତୁଳସୀ ବୃନ୍ଦାବନ’ ତିଆରି ହେଲା । ଏଇଟା ତିନିଫୁଟ ଉଚ୍ଚର ଏକ ତୁଳସୀ ଚଉରା । ମସ୍‌ଜିଦ୍‌ ଭିତରେ ଅନେକଗୁଡ଼ିଏ ଘୋରଣା ଥିଲା-। ବାବା ଏଇ ଘୋରଣାରେ ଗହମ ପେଷି ଅଟା କରିବାରେ ଅନେକ ସମୟ ବ୍ୟୟ କରନ୍ତି । ଏଇଟା ବି ତାଙ୍କର ଗୋଟିଏ ସାଙ୍କେତିକ କାର୍ଯ୍ୟ । ବେଳେ ବେଳେ ମସ୍‌ଜିଦ୍‌ ବାହାରେ ଏକ ପ୍ରକାର ଅଟା ପିଠା ନିଜେ ଚୁଲିରେ ତିଆରି କରି ଲୋକଙ୍କୁ ବିତରଣ କରନ୍ତି ।

 

ସେ ମସ୍‌ଜିଦ୍‌ ଭିତରେ ବା ବାହାରେ ଅନେକଗୁଡ଼ିଏ ପାଣିମାଠିଆ ରଖିଥାନ୍ତି । ଆଗରୁ କୁହାଯାଇଛି, ବାବା ଏଇ ପାଣିମାଠିଆଗୁଡ଼ିକୁ କେମିତି ଭାବରେ ବ୍ୟବହାର କରନ୍ତି; ଆଉ କେତୋଟି ହାଣ୍ଡିରେ ସେ ମାଗି ଆଣିଥିବା ଖାଦ୍ୟପଦାର୍ଥ ରଖନ୍ତି । ଏ ହାଣ୍ଡିଟା ମସ୍‌ଜିଦ୍‌ ବାହାରେ ରଖା ହୋଇଥାଏ । ଝାଡ଼ୁଦାର ସ୍ତ୍ରୀ ଲୋକଟି ସହ କୁକୁର, ବିରାଡ଼ି, ଗୋରୁ ଆଦି ସମସ୍ତେ ସେଥିରୁ ଯାହା ନେବାର ନେଇସାରିଲା ପରେ ସାଇବାବା ଭୋଜନ କରନ୍ତି ।

Image

 

Unknown

ଶକ୍ତି ଓ ସଙ୍କେତ

 

ସଙ୍କେତ କୌଣସି ଧର୍ମ ବା କୌଣସି ଗୁରୁଙ୍କର ଉଦ୍ଭାବନର ବସ୍ତୁ ନୁହେଁ । ବାହ୍ୟଜଗତ ଓ ଅନ୍ତର୍ଜଗତ ଭିତରେ ଯେ ବରାବର ଗୋଟାଏ ସମ୍ପର୍କ ରହିଛି, ସଙ୍କେତ (Symbol) ଦ୍ଵାରା ତାହାହିଁ ସ୍ଵୀକାର କରାଯାଏ । ବାସ୍ତବିକ୍ ଏଇ ଦୃଷ୍ଟିମାନ ସଂସାର ଗୋଟାଏ ଅଦୃଷ୍ଟ, ଅପରିଜ୍ଞାତ ସଂସାରର ପ୍ରତୀକ । ଏଣୁ ପ୍ରତୀକ ବା ସଙ୍କେତକୁ ଉଦ୍‌ଭାବନ କରିବାକୁ ପଡ଼େ ନା–ସେଗୁଡ଼ାକୁ ଖାଲି ଚିହ୍ନିବାକୁ ପଡ଼େ । ପ୍ରକୃତିର ପ୍ରତ୍ୟେକ ବସ୍ତୁ ଓ ପ୍ରତ୍ୟେକ କାର୍ଯ୍ୟକଳାପ ମଧ୍ୟ ସାଙ୍କେତିକ; ଗୋଟାଏ ଗଭୀର ଓ ଉନ୍ନତ ଐଶ୍ଵରିକ କାର୍ଯ୍ୟକଳାପର ପ୍ରତୀକ । ବର୍ଷା ହୁଏ । ସାଧାରଣ ଲୋକଙ୍କ ପାଇଁ ଏହା ସାଧାରଣ ବର୍ଷା; ମାତ୍ର ଅନ୍ତର୍ଦୃଷ୍ଟି ସମ୍ପନ୍ନ ଲୋକ ଏହା ଦେଖି ବିଭୋର ହୋଇଯାଏ । ତା’ର ମନେ ହୁଏ, ପରମେଶ୍ଵର ଅବାରିତ ଭାବରେ ପୃଥିବୀ ଉପରେ, ମଣିଷ ସମାଜ ଉପରେ କୃପାଧାରା, କରୁଣାଧାରା ସିଞ୍ଚନ କରୁଛନ୍ତି । ସମୁଦ୍ର, ଆକାଶ, ନଦୀ, ବୃକ୍ଷଲତା ଏମାନେ ମଧ୍ୟ ଦ୍ରଷ୍ଟା ପକ୍ଷରେ ଚିର ବାଙ୍‌ମୟ ଗୋଟିଏ ସମୂନ୍ନତ ଓ ନିରବଚ୍ଛିନ୍ନ ଐଶ୍ଵରିକ ସମ୍ବନ୍ଧର ପ୍ରତୀକ । ତେଣୁ ଏ ସମସ୍ତ ସଂସାର ହିଁ ଗୋଟିଏ ବିପୁଳ ପ୍ରତୀକ, ଏହାର ପ୍ରତ୍ୟେକ ଅବସ୍ଥାରେ, ପ୍ରତ୍ୟେକ କାର୍ଯ୍ୟକଳାପରେ ଗୋଟାଏ ସାଙ୍କେତିକ ବାର୍ତ୍ତା ଭାସି ବୁଲୁଛି ।

 

ଯଦିଓ ପ୍ରତ୍ୟେକ ଗୁରୁ କିଛି ପ୍ରତୀକ ବ୍ୟବହାର କରନ୍ତି, ସାଇବାବା ଅତିମାତ୍ରାରେ ସଂକେତପ୍ରିୟ ଥିଲେ । ସେ ବିଶେଷ ଭାବରେ ପ୍ରତୀକ ବ୍ୟବହାର କରୁଥିଲେ । ତେଣୁ ତାଙ୍କର ଧର୍ମଶିକ୍ଷା, ତାଙ୍କର କଥା ପ୍ରହେଳିକାଚ୍ଛନ୍ନ ବୋଲି ମନେ ହେଉଥିଲା । ତାଙ୍କର ଅଲୌକିକ କାର୍ଯ୍ୟକଳାପ ଯୋଗୁଁ ଲୋକେ ପାର୍ଥିବ ଦୃଷ୍ଟିରୁ ଲାଭବାନ୍ ତ ହେଉଥିଲେ; କିନ୍ତୁ ତାଙ୍କର ପ୍ରକୃତ ଆଧ୍ୟାତ୍ମିକ ନିର୍ଦ୍ଦେଶ, ଉପଦେଶ ଓ ଲାଭାଲାଭ ଗୁପ୍ତ ରହୁଥିଲା । ଆଗରୁ କୁହାଯାଇଛି, ସାଇବାବା କେମିତି କଥା ନ କହି କାର୍ଯ୍ୟ ମାଧ୍ୟମରେ ଅଧିକାଂଶ ଲୋକଙ୍କୁ ଶିକ୍ଷା ଦେଉଥିଲେ । ଉଦାହରଣ ସ୍ଵରୂପ ଯୀଶୁଖ୍ରୀଷ୍ଟ କହିଲେ, “ତୁମେ ସମାଜର ଦୀନ, ହୀନ ଲୋକଙ୍କ ପ୍ରତି ଯେମିତି ବ୍ୟବହାର କରିବ, ମୋ ପ୍ରତି ଠିକ୍ ବୋଲି ମୁଁ ମନେକରେ ।’’ ମାତ୍ର ସାଇବାବା ଏମିତି କିଛି ନ କହି କାର୍ଯ୍ୟରେ ଦେଖାଇ ଦେଉଥିଲେ । ଥରେ ଜଣେ ସ୍ତ୍ରୀ ଲୋକ ନିଜ ଘରେ ବାବାଙ୍କୁ ଖାଇବାକୁ ନିମନ୍ତ୍ରଣ କଲା । ବାବା ତା’ ନିମନ୍ତ୍ରଣ ରକ୍ଷା କରିବେ ବୋଲି ପ୍ରତିଶ୍ରୁତି ଦେଲେ । ସେ ତା’ର ସବୁ ବିଦ୍ୟା ବୁଦ୍ଧି ଖଟେଇ ଖୁବ୍ ସୁନ୍ଦର କରି ରୋଷେଇ କରି ବାବାଙ୍କୁ ଅପେକ୍ଷା କରି ରହିଲା । ମାତ୍ର ସବୁ ରୋଷେଇ ଠିକ୍ ସରିଲା ବେଳକୁ ଦେଖିଲା ଗୋଟାଏ ବୁଲାକୁକୁର ତା’ ରୋଷେଇଘର ଦ୍ଵାର ମୁହଁରେ । ସେ ବଡ଼ ବିବ୍ରତ ହୋଇ କୁକୁରଟାକୁ ବିରକ୍ତିରେ ପିଟି ନିକାଲି ଦେଲା । ତା’ ପରେ ସାଇବାବାଙ୍କ ପାଖକୁ ଯାଇ ତାଙ୍କୁ ଡାକିଲା । ମାତ୍ର ସାଇବାବା ଗମ୍ଭୀର ସ୍ଵରରେ କହିଲେ, ‘‘ନା, ଯେତେବେଳେ ମୋର ଖାଦ୍ୟ ଦରକାର ଥିଲା, ସେତେବେଳେ ତୁ ତଡ଼ିଦେଲୁ । ଏବେ ମୋର ଆଉ ଦରକାର ନାହିଁ ।’’

 

ଅତି ସାଧାରଣ କଥାରେ ମଧ୍ୟ ସାଇବାବା ଏମିତି ସଙ୍କେତ ବ୍ୟବହାର କରୁଥିଲେ । ଜଣେ ଭଦ୍ରମହିଳା ଗୋଟିଏ ଘଟଣା କହନ୍ତି–ତାଙ୍କୁ ୧୬ ବର୍ଷ ହୋଇଥିଲା ବେଳେ ଥରେ ସେ ସାଇବାବାଙ୍କ ପାଖକୁ ଯାଇଥିଲେ । ଜଣେ ଭକ୍ତ ବାବାଙ୍କୁ ପ୍ରଣାମ କଲାବେଳେ ତା’ ଚଷମା ଖସିପଡ଼ିଲା । ସେଠାରେ ଥିବା କେତେଜଣ କହିଲେ, ବାବାଙ୍କ ପାଦତଳେ ସେଇଟା ପଡ଼ିଯାଇଥିବାରୁ ତାଙ୍କୁ ସେଇଟା ଦେଇଦେବା ଉଚିତ୍ । ମାତ୍ର ସାଇବାବା ସଙ୍ଗେ ସଙ୍ଗେ କହିଲେ, “ମୋର ବି ଗୋଟାଏ ଚଷମା ଅଛି, ତାର ଦାମ୍ ୪୦ ଟଙ୍କା ।’’ ପୂର୍ବୋକ୍ତ ଭଦ୍ରମହିଳା ବାବାଙ୍କ ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତେ ଜାଣନ୍ତି ଯେ, ସାଇବାବା ଚଷମା ପିନ୍ଧନ୍ତି ନାହିଁ । ଏହାର ଅର୍ଥ ତାହାହେଲେ କ’ଣ ? ଏହାର ଅର୍ଥ ହେଲା, ସାଇବାବା ସିଦ୍ଧିଲାଭ କରିଛନ୍ତି ଏବଂ ସେ ୪୦ ବର୍ଷ ତଳୁ ତାହା ପାଇଲେଣି ।

 

କୌଣସି ରୋଗ ଭଲ କରିବାବେଳେ ବାବା ଏମିତି ସାଙ୍କେତିକ ଭାଷା କହୁଥିଲେ । ଆଗରୁ ଆମେ ଶୁଣିଚେ, ସେ କେମିତି ଜଣେ ଭକ୍ତକୁ ସନ୍ତାନ ଲାଭପାଇଁ ଚାରିଟା ଆମ୍ବ ଦେଇ କହିଲେ, “ୟାକୁ ଖାଇ ମୃତ୍ୟୁବରଣ କର ।’’ ଥରେ ତାଙ୍କର ଜଣେ ଭକ୍ତ ଦେଶପାଣ୍ଡେ ସାପକାମୁଡ଼ାରେ ଆହତ ହେଲେ । ସେ ଆତଙ୍କରେ ସିଧା ମସ୍‌ଜିଦ୍‌କୁ ଦୌଡ଼ିଲେ । ସେ ଯେତେବେଳେ ମସ୍‌ଜିଦ୍‌ର ପାହାଚ ପାଖରେ ପହଞ୍ଚିଲେ, ସାଇବାବା ଉପରେ ଥାଇ ପାଟିକଲେ, “ଉପରକୁ ଆସ ନା ବ୍ରାହ୍ମଣ, ଫେରିଯା, ତଳକୁ ଓହ୍ଲାଇଯା– ।’’ ମୃତ୍ୟୁର ଆତଙ୍କରେ ମଧ୍ୟ ଦେଶପାଣ୍ଡେ ସାଇବାବାଙ୍କ କଥା ଅମାନ୍ୟ କରିବାକୁ ସାହସ କଲେ ନାହିଁ । ସେଇଠି ଚୁପ୍ ହୋଇ ଠିଆହୋଇ ରହିଲେ; କିଛି ସମୟପରେ ସାଇବାବା ଧୀର ଶାନ୍ତସ୍ଵରରେ କହିଲେ, “ଏଥର ଉପରକୁ ଆ, ଫକୀର ତୋ ପ୍ରତି ଦୟା ଦେଖାଇବେ । ଏଥର ତୁ ଭଲ ହୋଇଯିବୁ ।’’ ଆଗରୁ କହିଛି, ବାବା ଭଗବାନଙ୍କୁ ଫକୀର ବୋଲି କହୁଥିଲେ । ଦେଶପାଣ୍ଡେ ପରେ ବୁଝିଲେ, ସାଇବାବା ତାଙ୍କୁ ଉପରକୁ ଆସନା ବୋଲି କହି ନଥିଲେ । ତାଙ୍କ ଦେହରେ ଚରି ଯାଉଥିବା ବିଷକୁ ସେ ତଳକୁ ଖସିଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

ବେଳେ ବେଳେ ବାବା ଗପ ସାହାଯ୍ୟରେ ଉତ୍ତର ଦିଅନ୍ତି । ଭକ୍ତକୁ ସେ କାହାଣୀ ଭିତରୁ ତାର ଦରକାରୀ ଉତ୍ତରଟା ଖୋଜି ନେବାକୁ ପଡ଼େ । ଗୋଟାଏ କାହାଣୀ ଶୁଣିବା ।

 

“ଥରେ ଦଳେ ଚୋର ଆସି ମୋ’ଠାରୁ ଟଙ୍କାପଇସା ଛଡ଼ାଇ ନେଲେ । ମୁଁ ସେମାନଙ୍କୁ କିଛି ନ କହି ଚୁପ୍‌ଚାପ୍‍ ସେମାନଙ୍କ ପଛେ ପଛେ ଚାଲିଲି । କିଛି ସମୟ ପରେ ସେମାନଙ୍କୁ ମାରି ମୁଁ ମୋ’ ଟଙ୍କା ଫେରାଇ ଆଣିଲି ।’’ ଟଙ୍କା ପଇସା ଅର୍ଥ ପୂର୍ଣ୍ଣତମ ଅବସ୍ଥାରେ ଥିବା ମନୁଷ୍ୟର, ଅର୍ଥାତ୍ ସର୍ବପ୍ରଥମ ମଣିଷ, ଧର ଆଭାଷର ସ୍ଵାଭାବିକ ଚରିତ୍ର । ଚୋର ଦଳ ହେଲେ ମଣିଷର ଅସରା ଆଶା ଓ ଆକାଂକ୍ଷା । ସେମାନଙ୍କୁ ମାରି ସମ୍ପଦ ଉଦ୍ଧାର କରିବା ଅର୍ଥ ସବୁ ଆଶା ଆକାଂକ୍ଷାର ବିନାଶ ସାଧନ କରି ମଣିଷର ଶ୍ରେଷ୍ଠ ସମ୍ପଦ ଆତ୍ମଜ୍ଞାନ ଲାଭ କରିବା । ଆଉ ଗୋଟାଏ କାହାଣୀ–

 

“ଜଣେ ଲୋକର ଖୁବ୍ ସୁନ୍ଦର ଘୋଡ଼ାଟାଏ ଥିଲା । ମାତ୍ର ଯେତେ ଚେଷ୍ଟା କଲେ ସୁଦ୍ଧା ଘୋଡ଼ା ପିଠିରେ ଜିନ୍ ଲଗାଇ ସେ ତାକୁ ଆଦୌ ମଣ କରିପାରିଲା ନାହିଁ । ଜଣେ ଘୋଡ଼ା–ବିଶେଷଜ୍ଞ ଉପଦେଶ ଦେଲେ, ଯେଉଁଠୁ କିଣାଯାଇଛି, ଘୋଡ଼ାକୁ ସେଠାକୁ ନେଇଯିବା ଉଚିତ । ତାହାହିଁ ହେଲା, ତା’ପରେ ଯାଇ ଘୋଡ଼ା ବଶ ହେଲା ।’’ ଏଠାରେ ଘୋଡ଼ା ହେଲା ‘ଅହଂତ୍ଵ’ । ମଣିଷ ଦେହର ଓ ମନର ସେନାପତି ଭାବରେ ଏଇ ‘ଅହଂ’ ବେଶ୍ ଦରକାରୀ; କିନ୍ତୁ ଏ ସେନାପତିଟା ନିତାନ୍ତ ମନୁଆ; ଏଣୁ ବରାବର କିଛି ନା କିଛି ଗଣ୍ଡଗୋଳ ଲଗାଏ । ଘୋଡ଼ାକୁ କିଣାହେବା ସ୍ଥାନକୁ ନେଇଯିବା ଅର୍ଥ ଏକ ‘ଅହଂତ୍ଵ’କୁ ତା’ର ଜନ୍ମସ୍ଥାନ ‘ଆତ୍ମସତ୍ତା’ ଠାରେ ପହଞ୍ଚାଇ ଦେବା । ଫଳରେ ଘୋଡ଼ାଟା ସଂପୂର୍ଣ୍ଣ ଭାବରେ କରାୟତ ହୋଇଚାଲେ । ଅହଂତ୍ଵ’ ‘ଅହଂ’ ଶୂନ୍ୟ ହୋଇ ସେ ଆତ୍ମସତ୍ତାରେ ବିଲୀନ ହୋଇ ତା’ର ବୋଲମାନେ । ଯୀଶୁଖ୍ରୀଷ୍ଟ ବି କହୁଥିଲେ, ପ୍ରତ୍ୟେକ ଲୋକ ତା’ ମାତୃଗର୍ଭକୁ ଫେରିଯାଇ ପୁଣି ଜନ୍ମନେବା ଉଚିତ । ଭଗବାନ ରମଣ ମହର୍ଷି ମଧ୍ୟ କହୁଥିଲେ, “ତୁ ଯେଉଁଠାରୁ ଆସିଛୁ, ସେଠାକୁ ଫେରି ଯା ।’’ ଏହି ଜନସ୍ଥାନକୁ ପ୍ରତ୍ୟାବର୍ତ୍ତନ ହିଁ ମଣିଷକୁ ଅମୃତମୟ ଓ ଆଲୋକମୟ କରେ । ସେ ଅବସ୍ଥାରେ ‘ଅହଂ’ ଗୋଟାଏ ଚିନ୍ମୟ ପ୍ରତିଭୂରେ ରୂପାନ୍ତରିତ ହୋଇଯାଏ ।

 

ସାଇବାବା ଥରେ ଜଣେ ସ୍ତ୍ରୀ ଲୋକକୁ କହିଲେ ‘ଆକାଶରେ ଏବେ ମେଘ ଅଛି । ବର୍ଷା ବି ହେବ । ବିଲରେ ଶସ୍ୟ ପାଚିବ । ତା’ପରେ ମେଘ ଚାଲିଯିବ । ତୁ ଡରୁଛୁ କାହିଁକି ?”

 

‘ମେଘାଚ୍ଛନ୍ନ ଆକାଶ’ ଅର୍ଥ ଅଜ୍ଞାନ ଅନ୍ଧକାର ଦ୍ଵାରା ଆଚ୍ଛାଦିତ ଉକ୍ତ ସ୍ତ୍ରୀ ଲୋକ । ତା’ ଜୀବନରେ ଯେତେ ଦୁଃଖ, କଷ୍ଟ ଆସିବ, ତାହାହିଁ ବର୍ଷା । ପରମେଶ୍ଵରଙ୍କ କରୁଣା ତା’ ହୃଦୟରେ ଥିବା ଈଶ୍ଵରପ୍ରେମକୁ ବର୍ଦ୍ଧିତ ଓ ପରିପକ୍ଵ କରିବ, ତା’ ହୃଦୟରେ ଆଧ୍ୟାତ୍ମିକ ଶ୍ରଦ୍ଧାର ବୀଜ ମଧ୍ୟ ବଢ଼ି ଶେଷରେ ପାଚିବ–ଆତ୍ମାର ଅନ୍ଧକାର ଧୀରେ ଧୀରେ ଅପସରି ଯାଇ ଆଲୋକ ଓ ଆନନ୍ଦ ଆନୟନ କରିବ ।

 

ବେଳେ ବେଳେ ସାଇବାବା ଏମିତ ଅଦ୍ଭୁତ ଉତ୍ତର ଦିଅନ୍ତି, ଶୁଣିବା ଲୋକର ମନେହେବ, ବାବାଙ୍କ ଉତ୍ତର ସହ ତା’ ନିଜର କିଛି ସମ୍ପର୍କ ନାହିଁ । ତା’ ପାଇଁ ଏହା ନିରର୍ଥକ । ଥରେ ଜଣେ ଲୋକ ବାବାଙ୍କର ଫଟୋ ନେବାକୁ ଆସିଲା । ବାବା କହିଲେ, “ମୋ ଫଟୋ ନେବା ଦରକାର ନାହିଁ । ସେ ଯଦି କାନ୍ଥଟାକୁ ଭାଙ୍ଗି ଦେଇପାରିବ ତେବେ ତାହା ହିଁ ଯଥେଷ୍ଟ ହେବ ।” ନିରର୍ଥକ ଫଟୋଗ୍ରାଫର୍‍ ଏଥିରୁ କ’ଣ ରୁଝିବ ? ସାଇବାବା ଯାହା କହିଲେ, ତା’ର ଅର୍ଥ ହେଲା, ପ୍ରତ୍ୟେକ ଲୋକର ଆତ୍ମସତ୍ତାରେ ସାଇବାବା ବିଦ୍ୟମାନ, ମାତ୍ର ଲୋକ ତାହା ଜାଣିପାରୁନି, କାରଣ ସେ ଏ ଶରୀରଟାକୁ ‘ମୁଁ’ ବୋଲି ଭାବୁଛି । ‘ମୁଁ ଏହି ଶରୀର’ ଏଇ ଅହଙ୍କାର ରୂପକ କାନ୍ଥଟାକୁ ଭାଙ୍ଗିଦେଇ ପାରିଲେ ଫଟୋଗ୍ରାଫର୍ ତାର ଅନ୍ତରାଳରେ ଥିବା ନିଜର ପ୍ରକୃତ ସତ୍ତା ଉପଲବ୍‍ଧି କରିପାରିବ ଓ ସାଇବାବାଙ୍କୁ ଚିରଦିନ ପାଇଁ ଅନ୍ତରରେ ସ୍ଥାପନ କରିପାରିବ । ବାବାଙ୍କର ଶରୀର ନୁହେଁ, ତାଙ୍କ ଆତ୍ମାର ଏକ ଅମ୍ଳାନ ଫଟୋ ସେ ଧରି ରଖିପାରିବ ।

 

ବାବାଙ୍କର ଆଉ ଏକ ବିଶେଷତ୍ଵ ହେଲା, ସେ କୌଣସି ପ୍ରଶ୍ନର ଉତ୍ତର ସିଧା ନିଜେ ନ ଦେଇ ଅନ୍ୟ ପାଖକୁ ପ୍ରଶ୍ନକର୍ତ୍ତାକୁ ପଠାଇ ଦେଉଥିଲେ କିମ୍ବା ପରୋକ୍ଷ ଭାବରେ ଉତ୍ତର ଦେଉଥିଲେ । ମାଧବ ବୁଆ ବୋଲି ଜଣେ ଲୋକ ଏମିତି ଗୋଟାଏ କଥା କହେ । ସେ ଥରେ ବାବାଙ୍କ ଆଗରେ ବସିଥିବା ବେଳେ ମନେ ମନେ ଭାବୁଥିଲା, ସବୁ ପ୍ରକାର ଜାତିଗତ ବିଭାଗର ଉର୍ଦ୍ଧ୍ୟରେ ଥିବା ଏମିତି ଗୋଟିଏ ଲୋକର ଆଚାର, ବ୍ୟବହାର, ପ୍ରକୃତି ତାକୁ କେମିତି ଚିହ୍ନିପାରିବ, ଏଇ ବିଷୟରେ ବାବା ତାକୁ ଟିକେ ବୁଝାଇ ଦେଲେ ଭଲ ହୁଅନ୍ତା । ବାବା ହଠାତ୍ ତା ଆଡ଼କୁ ଚାହିଁ ଦୀକ୍ଷତ୍ (ଜଣେ ଭକ୍ତ) ସହ ଶାସ୍ତ୍ରାଲୋଚନା କରିବାକୁ ନିର୍ଦ୍ଦେଶ ଦେଲେ । ସେ ଲୋକଟି ସଙ୍ଗେ ସଙ୍ଗେ ଦୀକ୍ଷିତ୍ ପାଖକୁ ଗଲା । ସେତିକିବେଳେ ଦୀକ୍ଷିତ୍ ଗୋଟାଏ ଅନୁଚ୍ଛେଦ ପଢ଼ୁଥିଲେ ଏବଂ ସେଥିରେ ଥିଲା ଏଇ ଲୋକଟିର ପ୍ରଶ୍ନର ସମ୍ପୂର୍ଣ୍ଣ ଉତ୍ତର । ଅନେକ ଭକ୍ତ ଠିକ୍ ଏମିତି ଅନେକ କାହାଣୀ କହନ୍ତି । ବାବା ସେମାନଙ୍କୁ ଏମିତି ଜଣେ ଜଣେ ଲୋକ ପାଖକୁ ପଠାଇ ଦିଅନ୍ତି, ଯିଏ ସେମାନଙ୍କ ମନର ସନ୍ଦେହ ମୋଚନ କରୁଥିବା ଗୋଟାଏ କିଛି ପଢ଼ୁଥାନ୍ତି ବା ସେ ବିଷୟରେ କିଛି ଆଲୋଚନା କରୁଥାଆନ୍ତି ।

 

ଅନ୍ୟ ଏକ ଉପାୟରେ ବାବା ସଙ୍କେତ ବ୍ୟବହାର କରନ୍ତି । ପ୍ରଫେସର ନାର୍‌କେ କହନ୍ତି, “ବାବାଙ୍କର ଆଉ ଗୋଟାଏ ବିଶେଷତ୍ଵ ହେଲା, ଦଳେ ଲୋକଙ୍କ ଭିତରୁ ସେ ନିର୍ଦ୍ଦିଷ୍ଟ ଲୋକଙ୍କୁ ଲକ୍ଷ୍ୟ କରି ଏମିତି ଭାବରେ କହନ୍ତି ଯେ ଅନ୍ୟମାନେ ସେଥିରୁ ଟିକିଏ ହେଲେ ବୁଝିପାରନ୍ତି ନାହିଁ; ମାତ୍ର ଲୋକଟି ତାହା ବୁଝିଯାଏ । ଆଉ ଗୋଟାଏ ବିଚିତ୍ର କଥା ହେଲା, ସାମାନ୍ୟ କେତୋଟି କଥାଦ୍ଵାରା ବା କିଛି କାର୍ଯ୍ୟ ସାହାଯ୍ୟରେ ବାବା ଏକକାଳୀନ ଏକାଧିକ ଲୋକଙ୍କ ମନୋଗତ ପ୍ରଶ୍ନର ଉତ୍ତର ଦେଇପାରନ୍ତି ବା ସେମାନଙ୍କୁ ତାଙ୍କର ଅଭୀଷ୍ଟ ପ୍ରଦାନ କରିପାରନ୍ତି ।’’ ପ୍ରଫେସର ନାର୍‌କେ ଆହୁରି କହନ୍ତି, “ଜଣେ ଯଦି ବାବାଙ୍କୁ ଗଭୀର ଭାବରେ ଅନୁଧ୍ୟାନ କରେ, ତା’ ଆଗରେ ଗୋଟାଏ ଚମତ୍କାର କଥା ଅତି ପରିଷ୍କାର ହୋଇଯିବ ଯେ, ବାବା ଏଇ ପୃଥିବୀରେ ରହି ଏକ ସୂକ୍ଷ୍ମ ଜଗତରେ ସୂକ୍ଷ୍ମ ଶରୀରରେ ପ୍ରତି ନିୟତ ବିଚରଣ କରୁଛନ୍ତି । ଯେଉଁମାନେ ତାଙ୍କୁ ଚିହ୍ନି ନ ଥାନ୍ତି, ବାବାଙ୍କର କଥାଗୁଡ଼ାକ ପାଗଳର ପ୍ରଳାପ ବୋଲି ସେମାନଙ୍କର ମନେହୁଏ । ବାବାଙ୍କର ଭାଷା ଅତି ମାତ୍ରାରେ ସାଙ୍କେତିକ, ଉପମା, ପ୍ରତୀକ, ରୂପକ ଓ ସାନ ସାନ ଗପରେ ପରିପୂର୍ଣ୍ଣ ।’’ ଆମେ ତାହାର କେତୋଟି ଉଦାହରଣ ବି ଦେଖି ସାରିଲୁଣି ।

 

ପ୍ରଫେସ ନାର୍‌କେଙ୍କ ସହ ଆହୁରି ଅନେକ ମଧ୍ୟ ଦୃଢ଼ ବିଶ୍ଵାସ କରନ୍ତି ଯେ, ମୃତ ଓ ଜୀବନ୍ତ ଉଭୟ ରାଜ୍ୟକୁ ନିୟନ୍ତ୍ରଣ କରିବା ଓ ନିର୍ଦ୍ଦେଶ ଦେବାର କ୍ଷମତା ସାଇବାବାଙ୍କର ଥିଲା । ଆହୁରି ଅନେକ ବିଶ୍ୱାସ କରୁଥିଲେ ଯେ, ବାବା ଏକ ଅତି ଉନ୍ନତ ଆଧ୍ୟାତ୍ମିକ ରାଜ୍ୟର ଉତ୍ତରାଧିକାରୀ ଥିଲେ ଏବଂ ନିଜ ଇଚ୍ଛାନୁସାରେ ସୂକ୍ଷ୍ମ ଶରୀରରେ ବିଚରଣ କରୁଥିଲେ । ବାବାଙ୍କ ମସ୍‌ଜିଦ୍‍ ପାଖରେ ଏକ ମାଟିଘରେ ଜଣେ ସ୍କୁଲ ଶିକ୍ଷକ ରହୁଥିଲେ । ସେ କହନ୍ତି, ରାତିରେ ଅନେକ ସମୟରେ ସେ ଭାରତୀୟ ଭାଷା ଓ ଏମିତି କି ଇଂରେଜୀ ଭାଷାରେ ମଧ୍ୟ ଅବୋଧ୍ୟ କଥାବାର୍ତ୍ତା ସବୁ ଶୁଣନ୍ତି । ଏହା କହିବା ବାହୁଲ୍ୟ, ସାଇବାବା ଇଂରେଜୀର ବିନ୍ଦୁ ବିସର୍ଗ ବି ଜାଣି ନ ଥିଲେ । ବାହ୍ୟ ଦୃଷ୍ଟିରେ ସେ କେବେ ସିର୍‌ଡ଼ି ଛାଡ଼ି ଯାଆନ୍ତି ନାହିଁ । ମାତ୍ର କୈଣସି ଭକ୍ତ ସାଇବାବାଙ୍କୁ ତା’ ଘରକୁ ଯିବାକୁ ଡାକିଲେ ସେ କହନ୍ତି, “ହଁ ଯିବି, ତୁ ଯା । କୌଣସି ସ୍ଥାନକୁ ଯିବାକୁ ମୋର ଗାଡ଼ିଘୋଡ଼ା ଦରକାର ହୁଏ ନା ।”

 

ପ୍ରଫେସରଙ୍କ କଥାରେ “ବାବା ଅନେକ ସମୟରେ ସୂକ୍ଷ୍ମ ଶରୀରରେ ଦୂରତା ଓ ସମୟ ଅତିକ୍ରମ କରି ଭକ୍ତଙ୍କ ପାଖକୁ ଯାଆନ୍ତି । ସେ ନିଜେ ଏକଥା ଆମକୁ କହନ୍ତି । ସକାଳେ ଧୂନିପାଖରେ ଶିଷ୍ୟ ପରିବେଷ୍ଟିତ ହୋଇ ବସିଥିଲା ବେଳେ ସେ ଗତରାତିରେ କେଉଁଠାକୁ ଯାଇ କଣ କରିଥିଲେ ସେ କଥା କହନ୍ତି । ଯେଉଁମାନେ ମସ୍‌ଜିଦ୍‌ରେ ବା ପୂର୍ବୋକ୍ତ ବିଶ୍ରାମଭବନରେ ବାବାଙ୍କୁ ଜଗି ଶୋଇଥାନ୍ତି, ସେମାନେ କହନ୍ତି ଯେ, ବାବା ସାରାରାତି ସେଠାରେ ଶୋଇଥିଲେ । ମାତ୍ର ସାଇବାବାଙ୍କ କଥା ଆକ୍ଷରିକ ଭାବରେ ଯେ ସତ୍ୟ ତାହା ଅନେକ ଥର ପ୍ରମାଣିତ ହୋଇଯାଇଛି । ଗୋଟାଏ ଅଦୃଶ୍ୟ ଶକ୍ତି ରୂପେ ଦୂରତା ଓ ସମୟ ଅତିକ୍ରମ କରି କାଳକୁ ଉପେକ୍ଷା କରି ଆଧ୍ୟାତ୍ମିକ ରାଜ୍ୟରେ ବିଚରଣ କରିବା ଓ ତାକୁ ନିୟନ୍ତ୍ରଣ କରିବା, ଅତୀତ ଓ ଭବିଷ୍ୟତ କଥା ଲୋକଙ୍କୁ କହିବା ସାଇବାବାଙ୍କର ଗୋଟାଏ ଅଦଭୂତ ବିଶେଷତ୍ଵ । ଏହା ତାଙ୍କ ପ୍ରକୃତ ପରିଚୟର ଏକାଂଶ । ମୁଁ ସାଇବାବା କହିବାର ଶୁଣିଛି, “ମୁଁ କେଉଁଠି ରହେ ? ଏ ପୃଥିବୀଟା ବା କେଉଁଠି ? “ତା ପରେ ନିଜ ଦେହକୁ ଦେଖାଇ କହନ୍ତି, “ଏଇଟା ମୋ ଘର, ମାତ୍ର ମୁଁ ଏଠାରେ ନାହିଁ । ମୋ ଗୁରୁ ମତେ ନେଇ ଯାଇଛନ୍ତି ।” ରକ୍ତମାଂସର ଶରୀର ଧରି ମଧ୍ୟ ସେ ଏହାର ଅତୀତ । ତାଙ୍କର ଏ ଶରୀରରେ ଜୀବନ ଥାଏ । ତଥାପି ସେ ଉଭୟତ୍ର ଏକ ସମୟରେ ବିହାର କରନ୍ତି । ସାଇବାବା କେବେହେଲେ ମିଥ୍ୟା କହୁ ନ ଥିଲେ ବା ନିରର୍ଥକ ପ୍ରହେଳିକା ସୃଷ୍ଟି କରୁ ନ ଥିଲେ । ଯେଉଁମାନେ ତାଙ୍କୁ କିଛି ବୁଝିପାରିଲେ କେବଳ ସେଇମାନେ ହିଁ ତାଙ୍କ କଥା ଓ କାର୍ଯ୍ୟ ଅର୍ଥ ଜାଣି ପାରୁଥିଲେ ।

 

ବାବାଙ୍କର ଏ ଭ୍ରମଣ ବିଷୟରେ ଦୁଇଟା କାହାଣୀ ଶୁଣିବା । ଜଣେ ଭକ୍ତ ଏହି ଘଟଣାଟି କହୁ କହୁ ତା’ ଆଖିରୁ ଲୁହ ବହି ଯାଉଥିଲା–

 

‘ମୋ ପ୍ରତି ବାବାଙ୍କର କରୁଣା ଅସୀମ । ମୋ ସ୍ୱାମୀ କେବେହେଲେ ତାଙ୍କୁ ଦେଖିବାକୁ ଯାଉ ନ ଥିଲେ । ତଥାପି ତାଙ୍କ ପ୍ରତି ବାବାଙ୍କର ମଧ୍ୟ ବହୁତ ଦୟା ଥିଲା । ୧୯୦୯ରେ ମୋ ସ୍ଵାମୀ ଜଣେ ଇଞ୍ଜିନିୟର ଭାବରେ ପନ୍ଧାରପୁରଠାରେ ଗୋଟିଏ ପୋଲ ତିଆରି କରିବାରେ ନିଯୁକ୍ତ ଥିଲେ । ସେ ସେଠାରେ ଥିଲାବେଳେ ମୁଁ ସିର୍‌ଡ଼ି ଯାଇ ବାବାଙ୍କୁ ସେବା କରୁଥିଲି । ଦିନେ ମୋତେ ବାବା କହିଲେ, ମୁଁ ପନ୍ଧାରପୁର ଫେରିଯିବା ଉଚିତ । ସେ ପୁଣି ମତେ ସଙ୍ଗେ ସଙ୍ଗେ ଫେରିଯିବାକୁ ବାଧ୍ୟ କଲେ ଏବଂ କହିଲେ ସେ ନିଜେ ମୋ ସାଙ୍ଗରେ ଯିବେ । ଏଣୁ ଏକାକୀ ଏତେ ବାଟ ଗାଡ଼ିରେ ଯିବାକୁ ମୋତେ କିଛି ଅସୁବିଧା ହେବ ନାହିଁ । ସଙ୍ଗେ ସଙ୍ଗେ ବାହାରି ପଡ଼ିଲି । ମାତ୍ର ସେଠାରେ ଯେ କ’ଣ ଘଟିଛି, ସେ କଥା ଜାଣି ନ ଥିଲି । ସେଠାରେ ପହଞ୍ଚି ଶୁଣିଲି, ମୋ ସ୍ୱାମୀ କାର୍ଯ୍ୟରୁ ଇସ୍ତଫା ଦେଇ ବମ୍ବେ ଚାଲିଗଲେଣି; ଏହା ଶୁଣି ମୁଁ ହତବାକ୍ ହୋଇଗଲି । ଏକଥା ମୁଁ ଆଦୌ ଆଶଙ୍କା କରି ନ ଥିଲି । ମୋ ସହ ଦୁଇଜଣ ସାଥି ଥିଲେ । ଟଙ୍କା ପଇସା ବି ଅଳ୍ପ ଥିଲା । ମୋ ପାଖରେ ଯାହା ବି ଥିଲା ସେଥିରେ ଆମେ କରଦୱାଡ଼ି ଷ୍ଟେସନ ପର୍ଯ୍ୟନ୍ତ ଯାଇପାରନ୍ତୁ । ଆଉ କିଛି ଉପାୟ ନ ପାଇ ଆମେ ସେଇ ଷ୍ଟେସନ ପର୍ଯ୍ୟନ୍ତ ଯାଇ ସେଠାରେ ଓହ୍ଲାଇଲୁ । ଷ୍ଟେସନରେ ପହଞ୍ଚି ମୁଁ ନିତାନ୍ତ ବିବ୍ରତ ହୋଇ କ’ଣ କରିବି ବୋଲି ଭାବୁଚି, ଜଣେ ଫକୀର ଆମ ଆଗକୁ ଆସି ମତେ କ’ଣ ପଚାରିଲେ । ମାତ୍ର ମୁଁ ତାଙ୍କୁ ଏଡ଼ାଇ ଦେଲି । ଫକୀର ତା’ପରେ ମତେ କହିଲେ ମୋ ସ୍ଵାମୀ ଧୋଣ୍ଡଠାରେ ଅଛନ୍ତି । ଆମେ ସେଠାକୁ ଯିବା ଉଚିତ । ମୁଁ କହିଲି, ମୋ ପାଖରେ ତ ପଇସାଟିଏ ନାହିଁ, ଟିକଟ କରିବି କିମିତି ? ସଙ୍ଗେ ସଙ୍ଗେ ଉକ୍ତ ଫକୀର ଧୋଣ୍ଡ ପର୍ଯ୍ୟନ୍ତ ତିନୋଟି ରେଳଟିକେଟ ମୋ ହାତକୁ ବଢ଼ାଇ ଦେଲେ । ମୁଁ ଗାଡ଼ି ଚଢ଼ିଲି ।

 

ଏହି ସମୟରେ ଧୋଣ୍ଡଠାରେ ମୋ ସ୍ଵାମୀ ଚାହା ପିଆସାରି କ’ଣ କରିବି ବୋଲି ବସି ଭାବୁଥାନ୍ତି, ଜଣେ ଫକୀର ତାଙ୍କ ପାଖକୁ ଆସି କହିଲେ, ‘ଆରେ ତୁ ମୋ ମା’କୁ ଏମିତି ଅବହେଳା କରୁଛୁ କାହିଁକି ? ସେ ଏଇ ଆର ଗାଡ଼ିରେ ଅମୁକ ନମ୍ବର କମ୍ପାଟମେଣ୍ଟରେ ଆସୁଛି ।

 

ସେ ଆଶ୍ଚର୍ଯ୍ୟ ହୋଇଗଲେ । ଟିକେ ରାଗିପାଇ ପାଟି କଲେ, “ଆଃ, କାହିଁକି ମତେ ଆସି ବିରକ୍ତ କରୁଛ ?” ମାତ୍ର ତା’ପରେ ଫକୀର ଉଭାନ୍ । ମୁଁ ଯେତେବେଳେ ଗାଡ଼ିରୁ ଓହ୍ଲାଇଲି, ଦେଖିଲି ମୋ ସ୍ଵାମୀ ଷ୍ଟେସନ୍‌ରେ ମତେ ଅପେକ୍ଷା କରିଛନ୍ତି । ଆମକୁ ସେ ତାଙ୍କର ନୂଆ ବସାଘରକୁ ନେଇଗଲେ । ସେ ଫକୀରଙ୍କ କଥା କହିଲେ ଏବଂ ସାଇବାବାଙ୍କର ଗୋଟିଏ ଫଟୋ ଦେଖିବାକୁ ମାଗିଲେ । ଫଟୋ ଦେଖି ସେ ସଙ୍ଗେ ସଙ୍ଗେ ଜାଣିପାରିଲେ, ନିଜେ ସାଇବାବା ତାଙ୍କ ପାଖକୁ ଆସିଥିଲେ ଫକୀର ବେଶରେ ।’’

 

ଏସ୍. ବି. ନାଚ୍‌ନେ ଆଉ ଗୋଟିଏ ଘଟଣା ବର୍ଣ୍ଣନା କରିଛନ୍ତି ।

 

୧୯୦୯ରେ କେତୋଟି ଘଟଣା ଘଟିଲା ଯାହା ସହ ସାଇବାବାଙ୍କର କୌଣସି ସମ୍ପର୍କ ଥିଲାପରି ମନେ ହେଉ ନ ଥିଲା । ବମ୍ବେର ବାଜେକର୍‍ ହସ୍‌ପିଟାଲରେ ମୋ ବଡ଼ ଭାଇଙ୍କର ଗୋଟାଏ ଅସ୍ତ୍ରଚିକିତ୍ସା ହେଉଥିଲା । ଆମେ ସମସ୍ତେ ସେ ବିଷୟରେ ଉଦ୍‌ବିଗ୍ନ ଥିଲୁ । ମୁଁ ସେତେବେଳେ ବମ୍ବେଠାରୁ ଦୂରରେ ଥିଲି । ଯେଉଁଦିନ ଅସ୍ତ୍ରଚିକିତ୍ସା ହେବାର ଥିଲା, ସେଦିନ ଜଣେ ସାଧୁ ଆସି ଆମକୁ ଖଣ୍ଡେ ରୁଟି ମାଗିଲେ । ଆମେ ତାଙ୍କୁ ଘରକୁ ଡାକି ନେଇ ଖାଇବାକୁ ଦେଲୁ । ମୋ ଭଉଣୀ ଯାହା ରାନ୍ଧିଥିଲା, ସବୁ ପରଶିଲା; ମାତ୍ର ସାଧୁଙ୍କୁ ଭେଣ୍ଡିଭଜା ଦେବା ଉଚିତ ନୁହେଁ ବୋଲି ଭାବି ତାହା ଦେଲାନି । ମାତ୍ର ସାଧୁ ନିଜେ ଭେଣ୍ଡିଭଜା ମାଗି ଖାଇଲେ । ଫେରିଗଲା ବେଳେ ସେ ଆମକୁ କଲ୍ୟାଣ କଲେ ଏବଂ କହିଲେ ମୋ ଭାଇଙ୍କର ଅସ୍ତ୍ରଚିକିତ୍ସା ଖୁବ୍ ସଫଳ ହୋଇଛି ।

 

ସେଇଦିନ ମୋର ଜଣେ ବନ୍ଧୁ ଏଚ୍‌. ଏମ୍. ପାନ୍‌ସେ ମତେ କହିଲେ, ସାଇବାବାଙ୍କ ଦୟାରୁ ଅପରେଶନ୍‌ଟା ସଫଳ ହେବ ବୋଲି ସେ ଆଶା କରୁଥିଲେ । ସେଇଥର ମୁଁ ପ୍ରଥମେ ସାଇବାବାଙ୍କ କଥା ଶୁଣିଲି ।

 

ଉପରଓଳି ବାପା ଡାକ୍ତରଖାନାରୁ ଫେରି କହିଲେ, ଅପରେଶନ୍ ଠିକ୍ ହୋଇଛି । ଅପରେଶନ୍‌ରେ କିଛି ଅସୁବିଧା ହୋଇ ନ ଥିଲା । ଅପରେଶନ୍ ପରେ ଜଣେ ସାଧୁ ଡାକ୍ତରଖାନାରେ ପହଞ୍ଚି ଭାଇଙ୍କର ଅପରେଶନ୍ ହୋଇଥିବା ସ୍ଥାନ ଓ ସାରା ଦେହ ଉପରେ ହାତ ବୁଲାଇ କହିଲେ, ସବୁ ଠିକ୍ ହୋଇଯିବ । ଭାଇ ବେଶ୍ ଚଞ୍ଚଳ ଭଲ ହୋଇଗଲେ ।

 

ତା’ପରେ ୧୯୧୨ରେ ମୁଁ ପ୍ରଥମେ ସିର୍‌ଡ଼ିକୁ ଗଲି । ମୁଁ ସେଠାରେ ରହିଥିବା ବେଳେ ସାଇବାବା ମୋ ବିଷୟରେ ଏବଂ ମୋ ପରିବାର ବିଷୟରେ ଖୁବ୍ ଶ୍ରଦ୍ଧା ପ୍ରକାଶ କଲେ । ଦୀକ୍ଷିତ୍, ଜଗ୍ ଏବଂ ଦାବୋଲକର୍‌ ନାମରେ ତିନିଜଣ ପୁରୁଣା ଭକ୍ତଙ୍କ ଉପସ୍ଥିତିରେ ମୋତେ ଦେଖାଇ କହିଲେ, “ଏଇ ଲୋକର ଘରକୁ ମୁଁ ଯାଇଥିଲି ଯେ, ସେ ମୋତେ ଭେଣ୍ଡି ଖାଇବାକୁ ଦେଲା ନାହିଁ-।”

 

୧୯୦୯ ମସିହାର ଘଟଣା ମୋର ମନେ ପଡ଼ିଗଲା । ମୁଁ ଜାଣିପାରିଲି, ସାଇବାବା ସାଧୁବେଶରେ ନିଜେ ମୋ ଘରକୁ ଓ ଡାକ୍ତରଖାନାକୁ ଯାଇଥିଲେ । ସେତିକିବେଳୁ ବାବା ଆମ କଥା ବୁଝୁଛନ୍ତି । ମାତ୍ର ମୁଁ ଏକଥା ଜାଣିପାରି ନ ଥିଲି । ମୁଁ ଉପସ୍ଥିତ ଭକ୍ତମାନଙ୍କୁ ସେଇ ଭେଣ୍ଡି ପରଷିବା କଥା କହିଲି । ମାତ୍ର ସେ ସାଧୁ ସାଇବାବାଙ୍କ ପରି ଦିଶୁ ନ ଥିଲେ–ତାଙ୍କ ଚେହେରା ଅଲଗା ଥିଲା । ଅପରେଶନ୍ ପରେ ଆଉ ଦୁଇ ତିନି ଥର ତାଙ୍କୁ ସେଠାରେ ଦେଖିଥିଲି । ମା ତା’ପରେ ଆଉ ତାଙ୍କର ଦେଖା ମିଳି ନ ଥିଲା ।’’

 

ଏହାକୁ ଆମେ କେମିତି ବୁଝିବା ? ସାଇବାବା ନିଜେ ଅନ୍ୟ ଏକ ଶରୀର ସୃଷ୍ଟି କରି ସେଥିରେ ଯାଇଥିଲେ, ନା ନିଜେ ସିର୍‌ଡ଼ିରେ ରହି ଜଣେ ସାଧୁଙ୍କୁ ନିଜ ଶକ୍ତିରେ ପ୍ରଭାବିତ କରି ପଠେଇଥିଲେ ତାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ! ଆଉ ଗୋଟାଏ ଉଲ୍ଲେଖଯୋଗ୍ୟ କଥା ଯେ, ଯେଉଁମାନେ ବାବାଙ୍କୁ ଦେଖିଥାନ୍ତି, ସେମାନଙ୍କ ପାଖକୁ ସେ ଯାଆନ୍ତି ଅନ୍ୟ ଏକ ଶରୀରରେ; ମାତ୍ର ଯେଉଁମାନେ ତାଙ୍କୁ ଦେଖି ନ ଥାନ୍ତି, ନିଜ ବେଶରେ ହିଁ ବାବା ସେମାନଙ୍କ ପାଖକୁ ଯାଇଥାନ୍ତି । ଏମିତି ଗୋଟାଏ ଘଟଣା (ପୋଲ ତିଆରି କରୁଥିବା ଇଞ୍ଜିନିୟର) ଆଗରୁ ମୁଁ କହିଛି ।

 

ଆଚ୍ଛା, ଯଦି ସାଇବାବା ଗୋଟିଏ ମଣିଷ ଶରୀର ସୃଷ୍ଟି କରି ସାଧୁବେଶରେ ଗଲେ, ତେବେ ସେ କ’ଣ ସେମିତି ଗୋଟାଏ କୁକୁରର ଶରୀର ସୃଷ୍ଟି କରି ତାଙ୍କୁ ଖାଇବାକୁ ଡାକିଥିବା ସ୍ତ୍ରୀ ଲୋକଟି ପାଖକୁ ଯାଇଥିଲେ ? ତେବେ ଏ ପ୍ରକାର ପ୍ରଶ୍ନର ଅବତାରଣା କରିବା ଅନାବଶ୍ୟକ । ଏହା ହୋଇପାରେ ଯେ, କେଉଁଠି କ’ଣ ଘଟୁଛି ସାଇବାବା ସବୁ ଜାଣି ଯୀଶୁଖ୍ରୀଷ୍ଟ ମୁହଁରେ କହିଲା ପରି ସେ କାମରେ ଦେଖାଇଦେଲେ, “ତୁମେ ଏପରି କି ବାରବୁଲା କୁକୁର ପ୍ରତି ଯେମିତି ବ୍ୟବହାର କରୁଚ, ଠିକ୍ ସେମିତି ବ୍ୟବହାର ମୋତେ ଦେଖାଉଛ ।’’

 

ଆଉ ଗୋଟାଏ ଏମିତି କାହାଣୀ ଅଛି; ମାତ୍ର ତାକୁ ସହଜରେ ବିଶ୍ଳେଷଣ କରି ହୁଏନା । ଜଣେ ବ୍ରାହ୍ମଣ ବାବାଙ୍କ ପାଖରେ ଆପତ୍ତି କଲା ଯେ, ସେ ଅଗ୍ନିମାନ୍ଦ୍ୟ ରୋଗ ଭୋଗୁଛି । ବାବା ତାକୁ ଏଣିକି ଦହି ଖାଇବାକୁ ମନା କଲେ । ମାତ୍ର ଲୋକଟିର ଦହି ହେଲା ଅତି ପ୍ରିୟ ଖାଦ୍ୟ, ତାକୁ ସେ ଛାଡ଼ିପାରିଲା ନାହିଁ । ଦହି ଖାଇବା ସେ ବନ୍ଦ କଲା ନାହିଁ । ଫଳରେ ତାକୁ ସେମିତି ଅଗ୍ନିମାନ୍ଦ୍ୟ ଭୋଗିବାକୁ ପଡ଼ିଲା । ଥରେ ଗୋଟାଏ ବିରାଡ଼ି କୁଆଡ଼ୁ ଆସି ତା’ ଦହିତକ ଖାଇଦେଲା । ଆରଦିନ ମଧ୍ୟ ସେଇଟା ଆସିଲା । ବ୍ରାହ୍ମଣ ଅବଶ୍ୟ ତାକୁ ତଡ଼ିଦେଲା; ମାତ୍ର ବିରାଡ଼ିଟା ଦହିରେ ମୁହଁ ମାରିଦେଇ ଥିବାରୁ ସେତକ ଦହି ଫୋପଡ଼ା ହେଲା । ତା’ ପରେ ବ୍ରାହ୍ମଣ ଦହିବଢ଼ାକୁ ଶିକାରେ ଛାତରେ ଟାଙ୍ଗିଦେଲା । ମାତ୍ର ଏଥର ମଧ୍ୟ ବିରାଡ଼ିଟା ଛାତରେ ଚଢ଼ି ଶିକାରୁ ଦହିତକ ଖାଇଦେଲା । ବ୍ରାହ୍ମଣ ପ୍ରଚଣ୍ଡ ରାଗିଗଲା । ଭାବିଲା ଏଥର ବିରାଡ଼ିକୁ ପାନେ ଦେବ । ଦିନେ ସନ୍ଧ୍ୟାବେଳେ ସେ ଖଣ୍ଡେ ବାଡ଼ି ଧରି ସେ ଘରେ ଲୁଚି ବସିଲା । ବିରାଡି ଛାତରେ ଚଢ଼ି ଶିକାପାଖକୁ ଗଲାବେଳେ ବାଡ଼ିଟା ଖୁବ୍ ଜୋରରେ ଫୋପାଡ଼ିଲା । ବାଡ଼ିଟା ବିରାଡ଼ି କାନ୍ଧରେ ଯାଇ ବାଜିଲା । ବିରାଡ଼ିଟା ଚାଲିଗଲା ।

 

ପରଦିନ ସକାଳେ ସାଇବାବାଙ୍କ ପାଖକୁ ଯାଇ ସେ ଦେଖିଲା ଶିଷ୍ୟମାନେ ବାବାଙ୍କ କାନ୍ଧରେ ଔଷଧ ମାଲିସ୍ କରୁଛନ୍ତି । ଜଣେ କହୁଛି, “ଦହି ଖାଇ ଲୋକଗୁଡ଼ାକ ନିଜ ଦେହ ଖରାପ କରୁଛନ୍ତି, ବାବା ତାଙ୍କୁ ମନା କରିବାକୁ ଯିବାରୁ ତାଙ୍କୁ ପିଟୁଛନ୍ତି ।’’

 

ତଥାପି ଏଇ ଘଟଣାକୁ ଏମିତି ଭାବରେ କହିହେବ ଯେ, ବାବା ଗୋଟିଏ ବିରାଡ଼ିକୁ ତା’ ଦହି ଖାଇବାକୁ ପଠାଇଲେ, ଆଉ ତା’ ଯନ୍ତ୍ରଣା ଓ ମାଡ଼ଟାକୁ ନିଜେ ଆହରଣ କରି ଆଣିଲେ । ଏମିତି ଘଟଣା ଅନେକ ସମୟରେ ଘଟେ । ଏମିତି ଗୋଟିଏ ଘଟଣାର ଉଦାହରଣ (ଭକ୍ତର ଜ୍ଵର ନିଜେ ଗ୍ରହଣ କରିବା) ଆଗରୁ ଦିଆଯାଇଛି । ଅନ୍ୟାନ୍ୟ ଗୁରୁଠାରେ ମଧ୍ୟ ଏହା ଦେଖାଯାଏ, ମାତ୍ର ସାଇବାବାଙ୍କଠାରେ ଏହା ଅତି ବିଚିତ୍ର ଓ ଅଦ୍‌ଭୁତ । ଥରେ ସେ ଶିଷ୍ୟମାନଙ୍କୁ କହିଲେ, ତାଙ୍କ ତଳିପେଟରେ ସେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଖଣ୍ଡିଏ ଲୁଗା ଆଣି ତାଙ୍କ ତଳିପେଟରେ ବାନ୍ଧି ସଙ୍ଗେ ସଙ୍ଗେ ତାକୁ ଟାଣିବାକୁ ସେ କେତେଜଣ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଲେ । ସେତେବେଳେ ସେ ପାଟି କରୁଥାନ୍ତି, ‘‘ଟାଣ, ଆହୁରି ଜୋର୍‌ରେ ଟାଣ । ଓଃ ! ଯନ୍ତ୍ରଣା...।’’ କିଛି ସମୟ ପରେ ହଠାତ୍ ସେ ସ୍ଥିର ହୋଇଗଲେ । ତାଙ୍କ ଯନ୍ତ୍ରଣାର ଉପଶମ ହୋଇଗଲା । ପରେ ଜଣାପଡ଼ିଲା, ବାବା ଜଣେ ଭକ୍ତାର ପ୍ରସବ ବେଦନାକୁ ନିଜେ ଆହରଣ କରି ପାରିଥିଲେ । କାରଣ ଯନ୍ତ୍ରଣାରେ ଅଧୀର ହୋଇ ସେ ସାହାଯ୍ୟ କରିବାକୁ ସାଇବାବାଙ୍କୁ ପ୍ରାର୍ଥନା କରିଥିଲା ।

 

ଗୋଟାଏ କଥା ନିର୍ଦ୍ଦିଷ୍ଟ ଯେ, ଯେତେ ଦୂରରେ ଘଟିଲେ ମଧ୍ୟ ବାବା ପ୍ରତ୍ୟେକ ଘଟଣା ସବିଶେଷ ଭାବରେ ଜାଣିପାରୁଥିଲେ । ଆଉ ଗୋଟାଏ କଥା ମଧ୍ୟ ନିଶ୍ଚିତ ଯେ, ସେ ଅନ୍ୟ ଏକ ଶରୀରକୁ ନିର୍ଦ୍ଦେଶ ଦେଇ ହେଉ ବା ନିଜେ ଏକ ଶରୀର ସୃଷ୍ଟି କରି ହେଉ, ସେ ଯାହା କିଛି କରନ୍ତି, ସେଥିପାଇଁ ତାଙ୍କୁ ସମାଧି ଦେବାକୁ ପଡ଼େନା । ତେଣୁ ସିର୍‌ଡ଼ିରେ ଏଇ ଶରୀରର ସବୁ କାର୍ଯ୍ୟ କରୁଥିବା ବେଳେ ମଧ୍ୟ ଅନ୍ୟ ସ୍ଥାନରେ ଆଉ ଗୋଟାଏ କାମ ସେ କରୁଥିଲେ । ଶରୀରର ମାୟା ବନ୍ଧନରୁ ସେ ମୁକ୍ତ । ଏଣୁ ତାଙ୍କ ପକ୍ଷରେ ଶରୀର ସହ ବନ୍ଧା ହୋଇ ରହିବାର ବା ସେ ଅନ୍ୟ ଏକ ଶରୀର ଇଚ୍ଛାନୁସାରେ ଗ୍ରହଣ କରି ନ ପାରିବାର କୌଣସି କାରଣ ନ ଥିଲା । ଏ ସବୁ କଥା ଉପରେ ପଣ୍ଡିତ ବା କଳ୍ପନାପ୍ରିୟ ବ୍ୟକ୍ତିମାନେ ଯୁକ୍ତିତର୍କ କରିପାରନ୍ତି । ଭକ୍ତମାନଙ୍କ ପାଇଁ ଏହା କୌଣସି ପ୍ରଶ୍ନ ଉତ୍‌ଥାପନ କରୁ ନ ଥିଲା । ଭକ୍ତମାନେ ସାଇବାବାଙ୍କୁ ପୂର୍ଣ୍ଣ ବିଶ୍ଵାସ କରୁଥିଲେ । ସେମାନେ କେବେହେଲେ ଏ ସବୁ କଥା ବୁଝିବାକୁ ଚେଷ୍ଟା କରୁ ନ ଥିଲେ । କାରଣ ମନର ସନ୍ଦେହ ଓ ଅନିଶ୍ଚିତତା, ଅସ୍ଥିରତା ଏହା ଫଳରେ ବଢ଼ିବ ସିନା, ଆଉ କିଛି ଲାଭ ହେବନାହିଁ ।

Image

 

ପ୍ରତୀକବାଦ–ଟଙ୍କା

 

ସାଧାରଣତଃ ଜଣେ ସାଧୁ, ପୁଣ୍ୟାତ୍ମା ଟଙ୍କା ମାଗନ୍ତି ନାହିଁ । ଏମିତି କେତେକ ସାଧୁ ଅଛନ୍ତି, ସେମାନେ ଆଧ୍ୟାତ୍ମିକ ଉପାୟରେ ରୋଗ ନିବାରଣ କରନ୍ତି । ମାତ୍ର ସେମାନଙ୍କୁ ଗୁରୁ ସାବଧାନ କରି ଦେଇଥାନ୍ତି ଯେ, ଏଥିପାଇଁ ଯଦି ସେମାନେ କିଛି ପ୍ରତିଦାନ ଗ୍ରହଣ କରନ୍ତି, ତେବେ ସେମାନଙ୍କୁ ଏ ଶକ୍ତି ଛାଡ଼ି ଚାଲିଯିବ । ଅନେକ ସାଧୁ ଟଙ୍କାପଇସା ତ ଛୁଅନ୍ତି ନାହିଁ । ଶ୍ରୀ ରାମକୃଷ୍ଣ ପରମହଂସଙ୍କର ଟଙ୍କା ପ୍ରତି ଏକ ଆତଙ୍କ ଥିଲା ଯେ, ଟଙ୍କା ଛୁଇଁଲା ମାତ୍ରେ ତାଙ୍କୁ ହାତ ପୋଡ଼ିଗଲା ପରି ଲାଗୁଥିଲା । ଯେଉଁ ଗୁରୁ ଫଳମୂଳ ଛଡ଼ା ଅନ୍ୟ କିଛି ଉପହାର ଗ୍ରହଣ କରନ୍ତି, ଲୋକେ ତାଙ୍କୁ ସନ୍ଦେହ କରନ୍ତି । ମାତ୍ର ଅନ୍ୟ ବିଷୟ ପରି ଏଥିରେ ମଧ୍ୟ ସାଇବାବା ଅନ୍ୟମାନଙ୍କଠାରୁ ଅଲଗା । ସେ ଯେ କେବଳ ଟଙ୍କା ଗ୍ରହଣ କରନ୍ତି ତା’ ନୁହେଁ, ଲୋକଙ୍କଠାରୁ ମାଗିନିଅନ୍ତି । ବେଳେ ବେଳେ ତାଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଲୋକଙ୍କୁ ପ୍ରଥମେ ଦକ୍ଷିଣା ମାଗନ୍ତି । ବେଳେ ବେଳେ ସେ କହନ୍ତି–ମୋର ଏତିକି ଟଙ୍କା ଦରକାର ।

 

ସାଇବାବାଙ୍କର ଏ ଅଭ୍ୟାସ ଏତେ ଅସ୍ୱାଭାବିକ ଥିଲା ଯେ, ସେଥିପାଇଁ କେତେକ ଲୋକ ତାଙ୍କୁ ସନ୍ଦେହ ଓ ଅବିଶ୍ଵାସ କରୁଥିଲେ । ବାବାଙ୍କ ଏ ବିଚିତ୍ର ବ୍ୟବହାରର କି କାରଣ ଥାଇପାରେ ? ତାଙ୍କର ଯେ ଟଙ୍କା ଦରକାର ବୋଲି ମାଗି ନେଉଥିଲେ ଏହା ନିଶ୍ଚୟ ନୁହେଁ, କାରଣ ସବୁ ଟଙ୍କାପଇସା ସେ ଆଦୌ ରଖୁ ନ ଥିଲେ । ଏଇ ପଇସାରେ ସେ ଫକୀର ଓ ଅନ୍ୟାନ୍ୟ ଦରିଦ୍ର ଭକ୍ତମାନଙ୍କର ଖାଇବା ପିଇବାର ବନ୍ଦୋବସ୍ତ କରୁଥିଲେ । ସିର୍‌ଡ଼ିରେ ରହିବା ପାଇଁ ଯେଉଁମାନଙ୍କ ପାଖରେ ଧନ ନ ଥିଲା, ସେମାନଙ୍କୁ ଦେଉଥିଲେ ବା ଏମିତି ଯାହାକୁ ଇଚ୍ଛା ତାହାକୁ ଦେଇ ଦେଉଥିଲେ । ବେଳେ ବେଳେ ଅନେକ ଅଦରକାରୀ ଜିନିଷ କିଣି ପକାଉଥିଲେ । ମାତ୍ର ଟଙ୍କା ପ୍ରତି ଯଦି କାହାର ଲୋଭ ଦେଖିଲେ, ସେ ସଙ୍ଗେ ସଙ୍ଗେ ତା’ ଆଖି ଆଗରେ ସବୁ କିଛି ମୁକ୍ତ ହସ୍ତରେ ବାଣ୍ଟି ଦେଉଥିଲେ । କିନ୍ତୁ ସେ ଜିନିଷ କିଣିବାବେଳେ ଠିକ୍ ଆମ୍ଭମାନଙ୍କ ପରି ଦୋକାନୀ ସାଥିରେ ଦର କଷାକଷି କରୁଥିଲେ । ବେଳେ ବେଳେ ଜିନିଷ କିଣିସାରି ସେଇ ଦୋକାନୀକୁ ସେଇଟା ମାଗଣା ଦେଇ ଦେଉଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ନିଜର ଖାଦ୍ୟ ଭିକ୍ଷା କରୁଥିଲେ-। ତାଙ୍କର କୌଣସି ବିଳାସଦ୍ରବ୍ୟ ନ ଥିଲା, ନିଜେ କୌଣସି ଆଶ୍ରମ ପ୍ରତିଷ୍ଠା କରି ନ ଥିଲେ, ଘର ତୋଳାଇ ନ ଥିଲେ ବା ନିଜର କିଛି ସମ୍ପତ୍ତିବାଡ଼ି କରି ନ ଥିଲେ । ବାବା ଦେହତ୍ୟାଗ କଲାପରେ ତାଙ୍କ ପାଖରେ ଯେତିକି ପଇସା ଥିଲା, ସେତିକିରେ ତାଙ୍କର ଶବ ସତ୍କାର ମାତ୍ର ହୋଇପାରିଥିଲା-

 

ମାତ୍ର ଅନ୍ୟାନ୍ୟ ପ୍ରତ୍ୟେକ ପଦାର୍ଥ ପରି ଟଙ୍କା ପଇସାକୁ ମଧ୍ୟ ସେ ସାଙ୍କେତିକ ଭାବରେ ବ୍ୟବହାର କରୁଥିଲେ । ଯେଉଁମାନେ ତାଙ୍କୁ କିଛି ଦେଉଥିଲେ, ଏକଥା ନିଶ୍ଚିତ ଯେ, ସେମାନେ ନିଜ ପାଇଁ ଯଥେଷ୍ଟ ଅଧିକ ମୂଲ୍ୟବାନ୍ ସମ୍ପଦ ସଞ୍ଚୟ କରୁଥିଲେ । ସେ ସମସ୍ତଙ୍କୁ ମଧ୍ୟ ମାଗୁ ନ ଥିଲେ । ସେ ଥରେ କହିଥିଲେ, ‘ଫକୀର ଯାହାକୁ ଦେଖାଇ ଦିଅନ୍ତି, ମୁଁ କେବଳ ସେଇମାନଙ୍କୁ ହିଁ ଟଙ୍କା ମାଗିଥାଏ । ପ୍ରତିଦାନରେ ମୁଁ ସେମାନଙ୍କୁ ଦଶ ଗୁଣ ଜିନିଷ ଫେରାଇ ଦିଏ । ’’

 

ସମୟ ସମୟରେ କେହି ଟଙ୍କା ଦେଲେ ତାହା ନେବାକୁ ସେ ଅସ୍ଵୀକାର କରୁଥିଲେ ।

 

ଥରେ ଗୋଟିଏ ଅସାମାଜିକ ଅସାଧୁ ଲୋକ ତାଙ୍କୁ ୫୦୦ଟଙ୍କା ଯାଚିଲା । ସେ ପାଟି କଲେ, “ନା, ମୁଁ ତୋ’ଠାରୁ ପଇସାଟିଏ ରଖିବି ନାହିଁ । ତୁ ଘରେ ଗୋଟାଏ ବେଶ୍ୟା ଆଣି ରଖିଚୁ, କ’ଣ ରଖିନୁ ? ଯା, ତାକୁ ଏ ଟଙ୍କା ଦେବୁ ।”

 

ଆଉ ଥରେ ଥରେ ଅନ୍ୟାୟରେ ଟଙ୍କା ରୋଜଗାର କରିଥିବା ଲୋକଠାରୁ ସେଇ ଟଙ୍କାତକ ମାଗିନିଅନ୍ତି । ଥରେ ଏସ: ବି: ଧୂମାଳ ବୋଲି ଜଣେ ଓକିଲ ସାଇବାବାଙ୍କ ଏକ ଶିଷ୍ୟ ପକ୍ଷରୁ ଅଦାଲତରେ ଗୋଟାଏ ଅପିଲ ଦାଏର କଲେ । ସେଥିପାଇଁ ସେ ୩୦୦ ଟଙ୍କା ଫିସ ପାଇଲେ । ଅପିଲଟି ଓକିଲଙ୍କ ବିନା ଚେଷ୍ଟାରେ ସାଇବାବାଙ୍କ ପ୍ରଭାବରେ ସଙ୍ଗେ ସଙ୍ଗେ ଗୃହୀତ ହୋଇଗଲା । ପରେ ଧୂମାଳ ଯେତେବେଳେ ବାବାଙ୍କ ପାଖକୁ ଗଲେ, ସାଇବାବା ସେଇ ୩୦୦ ଟଙ୍କା ତା’ଠାରୁ ନେଇଗଲା ପର୍ଯ୍ୟନ୍ତ ତାକୁ ଦକ୍ଷିଣା ମାଗୁଥିଲେ ।

 

ଏଇ ଧୂମାଳ ସାଇବାବାଙ୍କ ଦକ୍ଷିଣା ମାଗିବାର ଆଉ ଗୋଟାଏ ଘଟଣା କହନ୍ତି, “ଥରେ ବାବା ମୋ ପାଖରେ ଯାହାଥିଲା ସବୁ ଟଙ୍କା ନେଇଗଲା ପରେ ମୋତେ ଆହୁରି ପଚାଶ ଟଙ୍କା ମାଗିଲେ । ମୁଁ ଯେତେବେଳେ କହିଲି ମୋ ପାଖରେ ଆଉ କିଛି ନାହିଁ, ସେ ଆଉ କାହାଠାରୁ ମାଗିଆଣିବାକୁ ମତେ ନିର୍ଦ୍ଦେଶ ଦେଲେ । ମୁଁ ଯାଇ ଜଣକୁ ମାଗିଲି । ମାତ୍ର ସେ ଦେବାକୁ ମନା କରିଦେଲେ । ମୁଁ ଆସି ବାବାଙ୍କୁ ସେଇକଥା କହିଲି; ବାବା ପୁଣି ରାଓବାହାଦୂର ସାଥେଙ୍କ ପାଖକୁ ପଠାଇଲେ । ସାଥେ ଏକଥା ଶୁଣି ଖୁବ୍ ଖୁସି ହୋଇଗଲେ । ମୁଁ ଏ ଘଟଣା ବୁଝିପାରିଲି ନାହିଁ ମାତ୍ର ଅନେକ ପରେ ଜାଣିଲି; ସେତେବେଳେ ସାଥେଙ୍କୁ ପେନ୍‌ସନ୍‌ ଦେବା କଥା ସରକାରୀ ମହଲରେ ବିଚାର ଚାଲିଥିଲା; ମା ପେନ୍‌ସନ୍ ଟଙ୍କାଟା କେତେ ହବ ସେ ବିଷୟ ଠିକ୍ କରାଯାଇ ପାରୁ ନ ଥାଏ-। ତାଙ୍କୁ ଶେଷ ଚାକିରୀରେ ପାଉଥିବା ଦରମା ଅନୁସାରେ ପେନ୍‌ସନ୍ ଦିଆଯିବ, କି ଗୋଟାଏ ବିଚାର ଅନୁସାରେ ପେନ୍‌ସନ୍ ଆଉ ୫୦ ଟଙ୍କା ଅଧିକ ହେବ ସେ ବିଷୟରେ ସରକାରୀ ମହଲରେ ବେଶ୍ ଘଣ୍ଟାଚକଟା ଚାଲିଥିଲା । ଯେଉଁଦିନ ସାଇବାବା ମୋ ଦ୍ଵାରା ତାଙ୍କଠାରୁ ୫୦ ଟଙ୍କା ମାଗିନେଲେ, ଠିକ୍ ସେଇଦିନ ୫୦ ଟଙ୍କା ଅଧିକ ହାରରେ ତାଙ୍କୁ ପେନ୍‌ସନ୍ ମିଳିବ ବୋଲି ଶେଷ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ସାଥେ ସାଇବାବାଙ୍କର ଏ ସାଙ୍କେତିକ ଉଦ୍ଦେଶ୍ୟ ସଙ୍ଗେ ସଙ୍ଗେ ବୁଝି ଖୁବ୍ ଖୁସି ହୋଇ ଯାଇଥିଲେ ।

 

ଜଣେ ଲୋକ ପାଖରେ ଯାହା କିଛି ଥାଏ, ତାକୁ ନେଇ ଆଉ କିଛି ଟଙ୍କା ପାଇଁ ତାକୁ ଅନ୍ୟଆଡ଼େ ପଠାଇବା ଅଭ୍ୟାସ ସାଇବାବାଙ୍କର ଥିଲା । ଗୋଟାଏ ଲୋକ ପାଖରେ କେତେ ପଇସା ଅଛି, ସାଇବାବା ତାହା ଭଲରୂପେ ଜାଣିପାରୁଥିଲେ । ଏହା ଅନୁମାନ ଉପରେ ନିର୍ଭର କରୁ ନ ଥିଲା । ଥରେ ଜଣେ ଲୋକ ୨୦ଟଙ୍କା ଧରି ସିର୍‌ଡ଼ିରେ ପହଞ୍ଚିଲା । ସେଥିରୁ ୨ ଟଙ୍କା ନିଜ ପାଖରେ ରଖି ଅବଶିଷ୍ଟ ୧୮ ଟଙ୍କା ଆଉ ଜଣେ ବନ୍ଧୁକୁ ରଖିବାକୁ ଦେଇଥିଲା । କାରଣ ବାବା ଯଦି ତାକୁ ଟଙ୍କା ମାଗନ୍ତି, ତେବେ ସେ ତାଙ୍କୁ ୨ ଟଙ୍କା ଧରାଇ ଦେଇ ଆଉ କିଛି ନାହିଁ ବୋଲି ସତକଥା କହିପାରିବ । ବାବା ପ୍ରଥମେ ତାଠାରୁ ଦୁଇ ଟଙ୍କା ମାଗିନେଲେ । ତା’ପରେ ମାଗିଲେ ଅଠର ଟଙ୍କା-। ଲୋକଟିର ଉତ୍ତର ଆଗରୁ ଆଶା କରି ସେ ପୁଣି ତାର ସେ ବନ୍ଧୁକୁ ଦେଖାଇ ଲୋକଟିକୁ କହିଲେ, “ତୁ ଏହାଠାରୁ ୧୮ ଟଙ୍କା ଧାର ଆଣିପାରୁ ।”

 

ସେମାନଙ୍କ ଗଛର ପ୍ରଥମ ଫଳଟାକୁ ସେ ଅନେକଙ୍କଠାରୁ ମାଗି ନେଉଥିଲେ । କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଏଇ ପ୍ରଥା ଦେଖାଯାଏ । ଥରେ ଦୁଇଜଣ ବ୍ରାହ୍ମଣ ପ୍ରଥମେ ସାଇବାବାଙ୍କ ପାଖକୁ ଆସିଥିଲେ । ବାବା ଜଣକ ପାଖରୁ ପନ୍ଦର ଟଙ୍କା ମାଗିନେବାକୁ ତାଙ୍କ ଭକ୍ତ ଦେଶପାଣ୍ଡେଙ୍କୁ ନିର୍ଦ୍ଦେଶ ଦେଲେ । ଅନ୍ୟ ବ୍ରାହ୍ମଣଟି ୩୫ ଟଙ୍କା ଯାଚିଲା । ମାତ୍ର ବାବା ନେବାକୁ ମନା କରିଦେଲେ । ଯେତେବେଳେ ଦେଶପାଣ୍ଡେ ଏହାର କାରଣ ପଚାରିଲେ, ବାବା ଉତ୍ତର ଦେଲେ, ‘‘ମୁଁ କିଛି କରୁନି । ମୁଁ କିଛି ଗ୍ରହଣ କରୁନି । ଭଗବାନ ତାଙ୍କର ନିଜ ଜିନିଷ ମାଗି ନେଉଛନ୍ତି । ଏଇ ପନ୍ଦର ଟଙ୍କା ତାଙ୍କର ପ୍ରାପ୍ୟ, ତେଣୁ ଏହାକୁ ମାଗି ଆଣିବାକୁ ମୁଁ କହିଲି । ମାତ୍ର ସେ ୩୫ ଟଙ୍କା ତାଙ୍କର ପ୍ରାପ୍ୟ ନୁହେଁ । ଏଣୁ ତାକୁ ଫେରାଇ ଦିଆଗଲା । ପରେ ବୁଝୁ ବୁଝୁ ଜଣାଗଲା, ଯେଉଁ ଲୋକ ପନ୍ଦର ଟଙ୍କା ଦେଲା, ସେ ପ୍ରଥମ ପନ୍ଦର ଟଙ୍କାରେ ଚାକିରୀ ଆରମ୍ଭ କରି ସେତେବେଳେ ୭୦୦ଟଙ୍କା ପାଉଥିଲା । ଚାକିରୀ ପାଇବା ପୂର୍ବରୁ ସେ ପ୍ରତିଜ୍ଞା କରିଥିଲା, ପ୍ରଥମ ମାସର ଦରମାଟା ଗୋଟାଏ ଦେଉଳକୁ ଦେଇଦେବ । ମାତ୍ର ସେ ସେତକ କରି ନ ଥିବାରୁ ଏବେ ସାଇବାବା ତା’ ଠାରୁ ପନ୍ଦର ଟଙ୍କା ମାଗିନେଲେ ।

 

ଏମିତି ପ୍ରତିଜ୍ଞା କରି ଯେଉଁମାନେ ତାହା ପୂରଣ କରି ନ ଥାନ୍ତି, ସାଇବାବାଙ୍କ ପାଖରେ ପହଞ୍ଚିଲେ ଆଉ ତା’ର ରକ୍ଷା ନାହିଁ । ସେତକ ବାବା ନିଶ୍ଚୟ ମାଗିନେବେ । ଥରେ ଜଣେ ଭକ୍ତ ସାଇବାବାଙ୍କୁ ଦେଖା କରିବାକୁ ଗଲାବେଳେ ଜଣେ ଲୋକ ଗୋଟିଏ ନଡ଼ିଆ ଓ ଚିନି କିଣି ସାଇବାବାଙ୍କୁ ଉପହାର ଦେବାକୁ ଦୁଇଅଣା ପଇସା ଦେଇଥିଲା । ଲୋକଟି ନଡ଼ିଆଟା ଦେଲା, ମାତ୍ର ସେ ଦୁଇଅଣା କଥା ଭୁଲି ଯାଇଥିଲା । ଫେରିଲାବେଳେ ବାବାଙ୍କ ଅନୁମତି ମାଗିବାକୁ ଗଲା । ବାବା କହିଲେ, “ହଁ ତୁ ଏଥର ଯା, ମାତ୍ର ସେ ଗରିବ ବ୍ରାହ୍ମଣର ଦୁଇଅଣା ପଇସା କାହିଁକି ରଖିଲୁ-?”

 

ଲୋକଟିର ସେକଥା ମନେ ପଡ଼ିଗଲା । ସଙ୍ଗେ ସଙ୍ଗେ ପଇସା ବାହାର କରି ବାବାଙ୍କୁ ଦେଲା । ସାଇବାବା ତା’ ପରେ ହସି ହସି କହିଲେ, “ବେଶ୍, ଏଥର ଯା । ମାତ୍ର ଯେଉଁ କାମ କରିବାକୁ ହାତକୁ ନେବୁ, ତାକୁ ପୂରାପୂରି କରିବୁ । ଯଦି ନ କରି ପାରିବୁ, ସେମିତି କାମ ଆଦୌ ହାତକୁ ନେବୁ ନାହିଁ ।’’

 

ଆଉ ବେଳେ ବେଳେ ଲୋକର ଚରିତ୍ର ପରୀକ୍ଷା କରିବାକୁ ସେ ପଇସା ମାଗନ୍ତି । ସେ ଥରେ ଜଣେ ସାଧୁଙ୍କୁ ପାଞ୍ଚଟଙ୍କା ଦେବାକୁ କହିଲେ । ସାଧୁଟି ରାଗିଯାଇ କହିଲା–“ବାବା, ତୁମେ ଅନ୍ୟମାନଙ୍କୁ ଦକ୍ଷିଣା ମାଗୁଚ ବୋଲି ମୋତେ କାହିଁକି ମାଗୁଚ ? ତୁମେ ତ ଜାଣ ମୋ ପାଖରେ କିଛି ନାହିଁ ।’’ ବାବା ବେଶ୍ ଶାନ୍ତସ୍ଵରରେ ଉତ୍ତର ଦେଲେ, ଠିକ୍ ଅଛି । ଯଦି ନାହିଁ, ମୋତେ ଦେବା ଦରକାର ନାହିଁ । ମାତ୍ର ତୁ ଏଣିକି ଆଉ ରାଗିବୁ ନାହିଁ ।”

 

ଥରେ ଗୋଟିଏ ଲୋଭୀ ଧନୀଲୋକ ବାବାଙ୍କ ପାଖକୁ ଆସି କହିଲା, ସେ ଭଗବାନଙ୍କୁ ଦେଖିବ । ସେ କହିଲା, ମୁଁ କେବଳ ଏଇଥିପାଇଁ ଏତେ ବାଟ ଆସିଲି । ଲୋକେ କହୁଛନ୍ତି, “ସିର୍‌ଡ଼ିର ସାଧୁ ଖୁବ୍ ଶୀଘ୍ର ଭଗବାନଙ୍କୁ ଦେଖାଇ ଦିଅନ୍ତୁ ।’’

 

ରାମ, କୃଷ୍ଣ, ମାଆ କାଳୀ ବା ଅନ୍ୟ ଯେ କୌଣସି ରୂପରେ ହିନ୍ଦୁମାନେ ଭଗବାନଙ୍କୁ ଆରାଧନା କରନ୍ତି, ସେ ରୂପରେ ତାଙ୍କୁ ଦେଖିବାକୁ ସେମାନେ ଜୀବନର ପରମ ସୌଭାଗ୍ୟ ବୋଲି ମନେ କରିଥାନ୍ତି । ଗୀତାରେ କୁହାଯାଇଛି–ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ତାଙ୍କର ବିଶ୍ଵରୂପ ଦେଖାଇ ସାବଧାନ କରି ଦେଇଥିଲେ ଯେ, ସେଇଟା କିନ୍ତୁ ଚରମ ସତ୍ୟ ନୁହେଁ । କାରଣ ସେ ପ୍ରକୃତରେ ନିରାକାର । ମାତ୍ର ଏଇ ସାକାରଦର୍ଶନ ଅଧ୍ୟାତ୍ମିକ ସାଧନା ପଥରେ ଅନେକ ପ୍ରେରଣା ଦେଇଥାଏ । ତେଣୁ ବେଳେ ବେଳେ ଗୁରୁ ଶିଷ୍ୟକୁ ତା ମନମୁତାବକ ଏଇ ସାକାର–ଦର୍ଶନ ପାଇଁ ସାହାଯ୍ୟ କରିଥାନ୍ତି । ମାତ୍ର ଏହା ମନେ ରଖିବାକୁ ହେବ ଯେ, ଏ ପ୍ରକାର ସାଧନା ସୀମାବଦ୍ଧ । କାରଣ ଆଧ୍ୟାତ୍ମିକ ସାଧନା ନିରାକାର ପରଂବ୍ରହ୍ମଙ୍କୁ ଲାଭ କରିବା ଉଦ୍ଦେଶ୍ୟରେ ହେବା ଉଚିତ୍ । ସବୁ ପ୍ରକାର ଆକାର ଭ୍ରମ ଜାତ କରାଏ ଏବଂ ଚରମ ସତ୍ୟ, ଚରମ ଜ୍ଞାନଲାଭରୁ ବଞ୍ଚିତ କରାଏ । ତେଣୁ ଯେଉଁ ଗୁରୁ ଏଇ ଚରମ ସତ୍ୟ ଲାଭପାଇଁ ଶିଷ୍ୟକୁ ଶିକ୍ଷା ଦିଅନ୍ତି, ସେ ଶିଷ୍ୟର ଏ ପ୍ରକାର ସଂକୀର୍ଣ୍ଣ ଅନୁରୋଧ ଉପେକ୍ଷା କରିଥାନ୍ତି । ସାଇବାବା ମଧ୍ୟ ଠିକ୍ ଏମିତି ଆଚରଣ କରୁଥିଲେ । ଯେଉଁ ଶିଷ୍ୟମାନେ ଭଗବାନଙ୍କର ଏକ ସାକାର ରୂପ ଦେଖାଇଦେବାକୁ ତାଙ୍କୁ ପ୍ରାର୍ଥନା କରୁଥିଲେ, ସେମାନେ ଶେଷରେ ହତାଶ ହେଉଥିଲେ । ଶିଷ୍ୟମାନଙ୍କର ଭାବପ୍ରବଣତାକୁ ସାଇବାବା ସବୁବେଳେ ନାପସନ୍ଦ କରୁଥିଲେ । ସେ ଚାହୁଁଥିଲେ, ଶିଷ୍ୟର ଆଧ୍ୟାତ୍ମିକ ଉନ୍ନତି କୌଣସି ‘ଦର୍ଶନ’ (vision) ନୁହେଁ । ଥରେ ଜଣେ ଲୋକ ତାଙ୍କ ପାଖକୁ ଆସିଲା । ସେ ଅନ୍ୟ ଜଣେ ଗୁରୁଙ୍କ ସାହାଯ୍ୟରେ କିଛି ମ୍ୟାଜିକ୍ ଶକ୍ତି ହାସଲ କରିଥିଲା; ମାତ୍ର ସାଇବାବା ତାଙ୍କୁ ସେ ଶକ୍ତି ପରିତ୍ୟାଗ କରିବାକୁ ବାଧ୍ୟ କରିଥିଲେ; ସେ ନିଜେ କୌଣସି ଶିଷ୍ୟକୁ କୌଣସି ଶକ୍ତି ପ୍ରଦାନ କରୁ ନ ଥିଲେ । ପ୍ରକୃତରେ ମଣିଷର ଆବଶ୍ୟକ ଜ୍ଞାନ ଓ ତା’ର ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ‘ଅହଂ’ ଶୂନ୍ୟତା ।

 

ହଁ, ଏଇ ଉପରୋକ୍ତ ଘଟଣାରେ ସେ ଲୋକଟି ଷ୍ଟେସନରୁ ଗୋଟାଏ ଘୋଡ଼ାଗାଡ଼ିରେ ଆସିଥିଲା । ସେ ଭାବୁଥିଲା, ବାବା ତାକୁ ସଙ୍ଗେ ସଙ୍ଗେ ଭଗବାନଙ୍କୁ ଦେଖାଇଦେଲେ, ସେଇ ଗାଡ଼ିରେ ସେ ଫେରିଯିବ, ଆଉ ତାକୁ ସିର୍‍ଡ଼ିରେ ଅପେକ୍ଷା କରିବା ପାଇଁ ଗାଡ଼ିବାଲାକୁ ଅଧିକା ପଇସା ଗଣିବାକୁ ପଡ଼ିବ ନାହିଁ । ସେ ଲୋକଟାର ପକେଟରେ ଅଢ଼େଇ ଶହ ଟଙ୍କା ଥିଲା, ମାତ୍ର ସେ ଟଙ୍କାକୁ ଖର୍ଚ୍ଚ କରିବାକୁ ଚାହୁଁ ନ ଥିଲା । ବାବା ତାକୁ ପରିହାସରେ କହିଲେ, “ହଁ ହଁ, ଏସବୁ କଥାରେ ଡେରି କରିବା ଉଚିତ ନୁହେଁ, ମୁଁ ତୁମକୁ ଖୁବ୍ ଶୀଘ୍ର ଭଗବାନଙ୍କୁ ଦେଖାଇଦେବି । ତୁମ ଭଳି ପ୍ରକୃତରେ ସତ୍ୟ–ସଂଧାନୀ ସାଧକ ଖୁବ୍ କମ୍ ଦେଖିବାକୁ ମିଳନ୍ତି । ଏଠାକୁ ଯେଉଁମାନେ ଆସନ୍ତି, ସେମାନେ ଗୋଟାଏ କିଛି ପାର୍ଥିବ ଲାଭର ଆଶା ରଖି ଆସନ୍ତି, କିନ୍ତୁ କେହି ହେଲେ ଭଗବାନଙ୍କୁ ଦେଖିବାକୁ ଇଚ୍ଛା କରନ୍ତି ନାହିଁ । ଯେଉଁମାନେ ଭଗବାନଙ୍କୁ ଦେଖିବାକୁ ଚାହାଁନ୍ତି, ସେମିତି ଲୋକଙ୍କୁ ମୁଁ ବହୁତ ଖୋଜେ । ମୃତ୍ୟୁ ପୂର୍ବରୁ ଜଣେ ଲୋକ ବ୍ରହ୍ମଜ୍ଞାନ ଲାଭ କରିବା ଉଚିତ୍-। ନଚେତ୍ ସେ ଜନ୍ମମୃତ୍ୟୁ ଚକ୍ରରେ ଚିରଦିନ ଆବର୍ତ୍ତିତ ହୋଇଥାଏ । ଜଣେ ଗୁରୁଙ୍କ ଛଡ଼ା ଏ ବ୍ରହ୍ମଜ୍ଞାନ ଆଉ କେହି ଦେଇପାରନ୍ତି ନାହିଁ ।”

 

ତା’ପରେ ସେ ହଠାତ୍ ଉଠିଯାଇ ଗୋଟାଏ ପିଲାକୁ ଡାକିଲେ । ସେଠାର ଗୋଟାଏ ଦୋକାନୀଠାରୁ ୫ଟଙ୍କା ଧାର ଆଣିବାକୁ ତାକୁ ପଠାଇଲେ । ୟା ଭିତରେ ବାବା ଚୁପ୍‍ଚାପ୍‍ ବସିଥାନ୍ତି । କାହା ସହ କଥାବାର୍ତ୍ତା କରିବାକୁ ସେ ଅନିଚ୍ଛା ପ୍ରକାଶ କରୁଥାନ୍ତି । ପିଲାଟି ଆସି ଖବର ଦେଲା, ସେ ଦୋକନୀଟି ନାହିଁ । ବାବା ବ୍ୟସ୍ତହୋଇ ସଙ୍ଗେ ସଙ୍ଗେ ଆଉ ଗୋଟାଏ ଦୋକାନୀ ପାଖକୁ ପଠେଇଲେ । ମାତ୍ର ଏଥର ମଧ୍ୟ ପିଲା ବିଫଳ ହୋଇ ଫେରିଆସିଲା । ମାତ୍ର ବାବା ତାକୁ ପୁଣି ପଠାଇଲେ । ୟା ଭିତରେ ସେ ଲୋକଟି ଗାଡ଼ିବାଲାର ଭଡ଼ା କଥା ଭାବି ବିବ୍ରତ ହୋଇ ପଡ଼ିଲାଣି । ବାବା ବ୍ରହ୍ମଜ୍ଞାନ ଦେବାରେ ଏତେ ଡେରି କରୁଛନ୍ତି, ଅପେକ୍ଷା କରିବା ଯୋଗୁ ଗାଡ଼ିବାଲାକୁ ଅଧିକା ପଇସା ଦେବାକୁ ପଡ଼ିବ ! ସେ ନିଜେ ପାଞ୍ଚ ଟଙ୍କା ଦେଇ ପାରିଥାନ୍ତା–ମାତ୍ର ପାଞ୍ଚ ଟଙ୍କା କ’ଣ କମ୍ କି ! ଶେଷରେ ଧୈର୍ଯ୍ୟ ହରାଇ ବାବାଙ୍କୁ କହିଲା, “ବାବା, ମତେ ତୁମେ ଭଗବାନଙ୍କୁ ଦେଖାଇ ଦେବ କି ନାହିଁ କହିଲ !”

 

ତା’ପରେ ବାବା ତାଙ୍କ ସଙ୍କେତ ବୁଝାଇଲେ–“ମୁଁ ତ ଠିକ୍ ସେଇକଥା ଏତେବେଳଯାଏ କହୁଥିଲି, ତୁମେ ବୁଝିପାରିଲନି କି ? ବ୍ରହ୍ମକୁ ପାଇବାକୁ ହେଲେ ଗୋଟିଏ ଗୋଟିଏ ଲୋକକୁ ତାର ପଞ୍ଚେନ୍ଦ୍ରିୟ ଓ ପଞ୍ଚପ୍ରାଣକୁ ତାଙ୍କ ପାଖରେ ସମର୍ପଣ କରି ନିର୍ବିକାର ଭାବରେ କାମ କରିବାକୁ ପଡ଼ିବ-। ବ୍ରହ୍ମଜ୍ଞାନ ତ ଏତେ ସହଜରେ ମିଳିଯିବ ନାହିଁ । ସେ ବାଟରେ ପାଦ ଦେବା ଖୁବ୍ କଷ୍ଟକର କଥା-। ସମସ୍ତେ ତାହା ପାରିବେ ନାହିଁ । ଯେତେବେଳେ ସୂର୍ଯ୍ୟ ଉଦିତ ହେବ ଚାରିଆଡ଼େ ଆଲୋକ ଖେଳିଯିବ । ସେ ପାର୍ଥିବ ବା ଅପାର୍ଥୀବ କାହା ସହିତ ସଂପୃକ୍ତ ନ ଥିବ, ସେ କେବଳ ଏ ମହାଜ୍ଞାନର ଅଧିକାରୀ ହୋଇପାରିବ ।’’

 

ଆଉ ଗୋଟାଏ ଠିକ୍ ଏମିତି ଘଟଣାରେ ବାବା ଟଙ୍କାକୁ ସଂକେତ ରୂପେ ବ୍ୟବହାର କରିଥିଲେ । ଜଣେ ଶିଷ୍ୟ ବାବାଙ୍କୁ ଏମିତି ଭଗବାନଙ୍କୁ ଦେଖାଇବା ପାଇଁ ଅନୁରୋଧ କଲା । ବାବା ତା’ ସହିତ କଥାବାର୍ତ୍ତା ହେଉ ହେଉ ତାକୁ ହଠାତ୍ ଶହେ ଟଙ୍କା ପାଇଁ ସେଠାର ଜଣେ ମହାଜନ ପାଖକୁ ପଠାଇଲେ । ମହାଜନ ଟଙ୍କା ନ ଦେଇ ଶିଷ୍ୟ ହାତରେ ତା’ର ପ୍ରଣାମ ପଠେଇଦେଲା । ବାବା ଆଉ କେତେଜଣଙ୍କ ପାଖକୁ ପଠାଇଲେ ମାତ୍ର ଟଙ୍କା କେଉଁଠାରୁ ମିଳିଲା ନାହିଁ । ଶେଷରେ ବାବା ପାଖରେ ଥିବା ଜଣେ ଧନୀ ଶିଷ୍ୟକୁ ଟଙ୍କା ମାଗିଲେ । ମାତ୍ର ସେତେବେଳେ ତା’ ହାତରେ ପଇସା ନ ଥିବାରୁ ଚୁକ୍ତିପତ୍ରଟିଏ ଲେଖିଦେଇ ମହାଜନ ପାଖକୁ ପଠାଇଦେଲା । ଯେଉଁ ମହାଜନ ବାବାଙ୍କୁ ଟଙ୍କା ଦେବାକୁ ରାଜି ହୋଇ ନ ଥିଲା, ସେଇ ଲୋକ ଏଇ ଚୁକ୍ତିପତ୍ର ସଙ୍ଗେ ସଙ୍ଗେ ଶହେ ଟଙ୍କା ଗଣିଦେଲା ।

 

ଏଥିରେ ବ୍ୟସ୍ତ ହୋଇ ଭଗବାନଙ୍କୁ ଦେଖିବାକୁ ଆସିଥିବା ଶିଷ୍ୟଟି ଯାଇ ଆଉ ଜଣେ ଭକ୍ତ ପାଖରେ ଏ ବିଷୟରେ ତା’ ନିଜର ବିରକ୍ତି ପ୍ରକାଶ କଲା । ସାଇବାବାଙ୍କ ପାଖରେ ଟଙ୍କାଟା ଏମିତି ବଡ଼ ହୋଇଗଲା ଯେ, ଭଗବାନଙ୍କୁ ଦେଖାଇବା ପାଇଁ ତା’ ପ୍ରାର୍ଥନାରେ ସେ କର୍ଣ୍ଣପାତ କଲେ ନାହିଁ । ମାତ୍ର ଭକ୍ତଟି ଉତ୍ତର ଦେଲା, ସେ ତୁମ ପ୍ରାର୍ଥନା ଶୁଣିଛନ୍ତି । ତୁମେ ତାଙ୍କ ସଙ୍କେତ ବୁଝିପାରିଲ ନାହିଁ କି ? ତୁମେ ତ ଦେଖିଲ, ବାବା ଯେତେବେଳେ ଟଙ୍କା ମାଗିଲେ, ମହାଜନ ଟଙ୍କା ଦେଲା ନାହିଁ; ମାତ୍ର ନାନାସାହେବ କହିଲା ମାତ୍ରେ ଟଙ୍କା ମିଳିଗଲା । ଏହାର ଅର୍ଥ କ’ଣ ? ବାବା ଦରିଦ୍ରଲୋକ, ଅଥଚ ନାନା ସାହେବ ଧନଶାଳୀ । ସେମିତି ସମସ୍ତେ ତୁମେ ଖୋଜୁଥିବା ଜ୍ଞାନଲାଭ କରିପାରିବେ ନାହିଁ । ଯାହାର କିଛି ଆଧ୍ୟାତ୍ମିକ ସାଧନା ଅଛି, ସେ କେବଳ ଜ୍ଞାନଲାଭ କରିପାରିବ ।

 

ଅଧିକାଂଶ ସମୟରେ ତାଙ୍କ ପାଖରେ ରହୁଥିବା ଶିଷ୍ୟମାନେ ବାବାଙ୍କର ପ୍ରତୀକର ଅର୍ଥ ବୁଝିପାରୁଥିଲେ । ମାତ୍ର ସବୁକଥା ଯେ ବୁଝିପାରୁଥିଲେ, ସେ କଥା ନୁହେଁ । ନିମ୍ନଲିଖିତ ଘଟଣାରୁ ଜଣାଯିବ, ତା’ର କେମିତି ତିନୋଟି ପ୍ରକାର ବିଶ୍ଳେଷଣ ସମ୍ଭବ ।

 

ଦର୍ଶନ କରିବାକୁ ଆସିଥିବା ଗୋଟିଏ ଲୋକଠାରୁ ଥରେ ବାବା ତା’ର ଶେଷ କପର୍ଦ୍ଦକ ପର୍ଯ୍ୟନ୍ତ ମାଗି ନେଇଗଲେ । ତା’ପରେ ଆଉ କିଛି ଆଣିବା ପାଇଁ ତାକୁ ଦେଶପାଣ୍ଡେ ପାଖକୁ ପଠେଇଲେ । ଦେଶପାଣ୍ଡେ ଏହା ଶୁଣି ତା’କୁ କହିଲେ, “ଦେଖ, ବାବା ତୁମଠାରୁ ପ୍ରକୃତରେ ଟଙ୍କା ଚାହୁଁନାହାନ୍ତି । ସେ ଚାହାନ୍ତି ତୁମର ଭକ୍ତି, ବିଶ୍ଵାସ ଓ ଏକାଗ୍ରତା ।”

 

ବାବା ତା’ କଥା ଶୁଣି ଟିକେ ହସିଲେ, ମାତ୍ର ଆଉଥରେ ତାକୁ ଦୀକ୍ଷତ୍‌ ପାଖକୁ ପଠାଇଲେ । ଦୀକ୍ଷତ୍‌ ତା’ କଥା ଶୁଣି କହିଲେ, ବାବା ତାର ଅହଂକାରକୁ ହିଁ ଆକ୍ରମଣ କରିଛନ୍ତି, ତେଣୁ କପର୍ଦ୍ଦକଶୂନ୍ୟ ହୋଇ ଭିକ୍ଷା ମାଗିବାକୁ ପଡ଼ିଲା ବୋଲି ସେଥିରେ ଅପମାନବୋଧ କରିବାର କିଛି ନାହିଁ ।

 

ବାବା ଏହାକୁ ମଧ୍ୟ ହସି ହସି ଗ୍ରହଣ କଲେ; ମାତ୍ର ପୁଣି ତାକୁ ଥରେ ନାନାସାହେବ ଚାନ୍ଦୋରକର ପାଖକୁ ପଠାଇଲେ । ନାନାସାହେବ ଏ ସମସ୍ତଙ୍କଠାରୁ ଅଧିକ ବୁଦ୍ଧିଆ । ସେ କହିଲେ, “ମୁଁ ପାଖରେ ସବୁବେଳେ ଶହେ ଟଙ୍କା ରଖିଥାଏ । ଏଇ ନିକଟରେ ଥିବା କୋପର ଗାଁରେ ମୋର ଜଣେ ବନ୍ଧୁ ପାଖରେ ସବୁବେଳେ ମୋର ଆଉ ଶହେ ଟଙ୍କା ଥାଏ । ଏଣୁ ଦରକାର ପଡ଼ିଲେ ସଙ୍ଗେ ସଙ୍ଗେ ସେଠାରୁ ଟଙ୍କା ମଗେଇ ଆଣେ, ଏଣୁ ମତେ କେବେ କପର୍ଦ୍ଦକଶୂନ୍ୟ ହେବାକୁ ପଡ଼େ ନାହିଁ । ବାବା ଏକଥା ଶୁଣି ନାନାକୁ ଗୋଟିଏ ଶିକ୍ଷା ଦେବାକୁ ଠିକ୍‌ କଲେ ଏବଂ ତାକୁ ସଙ୍ଗେ ସଙ୍ଗେ ଡକାଇ ଆଣି ଚାଳିଶି ଟଙ୍କା ମାଗିଲେ । ନାନା ବାବାଙ୍କଠାରୁ ଠିକ୍‌ ଯିବା ପୂର୍ବରୁ ପୁଣି ଚାଳିଶି ଟଙ୍କା ମାଗିଲେ । ନାନା ହାତରେ ଆଉ କିଛି ନ ଥିଲା । ସେ ସଙ୍ଗେ ସଙ୍ଗେ କୋପର ଗାଁକୁ ଟଙ୍କା ପାଇଁ ପଠାଇଲା । ମାତ୍ର ସେ ଟଙ୍କା ଆସିବା ପୂର୍ବରୁ ବାବା ପୁଣି ଦକ୍ଷିଣା ମାଗିଲେ । ବିଚରାକୁ ସ୍ୱୀକାର କରିବାକୁ ପଡ଼ିଲା, ତା’ହାତରେ ଆଉ ପଇସାଟିଏ ନାହିଁ ।

 

ଅନେକ କ୍ଷେତ୍ରରେ ବାବାଙ୍କ ପ୍ରତୀକବାଦ ବେଶ ସରଳ । ଥରେ ସେ ଜଣେ ଭକ୍ତକୁ ଦୁଇ ଟଙ୍କା ବାରମ୍ବାର ମାଗିଲେ । ଏହାର କାରଣ ପଚାରିବାରୁ ବାବା କହିଲେ, “ମୋର ଦୁଇଟା ଧାତୁର ମୁଦ୍ରା ଦରକାର ନାହିଁ, ମୋର ଦରକାର ଧୈର୍ଯ୍ୟ ଓ ବିଶ୍ଵାସ ।”

 

ଆଉଥରେ ବାବା ଜଣକୁ ଚାରି ଟଙ୍କା ମାଗିଲେ । ସେ ଦେଲା । ମାତ୍ର ଚାରିଟଙ୍କା ନେଇ ବାବା କହିଲେ, ସେ ମାତ୍ର ଗୋଟାଏ ଟଙ୍କା ପାଇଲେ ।

 

–“କିନ୍ତୁ ମୁଁ ଯେ ଚାରି ଟଙ୍କା ଦେଲି”–ସେ କହିଲା । ବାବା ଉତ୍ତର ଦେଲେ–ମୁଁ କ’ଣ ସେ କଥା ମନା କରୁଛି ? ତୁ ମୋତେ ଚାରିଟଙ୍କା ଦେଲୁ, ମାତ୍ର ମୁଁ ପାଇଲି ଗୋଟାଏ ।

 

ବିଚରାର ବୁଦ୍ଧି ଆଉ ପାଇଲା ନାହିଁ । ସେ ସ୍ୱୀକାର କଲା ଯେ, ବାବାଙ୍କ କଥା ସେ କିଛି ବୁଝିପାରୁନି । ବାବା କହିଲେ, ପରେ ସେ ବୁଝିପାରିବ । କେତେଦିନ ପରେ ସେଇ ଲୋକଟି ଗୋଟିଏ ରେଳଗାଡ଼ିରେ ଯାଉଥିବା ବେଳେ ଜଣେ ଯୁବକ ଫକୀର ଆସି ତାଙ୍କୁ ଭିକ୍ଷା ମାଗିଲେ । ସେ ତାକୁ ପଇସାଟିଏ ଦେଲା । ମାତ୍ର ଫକୀର ତାକୁ ଚାରିଅଣା ମାଗିଲେ । ତା’ପରେ ସେ ତାଙ୍କୁ ଚାରଣିଟିଏ ବଢ଼େଇଦେଲା । ମାତ୍ର ଫକୀର କହିଲେ, ସେ ଅଣାଟିଏ ପାଇଲେ । ପରେ ସେ ଜଣେ ସାଧୁଙ୍କୁ ଭେଟିଲା । ସେ ତାକୁ ଭିକ୍ଷା ମାଗିଲେ । ଏଠାରେ ମଧ୍ୟ ପୂର୍ବ ଘଟଣାର ପୁନରାବୃତ୍ତି ହେଲା-। ସାଧୁ ଚାରି ଟଙ୍କା ମାଗିଲେ । ସେ ଚାରି ଟଙ୍କା ଦେଲା ପରେ ସାଧୁ କହିଲେ, ତାଙ୍କୁ ଟଙ୍କାଟିଏ ମିଳିଲା । ଶେଷରେ ଏହାର ଅର୍ଥ ଲୋକଟି ବୁଝିପାରିଲା । ସାଇବାବା ତାକୁ ଚାରିଟା କଥା ମାଗୁଥିଲେ–ମନ, ବୁଦ୍ଧି, ଚିତ୍ତ ଓ ଅହଂକାର; ମାତ୍ର ସେ ପାଇଲେ ଜୀବର ଆତ୍ମା ।

 

ଥରେ ଜଣେ ସ୍ତ୍ରୀଲୋକକୁ ବାବା ଛଅ ଟଙ୍କା ମାଗିଲେ; ମାତ୍ର ତା’ ପାଖରେ ତ ପଇସା ନ ଥିଲା । ସେ ତା’ ସ୍ଵାମୀ ପାଖକୁ ଯାଇ କହିଲା, “ଦେଖିଲ, ବାବା ମାଗିଲେ, ଅଥଚ ପାଖରେ ନ ଥିବାରୁ ମୁଁ କିଛି ଦେଇପାରିଲି ନାହିଁ–ମୋତେ ଖୁବ୍‌ ଖରାପ ଲାଗିଲା ।” ମାତ୍ର ସେ ତାଙ୍କୁ ବୁଝେଇ ଦେଲେ–“ବ୍ୟସ୍ତ ହେବା ଦରକାର ନାହିଁ । ବାବା ତୁମକୁ ଟଙ୍କା ମାଗୁ ନ ଥିଲେ । ସେ ଚାହୁଁଥିଲେ ତୁମର ଷଡ଼ରିପୁଙ୍କୁ ତାଙ୍କ ପାଖରେ ସମର୍ପଣ କର ।”

 

ସ୍ମିତ ହସି ବାବା ତାକୁ ପଚାରିଲେ, ସେ ତାଙ୍କୁ ଛଅ ଟଙ୍କା ଦେଇସାରିଛି କି ନାହିଁ । ସ୍ତ୍ରୀଲୋକଟି ଛଅଟଙ୍କା ଦେଇସାରିଛି ବୋଲି ସ୍ଵୀକାର କଲା । ବାବା ତା’ପରେ ତାକୁ ସାବଧାନ କରିଦେଲେ, ତାହାହେଲେ ଦେଖ୍‍, ତୁ ଯେମିତି ଆଉ ବାଟବଣା ନ ହେଉ ।”

 

ସବୁ ସଙ୍କେତ ଭିତରେ ଏଇ ସାଙ୍କେତିକ ଅର୍ଥ, ଗଛରେ ପ୍ରଥମ ଫଳ ଓ ପୂରଣ କରି ନ ଥିବା ଅଙ୍ଗୀକାର ପାଇଁ ପ୍ରଧାନତଃ ବାବା ଟଙ୍କା ମାଗନ୍ତି । ତାଙ୍କର ଜୀବନର ଶେଷ ସମୟକୁ ତାଙ୍କ ପାଖରେ ପ୍ରଚୁର ଟଙ୍କା ପଇସା ଆସି ଜମା ହେଉଥିଲା । ଲୋକେ କହନ୍ତି, ଗୋଟାଏ ରାଜ୍ୟର ଗଭର୍ଣ୍ଣରଙ୍କର ଦରମା ଯେତିକି, ସାଇବାବାଙ୍କର ସେତିକି ରୋଜଗାର ହେଉଥିଲା । ପ୍ରକୃତରେ ସରକାର ଏହା ଉପରେ ଆୟକର ନିର୍ଦ୍ଧାରଣ କରିବାକୁ ବିଚାର କରୁଥିଲେ । ମାତ୍ର ସାଇବାବା ପ୍ରତ୍ୟେକ ଦିନର ଆୟ ପ୍ରାୟ ସବୁ ବିତରଣ କରି ଦେଉଥିବାରୁ ଏହା ସମ୍ଭବ ହେଉ ନ ଥାଏ । ତଥାପି ସାଇବାବା ଯେଉଁ ଗରିବ ଭକ୍ତମାନଙ୍କୁ ଧାରାବାହିକ ସାହାଯ୍ୟ କରୁଥିଲେ ଶେଷରେ ସେମାନଙ୍କ ଉପରେ କିଛି ଆୟକର ବସାଇ ସରକାର ମନର ଓରମାନ ମେଣ୍ଟାଇଥିଲେ ।

Image

 

ଉପଦେଶ

 

ଜଣେ ଗୁରୁଙ୍କର ଜୀବନର ପ୍ରଧାନ କାର୍ଯ୍ୟ ହେଲା ଶିଷ୍ୟମାନଙ୍କୁ ଉପଦେଶ ଦେଇ ତାଙ୍କୁ ଅଧ୍ୟାତ୍ମିକ ମାର୍ଗରେ ବାଟ କଢ଼େଇ ନେବା । ଏହା ସାଧାରଣ ଲୌକିକ ଭାଷାରେ ନିର୍ଦ୍ଦେଶ ବା ନୀତିଶାସ୍ତ୍ରର ଉପଦେଶ ନୁହେଁ । ଏହା ପ୍ରକୃତରେ ଗୋଟିଏ ଆଧ୍ୟାତ୍ମିକ ଶୃଙ୍ଖଳାବଦ୍ଧ ଆଚରଣ, ଯାହା ଉପରେ ଗୁରୁଙ୍କର ଅଜ୍ଞାତ ପ୍ରଭାବ କାମ କରୁଥାଏ ଏବଂ ତାହା ଶିଷ୍ୟକୁ କ୍ରମଶଃ ଉନ୍ନତ ମାର୍ଗରେ ଆଗେଇ ନିଏ । ଏଇଟା ଗୁରୁଙ୍କର ଶେଷ କର୍ତ୍ତବ୍ୟ ହେଲେ ବି ଜଣେ ଜୀବନୀ ଲେଖକ ପକ୍ଷରେ ତାଙ୍କର ଉପଦେଶ ବା ପ୍ରଭାବର ଠିକ୍‌ ଠିକ୍‌ ବିବରଣ ଦେବା ସହଜ ବ୍ୟାପାର ନୁହେଁ । ପ୍ରକୃତରେ ଉପଦେଶ ଶିଷ୍ୟର ବ୍ୟକ୍ତିଗତ ସାଧକ ଜୀବନ ପାଇଁ ଉଦ୍ଦିଷ୍ଟ ଥିବାରୁ ଅନେକ ସମୟରେ ଏହା ନିତାନ୍ତ ବ୍ୟକ୍ତିଗତ ଓ ଗୁପ୍ତ ହୋଇଥାଏ । ଗୁରୁଙ୍କର କେବଳ ସାଧାରଣ ଉପଦେଶଗୁଡ଼ିକ ଅନ୍ୟମାନଙ୍କ ପକ୍ଷରେ ଜାଣିବା ସମ୍ଭବ ହୁଏ । ଏଇ ସାଧାରଣ ଉପଦେଶ ବ୍ୟକ୍ତିଗତ ଉପଦେଶ ପରି ସେତେ ଗଭୀର ଓ ସୁଦୂରପ୍ରସାରୀ ହୁଏ ନାହିଁ । ବେଳେ ବେଳେ ଏଇ ସାଧାରଣ ଉପଦେଶଗୁଡ଼ିକ ଲୋକମୁଖରେ ପ୍ରସାରିତ ହୋଇ ବିଭିନ୍ନ ରୂପ ଓ ବିଭିନ୍ନ ଅର୍ଥ ଧାରଣ କରେ । ଏଥିରୁ ଗୋଟାଏ ଧାରଣା ଜନ୍ମେ ଯେ ଜଣେ ଗୁରୁ କେବଳ ଜଣେ ଦାର୍ଶନିକ ମାତ୍ର । କିନ୍ତୁ ସାଇବାବାଙ୍କ ସମ୍ପର୍କରେ ଏଇ ଧାରଣା ସମ୍ପୂର୍ଣ୍ଣ ଭ୍ରମାତ୍ମକ । କାରଣ ସାଇବାବା କୌଣସି ଦଶନ ଶାସ୍ତ୍ର ଲେଖି ନାହାନ୍ତି । ସେ ଖୁବ୍‌ କମ୍‌ ଉପଦେଶ ବି ଦେଉଥିଲେ ।

 

ଅଧ୍ୟାତ୍ମିକ ସାଧନା ପାଇଁ ବହୁ ବାଟ ରହିଛି । ପ୍ରଶ୍ନ ଉଠେ, ସାଇବାବା କେଉଁ ବାଟଟା ପସନ୍ଦ କରୁଥିଲେ । ସାଇବାବାଙ୍କ ମତରେ ଆମେ ଯୋଗସାଧନା ଓ ତନ୍ତ୍ର ସାଧନାକୁ ଅତି ନିରାପଦରେ ଉପେକ୍ଷା କରିପାରିବା । କାରଣ ଏହା ପ୍ରତ୍ୟକ୍ଷ ଓ ସିଧାବାଟ ନୁହେଁ । ପ୍ରକୃତ ଲକ୍ଷ୍ୟସାଧନର ଏହା ଗୋଟିଏ ବଙ୍କା ବାଟ । ଏ ବାଟରେ ଲକ୍ଷ୍ୟଠାରେ ପହଞ୍ଚି ନ ପାରିବାର ମଧ୍ୟ ଆଶଙ୍କା ଅଛି କାରଣ ଯୋଗସାଧନା ଓ ତନ୍ତ୍ରସାଧନା ମଣିଷକୁ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରେ । ସାଇବାବା ବରାବର କହୁଥିଲେ, ଅତିମାନବିକ ଶକ୍ତିଲାଭ ଆଧ୍ୟାତ୍ମିକ ସାଧନାର ଲକ୍ଷ୍ୟ ନୁହେଁ । ତା’ର ଲକ୍ଷ୍ୟ ହେଲା ଅମୃତ ଲାଭ । ସାଇବାବା ନିଜେ ଅଲୌକିକ ଶକ୍ତିର ଅଧିକାରୀ ଥିଲେ ସତ; ମାତ୍ର ସେ ଶିଷ୍ୟମାନଙ୍କୁ ଅପରିଜ୍ଞାତ, ଅଦ୍ଭୁତ ଶକ୍ତି ପାଇଁ ଉତ୍ସାହିତ କରୁ ନ ଥିଲେ । ପ୍ରକୃତରେ ଯେଉଁ ଶିଷ୍ୟ ଏ ପ୍ରକାର ଶକ୍ତିଲାଭ ବିଷୟରେ ସଂପୂର୍ଣ୍ଣ ଉଦାସୀନ ରହେ, ତାର ଆଧ୍ୟାତ୍ମିକ ସାଧନା ବହୁ ଉନ୍ନତ ବୋଲି କହିବାକୁ ହେବ । ଯେଉଁ ଗୁରୁ ସାଧନା ପଥରେ ଏମିତି କ୍ଷମତାଲାଭ ପାଇଁ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି, ତାଙ୍କୁ ସାବଧାନ ।

 

ସାଇବାବା ଯୋଗସାଧନର ଗୋଟାଏ ପ୍ରଧାନ ଉପାୟ ପ୍ରାଣାୟାମ ପରିତ୍ୟାଗ କରିବାକୁ ବା ସେ ବାଟ ଅନୁସରଣ ନ କରିବାକୁ ଉପଦେଶ ଦେଉଥିଲେ । ସେ କହୁଥିଲେ, “ଯିଏ ପ୍ରାଣାୟାମ କରି ଲକ୍ଷ୍ୟଲାଭ ପାଇଁ ଉଦ୍ୟମ କରେ, ତା’କୁ ଶେଷରେ ମୋ ପାଖକୁ ହଁ ଆସିବାକୁ ପଡ଼ିବ । କାରଣ ସେ ସେବାଟରେ ବେଶି ଦୂର ଯାଇପାରିବ ନାହିଁ ।” ଜଣେ ଚରମ ଅଦ୍ଵୈତବାଦୀ ସିଦ୍ଧପୁରୁଷ ଭଗବାନ ରମଣ ମହର୍ଷି ମଧ୍ୟ ଏଇକଥା କହୁଥିଲେ । ସେ କହୁଥିଲେ, ଚିନ୍ତାଶକ୍ତିର ନିୟନ୍ତ୍ରଣ କରିବାକୁ ଯେଉଁମାନେ ଅକ୍ଷମ, ସେମାନେ ଶ୍ଵାସ ନିୟନ୍ତ୍ରଣ ସାହାଯ୍ୟରେ ମନକୁ ନିୟନ୍ତ୍ରଣ କରିଥାନ୍ତି; ମାତ୍ର ଏଇଟା ଗୋଟାଏ ପ୍ରାରମ୍ଭିକ ପ୍ରଚେଷ୍ଟା ମାତ୍ର । ସେ ସାଇବାବାଙ୍କ ପରି କହନ୍ତି, “ଶେଷରେ ସମସ୍ତେ ଏଇ ଅରୁଣାଚଳକୁ ଆସିବାକୁ ବାଧ୍ୟ ହେବେ ।” ଅରୁଣାଚଳ ପୂର୍ଣ୍ଣଜ୍ଞାନର ସରଳ ପଥର ସନ୍ଧାନ ଦିଏ ।

 

ଆଉ ଗୋଟାଏ ଲକ୍ଷ୍ୟ କରିବାର କଥା, ସାଇବାବା କାହାରିକୁ ସଂସାର ଛାଡ଼ି ସନ୍ୟାସୀ ହେବାକୁ ଉପଦେଶ ଦେଉ ନ ଥିଲେ । ଅଳ୍ପ କେତୋଟି ଘଟଣାରେ ସେ ବାଟ ଅବଲମ୍ବନ କରିବାକୁ ପରିଷ୍କାର ମନା କରିଥିଲେ । ସାଧାରଣତଃ ସେ ଶିଷ୍ୟମାନଙ୍କର ସାଂସାରିକ ଜୀବନ ପ୍ରତି ବେଶ୍‌ ଶ୍ରଦ୍ଧା ଦେଖାଉଥିଲେ ଏବଂ ସେ ଚାହୁଁଥିଲେ ଏ ସଂସାରରେ ରହି ସାଂସାରିକ ଜୀବନ ଯାପନ କରି ସେମାନେ ଲକ୍ଷ୍ୟଲାଭ କରନ୍ତୁ ।

 

ସେ କାହାରିକୁ ଭକ୍ତିମାର୍ଗ ବା ଜ୍ଞାନମାର୍ଗ ଅନୁସରଣ କରିବା ପାଇଁ ଉପଦେଶ ଦେଇଥିବାର କୌଣସି ପ୍ରମାଣ ନାହିଁ । ପ୍ରକୃତରେ ସେ କାହାକୁ ଦୀକ୍ଷା ବା କିଛି ଶସ୍ତା ଉପଦେଶ ଦେଉ ନ ଥିଲେ । ପ୍ରଫେସର ନାର୍‍ କେ କହନ୍ତି, “ସାଇବାବା ମୋତେ କୌଣସି ମନ୍ତ୍ରଦୀକ୍ଷା ଦେଇ ନ ଥିଲେ । କୌଣସି ଉପଦେଶ ମଧ୍ୟ ଦେଉ ନ ଥିଲେ । ମୋର ବିଶ୍ଵାସ ସେ କାହାରିକୁ ମଧ୍ୟ ଏହା ଦିଅନ୍ତି ନାହିଁ । ନିମ୍ନଲିଖିତ ଘଟଣାଟି ମଧ୍ୟ ଦେଶପାଣ୍ଡେ ଦେଖିଥିବାର କୁହନ୍ତି–

 

ରତ୍ନବାଈ ଦେଶମୁଖ ନାମରେ ଜଣେ ସ୍ତ୍ରୀଲୋକ ସିର୍‍ଡ଼ିରେ ବାବାଙ୍କର ସେବା କରୁଥିଲେ । ସେ ଥରେ ଉପଦେଶ ଓ ଦୀକ୍ଷା ପାଇଁ ବାବାଙ୍କୁ ଅନୁରୋଧ କଲା । ବାବା ତ ରାଜି ହେଲେ ନାହିଁ । ତା’ପରେ ସେ ଅନଶନ ସତ୍ୟାଗ୍ରହ ଆରମ୍ଭ କଲା । ଚତୁର୍ଥ ଦିନ ତା’ର ଅବସ୍ଥା ଦେଖି ଦେଶପାଣ୍ତେଙ୍କ ମନରେ ଦୟା ହେଲା । କିଛି ଗୋଟାଏ ମନ୍ତ୍ର ଉପଦେଶ ଦେଇ, ସ୍ତ୍ରୀ ଲୋକଟିକୁ ଶାନ୍ତ କରିବାକୁ ସେ ବାବାଙ୍କୁ ଅନୁରୋଧ କଲେ । ଜପ କରିବା ପାଇଁ ତା’ର ଗୋଟାଏ ଇଷ୍ଟମନ୍ତ୍ର ଆବଶ୍ୟକ ଥିଲା । ସାଇବାବା ସେ ସ୍ତ୍ରୀଲୋକଟିକୁ ଡକାଇ ପଠାଇଲେ ଏବଂ ତା’କୁ ବୁଝାଇଦେଲେ ଦୀକ୍ଷା ଦେବା ବା କୌଣସି ମନ୍ତ୍ରଦାନ କରିବା ତାଙ୍କର ନୀତି ନୁହେଁ; କାରଣ ତାଙ୍କ ଗୁରୁ ଏ ସବୁ କରୁ ନ ଥିଲେ ।

 

ମିସେସ୍‌ ମାନେଜର ମଧ୍ୟ ସେଇକଥା କହନ୍ତି–“ସାଇବାବା ପ୍ରଚଳିତ ପଦ୍ଧତିରେ କାହାକୁ ଆଧ୍ୟାତ୍ମିକ ଶିକ୍ଷା ଦେଇ ନ ଥିଲେ । ସେ କୌଣସି ମନ୍ତ୍ର ବା ଦୀକ୍ଷା କାହାକୁ ଦେଉ ନ ଥିଲେ । ସେ କେବେ ଯୋଗ, ପ୍ରାଣାୟାମ ବା କୁଣ୍ଡଳିନୀ ଆଦି କଥା କହୁ ନ ଥିଲେ । ମାତ୍ର ଏଇ ଯୋଗମାର୍ଗ ଅନୁସରଣ କରୁ କରୁ ସେ ବାଟବଣା ହୋଇଯାଉଥିଲା, ସାଇବାବା ତାକୁ ସାହାଯ୍ୟ କରୁଥିଲେ ।”

 

ଏସବୁ ସତ୍ତ୍ଵେ ସେ ଶିଷ୍ୟମାନଙ୍କୁ ପରିଷ୍କାର ଭାବରେ କହୁଥିଲେ, କିଛି ଉପଦେଶ ବା ଦୀକ୍ଷା ପାଇଁ ଅନ୍ୟ କୁଆଡ଼େ ଯିବା ଆଦୌ ଦରକାର ନାହିଁ । କେହି ଏ କଥା ଚିନ୍ତା ବି କରୁ ନ ଥିଲେ-। କାରଣ ବାବାଙ୍କର ଆଧ୍ୟାତ୍ମିକ ପ୍ରଭାବ ଏତେ ବେଶି ଥିଲା ଯେ, କେହି ଆଉ କାହାର ଦୀକ୍ଷା କଥା ଭାବୁ ନ ଥିଲେ । ଆମର ପୂର୍ବ–ପରିଚିତ ସାଥେ କହନ୍ତି, “ବାବା ତ କାହାକୁ ଉପଦେଶ ବା ଦୀକ୍ଷା କିଛି ଦେଉ ନ ଥିଲେ, ସେଥିପାଇଁ ମୁଁ ତାଙ୍କୁ କେବେ ଅନୁରୋଧ କରିନାହିଁ । ଆଉ କେତେକ ଘଟଣାରେ ଅନ୍ୟ କାହାଠାରୁ ଦୀକ୍ଷା ଗ୍ରହଣ କରିବାକୁ କେତେକ ମୋତେ ଆସି ଡାକିଛନ୍ତି-। ପ୍ରତ୍ୟେକ କ୍ଷେତ୍ରରେ ମୁଁ ସାଇବାବାଙ୍କୁ ଏ କଥା କହେ, ମାତ୍ର ସଙ୍ଗେ ସଙ୍ଗେ ସେ ମନା କରି ଦିଅନ୍ତି-।” ଭଗବାନ ରମଣ ମହର୍ଷି ମଧ୍ୟ ଏଇ ଦୀକ୍ଷା ଦେବା ପନ୍ଥାର ଖୁବ୍‌ ବିରୋଧୀ ଥିଲେ । ଜଣେ ଅଧେ ଶିଷ୍ୟ ଏହା ଦରକାର କି ନାହିଁ ବୋଲି ପଚାରିଲେ, ସେ ଦୃଢ଼ ଭାବରେ ମନା କରିଦିଅନ୍ତି-

 

ହିନ୍ଦୁ ବା ଇସ୍‌ଲାମ୍‌ ବା ଅନ୍ୟ କୌଣସି ଧର୍ମରେ ଗୋଟାଏ ବିଶ୍ଵାସ ଅଛି ଯେ ଏ ଜୀବନରେ ଆଧ୍ୟାତ୍ମିକ ଲକ୍ଷ୍ୟଲାଭର ଏକମାତ୍ର ଉପାୟ ସିଦ୍ଧିଲାଭ କରିଥିବା କୌଣସି ଜଣେ ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ କରିବା । ଏ କଥା ବିଚାର କଲେ ଆମେ କଥାଟାର ଗୁରୁତ୍ୱ ବୁଝିପାରିବା । ଦୀକ୍ଷା ନେବାକୁ ଏଇ ଶରୀରର ପୁନର୍ଜନ୍ମ ବୋଲି ବିଚାର କରାଯାଏ; ମାତ୍ର ପ୍ରକୃତ ଗୁରୁ ଖୋଜି ପାଇବା ଅତି ଦୁଷ୍କର । ସବୁ ସାଧକ ଗୁରୁ ହୋଇପାରନ୍ତି ନାହିଁ । ମହର୍ଷିମାନଙ୍କୁ ଛାଡ଼ିଦେଲେ ସାଧାରଣତଃ ଗୁରୁ ହେବାଟା ଅନେକତ୍ର ବଂଶାନୁକ୍ରମିକ ହୋଇଥାଏ । ଆଧ୍ୟାତ୍ମିକ ସାଧକ ତା’ର ଜୀବନ ଓ ସାଧନା ବଳରେ ମାନବ ସମାଜର ଅବଶ୍ୟ ଉପକାର କରେ । ତା’ର ସାଧନାରେ ସେ ଅନ୍ୟମାନଙ୍କୁ ପ୍ରଭାବିତ କରେ ଏବଂ ଏଇ ବାଟ ପାଇଁ ସେ ଲୋକଙ୍କୁ ଅନୁପ୍ରାଣିତ କରେ । ମାତ୍ର ସେଥିପାଇଁ ସେ ଅନ୍ୟାନ୍ୟ ଲୋକଙ୍କୁ ବାଟ କଢ଼େଇ ନେବାର ଦାୟିତ୍ଵ ବହନ କରିବା ଉଚିତ୍‌ ନୁହେଁ ବା ସେମାନଙ୍କୁ ପ୍ରକୃତ ଗୁରୁଙ୍କ ସନ୍ଧାନ ନେବାରୁ ବିରତ କରାଇବା ଉଚିତ ନୁହେଁ । ରମଣ ମହର୍ଷି ବା ସାଇବାବାଙ୍କ ପରି ସିଦ୍ଧପୁରୁଷମାନେ ଗୁରୁ ହେବାର ଦାୟିତ୍ଵ ମୁଣ୍ଡାଇ ଥିଲେ; କାରଣ ସେମାନେ ଅଜ୍ଞାତ ଉପଦେଶ ଦ୍ୱାରା ପ୍ରତ୍ୟେକ ଶିଷ୍ୟକୁ ପରିଚାଳିତ କରିପାରୁଥିଲେ । ସାଇବାବା ତ ଅତି ପରିଷ୍କାର ଭାବରେ ଶିଷ୍ୟମାନଙ୍କ ପ୍ରତି ନିଜର ଦାୟିତ୍ଵ ଘୋଷଣା କରୁଥିଲେ । ସେ ଶିଷ୍ୟମାନଙ୍କୁ ତାଙ୍କ ନିଜ ଉପରେ ସଂପୂର୍ଣ୍ଣ ଭାବରେ ବିଶ୍ଵାସସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଉଥିଲେ ଏବଂ କହୁଥିଲେ, ସେ ସେମାନଙ୍କୁ ସବୁବେଳେ ଜଗି ରହିଛନ୍ତି । ସେ କହନ୍ତି, “ମୋ ଶିଷ୍ୟକୁ ମୋ’ଠାରୁ ଦୂରେଇ ଯିବାକୁ ମୁଁ କେବେହେଲେ ଦେବି ନାହିଁ ।” ରମଣ ମହର୍ଷି କହନ୍ତି, “ବାଘ ତା’ ଶିକାର ଦେହରେ ଦାନ୍ତ ଗଳାଇ ଦେଲା ପରେ ସେ ଯେମିତି ଆଉ ତା’ ହାବୁଡ଼ରୁ ରକ୍ଷା ପାଇପାରିବ ନାହିଁ, ସେମିତି ଥରେ ଗୁରୁଙ୍କର କୃପା ଲାଭ କଲେ, ଶିଷ୍ୟ କେବେହେଲେ ଏକୁଟିଆ ହେବ ନାହିଁ ।” ବାବା କହୁଥିଲେ, “ତୁମେ ନୀରବ ନିସ୍ତବ୍‌ଧ ଭାବରେ ମୋତେ ଗ୍ରହଣ କର, ଅନ୍ୟ ସବୁ କାମ ମୁଁ ତୁମ ପାଇଁ କରିଦେବି ।” ମହର୍ଷି ମଧ୍ୟ ଠିକ୍‌ ସେଇ କଥା କହୁଥିଲେ; ମାତ୍ର ‘ମୁଁ କରିଦେବି’ ନ କହି ସେ କହୁଥିଲେ ‘ଭଗବାନ କରିଦେବେ’ । ସାଇବାବାଙ୍କ ଭାଷାରେ, ତୁମେ ଯେଉଁଠାରେ ଥିଲେ ମଧ୍ୟ ମୋତେ ସ୍ମରଣ କଲେ, ମୁଁ ତୁମଠାରେ ପହଞ୍ଚିବି ।” ରମଣ ମହର୍ଷି ମଧ୍ୟ ଶିଷ୍ୟମାନଙ୍କୁ ଟିକିଏ ଅନ୍ୟ ପ୍ରକାରେ ଏମିତି ଆଶ୍ଵାସନା ଦେଉଥିଲେ ।

 

ସାଇବାବା ଯେ ଶିଷ୍ୟମାନଙ୍କୁ ଏକ ଅତି ପ୍ରବଳ ଶକ୍ତିଦ୍ଵାରା ପ୍ରଭାବିତ କରନ୍ତି, ଏଥିରେ ସନ୍ଦେହର ଅବକାଶ ଥାଇ ନ ପାରେ । ଅନେକ ଶିଷ୍ୟ ମଧ୍ୟ ସେଇୟା ଅନୁଭବ କରିଛନ୍ତି ବୋଲି କହନ୍ତି । ସାଇବାବା ଶିଷ୍ୟର ଉନ୍ନତି ପାଇଁ ନିଜେ ଅନେକ ଚେଷ୍ଟା ବି କରୁଥିଲେ । ଖାଲି ସ୍ପର୍ଶ କରି ବାବା ଶିଷ୍ୟମାନଙ୍କର ରୂପାନ୍ତର ଆଣି ପାରୁଥିଲେ । ଜଣେ ଶିଷ୍ୟ କହନ୍ତି, “ତାଙ୍କ ପାଖକୁ ଆସୁଥିବା ଭକ୍ତମାନଙ୍କର ମୁଣ୍ଡ ଉପରେ ହାତ ରଖିବା ବାବାଙ୍କର ଗୋଟାଏ ବିଶେଷତ୍ଵ । ସେଇ ସ୍ପର୍ଶ ଦ୍ଵାରା ଶିଷ୍ୟ ଅନୁଭବ କରେ–ତା’ ଭିତରେ ଯେମିତି ଗୋଟାଏ ପରିବର୍ତ୍ତନ ପ୍ରବଳ ଭାବରେ ସଂଘଟିତ ହୋଇଯାଇଛି । ନୂତନ ଶକ୍ତି, ନୂତନ ତେଜ, ନୂତନ ଚିନ୍ତାଧାରା ତାକୁ ଯେମିତି ଗୋଟିଏ ଉନ୍ନତ ସ୍ତରକୁ ଉଠାଇ ନେଉଛନ୍ତି । ବେଳେବେଳେ ସେ ଶିଷ୍ୟ ମୁଣ୍ଡରେ ଜୋର୍‌ରେ ଚାପ ଦେଇ ତାର ଗୋଟାଏ କିଛି କୃପ୍ରବୃତ୍ତିକୁ ନଷ୍ଟ କରିଦିଅନ୍ତି । ବେଳେ ବେଳେ ମୁଣ୍ଡକୁ ଠୁକେଇ ଦିଅନ୍ତି ବା ଖାଲି ମୁଣ୍ଡ ଉପରେ ହାତ ବୁଲାଇ ନିଅନ୍ତି । ଏଇ ପ୍ରତ୍ୟେକ ପଦ୍ଧତି ଶିଷ୍ୟର ପରିବର୍ତ୍ତନ ଆଣେ ଓ ସେ ଗୋଟାଏ ନୂତନ ଅନୁଭୂତି, ନୂତନ ଆଲୋକ ଲାଭ କରେ ।”

 

ଦେଖିବାକୁ ଗଲେ, ସାଇବାବା ଗୁରୁଙ୍କ ପ୍ରତି ଆନୁଗତ୍ୟ ମାଧ୍ୟମରେ ହିଁ ଭଗବତ୍‍ଲାଭ ପାଇଁ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି । ସେ ନିଜେ ମଧ୍ୟ ସେମିତି ଗୁରୁକୃପାରୁ ସିଦ୍ଧିଲାଭ କରିଛନ୍ତି ବୋଲି ନିଜେ କହୁଥିବା କଥା ପୂର୍ବରୁ ବର୍ଣ୍ଣନା କରାଯାଇଛି । ପ୍ରଥମ ଅଧ୍ୟାୟରେ ଥିବା ଭଗବତ୍‌ ଗୀତାର ଶ୍ଳୋକର ବ୍ୟାଖ୍ୟାରୁ ମଧ୍ୟ ବାବାଙ୍କର ଏ ଉପଦେଶ ସୁସ୍ପଷ୍ଟ । ସେଇଠି ସେ କହିଛନ୍ତି, ଗୁରୁଙ୍କ ପାଖରେ ଦେହ, ମନ ଓ ଆତ୍ମାର ସମ୍ପୂର୍ଣ୍ଣ ସମର୍ପଣ ସମ୍ଭବ ହେଲେ ଯାଇ ପୂର୍ଣ୍ଣଜ୍ଞାନ ଲାଭ ସମ୍ଭବ । ପ୍ରଫେସର ନାର୍‌କେ କହନ୍ତି “ଭକ୍ତିମାର୍ଗର ପ୍ରଧାନ ଗୁଣ ହେଲା ଭଗବାନଙ୍କୁ ମାନିବା, ସେବା କରିବା ଓ ଶ୍ରଦ୍ଧା କରିବା । ଗୁରୁଙ୍କ ପ୍ରତି ସେବାଭାବ, ଶ୍ରଦ୍ଧା ଓ ସମ୍ମାନ ମାଧ୍ୟମରେ ଭଗବାନଙ୍କୁ ସେଇ ଭାବରେ ଲାଭ କରିବା ସହଜ ବୋଲି ସାଇବାବା ବିଶେଷ ଜୋର ଦିଅନ୍ତି । ସେ ସବୁବେଳେ ଗୁରୁ ଓ ଭଗବାନ ଉଭୟଙ୍କୁ ସମାନ ବୋଲି କହନ୍ତି ।

 

ମହର୍ଷି ମଧ୍ୟ ଠିକ୍‌ ଏଇ କଥା କହନ୍ତି, “ପ୍ରକୃତରେ ଗୁରୁ, ଭଗବାନ ଓ ତୁମେ ନିଜେ ପରସ୍ପରଠାରୁ ବିଭିନ୍ନ ନୁହଁ, ତୁମେ ସମସ୍ତେ ଏକ ।” ସେ ଆହୁରି କହୁଥିଲେ, “ଏଇ ଗୁରୁ ତୁମ ଅନ୍ତର୍ଜଗତର ଗୁରୁଙ୍କୁ ଜାଗ୍ରତ କରେଇ ଦିଅନ୍ତି ।” ଏଇ ଅନ୍ତର୍ଜଗତର ଗୁରୁ କହିବା ଓ ଖ୍ରୀଷ୍ଟିଆନ୍‌ମାନେ ‘ଯୀଶୁ ତୁମ ଭିତରେ’ କହିବା ଏକା କଥା । ସାଇବାବା ଖୁବ୍‌ କମ୍‌ କହୁଥିଲେ, ଯାହା ତାଙ୍କ କହିବା କଥା ସେ କାମରେ ଦେଖାଇ ଦେଉଥିଲେ । ମାତ୍ର ସେ ପୁଣି କହନ୍ତି, “ଜଣେ ଗୁରୁ ଖୋଜିବା ବା ପାଇବା ସେମିତି କିଛି ଆବଶ୍ୟକ ନାହିଁ । ସବୁ କିଛି ତୁମ ଭିତରେ ଅଛି । ତୁମେ ଯେମିତି କାମ କରିବ ସେମିତି ଫଳ ପାଇବ । ତୁମେ ଅନ୍ୟକୁ ଯାହା ଦିଅ, ନିଜେ ତାହା ହିଁ ପାଅ ।” ଏହାର ଅର୍ଥ ହେଲା–ଅନ୍ତର୍ଜଗତର ଗୁରୁଙ୍କୁ ଅନୁଭବ କରିପାରିଲେ, ତାଙ୍କୁ ଲାଭ କରିପାରିଲେ, ଏ ବହିସ୍ଥ ଗୁରୁଙ୍କର କିଛି ଆବଶ୍ୟକତା ନାହିଁ । ସେ ଆହୁରି କହନ୍ତି, “ମୁଁ ଯାହା କହୁଚି ବା କରୁଚି, ତୁମେ ନିଜେ ହିଁ ଏ ସମସ୍ତର ଅଧିକାରୀ । ସେଇ ମହାଗୁରୁଙ୍କ କଥା ଶୁଣିବାକୁ ତୁମେ ଚେଷ୍ଟା କର ।” ଏ କଥା ଅବଶ୍ୟ ମନେରଖିବାକୁ ହେବ ଯେ ସେ ସମସ୍ତଙ୍କୁ ଏହା କହୁ ନ ଥିଲେ । ଜଣେ ଭକ୍ତ ଅନ୍ତରସ୍ଥ ମହାଗୁରୁଙ୍କୁ ଗ୍ରହଣ କରିବା ପାଇଁ ଯଥେଷ୍ଟ ଉନ୍ନତ ଓ ପ୍ରସ୍ତୁତ ନ ଥିଲେ ବହିସ୍ଥ ଗୁରୁଙ୍କୁ ଉପେକ୍ଷା କରି ତାଙ୍କୁ ଅନୁସରଣ କରିବାକୁ ଚେଷ୍ଟା କରିବା ନିତାନ୍ତ ବିପଜ୍ଜନକ । କାରଣ ନିଜକୁ ଯଥେଷ୍ଟ ପରିମାଣରେ ସଂଯତ ନ କରି ଆତ୍ମଗୁରୁଙ୍କୁ ଜାଣିବା ପାଇଁ ଚେଷ୍ଟା କଲାବେଳେ ବହୁ ବାଧାବିଘ୍ନ, ବହୁ ପ୍ରଲୋଭନ, ବହୁ ଦୁର୍ଭାବନା ବରାବର ମନକୁ ଆସି ବ୍ୟସ୍ତ, ବିବ୍ରତ କରେ । ପ୍ରକୃତ ଗୁରୁଙ୍କର ସନ୍ଧାନ ପାଇବା ପୂର୍ବରୁ ଏଇ ପ୍ରଲୋଭନରେ ସାଧକ ବାଟ ଭୁଲି ମନେକରେ ସେ ପ୍ରକୃତ ଗୁରୁଙ୍କୁ ପାଇଗଲା । ତେଣୁ ମୋଟାମୋଟି ଜଣେ ବହିସ୍ଥ ଗୁରୁଙ୍କର ଆବଶ୍ୟକତା ରହିଛି ।

 

ସାଇବାବା କେବଳ ଗୋଟିଏ ଅତି ସାଧାରଣ କଥା ଶିକ୍ଷା ଦିଅନ୍ତି । ସେଇଟା ହେଲା ଗୁରୁଙ୍କ ପାଖରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ । ଏଇଟା ଅବଶ୍ୟ ଖୁବ୍‌ ବଳିଷ୍ଠ ଓ ପ୍ରଭାବଶାଳୀ ପନ୍ଥା । ଜଣେ ପ୍ରକୃତ ଗୁରୁଙ୍କ ପାଖରେ ବେଶ୍‌ ନିରାପଦରେ ନିଜର ସବୁ କିଛି ଅର୍ପଣ କରିହେବ, ମାତ୍ର ଯେଉଁମାନେ ଅହଂକାରର ଶେଷ ଶିଖା ପର୍ଯ୍ୟନ୍ତ ନିର୍ବାପିତ କରିପାରି ନାହାନ୍ତି, ସେମାନଙ୍କୁ ଅନୁସରଣ କରିବା ଭୟଙ୍କର ବିପଦ । ମାତ୍ର ସାଇବାବା ଏ ସବୁ କଥାରେ କିଛି କହୁ ନ ଥିଲେ । କାରଣ ସେ କେବେହେଲେ କିଛି ତତ୍ତ୍ଵକଥାର ଆଲୋଚନା ହିଁ କରୁ ନ ଥିଲେ । ମାତ୍ର ଶିଷ୍ୟମାନେ ଅଜ୍ଞାତ ଭାବରେ ତାଙ୍କ ପାଖରୁ ସବୁ ଲାଭ କରିପାରୁଥିଲେ । ତଳଲିଖିତ ଘଟଣାଟି ଶୁଣିବା ।

 

ସିର୍‍ଡ଼ିରେ ସବୁଦିନ ପାଇଁ ରହୁଥିବା ଜଣେ ଭକ୍ତାଙ୍କ ଘରେ ଆଉ ଜଣେ ଭକ୍ତ ରହୁଥିଲେ-। ସେ ଭକ୍ତାଙ୍କ ଘରକୁ ବାବା ଅନେକ ସମୟରେ ଆଗନ୍ତୁକମାନଙ୍କୁ ପଠାନ୍ତି । ଉକ୍ତ ଭକ୍ତ କହନ୍ତି, ଆମେ ଥରେ ଏକମତ ହେଲୁ ଯେ, ଆମ୍ଭମାନଙ୍କ ପାଇଁ ଜପ ହେଉଛି ଶ୍ରେଷ୍ଠ ପନ୍ଥା କିନ୍ତୁ ଅସଲ ଅଡ଼ୁଆ ହେଲା, ଏଥିପାଇଁ ଆମେ କେଉଁ ନାମ ବ୍ୟବହାର କରିବୁ । ସେ ଭକ୍ତା କହିଲେ, ଅନେକ ‘ରାମ’ ବା–‘ବିତଳ’ ଏଇ ନାମ ବ୍ୟବହାର କରନ୍ତି । ମାତ୍ର ‘ସାଇ’ ତାଙ୍କର ଭଗବାନ । ତେଣୁ ଆମେ ଏକାଠି ବସି ଏଇ ‘ସାଇ’ ନାମ ଅଧଘଣ୍ଟାଏ ଜପ କଲୁ । ପରେ ବାବା ମୋତେ ଡକେଇ ପଠେଇଲେ ଏବଂ ପଚାରିଲେ ସକାଳଓଳି ମୁଁ କ’ଣ କରୁଥିଲି ।

 

–ଜପ କରୁଥିଲି, ମୁଁ କହିଲି ।

 

–କାହାର ନାମ ? ସାଇବାବା ପଚାରିଲେ ।

 

–ମୋ ଭଗବାନଙ୍କ ନାମ ।

 

–ତୋର ଭଗବାନ କିଏ !

 

–ବାବା, ଆପଣ ଜାଣନ୍ତି । ମୁଁ ଉତ୍ତର ଦେଲି ।

 

ସେ ସ୍ମିତ ହସ ହସି କହିଲେ–ଠିକ୍‌ କଥା ।

 

ଏମିତି ତାଙ୍କ ନାମ ଜପ ଓ ଧ୍ୟାନରେ ବ୍ୟବହାର କରିବାପାଇଁ ବାବା ପରୋକ୍ଷରେ ଅନୁମତି ଦେଲେ ।

 

ମାତ୍ର ଏ କଥା ଲକ୍ଷ୍ୟ କରିବାକୁ ପଡ଼ିବ, ସାଇବାବା ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ଅନୁମତି ଦେଇଥିଲେ, ସର୍ବସାଧାରଣରେ ନୁହେଁ । ଗୁରୁଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇ ସାଧନା କରିବା ବିଷୟରେ ପ୍ରଫେସର ନାର୍‌କେ କହନ୍ତି–

 

ସାଇବାବାଙ୍କର ଶିକ୍ଷାପଦ୍ଧତି ଅନୁସାରେ ଗୁରୁଙ୍କର ଆଶ୍ରୟ ନେବାକୁ ଆସୁଥିବା ଶିଷ୍ୟ ନିଜକୁ ତାଙ୍କ ଚରଣରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେବା ଉଚିତ୍‌ । ତା’ର ଅନ୍ତରରେ ପବିତ୍ରତା, ସାଧୁତା ଓ ଦୃଢ଼ତା ମଧ୍ୟ ଥିବା ଆବଶ୍ୟକ । ମାତ୍ର ସେଥିପାଇଁ କୌଣସି ଜପ ବା ଧ୍ୟାନ ଦରକାର ନାହିଁ । ବରଂ ‘ମୁଁ ଅମୁକ କରିଛି’, ‘ମୁଁ ଏମିତି ସାଧନା କରିଛି’ ଏ ପ୍ରକାର ଅହଂଭାବ ଆଧ୍ୟାତ୍ମିକ ଉନ୍ନତି ପଥରେ ପ୍ରଧାନ ଅନ୍ତରାୟ । ଶିଷ୍ୟର ଅନ୍ତରରେ ଥିବା ସବୁ ଅହଂକାରକୁ ଧୋଇ ସଫା କରିଦେବାକୁ ପଡ଼ିବ । ଗୁରୁଙ୍କ ପାଇଁ ମନଟାକୁ ପରିଷ୍କାର କରି ତାଙ୍କୁ ଅର୍ପଣ କରିଦେବାକୁ ହେବ । ତାହାହେଲେ ଗୁରୁ ତାଙ୍କ କାମ ଆରମ୍ଭ କରିପାରିବେ । ଗୁରୁ ପ୍ରକୃତରେ କିଛି ଶିକ୍ଷା ଦିଅନ୍ତି ନାହିଁ । ସେ ନିଜର ଅପୂର୍ବ ପ୍ରଭାବ ବିକିରଣ କରି ଶିଷ୍ୟକୁ ସତ୍‌ମାର୍ଗରେ ବାଟ କଢ଼ାଇ ନିଅନ୍ତି । ଯେଉଁ ଲୋକ ନିଜର ମନପ୍ରାଣ ସବୁ କିଛି ଗୁରୁଙ୍କ ପାଖରେ ସଂପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଥାଏ, ସେ କେବଳ ଗୁରୁଙ୍କ ପାଖରୁ ସବୁପ୍ରକାର ଉପକାର ପାଏ । ଯେଉଁ ଶିଷ୍ୟ ନିଜର ‘ଅହଂ’କୁ ନଷ୍ଟ କରି ଗୁରୁଙ୍କ ଆତ୍ମସତ୍ତା ସହ ମିଶାଇ ଦେଇ ନ ପାରେ, ସାଧନା ପଥରେ ଦ୍ଵୈତ ସତ୍ତା ଦ୍ଵାରା ବିଭ୍ରାନ୍ତ ହୁଏ, ମନର ବାଧା ଦ୍ଵାରା ସେ ବିବ୍ରତ ହୁଏ ଏବଂ ‘ମୁଁ ଅମୁକ କଲି’, ‘ମୋ ଚେଷ୍ଟାରେ ଏହା ହୋଇପାରିଲା’ ଏମିତି ଚିନ୍ତା ଚିରନ୍ତର ତା’ପଥରେ ବିଘ୍ନ ସୃଷ୍ଟି କରିଥାଏ ।

 

ଯେଉଁମାନେ ସାଇବାବାଙ୍କ ପାଖକୁ ଆସନ୍ତି, ସେମାନେ ଅବଶ୍ୟ ଏଇ ମହାସତ୍ୟ ନିଶ୍ଚୟ ଅନୁଭବ କରିଥିବେ । ସେ ନିଜେ ଅନେକ ଭକ୍ତକୁ କହିଛନ୍ତି ‘ମୋ ପାଖରେ ରହି ନୀରବରେ ମୋତେ ଗ୍ରହଣ କର । ଅନ୍ୟ ସବୁ କାମ ମୁଁ କରିଦେବି । –ଅବଶ୍ୟ ସେ ଯାହା କରନ୍ତି ସବୁ ଗୋପନ ଭାବରେ ।

 

ତେଣୁ ଜଣେ ଭକ୍ତର ପ୍ରଥମ କର୍ତ୍ତବ୍ୟ ହେଲା ନିଜକୁ ପବିତ୍ର, ଅକଳଙ୍କ, ଶାନ୍ତ ଓ ବିଶ୍ୱାସରେ ଦୃଢ଼ ରଖିବା । ତାହାହେଲେ ଯାଇ ସେ ଗୁରୁଙ୍କର କୃପାଲାଭ ପାଇଁ ଉପଯୁକ୍ତ ହୋଇପାରିବ ଏବଂ ତା’ର ବିଶ୍ଵାସ ଫଳରେ ତାକୁ କ୍ରମଶଃ ଉନ୍ନତରୁ ଉନ୍ନତତର ଆଧ୍ୟାତ୍ମିକ ସାଧନାରେ ବାଟ କଢ଼ାଇ ଚରମ ଲକ୍ଷ୍ୟରେ ପହଞ୍ଚାଇ ଦେଇପାରିବ–ସେ ଲକ୍ଷ୍ୟ ଯେତେ ଦୂରରେ ଥାଉ ପଛେ, ପ୍ରାଥମିକ ଅବସ୍ଥାରେ ସେ ଗଭୀରତର ଦର୍ଶନ ବା ନିଜର ଚରମ ଲକ୍ଷ୍ୟ ବିଷୟରେ ବିବ୍ରତ ହେବା ଆଦୌ ଉଚିତ ନୁହେଁ । ତା’ ପାଇଁ ଗୁରୁଙ୍କ ଆଡ଼କୁ ବିଶ୍ଵାସର ସହ ସେଇ ପ୍ରଥମ ପଦକ୍ଷେପ ହିଁ ଯଥେଷ୍ଟ ଓ ସେ ପ୍ରଥମ ପଦକ୍ଷେପ ନେବା ପାଇଁ ନିଜକୁ ପ୍ରସ୍ତୁତ ରଖିବା ସର୍ବାଦୌ ପ୍ରୟୋଜନୀୟ । ଗଭୀରତର ଓ ଉଚ୍ଚତର ଲକ୍ଷ୍ୟ ପାଇଁ ସେ ଏ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିନାହିଁ ବୋଲି ମନେକରିବା ଉଚିତ । ଗୁରୁ କ୍ରମଶଃ ଆଧ୍ୟାତ୍ମିକ ସାଧନାର ସୋପାନରେ, ସତ୍ୟ-ସନ୍ଧାନର ଅମୃତମୟ ପଥରେ ଅଧିକରୁ ଅଧିକ ଜ୍ଞାନ ପ୍ରଦାନ କରି ଉନ୍ନତତର ପ୍ରଦେଶକୁ ଆଗେଇ ନେବେ । ‘ଚରମ ଲକ୍ଷ୍ୟ’ ଗୁରୁଙ୍କ ହାତରେ । ସେ ଉପଯୁକ୍ତ ସମୟରେ ସାଧନାର ପରିଣତ ଅବସ୍ଥାରେ ଶିଷ୍ୟକୁ ତାହା ପ୍ରଦାନ କରିବେ ।

 

ଏସବୁ କଥା ସାଇବାବା ମୋତେ ବା କାହାକୁ ଏକାଥରକେ କହି ନାହାନ୍ତି । ମାତ୍ର ଲୋକଙ୍କ ପ୍ରତି ତାଙ୍କର ଆଚରଣ ଓ ଉପଦେଶରୁ ଏବଂ ବେଳେ ବେଳେ ସେ ଯାହା ଖୋଲାଖୋଲି ଭାବରେ କହନ୍ତି, ସେଥିରୁ ମୁଁ ଏ ସିଦ୍ଧାନ୍ତରେ ପହଞ୍ଚିଛି ।

 

ସାଇବାବାଙ୍କର ଉପଦେଶର ଏହା ଏକ ଚମତ୍କାର ସାରାଂଶ । ମାତ୍ର ତାଙ୍କ ଶିଷ୍ୟ ଯାହା କହନ୍ତି, ତାହା ଅନେକ ପରିମାଣରେ ବ୍ୟକ୍ତିଗତ, ଅର୍ଥାତ୍‌ ବାବାଙ୍କ ଉପଦେଶ ବ୍ୟକ୍ତିବିଶେଷ ପାଇଁ ଉଦ୍ଦିଷ୍ଟ–ସର୍ବସାଧାରଣରେ ସମସ୍ତେ ଗ୍ରହଣ କରିବା ପାଇଁ ନୁହେଁ । ଏଣୁ ବ୍ୟକ୍ତିବିଶେଷ ପାଇଁ ଯାହା ସତ୍ୟ, ସାଧାରଣ ଦୃଷ୍ଟିରୁ ତା’ର ସତ୍ୟତା ହୁଏତ ସଙ୍କୁଚିତ ହୋଇଯାଇପାରେ । ଏଣୁ ଏହାକୁ ସାଧାରଣ ସତ୍ୟ ବୋଲି ଗ୍ରହଣ କରିନେଲେ ପ୍ରମାଦ ରହିଛି । ଉଦାହରଣ ସ୍ୱରୂପ, ଧ୍ୟାନର ଅର୍ଥ ‘ମୁଁ କଲି’, ‘ମୋ ଦ୍ଵାରା ଅମୁକ ହେଲା’, ବୋଲି ଆମେ ସାଧାରଣ ସିଦ୍ଧାନ୍ତରେ ପହଞ୍ଚିପାରିବା ନାହିଁ । ବିଶେଷତଃ, ରମଣ ମହର୍ଷି କହନ୍ତି, ପ୍ରଥମେ ଆମକୁ “ମୁଁ କିଏ ?” ଏଇ ପ୍ରଶ୍ନ ପଚାରି ସାଧନାର ମାର୍ଗ ସ୍ଥିର କରିବାକୁ ପଡ଼ିବ । ଏଇ “ମୁଁ କିଏ ?” ଅନୁସନ୍ଧାନ ‘ଅହଂ’ ଭାବର ଅବତାରଣା କରେ ନାହିଁ । ତା’ଛଡ଼ା ପ୍ରଥମରୁ ଚରମ ଲକ୍ଷ୍ୟ, ଭଗବାନଙ୍କ ସହ ଏକତ୍ଵ ଉଦ୍ଦେଶ୍ୟରେ ସାଧନାକୁ ପରିଚାଳିତ କରିବାରେ କିଛି ଅସୁବିଧା ତ ନାହିଁ । ରମଣ ମହର୍ଷି ଏଇ ଅଦ୍ଵୈତ ଅନୁଭୂତିକୁ ଜୀବନର ପରମ ଶ୍ରେୟ ରୂପେ ଗ୍ରହଣ କରିନେଇ ପ୍ରଥମରୁ ହିଁ ତଦନୁଯାୟୀ ଆଧ୍ୟାତ୍ମିକତାକୁ ପରିଚାଳନା କରିବା ପାଇଁ କହୁଥିଲେ । ଏ କଥା ବି ଆମେ ଅଭ୍ରାନ୍ତ ସତ୍ୟ ବୋଲି ଗ୍ରହଣ କରିନେଇ ପାରିବା ନାହିଁ ଯେ, ଗୁରୁ ଶିଷ୍ୟକୁ କ୍ରମଶଃ ଅଧିକରୁ ଅଧିକ ଶକ୍ତି, ଜ୍ଞାନ ଏବଂ ସତ୍ୟାନୁଭୂତି ପ୍ରଦାନ କରିଥାନ୍ତି । ଶିଷ୍ୟ ଅନ୍ଧକାରରେ ଆଲୋକକୁ ଲକ୍ଷ୍ୟ ରଖି ସାଧନା କରେ । ମାତ୍ର ତା’ର ସାଧନାର ପରିସମାପ୍ତି ନ ହେଲା ପର୍ଯ୍ୟନ୍ତ ସେ ଆଲୋକ ଲାଭ କରିପାରେ ନାହିଁ ।

 

ଆଉ ଗୋଟାଏ କଥା କହିବାକୁ ଛାଡ଼ିବା ପାଇଁ ନିଜେ ନୀରବ, ନିସ୍ତବ୍‌ଧ ହୋଇ ଗୁରୁଙ୍କୁ ଗ୍ରହଣ କରିବା କିଛି ସହଜ ବ୍ୟାପାର ନୁହେଁ, ବରଂ ଏଇଟା ସବୁଠାରୁ କଷ୍ଟକର କଥା । ମନର ଏଇ ସ୍ଥିରତା ଆଣିବା ପାଇଁ ହିଁ ଯେତେପ୍ରକାର ଧ୍ୟାନ, ଧାରଣା ଆବଶ୍ୟକ ହୋଇଥାଏ । ମନର ପବିତ୍ରତା, ଚରିତ୍ରର ଅକଳଙ୍କତା–ଏ ସବୁ ଜଣେ ପରିପକ୍ଵ ସାଧକ ପକ୍ଷରେ ହିଁ ସମ୍ଭବ; ସାଧାରଣ ଲୋକ ହଠାତ୍‌ ଏହା ଲାଭ କରିପାରେ ନାହିଁ ଏବଂ ଏହା ପାଇବା ପାଇଁ ତାକୁ କେତେକ ପ୍ରାଥମିକ ସାଧନାର ପଥ ଅବଲମ୍ବନ କରିବାକୁ ପଡ଼େ ।

 

ଆଧ୍ୟାତ୍ମିକ ପଥରେ କର୍ମବିମୁଖତା ବା ଉଦାସୀନତା (Passivity) ଉପରେ ସାଇବାବା ଯେମିତି ପ୍ରାଧାନ୍ୟ ଆରୋପ କରନ୍ତି, ତାହା ଶୁଣି ଅନେକଙ୍କ ମନରେ ନାନା ପ୍ରଶ୍ନ ଉଠିପାରେ । କର୍ମବିମୁଖତା ଅନେକ କ୍ଷେତ୍ରରେ ସାଧକକୁ ଗୋଟିଏ ବିପଜ୍ଜନକ ଅବସ୍ଥାକୁ ଠେଲିଦିଏ । ମାତ୍ର କର୍ମବିମୁଖତା ଅର୍ଥ କର୍ମହୀନତା ନୁହେଁ । ଆସୁରିକ ପ୍ରବୃତ୍ତି ପ୍ରତି କର୍ମବିମୁଖତା ‘ଅହଂ’ ପ୍ରତି କର୍ମହୀନତା ପ୍ରକୃତରେ ମଣିଷକୁ ସଙ୍କଟରେ ପକାଏ । ମଣିଷର ପ୍ରବୃତ୍ତି ପ୍ରତି ଅବହେଳା ଓ ତାକୁ ଦମନ ନ କରିବାର ଚେଷ୍ଟା ମଣିଷକୁ ସଂହାର କରେ, ସମୃଦ୍ଧ କରେ ନା । ସତ୍ୟ ଓ ଆଧ୍ୟାତ୍ମିକ ପ୍ରଭାବକୁ ବିନା ବାଧାରେ ଗ୍ରହଣ କରିବା ହିଁ କର୍ମବିମୁଖତା; ଈଶ୍ୱରଙ୍କ ଅଭିଳାଷକୁ ଅଜ୍ଞାତରେ ଗ୍ରହଣ କରିନେବା ହିଁ କର୍ମବିମୁଖତା । ନିଜକୁ ସଂସାରର ଓ ଆତ୍ମପ୍ରବୃତ୍ତିର ଶିକାର ନ କରି ସେ ମହାନ୍‌ ଆଲୋକର ଉତ୍‌ସରଣକୁ ଆଲିଙ୍ଗନ କରନେବା ହିଁ ବାହ୍ୟଜଗତର ସବୁ ପ୍ରଲୋଭନ, ସବୁ ପ୍ରବୃତ୍ତି ଓ ଆକାଙ୍‌କ୍ଷା ପ୍ରତି ଉଦାସୀନ ରହି ଅନ୍ତର୍ଜଗତର ଆହ୍ଵାନକୁ ଆଗ୍ରହର ସହ ଶୁଣିବା ହିଁ ଏହାର ପ୍ରକୃତ ଅର୍ଥ । କେବଳ ସେଥିପାଇଁ ସିଦ୍ଧପୁରୁଷମାନେ ବାହ୍ୟଜଗତର ଉର୍ଦ୍ଧ୍ୱରେ ସେ ଇଶ୍ୱରେଚ୍ଛା ପାଖରେ ସମସ୍ତଙ୍କଠାରୁ ଅଧିକ ଗଭୀର ଭାବରେ ଆତ୍ମସମର୍ପଣ କରିଦେଇ ପାରନ୍ତି । ସେମାନଙ୍କର ‘ନିଜତ୍ଵ’ କିଛି ନ ଥାଏ । ଭଗବାନଙ୍କ ପ୍ରତି ଉଦାସୀନତା ମଣିଷକୁ ପୃଥିବୀ ସହ ନିବିଡ଼ତର କରି ବାନ୍ଧି ପକାଏ । ଅହଙ୍କାର ପ୍ରତି ଉଦାସୀନତା ତାକୁ ଭଗବାନଙ୍କର ନିକଟତର କରିଦିଏ । ସେଥିପାଇଁ ଆଦ୍ୟ ଅବସ୍ଥାରେ ଆତ୍ମସମର୍ପଣଟା ଏତେ କଠିନ । ବର୍ତ୍ତମାନ ଯୁଗର ତିନି ଜଣ ପ୍ରସିଦ୍ଧ ସିଦ୍ଧପୁରୁଷ ହେଲେ ଶ୍ରୀ ରାମକୃଷ୍ଣ ପରମହଂସ, ସାଇବାବା ଓ ଭଗବାନ ରମଣ ମହର୍ଷି । ସାଇବାବା ସିର୍‌ଡ଼ିଠାରେ ପ୍ରସିଦ୍ଧଲାଭ କରିବାର ଠିକ୍‌ ପୂର୍ବରୁ ଶ୍ରୀ ରାମକୃଷ୍ଣ ପରମହଂସ କଲିକତା ବାହାରେ ବେଲୁଡ଼ ମଠରେ ରହି ଶିକ୍ଷା ଦେଉଥିଲେ । ସାଇବାବାଙ୍କ ମୃତ୍ୟୁର ଠିକ୍‌ ପୂର୍ବରୁ ରମଣ ମହର୍ଷିଙ୍କ ପାଖକୁ ଶିଷ୍ୟମାନେ ଯିବାକୁ ଆରମ୍ଭ କରିସାରିଥିଲେ । ସେ ଦକ୍ଷିଣଭାରତର ଅରୁଣାଚଳ ପର୍ବତରେ ବାସ କରୁଥିଲେ । ଏମାନେ ସମସ୍ତେ ପରମ ସିଦ୍ଧପୁରୁଷ ଥିଲେ; ମାତ୍ର ଏମାନଙ୍କର ସ୍ଵଭାବ ଓ ଅଭ୍ୟାସ ଭିତରେ ଆକାଶ ପାତାଳ ପ୍ରଭେଦ ଥିଲା ।

 

ଅନେକ ସ୍ଥାନରେ ବାବା ଓ ମହର୍ଷିଙ୍କ ଶିକ୍ଷା ଓ ଉପଦେଶର ସାମ୍ୟ ଦେଖାଇବାକୁ ମୁଁ ଚେଷ୍ଟା କରିଛି । ଶ୍ରୀ ରାମକୃଷ୍ଣଙ୍କ ସହ ମଧ୍ୟ ଏମାନଙ୍କର ସାମ୍ୟ ଥିଲା । ତେବେ ଏମାନଙ୍କ ସ୍ଵଭାବ ଓ ଅଭ୍ୟାସର ପ୍ରଭେଦକୁ ଏମିତି ବିଶ୍ଳେଷଣ କରାଯାଇପାରେ ଯେ, ପ୍ରତ୍ୟେକେ ପ୍ରତ୍ୟେକଙ୍କ ସମୟର ଚାହିଦା ଅନୁସାରେ ନିଜ ନିଜର ଆଧ୍ୟାତ୍ମିକ ନିର୍ଦ୍ଦେଶକୁ ପ୍ରବର୍ତ୍ତିତ କରିଥିଲେ । ଏଣୁ ମୁଖ୍ୟତଃ ସେମାନଙ୍କ ଶିକ୍ଷାଧାରା ସମାନ ହେଲେ ହେଁ, ବାହ୍ୟତଃ ଏହା ବିଭନ୍ନତାର ସୂଚକ ବୋଲି ପ୍ରତୀୟମାନ ହୁଏ ।

 

ପ୍ରଥମତଃ, ପ୍ରତ୍ୟେକେ ପ୍ରତ୍ୟେକ ଧର୍ମର ସାମ୍ୟ ଓ ପ୍ରୟୋଜନୀୟତା ସ୍ଵୀକାର କରୁଥିଲେ । ମଣିଷ ସଭ୍ୟତାର ପ୍ରଥମ ସମୟରେ ଏ ବିଚାର ନିରର୍ଥକ ଥିଲା । ଜଣେ ବୌଦ୍ଧ ଖ୍ରୀଷ୍ଟିୟାନ୍‌ ଧର୍ମ କଥା ଶୁଣି ନ ଥିଲା ବା ଜଣେ ଖ୍ରୀଷ୍ଟିୟାନ୍‌ ବୌଦ୍ଧଧର୍ମ ବିଷୟରେ ମୁଣ୍ଡ ଖେଳାଉ ନ ଥିଲା । ମାତ୍ର କ୍ରମଶଃ ସଭ୍ୟତାର ସଂପ୍ରସାରଣ ଫଳରେ ବସ୍ତୁତାନ୍ତ୍ରିକ ଯୁକ୍ତିବାଦୀମାନେ ବିଭିନ୍ନ ଧର୍ମର ଉତ୍‍କର୍ଷ, ଅପକର୍ଷ ଏବଂ ଆପାତ ବିଭିନ୍ନତା ଉପରେ ଯୁକ୍ତିତର୍କ ଆରମ୍ଭ କଲେ ଏବଂ ଫଳତଃ ଧର୍ମକ୍ଷେତ୍ରରେ ସବୁପ୍ରକାର ବିଦ୍ଵେଷ ସୃଷ୍ଟି ହେଲା । ଫମ୍ପା ଧର୍ମବକମାନେ ଗୋଟିଏ ଧର୍ମକୁ ଖୁବ୍‌ ପ୍ରଶଂସା ଓ ଅନ୍ୟ ଧର୍ମକୁ ନିନ୍ଦାକରି ପରସ୍ପରର ହିଁ ଅନିଷ୍ଟ କରିଥାନ୍ତି । ସେମାନେ ଅଜ୍ଞତା ବଶତଃ କହନ୍ତି, ଗୋଟିଏ ଧର୍ମର ସତ୍ୟ ଅନ୍ୟ ଧର୍ମର ସତ୍ୟଠାରୁ ଅଲଗା ଓ ସେଗୁଡ଼ିକ ପରସ୍ପର ବିରୋଧାଚରଣ କରନ୍ତି । ମାତ୍ର ଯେଉଁମାନେ ପ୍ରକୃତରେ ଧର୍ମକୁ ବୁଝନ୍ତି, ସେମାନେ ଜାଣନ୍ତି ପ୍ରତ୍ୟେକ ଧର୍ମର ମୂଳତତ୍ତ୍ଵ, ଗୁଢ଼ାର୍ଥ ସମାନ ଓ ଏକ । କେବଳ ତାହାର ପ୍ରକାଶଭଙ୍ଗୀରେ ବିଭିନ୍ନତା ଥାଏ । ଶ୍ରୀ ରାମକୃଷ୍ଣ ହିନ୍ଦୁଧର୍ମାନୁସାରେ ସିଦ୍ଧିଲାଭ ପରେ କିଛିଦିନ ଇସ୍‌ଲାମ ଓ ଖ୍ରୀଷ୍ଟଧର୍ମ ଅନୁସରଣ କରୁଥିଲେ । ଶେଷରେ ସେ ଘୋଷଣା କଲେ ସବୁ ଧର୍ମ ସମାନ, କାରଣ ପ୍ରତ୍ୟେକ ଧର୍ମରେ ପ୍ରଦର୍ଶିତ ପଥ ଅନୁସରଣ କରି ସେ ଗୋଟିଏ ଲକ୍ଷ୍ୟରେ ହଁ ପହଞ୍ଚି ପାରିଥିଲେ । ଆମେ ଦେଖିଲୁ, ସାଇବାବା ମଧ୍ୟ ହିନ୍ଦୁ ଓ ଇସ୍‌ଲାମଧର୍ମର ଶିଷ୍ୟମାନଙ୍କୁ ସେମାନଙ୍କ ନିଜ ଧର୍ମର ପ୍ରଦର୍ଶିତ ବାଟରେ ଆଗେଇ ନେଉଥିଲେ । ପ୍ରତ୍ୟେକ ଧର୍ମର ସାରବତ୍ତା ସ୍ୱୀକାର କରିବାକୁ ସାଇବାବା ସେମାନଙ୍କୁ ବାଧ୍ୟ କରୁଥିଲେ । ରମଣ ମହର୍ଷି ମଧ୍ୟ ସବୁ ଧର୍ମର ଉର୍ଦ୍ଧ୍ଵରେ ଥିଲେ–ଯେଉଁ ଶିଖରରେ ପ୍ରତ୍ୟେକ ସିଦ୍ଧପୁରୁଷ ଅବସ୍ଥାନ କରନ୍ତି । ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଥିଲେ ହିନ୍ଦୁ, ଖ୍ରୀଷ୍ଟିଆନ୍‌, ମୁସଲମାନ, ଇହୁଦି, ବୌଦ୍ଧ ଏବଂ ପାର୍ଶୀ । କେହି ନିଜର ଧର୍ମ ବଦଳାଉ, ଏ କଥା ସେ ଚାହୁଁ ନ ଥିଲେ ।

 

ବୋଧହୁଏ ଆଧୁନିକ ଯୁଗ ଓ ଜୀବନକୁ ଖାପଖାଇଲା ଭଳି ବାଟରେ କୌଣସି ପ୍ରକାରର ଧର୍ମାଚରଣ ପଦ୍ଧତି (Ritual) ରହିବା ଉଚିତ୍‌ ନୁହେଁ । ପ୍ରତ୍ୟେକ ଲୋକ, ସେ ସଂସାରର କାର୍ଯ୍ୟବ୍ୟସ୍ତ ଜୀବନରେ ହେଉ ବା ଆଶ୍ରମରେ ହେଉ, ଏ ବାଟ ଅନୁସରଣ କରିପାରିବା ଉଚିତ୍‌ । ଏମିତି ଅନେକ ଲୋକ ଅଛନ୍ତି, ସେମାନେ ଅତି ଆନ୍ତରିକ ଭାବରେ ଆଧ୍ୟାତ୍ମିକ ପଥ ଅନୁସରଣ କରିବା ଚାହାଁନ୍ତି; ମାତ୍ର ସାଂସାରିକ ଜୀବନର ବ୍ୟବସାୟ-ବାଣିଜ୍ୟରେ ବନ୍ଧା ହୋଇ କୌଣସି ପ୍ରକାର ଧର୍ମାଚରଣ-ପଦ୍ଧତି, କିଛି ନିୟମକାନୁନ୍‌ ପାଳନ କରିବା ପାଇଁ ସୁବିଧା-ସୁଯୋଗ ପାଆନ୍ତି ନାହିଁ । ଏଇ କାର୍ଯ୍ୟବ୍ୟସ୍ତତା ଭିତରେ, ବନ୍ଧୁବାନ୍ଧବ ଓ ସାମାଜିକ କର୍ତ୍ତବ୍ୟ ଭିତରେ ହିଁ ସେମାନଙ୍କୁ ଆଧ୍ୟାତ୍ମିକ ସାଧନା କରିବାକୁ ପଡ଼ିବ । ତେଣୁ ଆଧୁନିକ ଜୀବନର ସାଧନା, ଆଧୁନିକ ସମୟୋପଯୋଗୀ ହେବା ଆବଶ୍ୟକ । ଏଇ ମହାନ୍‌ ସିଦ୍ଧପୁରୁଷମାନେ ଠିକ୍‌ ତାହା ହିଁ କରନ୍ତି । ଶ୍ରୀ ରାମକୃଷ୍ଣଙ୍କ ଶିଷ୍ୟଙ୍କ କଥା ଭାବିଲେ, ଗେରୁଆବସ୍ତ୍ର ପରିହିତ ସ୍ଵାମୀମାନଙ୍କ କଥା ମନକୁ ଆସେ । ମାତ୍ର ମନେରଖିବାକୁ ହେବ, ଶ୍ରୀ ରାମକୃଷ୍ଣଙ୍କ ମୃତ୍ୟୁ ପରେ ହିଁ ଏଇ ସ୍ଵାମୀମାନଙ୍କର ‘ରାମକୃଷ୍ଣ ମିଶନ’ ସ୍ଥାପିତ ହୋଇଥିଲା । ଶ୍ରୀ ରାମକୃଷ୍ଣଙ୍କ ଜୀବନକାଳ ମଧ୍ୟରେ ସେ ସଂସାର ଛାଡ଼ି ସନ୍ୟାସୀ ହେବାକୁ କାହାକୁ ଅନୁମତି ଦେଉ ନ ଥିଲେ । ବିଶେଷତଃ, ଶ୍ରୀ ଦୁର୍ଗାଚରଣ ନାତା ବୋଲି ଜଣେ ପ୍ରଧାନ ଶିଷ୍ୟଙ୍କ ଉଦାହରଣ ଦିଆଯାଇପାରେ । ଆମ୍ଭେମାନେ ଦେଖିଲୁ ସାଇବାବା ମଧ୍ୟ କେମିତି ପାରିବାରିକ ଜୀବନକୁ ଉତ୍ସାହିତ କରୁଥିଲେ । ତାଙ୍କ ଶିଷ୍ୟମାନଙ୍କ ଭିତରେ ଅନେକ ଫକୀର ଓ ସାଧୁ ଥିଲେ । ମାତ୍ର ଯେଉଁ ଗୃହସ୍ଥମନେ ତାଙ୍କ ପାଖକୁ ଆସୁଥିଲେ, ସେମାନେ ସାରା ଜୀବନ ସେଇ ଗୃହସ୍ଥ ହୋଇ ରହୁଥିଲେ । ମହର୍ଷିଙ୍କୁ ଯେଉଁମାନେ ସଂସାର ତ୍ୟାଗକରି ସାଧୁ ରୂପେ ଜୀବନ ବିତାଇବା ନିମନ୍ତେ ଅନୁମତି ପ୍ରାର୍ଥନା କରୁଥିଲେ, ମହର୍ଷି ସେମାନଙ୍କୁ ବରାବର ମନା କରୁଥିଲେ ।

 

ଗୃହସ୍ଥ ହୋଇ ରହିବାଟା ବଡ଼ ପ୍ରଶ୍ନ ନୁହେଁ । ଗାର୍ହସ୍ଥ୍ୟ ଜୀବନରେ କେଉଁ ବାଟ ଧରି ଚାଲିବ, ସେଇଟା ହିଁ ବଡ଼ କଥା । ମହର୍ଷି ଶିକ୍ଷା ଦେଇଥିବା ଆତ୍ମାନୁସନ୍ଧାନ ପଦ୍ଧତି ? (“ମୁଁ କିଏ-?”) ଗୃହସ୍ଥ ଜୀବନରେ ମଧ୍ୟ ଅତି ଉତ୍ତମ ରୂପେ ପାଳନ କରାଯାଇପାରିବ । ପ୍ରକୃତରେ ଆଧ୍ୟାତ୍ମିକ ବାଟ ଗୃହସ୍ଥ ନୁହେଁ, ଏକା ଅନ୍ତରସ୍ଥ । ସାଇବାବା କୌଣସି ଆଚରଣ ପଦ୍ଧତି ବା ମନ୍ତ୍ର ମଧ୍ୟ ଶିକ୍ଷା ଦେଉ ନ ଥିଲେ । ମାତ୍ର ଏଇ ତିନି ଜଣ ସିଦ୍ଧପୁରୁଷ ଗୁରୁଭକ୍ତିକୁ ବେଶ ଜୋର୍‌ ଦେଉଥିଲେ । “ନୀରବ ଓ ନିଶ୍ଚଳ ଭାବରେ ମୋତେ ଗ୍ରହଣ କର, ମୁଁ ବାକି ସବୁ କରିଦେବି ।” ଗୁରୁଙ୍କର ଅପରିସୀମ ଶକ୍ତି ଏଠାରେ କାମ କରେ । କେବଳ ସେ ଶକ୍ତିପ୍ରବାହକୁ ଧରି ରଖିବା, ଗ୍ରହଣ କରିବା, ଶିଷ୍ୟର ସବୁଠାରୁ ବଡ଼ କର୍ତ୍ତବ୍ୟ ।

Image

 

ମୃତ୍ୟୁ ଓ ଜୀବନ ସଞ୍ଚାର

 

୧୮୮୬ ମସିହାରେ ସାଇବାବା ନିଜ ମୃତ୍ୟୁର ଅଭିନୟ କରିଥିଲେ । ତାଙ୍କ ପାଖରେ ଥିବା ଜଣେ ଭକ୍ତ, ମହାଲ ଶପଥିଙ୍କୁ ଥରେ ସେ କହିଲେ, “ଦେଖ, ମୁଁ ଆଲ୍ଲାଙ୍କ ପାଖକୁ ଯାଉଚି, ତିନି ଦିନ ଯାଏ ମୋର ଏ ଶରୀରକୁ ଜଗିରହିବ । ଯଦି ମୁଁ ଫେରିବି, ତେବେ ଏ ଶରୀରର ଭାର ଆଉ ଥରେ ଗ୍ରହଣ କରିବି । ଯଦି ନ ଫେରେ, ତେବେ ଏ ଶରୀରକୁ ସେଇ ପ୍ରାନ୍ତରରେ ସମାଧି ଦେବ ଓ ତା’ ପାଖରେ ଦୁଇଟା ଖୁଣ୍ଟ ପୋତି ଦେବ ।”

 

ତାଙ୍କର ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଗଲା । ହୃତ୍‌କମ୍ପନ ମଧ୍ୟ ସ୍ଥିର ହୋଇଗଲା । ସ୍ଥାନୀୟ କର୍ତ୍ତୃପକ୍ଷ ତାଙ୍କ ଶରୀରକୁ ପରୀକ୍ଷା କରି ଘୋଷଣା କଲେ ଯେ ସାଇବାବା ମରିଗଲେଣି । ମହାଲ୍‌ ଶପଥି ତାଙ୍କର ଶବ ସତ୍କାର କରିଦେବା ଉଚିତ୍‌ । କାରଣ ହିନ୍ଦୁସମାଜର ନିୟମ ଅନୁସାରେ ଗୋଟିଏ ଶବକୁ ୨୪ ଘଣ୍ଟାରୁ ଅଧିକ ସମୟ ସତ୍କାର ନ କରି ରଖାଯାଇ ପାରିବ ନାହିଁ । ମାତ୍ର ମହାଲ୍‌ ଶପଥି ଏ କଥା ଶୁଣିବାକୁ ଆଦୌ ପ୍ରସ୍ତୁତ ନ ଥିଲେ । ତୃତୀୟ ଦିନ ପରେ ପୁଣି ନିଶ୍ଵାସ ପ୍ରଶ୍ଵାସ ଚାଲିଲା ଓ ସାଇବାବା ବଞ୍ଚିଉଠିଲେ ।

 

ଏଇ ଘଟଣା ପରେ ୧୯୦୦ ମସିହା ବେଳକୁ ସାଇବାବାଙ୍କ ମହିମା ବିଦ୍ୟୁତ୍‌ବେଗରେ ଚାରିଆଡ଼େ ବ୍ୟାପିଗଲା । ତା’ପରଠାରୁ ୧୯୧୮ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଭକ୍ତମାନଙ୍କର ଅବିରତ ସ୍ରୋତ ସିର୍‍ଡ଼ିକୁ ଚାଲିଲା । ସେମାନେ ସାଇବାବାଙ୍କ ଅନିଚ୍ଛାସତ୍ତ୍ୱେ ତାଙ୍କୁ ଗୋଟାଏ ରୁପାର ରଥରେ ବସାଇ ହାତୀ, ଘୋଡ଼ା ଓ ନାନାପ୍ରକାର ପୁଷ୍ପଗନ୍ଧରେ ସଜାଇ ଖୁବ୍‌ ଆଡ଼ମ୍ବରରେ ଶୋଭଯାତ୍ରା ବାହାର କଲେ । ଗୀତ ଗାଇ ନାଚି ନାଚି ଭକ୍ତଦଳ ତାଙ୍କ ସହିତ ଚାଲିଥାନ୍ତି । ଏଇ ଶୋଭଯାତ୍ରା ବେଳେ ବହୁତ ସୁନାରୂପା ତାଙ୍କ ପାଖରେ ଅଜାଡ଼ି ହୋଇ ପଡ଼ୁଥାଏ । ସେମାନେ ତାଙ୍କୁ ସ୍ଵୟଂ ଭଗବାନ ବୋଲି ମନେ କରୁଥିଲେ । ସାଇବାବା ଏ ସବୁକୁ ଅପସନ୍ଦ ମନେ କରୁଥିଲେ-। ମାତ୍ର ଶିଷ୍ୟମାନଙ୍କର ଅନୁରୋଧକୁ ଶେଷରେ ରକ୍ଷା କରୁଥିଲେ । ତଥାପି ସାଇବାବା ତାଙ୍କ ଖାଦ୍ୟଭିକ୍ଷା କରୁଥିଲେ ।

 

କ୍ରମଶଃ ତାଙ୍କର ସ୍ୱାସ୍ଥ୍ୟହାନି ଘଟିଲା । ସେ କାଶରୋଗରେ ଆକ୍ରାନ୍ତ ହୋଇଗଲେ । ବାବା ଶିଷ୍ୟମାନଙ୍କ ପାଇଁ ଅନେକ କଷ୍ଟକୁ ବରଣ କରୁଥିଲେ । କାରଣ ସେମାନଙ୍କର ରୋଗକୁ ନିଜେ ଆହରଣ କରି ଆଣିବା ତାଙ୍କର ଗୋଟିଏ ଅଭ୍ୟାସ ଥିଲା ।

 

୧୯୧୬ ମସିହାରେ ବିଜୟା ଦଶମୀ ଦିନ ସେ ହଠାତ୍‌ ପାଗଳ ହୋଇଗଲେ । ଏପରିକି ଲୁଗାପଟା ଚିରି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ପ୍ରାୟ ଦୁଇ ଘଣ୍ଟା ଏଣେତେଣେ ବୁଲିଲେ । ସେତେବେଳେ ସେ ଚିତ୍କାର କରୁଥିଲେ ସେଦିନ ସେ ‘ସୀମା’ ଅତିକ୍ରମ କରୁଛନ୍ତି । ଦୁଇ ବର୍ଷ ପରେ ଠିକ୍‌ ଏଇ ବିଜୟା ଦଶମୀ ଦିନ ସେ ଦେହତ୍ୟାଗ କରିଥିଲେ । ସେ ଦିନ ଥିଲା ୧୫ ଅକ୍ଟୋବର ।

 

ତାଙ୍କ ମୃତ୍ୟୁ ପୂର୍ବରୁ ସେ କେତେକ ଭକ୍ତଙ୍କୁ ସେମାନଙ୍କର ଇଚ୍ଛା ବିରୁଦ୍ଧରେ ଘରକୁ ପଠାଇଦେଲେ ଏବଂ ଆଉ କେତେକ ଭକ୍ତଙ୍କର ଯିବା ବନ୍ଦ କରି ତାଙ୍କୁ ସିର୍‌ଡ଼ିଠାରେ ଅଟକାଇ ଦେଲେ । ଆଉ ଜଣେ ଭକ୍ତ ପ୍ରତି ୧୫ ଦିନରେ ତାଙ୍କୁ ପାଖକୁ ଆସେ । ତାକୁ ବିଦାୟ ସମ୍ଭାଷଣ ଜଣାଇ କହିଲେ, ଏଣିକି ଆଉ ସିର୍‌ଡ଼ି ଆସିବା ଆବଶ୍ୟକ ନାହିଁ । କେହି ତାଙ୍କର ଏ କଥାର ମର୍ମ ବୁଝିପାରିଲେ ନାହିଁ । ଆଉ ଜଣେ ମୁସଲମାନ୍‌ ସନ୍ଥଙ୍କ ପାଖକୁ ଖବର ପଠାଇଲେ, “ଆଲ୍ଲା ଯେଉଁ ଆଲୋକ ଜାଳିଥିଲେ, ତାକୁ ସେ ନେଇଯାଉଛନ୍ତି ।” ସନ୍ଥ ଏ ଖବର ଶୁଣି କାନ୍ଦିପକାଇଲେ । ତାଙ୍କ ଆଗରେ ‘କୋରାନ୍‌’ ଓ ‘ରାମବିଜୟ’ ପଢ଼ାଗଲା ।

 

କେତେଦିନ ଧରି ସାଇବାବା ଅସୁସ୍ଥ ଥିଲେ । ମାତ୍ର ସେମାନଙ୍କ ପାଖରେ ଥିବା ଭକ୍ତମାନେ ଆଶଙ୍କା କରୁ ନ ଥିଲେ ଯେ, ତାଙ୍କର ଅନ୍ତିମ ସମୟ ଆସି ପହଞ୍ଚିଗଲାଣି । ସକାଳେ ତାଙ୍କ ଦେହ ଟିକେ ବେଶି ଖରାପ ଥିଲା । ମଧ୍ୟାହ୍ନ ବେଳେ ସେ ଜଣେ ବ୍ରାହ୍ମଣକୁ ପ୍ରଥମେ ପାଞ୍ଚ ଟଙ୍କା ଓ ପରେ ଚାରି ଟଙ୍କା ଦେଲେ । ସେ ବ୍ରାହ୍ମଣ ସାଇବାବା ମାଗି ଆଣିଥିବା ଚାଉଳ ଡାଲି ଇତ୍ୟାଦି ତାଙ୍କ ପାଇଁ ରୋଷେଇ କରିଦିଏ । ସେଥିପାଇଁ ପ୍ରତିଦିନ ଚାରି ଟଙ୍କା ପାଏ । ପାଖରେ ଥିବା ଲୋକଙ୍କୁ ବାବା ଖାଇବା ପାଇଁ ପଠାଇଦେଲେ । କେବଳ ଦୁଇ ଜଣ ବ୍ରାହ୍ମଣ ତାଙ୍କ ପାଖରେ ରହିଲେ । ଜଣେ କହେ, “ବାବା ତାଙ୍କ ଦେହତ୍ୟାଗ ପୂର୍ବରୁ ମୋତେ ତାଙ୍କର ଶେଷ ଉପଦେଶ ଦେଇଥିଲେ । ଦୀକ୍ଷତ୍‍ଙ୍କୁ ଅନ୍ୟ ଆଡ଼େ ପଠାଇଦେଇ ସେ ମତେ କେତେକ କଥା କହିଲେ ଏବଂ ତାକୁ ଗୁପ୍ତ ରଖିବାକୁ ନିର୍ଦ୍ଦେଶ ଦେଲେ । କହିଲେ, ମୁଁ ଯଦି ଏ କଥା କାହାକୁ କହେ, ତେବେ ମୁଁ ମୃତ୍ୟୁ ମୁଖରେ ପଡ଼ିବି । ତା’ପରେ ମତେ କହିଲେ, ମୁଁ ଯାଉଛି । ମତେ ୱାଡ଼ାକୁ ନେଇଚାଲ । ମୋ ପାଖରେ କେବଳ ବ୍ରାହ୍ମଣମାନେ ହିଁ ରହିବେ । ‘ ଏହା କହି ବାବା ଶେଷନିଶ୍ଵାସ ତ୍ୟାଗ କଲେ । ନାନା ତାଙ୍କ ମୁହଁରେ ଟିକେ ପାଣି ଦେଲେ; ମାତ୍ର ତାହା ବାହାରି ଆସିଲା । ମୋ ଉପରେ ଆଉଜି ବାବା ଏ ଦେହ ଛାଡ଼ିଲେ ।”

 

ଏଠାରେ ବ୍ରାହ୍ମଣ ଅର୍ଥ ଜାତି ନୁହେଁ, ବ୍ରହ୍ମଜ୍ଞାନୀ । କାରଣ ସେ ତାଙ୍କ ମସଜିଦ୍‌କୁ ବ୍ରାହ୍ମଣ ମସଜିଦ୍‌ ବୋଲି କହୁଥିଲେ । ବାପୁ ସାହେବ ବୋଲି ଜଣେ ଭକ୍ତ ତିଆରି କରିଥିବା ଗୋଟିଏ ବିରାଟ ପଥର ଘରକୁ ସେ ଓ୍ୱାଡ଼ା ବୋଲି କହୁଥିଲେ । ମୃତ୍ୟୁର କିଛିଦିନ ପୂର୍ବରୁ ସେ ଦେଶପାଣ୍ଡେ ଓ ବାପୁସାହେବ ଉଭୟଙ୍କୁ ଏକାରାତିରେ ସ୍ୱପ୍ନରେ ଦେଖାଦେଇ ଗୋଟାଏ ଘର ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାପୁ ଏଥିପାଇଁ ବାବାଙ୍କର ଅନୁମତି ମାଗିବାରୁ ବାବା ତାଙ୍କୁ କହିଲେ, “ହଁ ତିଆରି କର; ମନ୍ଦିର ତିଆରି ସରିଲେ ଆମେ ସେଇଠି ରହିବା ।” ବାବା ମରିଗଲା ପରେ ବାପୁ ଆଉ ସେ ଘରେ ରହିବାକୁ ଚାହିଁଲେ ନାହିଁ । ତା’ପରେ ଏଇଟା ତାଙ୍କର ସମାଧି ଭାବରେ ବ୍ୟବହୃତ ହେଲା । ସାଇବାବା ସେଇଠି ସମାଧି ନେବେ ବୋଲି ନିଜର ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାଙ୍କୁ ମୃତ୍ୟୁ ପରେ ଏଥିପାଇଁ ଶିଷ୍ୟମାନେ ଏକମତ ହୋଇପାରି ନ ଥିଲେ । ତେଣୁ ଭୋଟ ନିଆଗଲା, ଶେଷରେ ସେଇ ୱାଡ଼ାରେ ତାଙ୍କୁ ସମାଧି ଦିଆଗଲା ଓ ତୀର୍ଥଯାତ୍ରୀମାନଙ୍କ ପାଇଁ ତାହା ଖୋଲା ରହିଲା ।

 

ବାବା ଯେଉଁ ଅଲିଭା ଧୂନି ଜାଳି ରଖିଥିଲେ, ଅଦ୍ୟାପି ସେ ଧୂନି ଜଳାଯାଉଛି; ମାତ୍ର ଲୁହା ରେଲିଂ ଦେଇ ତାକୁ ସୁରକ୍ଷିତ କରି ଦିଆଯାଇଛି । ମସଜିଦ୍‌ର ପୂର୍ବପାଖରେ ମଧ୍ୟ ରେଲିଂ ଦେଇ ତାକୁ ସୁରକ୍ଷିତ କରାଯାଇଛି । ସାଇବାବା ମାଟିଘଡ଼ିରେ ଗୁଡ଼ାଖୁ ରଖି ହୁକା ଟାଣିବାକୁ ଭଲ ପାଉଥିଲେ । ମାତ୍ର ସେ ଘଡ଼ିଗୁଡ଼ିକ ଖୁବ୍‌ ଚଞ୍ଚଳ ଭାଙ୍ଗି ଯାଉଥିଲା । ସେ ଯେତେବେଳେ ଦେହ ଛାଡ଼ିଲେ, ଏଇ ମାଟିଘଡ଼ିର ଗୋଟାଏ ଗଦା ମସ୍‌ଜିଦ୍‌ର ଅଗଣାରେ ଜମା ହୋଇ ରହିଥିଲା । ଅନେକ ଲୋକ ତାକୁ ପବିତ୍ର ପଦାର୍ଥ ବୋଲି–ମନେକରି ସେଥିରୁ କିଛି ନେଇଗଲେ । ଅନ୍ୟଗୁଡ଼ାକ ଏକାଠି କରି ସିମେଣ୍ଟ ସାହାଯ୍ୟରେ ଗୋଟାଏ ସ୍ତୂପ କରିଦିଆଯାଇଛି । ବାବା ବ୍ୟବହାର କରୁଥିବା ପାଣିମାଠିଆର ଅନେକ ସଢ଼େଇ ମଧ୍ୟ ତା ପାଖରେ ଜମା ହୋଇ ରହିଛି ।

 

ବାବା ଯେଉଁ ଆଶ୍ରୟ ଭବନରେ ଜୀବନର ଅନେକ ରାତି କଟାଇଥିଲେ, ସେଇଟା ମଧ୍ୟ ମସ୍‌ଜିଦ୍‌ ପରି ମାଟିର ଗୋଟିଏ ଭଙ୍ଗା ଦଦରା ଘର ଥିଲା । ମାସ ୧୯୦୬ରେ ଏଥିରୁ ଗୋଟାଏ ବଡ଼ ଅଂଶ ଭାଙ୍ଗି ପଡ଼ିଲା; ପରେ ତାହା ଇଟାରେ ଆଉଥରେ ତିଆରି କରି ଦିଆଗଲା । ଏଠାରେ ବାବାଙ୍କର ଗୋଟାଏ ବିରାଟ ଚିତ୍ରପଟ ରଖାଯାଇଛି ।

 

ଆଉ ଗୋଟିଏ ପ୍ରଶ୍ନ ଉଠିପାରେ, ବାବାଙ୍କର ଶରୀରକୁ ତାଙ୍କର ହିନ୍ଦୁ ଶିଷ୍ୟମାନେ ନ ପୋଡ଼ି ସମାଧି ଦେଲେ କେମିତି ? ମାତ୍ର ପ୍ରକୃତରେ ଜଣେ ସିଦ୍ଧପୁରୁଷଙ୍କ ଶରୀର ପୋଡ଼ା ନ ଯାଇ ସମାଧି ଦିଆଯିବାର ପଦ୍ଧତି ହିନ୍ଦୁସମାଜରେ ପ୍ରଚଳିତ ଅଛି । ସିଦ୍ଧପୁରୁଷ ଜୀବନ୍ତ ଅବସ୍ଥାରେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯାଇଛନ୍ତି । ତେଣୁ ମୃତ୍ୟୁ ପରେ ତାଙ୍କର ଶରୀରକୁ ଅଗ୍ନିରେ ଦଗ୍‌ଧ କରିବାର କୌଣସି ପ୍ରୟୋଜନୀୟତା ରହେନା । ତାଙ୍କର ମୃତ୍ୟୁ ଓ ସମାଧି ବିଷୟରେ ଗୋଟାଏ ରହସ୍ୟ ଅଛି । କାରଣ ସମସ୍ତେ ଜାଣିଥିଲେ ସାଇବାବା ପ୍ରକୃତରେ ମରିନାହାନ୍ତି । ବାବା ପୁଣି ଫେରିଆସିବେ ବୋଲି କହୁଥିଲେ । ବାବାଙ୍କ ମୃତ୍ୟୁ ବିଷୟ ଯେତେବେଳେ କେହି ସନ୍ଦେହ ସୁଦ୍ଧା କରୁ ନ ଥିଲେ, ସେତେବେଳେ ଥରେ ସେ ଆର.ବି ପୁରନ୍ଧର ଆଉ ଦୀକ୍ଷତ୍‌ ବୋଲି ଦୁଇଜଣ ଶିଷ୍ୟଙ୍କୁ ବମ୍ବେ ଯିବାକୁ ନିର୍ଦ୍ଦେଶ ଦେଲେ । ସେତେବେଳେ ସେମାନଙ୍କୁ କହିଲେ, ‘‘ମୁଁ ତୁମ ଆଗେ ଆଗେ ଯାଉଚି । ତୁମେମାନେ ମୋତେ ଅନୁସରଣ କରିବ । ମୋ ସମାଧି କଥା କହିବ । ସମାଧିର ମାଟି ତୁମ ପ୍ରଶ୍ନର ଉତ୍ତର ଦେବ ।” ଏହା ଶୁଣି ସେମାନେ ସାବଧାନ ହୋଇଯିବା ଉଚିତ୍‌ ଥିଲା । ମାତ୍ର ତାଙ୍କ ଶିଷ୍ୟମାନେ ବାବାଙ୍କର ସାଙ୍କେତିକ କଥା ଶୁଣିବାରେ ଏତେ ଅଭ୍ୟସ୍ତ ଥିଲେ ଯେ, ଏଥିରେ ସେମାନେ କିଛି ଗୁରୁତ୍ଵ ଦେଇ ନ ଥିଲେ ।

 

ଥରେ ଜଣେ ସ୍ତ୍ରୀଲୋକ ବାବାଙ୍କୁ କହିଲା, ସେ ତାଙ୍କ ଉପରେ ସବୁ ଆଶା ଭରସା କରି ରହିଛି । ବାବାଙ୍କ ପରେ ସେ ତ ଅତଳ ଦରିଆରେ ଭାସିଯିବ । ବାବା ସଙ୍ଗେ ସଙ୍ଗେ ଉତ୍ତର ଦେଲେ, “ତୁ ମତେ ଯେତେବେଳେ ଓ ଯେଉଁଠି ସ୍ମରଣ କରିବୁ, ମୁଁ ତୋ ପାଖରେ ଯାଇ ପହଞ୍ଚିବି ।”

 

ଭଗବାନ ରମଣ ମହର୍ଷିଙ୍କ ବିଷୟରେ ମଧ୍ୟ ଏମିତି ଗୋଟିଏ ସମାନ୍ତରାଳ କଥା ଅଛି । ତାଙ୍କ ମୃତ୍ୟୁ ଯେତେବେଳେ ଆସନ୍ନ, କେତେଜଣ ଭକ୍ତ ତାଙ୍କ ପାଖକୁ ଯାଇ ଠିକ୍‍ ଏମିତି ପ୍ରଶ୍ନ ପଚାରିଲେ । ମହର୍ଷି ଚଟ୍‌କରି କହିଲେ, “ତୁମେ ଏ ଦେହଟା ଉପରେ ଏତେ ବେଶି ଗୁରୁତ୍ଵ ଆରୋପ କରୁଛ କାହିଁକି ?”

 

ସାଇବାବା ଏ ଦେହ ଛାଡ଼ିଲେ । ମାତ୍ର ଶିଷ୍ୟମାନଙ୍କୁ ସେ ଏବେ ମଧ୍ୟ ସାହାଯ୍ୟ କରୁଛନ୍ତି, ଆଶା ଭରସା ଦେଉଛନ୍ତି, ତାଙ୍କ ପ୍ରାର୍ଥନା ଶୁଣୁଛନ୍ତି ଓ ସେମାନଙ୍କୁ ବାଟ ଦେଖାଉଅଛନ୍ତି । ବିପଦରେ ପଡ଼ିଲେ ଏବେ ବି ସେ ଶିଷ୍ୟମାନଙ୍କୁ ସେଥିରୁ ରକ୍ଷା କରୁଛନ୍ତି । ପ୍ରକୃତରେ ମୃତ୍ୟୁ ପରେ ବି ଏତେ ଶିଷ୍ୟ ତାଙ୍କୁ ଅନୁଭବ କରୁଛନ୍ତି ଯେ, ସେ ସବୁ ଶୁଣିଲେ ତାଙ୍କ ଜୀବନ ଓ ମୃତ୍ୟୁ ଭିତରେ କିଛି ବିଭକ୍ତରେଖା ଆମେ ଦେଖୁନା । ବଞ୍ଚିଥିବାବେଳେ ବାବା ଯାହା କରୁଥିଲେ ମୃତ୍ୟୁ ପରେ ମଧ୍ୟ ଠିକ୍‌ ସେଇ କାହାଣୀର ପୁନରାବୃତ୍ତି ହେଉଛି । ଆଗ ପରି ସେ ଶିଷ୍ୟମାନଙ୍କୁ ସ୍ଵପ୍ନରେ ଦେଖାଦେଇ ତାଙ୍କ କଥା ବୁଝୁଛନ୍ତି । ବାବା ଆଗ ପରି ସେମାନଙ୍କ ସୁଖ–ଦୁଃଖରେ ସାହାଭରସା ହୋଇ ଠିଆ ହେଉଛନ୍ତି । କୌଣସି ସମସ୍ୟା ଉପସ୍ଥିତ ହେଲେ ତାର ନିବାରଣ ପାଇଁ ବିଭିନ୍ନ ଉପାୟ କେତୋଟି କାଗଜରେ ଲେଖି ସେଗୁଡ଼ାକ ବାବାଙ୍କ ଫଟୋ ତଳେ ରଖି ଭକ୍ତମାନେ ତାଙ୍କୁ ସ୍ମରଣ କରି ଲଟରୀ ଉଠାଉଛନ୍ତି ଏବଂ ସାଇବାବା ଏଥିରେ ମଧ୍ୟ ସେମାନଙ୍କୁ ଠିକ୍‍ ବାଟ ବତାଇ ଦେଉଛନ୍ତି । ତା’ଛଡ଼ା ଏବେ ବି ଅଦୃଶ୍ୟ ଭାବରେ ସାଇବାବାଙ୍କ ପ୍ରଭାବ ଶିଷ୍ୟମାନଙ୍କୁ ପ୍ରଭାବିତ କରୁଛି । ସାଇବାବା ଶିଷ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କର କୌଣସି ଶିଷ୍ୟର ଖାଇବା ଓ ରହିବାର ଅସୁବିଧା ହେବ ନାହିଁ । ଆଜି ବି ଶିଷ୍ୟମାନେ ତାହା ହିଁ ଅନୁଭବ କରୁଛନ୍ତି । ଦୁଃଖ–ଦୁର୍ଦ୍ଦଶାରେ ଲୋକମାନେ ତାଙ୍କୁ ଡାକନ୍ତି ଓ ଫଳ ବି ପାଆନ୍ତି । ତା’ଛଡ଼ା ଆହୁରି ଗଭୀର ଭାବରେ ସେମାନେ ବାବାଙ୍କଠାରୁ ଅଧ୍ୟାତ୍ମିକ ଉପଦେଶ ଲାଭ କରୁଛନ୍ତି ।

 

ଜଣେ ଭକ୍ତ କହେ, ସେ ଥରେ ନାରାୟଣ ମହାରାଜ ବୋଲି ଜଣେ ସାଧୁପୁରୁଷଙ୍କୁ ଅନ୍ୟ ଏକ ଶରୀରରେ ସାଇବାବା ଆର୍ବିଭୂତ ହୋଇଛନ୍ତି ବୋଲି ମନେକରି ୧୯୨୭ ମସିହାରେ ତାଙ୍କ ପାଖକୁ ଯାଇଥିଲା । ସେ ସାଇବାବାଙ୍କର ଭକ୍ତ ଥିଲା । ମାତ୍ର ତାର ମନର ସନ୍ଦେହ, ତା’ର ଦୁଃଖ କଷ୍ଟର କାହାଣୀ କହିବାପାଇଁ ଓ ମଣିଷ କଣ୍ଠରୁ କିଛି ଆଶ୍ଵାସନା ଶୁଣିବା ପାଇଁ ନାରାୟଣ ମହାରାଜଙ୍କ ପାଖକୁ ଗଲା । ସେ ଏ ବିଷୟରେ ନାରାୟଣ ମହାରାଜଙ୍କୁ କିଛି କହିଲା ନାହିଁ । ମାତ୍ର ମହାରାଜ କହିଲେ, ତୁମର ଗୁରୁ ଅତି ଉଚ୍ଚକୋଟୀର, ସେ ମୋ ଠାରୁ ଅନେକ ଉଚ୍ଚରେ । ତୁମେ ମୋ ପାଖକୁ କାହିଁକି ଆସିଛ ? ଯାଅ, ତାଙ୍କର ସାହାଯ୍ୟ ନିଅ, ତୁମର ମନସ୍କାମନା ପୂରଣ ହେବ-।”

 

ଆଉ ଜଣେ ଭକ୍ତ କହେ, ୧୯୩୪ରେ ତା’ର ଗୋଟିଏ ପିଲା ନିଉମୋନିଆ ରୋଗରେ ଆକ୍ରାନ୍ତ ହୋଇପଡ଼ିଲା । ତା’ଛଡ଼ା ଛାତିରେ ଗୋଟାଏ ବଡ଼ ଘା ହୋଇଯାଇଥିଲା । ଏ ଘାଆର ଅସ୍ତ୍ରଚିକିତ୍ସା ପାଇଁ ଡାକ୍ତରମାନେ ଭୟ କଲେ । ଘାଆଟା ଖୁବ ବଡ଼ ହୋଇଯାଇଥିଲା । ଡାକ୍ତର ତ ମୋତେ ସାହାଯ୍ୟ କଲେନି, ତେଣୁ ମୁଁ ମୋ ଡାକ୍ତର ସାଇବାବାଙ୍କ ଉପରେ ନିର୍ଭର କଲି । ସେ କ୍ଷତରେ କିଛି ବିଭୂତି ଲଗାଇଦେଲି । ଜଣେ ଡେପୁଟୀ କଲେକ୍ଟର ଯାଦବ ମତେ ପଚାରିଲେ, କେତେ ସମୟ ଭିତରେ ଏ ଘାଆ ଭଲ ହୋଇଯିବ ବୋଲି ମୋର ବିଶ୍ଵାସ ଅଛି ? ମୁଁ କହିଲି, ଚବିଶ ଘଣ୍ଟା ଭିତରେ ଭଲ ହୋଇଯିବ । ସେଇ ରାତିରେ ସାଇବାବା ମତେ ସ୍ଵପ୍ନରେ ଦେଖାଦେଇ କହିଲେ, “ସଙ୍ଗେ ସଙ୍ଗେ ଭଲ ହୋଇଯିବ ବୋଲି କାହିଁକି କହିଲୁ ନାହିଁ ?” ମୁଁ ସ୍ୱପ୍ନରେ ତାଙ୍କୁ କ୍ଷମା ଭିକ୍ଷା କଲି । ସକାଳୁ ଉଠି ଦେଖିଲି, ଘାଆଟି ପୂରା ଭଲ ହୋଇଯାଇଛି । ଯାଦବ ଏତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ ନଉମୋନିଆରେ ଆକ୍ରାନ୍ତ ହୋଇଥିବା ନିଜର ଗୋଟିଏ ଚାରିବର୍ଷର ପୁଅ ପାଇଁ କିଛି ବିଭୂତି ମାଗିନେଲେ । ମୁଁ ଯେତେବେଳେ ତାଙ୍କୁ ବିଭୂତି ଦେଲି, ପିଲାଟି ଛଅ ଦିନ ଜ୍ଵର ଭୋଗି ସାରିଲାଣି । ଡାକ୍ତର କହିଥିଲେ, ଜ୍ଵର ଛାଡ଼ିବାକୁ ଆହୁରି ତିନି ଦିନ ଲାଗିଯିବ । ମାତ୍ର ବିଭୂତି ଦେବାର ଠିକ୍‌ ପରଦିନ ତା ଜ୍ଵର ଛାଡ଼ିଗଲା ।

 

ମୋର ଯେଉଁ ପିଲାଟିର ଘାଆ ସାଇବାବାଙ୍କ ବିଭୂତି ଦ୍ଵାରା ଭଲ ହୋଇଗଲା, ତାକୁ ବାବା ନିଜେ ଦୁଇ ବର୍ଷ ବେଳେ ରକ୍ଷା କରି ଦେଇଥିଲେ । ଗୋଟାଏ ପାହାଚ ଉପରେ ହଠାତ୍‌ ତାର ଗୋଡ଼ ଖସିଗଲା । ସେ ପାହାଚ ତଳେ ଗୁଡ଼ାଏ ଭଙ୍ଗା ଇଟା–ପଥର ଜମା ହୋଇଥାଏ । ମୁଁ ତାକୁ ଧରିବାକୁ ଦୌଡ଼ିଗଲି; ମାତ୍ର ଦେଖିଲି ତା’ର କିଛି ହୋଇନି । ସେ ମୋତେ ହସି ହସି କହିଲା, ପଡ଼ୁ ପଡ଼ୁ ସାଇବାବା ତାକୁ ଧରିନେଲେ ।

 

ଏସବୁ ଘଟଣା ତାଙ୍କ ଜୀବନକାଳ ମଧ୍ୟରେ ଅନେକ ଘଟୁଥିଲା । ଏବେ ଯେଉଁମାନେ ବାବାଙ୍କଠାରୁ ଏମିତି ସାହାଯ୍ୟ ପାଉଛନ୍ତି ବୋଲି କହନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଜନ୍ମ ୧୯୧୮ ପରେ । ମାତ୍ର ସାଇବାବା ବଞ୍ଚିଥିଲା ବେଳେ ଯେମିତି ଭାବରେ ଶିଷ୍ୟମାନଙ୍କର ଉପକାର କରୁଥିଲେ, ଏହା ତା’ଠାରୁ କୌଣସି ପ୍ରକାରେ ଭିନ୍ନ ନୁହେଁ । ସାଇବାବା ନିଜେ କହନ୍ତି–

 

“ଏ ପାର୍ଥିବ ଶରୀର ତ୍ୟାଗ କଲେ ମଧ୍ୟ ମୁଁ ସବୁଦିନ ପରି ଶିଷ୍ୟମାନଙ୍କ କଥା ବୁଝୁଥିବି ଓ ତାଙ୍କୁ ସାହାଯ୍ୟ କରୁଥିବି । ମୁଁ ସର୍ବଦା କର୍ମତତ୍‌ପର ।”

 

“ମୋ ସମାଧି ମୋ ଶିଷ୍ୟମାନଙ୍କୁ ଆଶିଷ ପ୍ରଦାନ କରିବ ଓ ସେମାନଙ୍କର ଯାହା ଦରକାର ସବୁ ପୂରଣ କରିବ ।”

 

“ମୋ ପାଖକୁ ଯେଉଁମାନେ ଆସି ମୋ ପାଖରେ ଆତ୍ମସମର୍ପଣ କରନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ସର୍ବଦା ବଞ୍ଚିରହିଛି ।”

 

“ତୁମେ ଯଦି ତୁମର ଗୁରୁଭାର ମୋ ଉପରେ ଅର୍ପଣ କର, ମୁଁ ତାହା ବହନ କରିବି ।”

 

“ତୁମେ ମୋ ସାହାଯ୍ୟ ଓ ଉପଦେଶ ଚାହିଁଲେ, ମୁଁ ସଙ୍ଗେ ସଙ୍ଗେ ତାହା ହେବି ।”

 

“ମୋ ଭକ୍ତର କେବେ କିଛି ଅଭାବ ରହିବ ନାହିଁ ।”

 

ଶେଷରେ ତାଙ୍କର ଆଉ ଗୋଟାଏ କଥା ମନେ ପକେଇବା–

 

“ଲୋକେ ଯାହା ମାଗନ୍ତି, ମୁଁ ସେମାନଙ୍କୁ ତାହା ଦେଇଦିଏ, କାରଣ ମୁଁ ଯାହା ଦେବାକୁ ଚାହେଁ, ଦିନେ ସେମାନେ ତାହାହିଁ ମାଗିବେ ?”

Image

 

ମୃତ୍ୟୁପର ଉପସ୍ଥିତି

 

୧୯୬୦ ମସିହାରେ ଆମର କଲିକତାରେ ଚାରି ବର୍ଷ ରହଣୀ ସମୟରେ ଆମ ପଡ଼ୋଶୀ ଥିଲେ ଜଣେ ଧର୍ମପ୍ରାଣ ବୃଦ୍ଧା ମହିଳା । ତାଙ୍କର ନାମ ମିସ୍‌ ଡଟନ୍‌ । ତାଙ୍କ ସହ ଆମର ଭଲରୂପେ ପରିଚୟ ହୋଇଗଲା ପରେ ସେ ମୋତେ କହିଲେ ଯେ, ସେ ଗୋଟିଏ କନ୍‌ଭେଣ୍ଟ୍‌ରେ ଜଣେ ଦେବଦାସୀ (nun) ରୂପେ ତାଙ୍କ ଜୀବନର ଅଧିକାଂଶ ସମୟ କଟାଇଥିଲେ । ମାତ୍ର ସେ ଟିକିଏ ଅଧିକ ସ୍ଵାଧୀନତାପ୍ରିୟ ଥିବାରୁ କନ୍‌ଭେଣ୍ଟ୍‌ର କଠୋର ଶୃଙ୍ଖଳା ତାଙ୍କ ପ୍ରତି ବିରକ୍ତିକର ବୋଧ ହେଉଥିଲା । ଏହା ଫଳରେ ଅନ୍ତେବାସୀମାନଙ୍କ ସହ ତାଙ୍କର ଭଲ ପଡ଼ୁ ନ ଥିଲା ଓ ବେଳେ ବେଳେ କଳହ ମଧ୍ୟ ଲାଗୁଥିଲା । ଶେଷରେ ଏମିତି ଅବସ୍ଥା ହେଲା, ସେ ଅନ୍ୟସବୁ ଦେବଦାସୀମାନଙ୍କ ସହ ଆଦୌ ଚଳି ପାରିଲେ ନାହିଁ । ପରିଶେଷରେ ସେଠାରେ ରହିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇ ଉଠିଲା । ତେଣୁ ସେ ସେମାନଙ୍କର ସମର୍ଥନରେ ପୋପ୍‌ଙ୍କୁ ପ୍ରାର୍ଥନା କଲେ ତାଙ୍କ ଶୃଙ୍ଖଳିତ ଜୀବନର ସବୁ ଦାୟିତ୍ଵ ଓ ଶପଥପାଠରୁ ତାଙ୍କୁ ମୁକ୍ତି ଦେବାପାଇଁ । ଏହା ଅବିଳମ୍ବେ ଗୃହୀତ ହୋଇଗଲା । ତାଙ୍କର ଦରଖାସ୍ତ ବିଚାରଧୀନ ଥିଲାବେଳେ ଆପଣାର ଭବିଷ୍ୟତ ଜୀବନ ସମ୍ପର୍କରେ ସେ ଅତ୍ୟନ୍ତ ଚିନ୍ତିତ ଥିଲେ । ଶେଷରେ ମିସ୍‌ ଡଟନ୍‌ ଯେତେବେଳେ କନଭେଣ୍ଟ୍‌ ଛାଡ଼ିବାକୁ ବସିଲେ, ସେତେବେଳେ ତାଙ୍କର ଭବିଷ୍ୟତ କପରି ଆଶାଶୂନ୍ୟ ହୋଇପଡ଼ିଛି, ତାହା ଉପଲବ୍‍ଧି କଲେ । ସେତେବେଳକୁ ତାଙ୍କର ଜୀବନର ଅଧେ ବିତିଯାଇଥିଲା, ଆଉ ତାଙ୍କର କିଛି ଜୀବିକା ବି ନ ଥିଲା । କୌଣସି ସମ୍ପର୍କୀୟ ବନ୍ଧୁବାନ୍ଧବ ତାଙ୍କର ନ ଥିଲେ । ତାଙ୍କର ଏକମାତ୍ର ପୁତୁରା ଦୂର କଲିକତା ସହରରେ ରହୁଥିଲେ । ଦିନେ ସେ କନ୍‌ଭେଣ୍ଟ୍‌ ରେ ତାଙ୍କ ଘର ଭିତରେ ଚିନ୍ତାମଗ୍ନ ହୋଇ ବସିଥିବାବେଳେ ହଠାତ୍‌ ଜଣେ ଦୀର୍ଘକାୟ ଫକୀର ତାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ । ଜଣେ ଦେବଦାସୀର କୋଠରୀ ଭିତରକୁ ଜଣେ ମୁସଲମାନ୍‌ ଫକୀର କେମିତି ଆସିଲେ ତାହା ଅତ୍ୟନ୍ତ ବିସ୍ମୟକର ବୋଧହେଲା; କାରଣ ଏହା ଏକାବେଳକେ ଅସମ୍ଭବ ଥିଲା । ଫକୀର ମିସ୍‌ ଡଟନ୍‌ଙ୍କ ଆଡ଼କୁ କରୁଣାର୍ଦ ଦୃଷ୍ଟିରେ ଚାହିଁ କହିଲେ, “ଏତେ ବ୍ୟସ୍ତ ହେବାର କିଛି ନାହିଁ; ତୁମେ କଲିକତା ଗଲାପରେ ସବୁ ଠିକ୍‌ଠାକ୍‌ ହୋଇଯିବ । ତା’ପରେ ଫକୀର ତାଙ୍କୁ ଦକ୍ଷିଣା ମାଗିଲେ । ମିସ୍‌ ଡଟନ୍‌ କହିଲେ ଯେ ତାଙ୍କ ପାଖରେ କିଛି ପଇସା ନାହିଁ, ମାତ୍ର ଫକୀର କହିଲେ, “ହଁ ହଁ, ତୁମ ପାଖରେ ୩୫ଟଙ୍କା ସେଇ ଠଣାରେ ଗୋଟିଏ କାଠବାକ୍‍ସରେ ଅଛି-।” ତା’ପରେ ମିସ୍‌ ଡଟନ୍‌ ମୋତେ କହିଲେ, “ଆପଣ ଜାଣନ୍ତି, ଏହି ଟଙ୍କା କଥା ମୁଁ ସଂପୂର୍ଣ୍ଣ ଭୁଲି ଯାଇଥିଲି ।” ତାପରେ ସେ ଫକୀର କହିଥିବା ଠଣାରୁ ବାକ୍‍ସଟି କାଢ଼ି ଟଙ୍କା ଆଣି ଦକ୍ଷିଣା ଦେବାକୁ ଆସିଲାବେଳକୁ ଫକୀର ଆଉ ନାହାନ୍ତି ! ସେ ଯେମିତ ଅଦ୍‍ଭୂତ ଭାବରେ ଆସିଥିଲେ, ସେମିତି ଅଦ୍‍ଭୂତ ଭାବରେ ଚାଲିଗଲେ । ତା’ପରେ ମିସ୍‌ ଡଟନ୍‌ ବହୁତ ଶାନ୍ତି ଅନୁଭବ କଲେ-

 

କଲିକତାରେ ମିସ୍‌ ଡଟନ୍‌ଙ୍କ ପୁତୁରା ତାଙ୍କୁ ବେଶ୍‌ ଆଦରର ସହ ଗ୍ରହଣ କଲେ । ସେଠାରେ ସେ କେବଳ ମିସ୍‌ ଡଟନ୍‌ଙ୍କୁ ନୁହେଁ, ତାଙ୍କର ପୋଷା ଜୀବଜନ୍ତୁଙ୍କୁ ମଧ୍ୟ ସେ ଅତ୍ୟନ୍ତ ଆଦର ଯତ୍ନ ଦେଖାଇଲେ । ମିସ୍‌ ଡଟନ୍‌ ଏତେ ଖୁସି ହୋଇଗଲେ ଯେ, ସେ ସବୁଦିନ ସକାଳୁ ଉଠି ଚର୍ଚ୍ଚକୁ ଯାଉଥିଲେ ଏଥିପାଇଁ ଈଶ୍ୱରଙ୍କ ପାଖରେ କୃତଜ୍ଞତା ଜଣାଇବା ନିମନ୍ତେ । କ୍ରମଶଃ ଏହି ଶୃଙ୍ଖଳା ମିସ୍‌ ଡଟନ୍‌ ଙ୍କୁ ବେଶ୍‌ ଭଲ ଲାଗିଲା ।

 

ଏହା ଶୁଣି ମୁଁ ଜାଣିଲି ଯେ, ସେ ଫକୀର ଏହି ଅଲୌକିକ ସାଇବାବାଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି । ତା’ପରେ ମୁଁ ତାଙ୍କୁ ସେଇ ଫକୀରଙ୍କର ଗୋଟିଏ ଫଟୋ ମିସ୍‌ ଡଟନ୍‌ ଙ୍କୁ ଦେଖାଇବି ବୋଲି କହିଲି । ତା’ପରେ ଆମ ଘରୁ ବାବାଙ୍କର ଗୋଟିଏ ଫଟୋ ଆଣି ତାଙ୍କୁ ଦେଖାଇବା ପରେ ମିସ୍‌ ଡଟନ୍‌ ଅତି ଆଶ୍ଚର୍ଯ୍ୟରେ କହି ଉଠିଲେ, “ହଁ, ଠିକ୍‌ ଏଇତ ମୋ ଫକୀର ! ଏଇ ଧଳା କନାଖଣ୍ଡିକ ମଧ୍ୟ ତାଙ୍କ ମୁଣ୍ଡରେ ବନ୍ଧା ହୋଇଥିଲା ।” ଏହା କହିବା ବାହୁଲ୍ୟ ମାତ୍ର ଯେ ମିସ୍‌ ଡଟନ୍‌ ଆଗରୁ ସାଇବାବାଙ୍କ କଥା କେବେ ଶୁଣି ନ ଥିଲେ ।

Image